ବିଶ୍ୱରେ ପ୍ରଥମଥର ପାଇଁ ଏକ ଧଳା ଜଙ୍ଗଲୀ ବିଲେଇ (Iberian lynx) ସ୍ପେନ୍ର ଦକ୍ଷିଣାଞ୍ଚଳସ୍ଥ ଜାଏନ ପାହାଡ଼ରେ ଦେଖିବାକୁ ମିଳିଛି। ବିଲୁପ୍ତପ୍ରାୟ ଏହି ବଣୁଆ ବିରାଡିର ଏପରି ଦୁର୍ଲଭ ରୂପ ସଂରକ୍ଷଣ ପ୍ରୟାସର ଏକ ବଡ଼ ସଫଳତା ଭାବେ ଗଣାଯାଉଛି।
ସ୍ପେନୀୟ ବନ୍ୟଜନ୍ତୁ ଫଟୋଗ୍ରାଫର ଆଞ୍ଜେଲ ହିଡାଲଗୋଙ୍କ ଦ୍ୱାରା ଉତ୍ତୋଳିତ ଏକ ଭିଡିଓରେ ଏହି ଲିଙ୍କ୍ସଟିର ଶରୀରରେ ଏକ ଅସାମାନ୍ୟ ଧଳା, କ୍ରିମ ରଙ୍ଗର ପଟାଳି ରହିଥିବା ଦେଖାଯାଇଛି। ତେବେ ଏହାର ତୀକ୍ଷ୍ଣ ଆଖି, କାନରେ ଥିବା କଳା ଝୁମ୍ପା ଏବଂ ମୁହଁର ସ୍ବାଭାବିକ ଆକୃତି ଅକ୍ଷୁର୍ଣ୍ଣ ରହିଛି।
ବିଶେଷଜ୍ଞଙ୍କ ମତରେ, ଲିଙ୍କ୍ସଟି ଲ୍ୟୁସିଜିମ (Leucism) ନାମକ ଏକ ଦୁର୍ଲଭ ଜେନେଟିକ ସମସ୍ୟାର ଶିକାର, ଯାହା ଶରୀରର କିଛି ଅଂଶରେ ରଙ୍ଗ (Pigment) କ୍ଷୟ ହେବା ଯୋଗୁ ହୋଇଥାଏ। ତେବେ ଏହା ଆଲବିନିଜିମ (Albinism)ଠାରୁ ଭିନ୍ନ, କାରଣ ଲ୍ୟୁସିଜିମ ଆଖିର ସ୍ବାଭାବିକ ରଙ୍ଗ ଏବଂ ସମଗ୍ର ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ନାହିଁ। ଏହି ଦୁର୍ଲଭ ପ୍ରାଣୀକୁ ସୁରକ୍ଷା ଦେବା ପାଇଁ ଏହାର ନିର୍ଦ୍ଦିଷ୍ଟ ଅବସ୍ଥାନକୁ ଗୋପନୀୟ ରଖାଯାଇଛି।
Dharitri – Odisha’s No.1 Odia Daily


