କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଯିବା ଓ ସେଠାରେ ମହିଳାଙ୍କ ମୃତ୍ୟୁ ଘଟିବା ଭଳି ଘଟଣା ଗୁରୁବାର ରାଏବୋଗା ଥାନା ଅଞ୍ଚଳରେ ଘଟିଛି। ମୃତକ ହେଉଛନ୍ତି ଝୁନମୁର ପଞ୍ଚାୟତ ଗୋପୁର ଗ୍ରାମର ବିଶ୍ରାମ ଭେଙ୍ଗ୍ରାଙ୍କ ସ୍ତ୍ରୀ ଫୁଲ ଭେଙ୍ଗ୍ରା(୫୦)। ଏ ନେଇ ରାଏବୋଗା ଥାନା ଏଏସ୍ଆଇ ସୁଶାନ୍ତ ଜେନା ବୀରମିତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା (୧୦/୨୬) ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।
ପୋଲିସ ସୂଚନା ମୁତାବକ, ବୁଧବାର ରାତିରେ ଶୋଇଥିବାବେଳେ ଝୁନମୁର ପଞ୍ଚାୟତର ଗୋପୂର ଗ୍ରାମର ଫୁଲଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହା ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ମହୁଆଟୋଲିର ଜଣେ ଗୁଣିଆ ନିକଟକୁ ଝଡ଼ାଫୁଙ୍କା ପାଇଁ ନେଇଥିଲେ। ଏହାପରେ ଗ୍ରାମର ଜଣେ ନକଲି ଡାକ୍ତର ପାଖକୁ ଯାଇ ଇଞ୍ଜେକସନ ନେଇ ଗୁରୁତର ହୋଇଥିଲେ। ଏହାପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗୁରୁବାର ସକାଳୁ ବୀରମିତ୍ରପୁର ସରକାରୀ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଣିଆ ଓ ନକଲି ଡାକ୍ତରଙ୍କ ଚିକିତ୍ସା ମୃତ୍ୟୁ ପଛର କାରଣ ହୋଇଥାଏ ପରେ ବୋଲି ସାଧାରଣରେ ଆଲୋଚନା ହେଉଛି।

