କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧର୍ମଘଟ ଆରମ୍ଭ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଧାରଣା ଓ ଅନଶନ ପରିବର୍ତ୍ତେ ବିଦ୍ୟୁତ୍ ଲାଇନ୍ ଓ ଟ୍ରାନ୍ସଫର୍ମର ଭଳି ବିଦ୍ୟୁତ୍ ଯନ୍ତ୍ରାଂଶକୁ କ୍ଷତି ପହଞ୍ଚାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାରଠାରୁ କନ୍ଦରପୁର, ୪୨ ମୌଜା, କିଶୋରନଗର ଓ ରଘୁନାଥପୁର ଅଞ୍ଚଳରେ ଏଭଳି ଘଟଣା ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି।
ବିଳମ୍ବିତ ରାତିରେ ଏହି ଅଞ୍ଚଳରେ କିଛି ଅସାଧୁ କର୍ମଚାରୀ ମରାମତି ଆଳରେ ବିଦ୍ୟୁତ୍ ଯନ୍ତ୍ରାଂଶର କ୍ଷତି ପହଞ୍ଚାଉଥିବା ଅଭିଯୋଗ ଆସିଛି। ଏଥିପ୍ରତି ଉପଭୋକ୍ତାମାନେ ସତର୍କ ରହିବା ସହ ରାତି ଅଧରେ ବିଦ୍ୟୁତ୍ ସରବରାହ ବନ୍ଦ ହେଲେ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

