ବିଶ୍ବ ଅନୁବାଦ ଦିବସ ଓ ଆମ ସ୍ଥିତ

ହରେକୃଷ୍ଣ ଦାସ

ପୃଥିବୀର ବିଭିନ୍ନ ଦେଶକୁ ପରସ୍ପରର ବୌଦ୍ଧିକ ଓ ସାଂସ୍କୃତିକ ବିଭବ ସହ ଭାଷା ମାଧ୍ୟମରେ ଯୋଡ଼ିବାର ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନ କରିବାର ପରିକଳ୍ପନା କରାଯାଇଥିଲା। ଦେଶ ଦେଶ ମଧ୍ୟରେ ଶାନ୍ତି ଓ ସଦ୍ଭାବନା ସ୍ଥାପନ କରିବା ତଥା ବଜାୟ ରଖିବାରେ ଅନୁବାଦକମାନଙ୍କର ଭୂମିକାକୁ ସମ୍ମାନ ଜଣାଇ ପ୍ରତିବର୍ଷ ସେପ୍ଟେମ୍ବର ୩୦ ତାରିଖକୁ ଏହି ଦିବସ ଭାବରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ସାଧାରଣ ପରିଷଦ ୨୦୧୭ ମସିହାରେ ସଙ୍କଳ୍ପ ପାରିତ କଲାପରେ ସେହି ବର୍ଷଠାରୁ ଏହା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ବାରା ପାଳନ କରାଯାଇଆସୁଛି। ଏ ବର୍ଷ ଏହି ଦିବସ ପାଳନର ଥିମ୍‌ ବା ପ୍ରସଙ୍ଗ ରହିଛି ‘Every culture deserves global respect’ ବା ପ୍ରତ୍ୟେକ ସଂସ୍କୃତିକୁ ସମଗ୍ର ବିଶ୍ବରେ ସମ୍ମାନ ମିଳିବା ଆବଶ୍ୟକ। ଏବଂ world without barriers ବା ବାଧାରହିତ ବିଶ୍ବ। ବାଇବେଲକୁ ଲାଟିନ ଭାଷାରେ ଅନୁବାଦ କରିଥିବା ସନ୍ଥ ଜେରମଙ୍କ ମହାପ୍ରୟାଣ ତାରିଖରେ ଏହା ପାଳନ କରାଯାଉଥିବାରୁ ଅନୁବାଦ କର୍ମର ଗୁରୁତ୍ୱ କେତେ ରହିଛି ତାହା ଅନୁମାନ କରାଯାଇପାରେ।
କିନ୍ତୁ ବିଡ଼ମ୍ବନାର ବିଷୟ ହେଲା କବିତା, ଗଳ୍ପ, ନାଟକ, ଉପନ୍ୟାସ ପରି ବିଭାଗଗୁଡିକୁ ସାହିତ୍ୟ ସର୍ଜନାର ମୌଳିକ ବିଭାଗ ଭାବରେ ଯେତିକି ଆଦର ଓ ପ୍ରୋତ୍ସାହନ ମିଳେ, ଅନୁବାଦ ବିଭାଗକୁ ଆମେ ସେତିକି ଗୁରୁତ୍ୱ ଦେଇ ନ ଥାଉ, ଯଦିଓ ଅନୁବାଦ ଏକ କଷ୍ଟକର କାର୍ଯ୍ୟ ବୋଲି ଆମେ ସମସ୍ତେ ସ୍ବୀକାର କରିଥାଉ। ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ଲକ୍ଷ୍ୟ କଲେ ଅନ୍ୟାନ୍ୟ ବିଭାଗ ତୁଳନାରେ ଅନୂଦିତ ସାହିତ୍ୟର ନଗଣ୍ୟ ପରିମାଣ ଆମର ଅନୁବାଦ କର୍ମ ପ୍ରତି ଆନ୍ତରିକତା ବାବଦରେ ଏକ ନକାରାତ୍ମକ ଚିତ୍ର ପ୍ରଦାନ କରେ। ଓଡ଼ିଶାରେ ଅନୁବାଦ ପ୍ରତି ସମର୍ପିତ ଅନେକ ଦକ୍ଷ ଅନୁବାଦକ ଅନେକ ଉତ୍କୃଷ୍ଟ ମାନର କାମ କରି ଆମ ପାଇଁ ଗୌରବ ଆଣିଛନ୍ତି, କିନ୍ତୁ ସାମ୍ପ୍ରତିକ ସମୟରେ ଏ ଦିଗରେ ଆମର ପ୍ରୟାସ ଉତ୍ସାହଜନକ ନୁହେଁ।
ସରକାରୀ ସ୍ତରରେ ଯଦିଓ ପ୍ରୋତ୍ସାହନ ଦିଆଯାଇ କେତେକ ବହିକୁ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଉଛି, ତା’ର ଗତି ଅତି ମନ୍ଥର ହୋଇଥିବାରୁ ପରିମାଣ ମଧ୍ୟ ଖୁବ୍‌ ନୈରାଶ୍ୟଜନକ। ବହିଟିଏର ନିର୍ବାଚନଠାରୁ ଆରମ୍ଭ କରି ଅନୁବାଦ ପରେ ପ୍ରକାଶନ ପର୍ଯ୍ୟନ୍ତ ବିଭିନ୍ନ ଔପଚାରିକ ପ୍ରକ୍ରିୟାରେ ଏତେ ସମୟର ବ୍ୟବଧାନ ଥାଏ ଯେ ତା’ ଭିତରେ ବହୁତ କବିତା, ଗଳ୍ପବହି ପ୍ରକାଶିତ ହୋଇସାରିଥିବ। ସୁତରାଂ, ଯେଉଁ ଅନୁବାଦକମାନେ ସର୍ଜନାର ଅନ୍ୟାନ୍ୟ ବିଭାଗରେ ସକ୍ରିୟ ଥିବେ, ସେମାନେ ଏ ପ୍ରକାର ଅନୁବାଦ ପାଇଁ ଆଗ୍ରହ ନ ଦେଖାଇବା ସ୍ବାଭାବିକ।
ଅନୁବାଦ ବାସ୍ତବରେ ଏକ ପୁନର୍ସୃଜନ କାର୍ଯ୍ୟ ହୋଇଥିବାରୁ, କବିତା ଗଳ୍ପ ଆଦି ସର୍ଜନାରେ ସକ୍ରିୟ ଥିବା ସ୍ରଷ୍ଟାଟିଏ ଅପେକ୍ଷାକୃତ ଭଲ ଅନୁବାଦକ ହୋଇପାରେ ଯଦି ତା’ର ଉଭୟ ଭାଷାର ଶବ୍ଦ ଉପରେ ଆବଶ୍ୟକ ଦକ୍ଷତା ଥାଏ। କିନ୍ତୁ ସୃଜନଶକ୍ତି ନ ଥାଇ କେବଳ ଭାଷାଗତ ଦକ୍ଷତା ଥିବା ବ୍ୟକ୍ତି ଅନୁବାଦରେ ନିୟୋଜିତ ହେଲେ ନିମ୍ନମାନର ଅନୁବାଦ ହୋଇ ମୂଳ ବହିଟିର ଆଦର ବଢ଼ିପାରେନା। ସମସ୍ୟା ବେଶି ବଳିପଡ଼େ ଯେତେବେଳେ ନିଜ ପ୍ରୋଫାଇଲରେ ବହି ସଂଖ୍ୟା ବଢ଼ାଇବାର ନିଶାରେ ଅନେକ ନିମ୍ନମାନର ବହିର ଅନୁବାଦ ଘରୋଇ ପ୍ରୟାସରେ କରାଯାଏ। ତା’ ଦ୍ବାରା ଅନ୍ୟ ଭାଷାକୁ ଯେଉଁ ବାର୍ତ୍ତା ଯାଏ, ତାହା କେବେହେଲେ ବୌଦ୍ଧିକ, ସାଂସ୍କୃତିକ ଓ ସାହିତି୍ୟକ ଗରିମାର ବାର୍ତ୍ତା ନୁହେଁ। ବହିର ମାନ ନିର୍ଦ୍ଧାରଣ କରିବା ପାଇଁ ଯେଉଁମାନେ ଦାୟିତ୍ୱରେ ଥାଆନ୍ତି ସେମାନେ ବାହ୍ୟ ଚାପରେ ପ୍ରଭାବିତ ନ ହୋଇ, ନିରପେକ୍ଷ ରହି ଯେ କେବଳ ଉଚ୍ଚମାନର ବହି ଅନୁବାଦ ପାଇଁ ସୁପାରିସ କରନ୍ତି, ସେକଥା ମଧ୍ୟ ନିଶ୍ଚିତ ନୁହେଁ। ଉଚ୍ଚ ମାନ ଅପେକ୍ଷା ଉଚ୍ଚ ପଦପଦବୀ ଅନେକ କ୍ଷେତ୍ରରେ ବହି ଅନୁବାଦ ହେବା ପଛର କାରଣ ପାଲଟୁଛି ଯାହା ସାହିତ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ। ବିଶେଷ କରି ଓଡ଼ିଆ ସାହିତ୍ୟ ପାଇଁ, ଯାହା ଅନୁବାଦ କ୍ଷେତ୍ରରେ ଏପର୍ଯ୍ୟନ୍ତ ଏତେ ସମୃଦ୍ଧ ସ୍ତରକୁ ଉଠିପାରିନାହିଁ, ଏ ପ୍ରକାର ଧାରା ନିହାତି କ୍ଷତିକାରକ।
ଓଡ଼ିଶାରେ ଅନୁବାଦ ପାଇଁ ଅନେକ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। କିନ୍ତୁ ବହି ଓ ଅନୁବାଦକ ଚୟନ ଦିଗରେ ଅଭିଜ୍ଞ ସାହିତି୍ୟକ ତଥା ଅନୁବାଦକମାନେ ଯତ୍ନଶୀଳ ହେବା ଉଚିତ। ଖବରକାଗଜର ସାହିତ୍ୟ ପୃଷ୍ଠା ଓ ପତ୍ରପତ୍ରିକାରେ କେବଳ ଉଚ୍ଚକୋଟୀର ସାହିତ୍ୟ ଅନୁବାଦକୁ ଉତ୍ସାହିତ କରାଯିବା ଉଚିତ। କିନ୍ତୁ ବିଡ଼ମ୍ବନା ଯେ, କେବଳ ଅନୁବାଦ କୃତିର ବହୁଳତାକୁ ଧ୍ୟାନରେ ରଖି ଜଣକୁ ଆମେ ଉଚ୍ଚକୋଟୀର ଅନୁବାଦକ ବୋଲି ବିଚାର କରୁ। ତାକୁ ବିଭିନ୍ନ ପ୍ରକାରେ ତୋଷାମଦି କରି ନିଜର ଅଜ୍ଞତା ଦେଖାଉ କିମ୍ବା ନିଜର ସଂକୀର୍ଣ୍ଣ ସ୍ବାର୍ଥ ହାସଲ କରିବାକୁ ଚେଷ୍ଟା କରୁ। ଏବଂ ସେହି ତଥାକଥିତ ଅଭିଜ୍ଞ ଓ ଉଚ୍ଚକୋଟୀର ଅନୁବାଦକମାନେ ନିଜର ପତିଆରା ବଜାୟ ରଖିବା ସକାଶେ ନୂତନ ପିଢ଼ିର ଅନୁବାଦକଙ୍କୁ ଆଗକୁ ବଢ଼ିବାକୁ ଦେବା ପରିବର୍ତ୍ତେ ନକାରାତ୍ମକ ମତାମତ ଦେଇ ନିରୁତ୍ସାହିତ କରନ୍ତି। ଏ ପ୍ରକାର ମାନସିକତାରୁ ଆମେ ଯେତେ ଶୀଘ୍ର ମୁକୁଳିବା, ଆମ ଅନୁବାଦ ସାହିତ୍ୟ ସେତେ ରୁଚିଶୀଳ ହେବ।
ପ୍ରତିଭା ଓ ଦକ୍ଷତା ଉପରେ କୌଣସି ନିର୍ଦ୍ଦିଷ୍ଟ ସମୟର କେବେ ଏକଚାଟିଆ ଅଧିକାର ନ ଥାଏ। ସବୁବେଳେ ଅନେକ ପ୍ରତିଭା ସମ୍ପନ୍ନ ସାହିତି୍ୟକଙ୍କୁ ପ୍ରକୃତି ଜନ୍ମ ଦେଇଥାଏ, ଯେଉଁମାନଙ୍କୁ ଉପଯୁକ୍ତ ସୁଯୋଗ, ପରିବେଶ, ପରାମର୍ଶ ଓ ମାର୍ଗଦର୍ଶନ ଦିଆଯାଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଇପାରିବ। ନୂତନ ପିଢ଼ିର ଅନେକ ପ୍ରତିଭାବାନ ଅନୁବାଦକଙ୍କୁ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତା ଜରିଆରେ ଚୟନ କରି, ସେମାନଙ୍କର ଉପଯୁକ୍ତ ମାର୍ଗଦର୍ଶନ କରାଇ ଅଧିକରୁ ଅଧିକ ରୁଚିସମ୍ପନ୍ନ ଅନୁବାଦ ସାହିତ୍ୟ ସୃଷ୍ଟି କରିବାରେ ସହାୟକ ହେବା ଉଚିତ। ତାହା ହୋଇପାରିଲେ ରୁଦ୍ଧିମନ୍ତ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଆହୁରି ଅଧିକ ପ୍ରଚାର ପ୍ରସାର ହୋଇପାରିବ। ଅନ୍ତର୍ଜାତୀୟ ଅନୁବାଦ ଦିବସ ପାଳନର ଏହା ଧ୍ୟେୟ ହେବା ଉଚିତ ବୋଲି ଆମେ ଓଡ଼ିଆମାନେ ଅନ୍ତତଃ ଆଶା କରିବା।
ଅଧ୍ୟାପକ, ଇଂଲିଶ ବିଭାଗ
ନିଆଳି କଲେଜ, କଟକ
ମୋ:୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?