ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି ପୋଖରୀକୁ ଶୌଚ ହେବାକୁ ଯାଇଥିବା ମହିଳାଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତକ ମହିଳା ଜଣକ କୃପା କିର୍ଶାନୀଙ୍କ ସ୍ତ୍ରୀ ଜନୁ କିର୍ଶାନୀ (୩୦) ବୋଲି ପରିଚୟ ମିଳିଛି।
ଗୋଡ ଖସି ପାଣିରେ ବୁଡିଯିବା ସୂଚନା ପାଇ ଲମତାପୁଟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମହିଳା ଜଣଙ୍କୁ ପୋଖରୀ ଭିତରୁ ଉଧାର କରି ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଉପସ୍ଥିତ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ଭାଇ ପ୍ରହଲ୍ଲାଦ ସୀସା ଏନେଇ ମାଛକୁଣ୍ଡ ଥାନାରେ ଏତଲା ଦେଇଥିଲେ । ଏତଲାରେ ଭଉଣୀ ମୂର୍ଚ୍ଛା ରୋଗରେ ପୀଡ଼ିତ ଥିଲେ । ଜଳାଶୟରେ ଗୋଡ ଖସି ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଉଲ୍ଲେଖ କରିଛନ୍ତି ।
ମାଛକୁଣ୍ଡ ଥାନାଧିକାରୀ କୁଳମଣି ବୁରୁଦା, ଲମତାପୁଟ ଫାଣ୍ଡି ଅଧିକାରୀ ଶିଶିର ଘୋଷ ପ୍ରମୁଖ ମୃତଦେହ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଓ ଘଟଣା ସ୍ଥଳ ପୋଖରୀ ପରିଦର୍ଶନ କରି ଘଟଣାର ତଦନ୍ତ କରୁଛନ୍ତି। ଅପରାହ୍ନରେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି ।

