ଆରାବଳିକୁ ମାରିଦେବେ

ଆରାବଳି ଭାରତର ଉତ୍ତର-ପଶ୍ଚିମାଞ୍ଚଳ ଭାଗରେ ଅବସ୍ଥିତ ସବୁଠାରୁ ପୁରୁଣା ପର୍ବତମାଳା। ପ୍ରାୟ ୨୦୦ କୋଟି ବର୍ଷ ପୂର୍ବରୁ ଏହା ସୃଷ୍ଟି ହୋଇଥିଲା। ତୁଳନାତ୍ମକ ଭାବେ ଦେଖିଲେ ହିମାଳୟ ପର୍ବତମାଳା ୪୦ରୁ ୫୦ ନିୟୁତ ବର୍ଷ ପୂର୍ବେ ଗଠିତ ହୋଇଥିଲା। ଆରାବଳି ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୬୭୦ କିଲୋମିଟର ଲମ୍ବିଛି, ଯାହା ଦିଲ୍ଲୀରୁ ଆରମ୍ଭ ହୋଇ ଦକ୍ଷିଣ ହରିୟାଣା, ରାଜସ୍ଥାନ ଦେଇ ଗୁଜରାଟର ଅହମଦାବାଦରେ ସରିଛି। ଆରାବଳି ପର୍ବତମାଳା ଭାରତର ସର୍ବାଧିକ ପୁରୁଣା ଫୋଲ୍ଡ ବା ଭଙ୍ଗିଳ ପର୍ବତମାଳା ଭାବେ ଜଣାଶୁଣା। ଆରାବଳି ସମ୍ପର୍କରେ ପିଲାଟି ବେଳୁ ପଢ଼ିଛୁ ଯେ, ଏହା ଜୈବବିବିଧତା ବଜାୟ ରଖିବା ସହ ଜଳସ୍ତରକୁ ପୁନଃଭରଣ କରିଥାଏ। ଏଥିସହିତ ଏହା ଉତ୍ତର ଭାରତ ଆଡ଼କୁ ପ୍ରବାହ ହେଉଥିବା ଗରମ ପବନର ଗତିରୋଧ କରିବା ଓ ଥାର୍‌ ମରୁଭୂମିର ଭାରତ-ଗାଙ୍ଗେୟ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାକୁ ରୋକିବାରେ ସହାୟକ ହୋଇଥାଏ।
ଆରାବଳିକୁ ନେଇ ସଦ୍ୟ ଆଲୋଚନା ଆରମ୍ଭ ହୋଇଛି। ଏହାର ପ୍ରଚ୍ଛଦପଟରେ ଅଛି ସୁପ୍ରିମକୋର୍ଟରେ କରାଯାଇଥିବା ଏକ ଜନସ୍ବାର୍ଥ ମାମଲା। ଆରାବଳିକୁ ନେଇ ହୋଇଥିବା ମାମଲାର ଉତ୍ତରରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏକ କମିଟି ଗଠନ କରି ଯେଉଁ ରିପୋର୍ଟ ସର୍ବୋଚ୍ଚ ନ୍ୟାୟାଳୟକୁ ଦେଲେ, ତାହା ଆରାବଳି ପର୍ବତମାଳାର ସଂଜ୍ଞାରେ ପରିବର୍ତ୍ତନ ଚାହିଁଥିଲା। ମୂଳବିନ୍ଦୁଟି ରହିଲା ୧୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ତାହା ଆରାବଳି ପର୍ବତ ଭାବେ ଗଣାଯିବ ନାହିଁ। ଅର୍ଥାତ୍‌ ମଣିଷର ଦୁଇଗୋଡ଼କୁ କାଟିଦେଇ କୁହାଯିବ ଦୌଡ଼ିବାକୁ। ଏଭଳି ଅବାଞ୍ଛିତ ମତକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନେଇଛନ୍ତି। କେବଳ ସେତିକି ନୁହେଁ, ଏଠାରେ ମନେରଖିବାକୁ ହେବ ଯେ, ଆରାବଳି ପର୍ବତମାଳାର ୯୦ ପ୍ରତିଶତରୁ ଅଧିକ ପାହାଡ଼ ୧୦୦ ମିଟରଠାରୁ କମ୍‌ ଉଚ୍ଚତାରେ ଅଛି। ଏହି ଗୋଟିଏ ସଂଜ୍ଞା ପରିବର୍ତ୍ତନରେ ଆରାବଳିର ପ୍ରାୟ ୯୦ ପ୍ରତିଶତ ଧ୍ୱଂସ ପାଇଯିବ। ଅତି ଚତୁରତାର ସହିତ କେତେକ ବ୍ୟକ୍ତି ସୋସିଆଲ ମିଡିଆରେ ଯେଉଁ ପ୍ରକାର ମନ୍ତବ୍ୟ ସବୁ ଦେଉଛନ୍ତି, ସେଥିରେ ଏକ ତ୍ରୁଟିପୂର୍ଣ୍ଣ ଛବି ସୃଷ୍ଟି ହେଉଛି। ସେମାନେ ଦର୍ଶାଉଛନ୍ତି ଯେଉଁ ୧୦ ପ୍ରତିଶତ ସୁରକ୍ଷିତ ରହିବ, ସେଥିରେ କୌଣସି ଖଣି ଖନନ ବା ବିକାଶ କାର୍ଯ୍ୟ କରାଯିବ ନାହିଁ। ସତେଯେମିତି ସୁପ୍ରିମକୋର୍ଟଙ୍କ ରାୟ ଫଳରେ ଆରାବଳିର ରୂପରେଖ ସୁରକ୍ଷିତ ହୋଇଯିବ। କିନ୍ତୁ ବାସ୍ତବରେ ସେଠାରେ ଖଣି ଖନନ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୃଷ୍ଟି କାର୍ଯ୍ୟ ଅତିଶୀଘ୍ର ଆରମ୍ଭ ହୋଇଯିବ। ବିଭିନ୍ନ ରିପୋର୍ଟ ଅନୁଯାୟୀ, ପୂର୍ବାପେକ୍ଷା ଆରାବଳି ତା’ର ଚାରି ଭାଗରୁ ଏକ ଭାଗ ପର୍ବତ ହରାଇସାରିଲାଣି। ଏହାପଛରେ ମୁଖ୍ୟତଃ ମନୁଷ୍ୟକୃତ ବିପର୍ଯ୍ୟୟ ରହିଛି। ଏହି ପବର୍ର୍ତମାଳା କ୍ଷୟ ହେବାରେ ଲାଗିଥିବାରୁ ଭାରତର ରାଜଧାନୀ ଦିଲ୍ଲୀକୁ ଆସୁଥିବା ବାୟୁ ଅଧିକ ପ୍ରଦୂଷିତ ହେବ ବୋଲି କୁହାଗଲାଣି।
ତେଣେ ବମ୍ବେର ଅନ୍ୟ ଏକ ଘଟଣା ମଧ୍ୟ ଦୃଷ୍ଟି ଆକର୍ଷଣ କରୁଛି। ସେହି ବୃହତ୍‌ ମହାନଗର ପାର୍ଶ୍ୱରେ ଆରେ ଜଙ୍ଗଲ ଅଛି। ସେହି ଜଙ୍ଗଲକୁ କାଟି ସେଠାରେ ମେଟ୍ରୋ ରେଳର ଡିପୋ କରିବାର ଯୋଜନାକୁ କିଛି ବର୍ଷ ପୂର୍ବେ ଉଦ୍ଧବ ଠାକ୍‌ରେ ସରକାର ବନ୍ଦ କରିଦେଇଥିଲେ। ସେହି ସରକାର ପତନ ପରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପୁନର୍ବାର ଆରେ ପ୍ରକଳ୍ପ ଆରମ୍ଭ କରାଗଲା, ଯାହାକୁ ସ୍ଥାନୀୟ ଜନସାଧାରଣ ପ୍ରବଳ ବିରୋଧ କଲେ। ଏବେ ଏକନାଥ ଶିନ୍ଦେ ସମର୍ଥିତ ଦେବେନ୍ଦ୍ର ଫଡନବିସଙ୍କ ଭାଜପା ସରକାର ସେହି ପ୍ରକଳ୍ପକୁ ତ୍ୱରାନ୍ବିତ କରୁଛନ୍ତି। ତାହା ହେଲେ ବମ୍ବେ ସହରର ମୁଖ୍ୟ ଜଙ୍ଗଲର ବିରାଟକାୟ ଅଞ୍ଚଳ ଧ୍ୱଂସ ପାଇଯିବ। ସେହିଭଳି ଭୁବନେଶ୍ୱର ପାର୍ଶ୍ୱବର୍ତ୍ତୀ ଚନ୍ଦକା ଜଙ୍ଗଲକୁ ପୂର୍ବ ସରକାର ଘରୋଇ କମ୍ପାନୀ ମାଧ୍ୟମରେ ଧ୍ୱଂସ କରିବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଭାରତରେ ବିକାଶ ନାମରେ ପରିବେଶ ଧ୍ୱଂସ କାର୍ଯ୍ୟ ଚାରିଆଡ଼େ ଚାଲିଛି।
ଆଜିର ସମୟରେ ଦେଖାଯାଉଛି ଭାରତବର୍ଷର କୌଣସି ବିସ୍ତୃତ ପ୍ରାକୃତିକ ଅଞ୍ଚଳ ପଡ଼ିଥିଲେ ତାହାକୁ ବିକାଶ ନାମରେ ତତ୍‌କ୍ଷଣାତ୍‌ ବ୍ୟବହାର କରିଦିଆଯାଉଛି। ଏହା ଫଳରେ ଉତ୍ତରାଖଣ୍ଡରେ ନୂଆ ଚାରିଧାମ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ପରିଣତି କ’ଣ ଘଟୁଛି ଦେଶବାସୀ ଜାଣିପାରିଲେଣି। ଭୂମି, ଜଳ, ବାୟୁକୁ ନ୍ୟାୟସଙ୍ଗତ ଭାବେ ଉପଯୋଗ କରାଯାଉ ନ ଥିବାରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ଅନୁଭୂତ ହେଲାଣି। ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସହରରେ ସାଧାରଣ ଜୀବନଯାପନ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଲାଣି। ଆରାବଳି ଭଳି ପର୍ବତମାଳାକୁ ଧ୍ୱଂସ କରିଦେଲେ ଉତ୍ତର ଭାରତରେ ଆହୁରି ବହୁତ ଅଞ୍ଚଳ ଖୁବ୍‌ଶୀଘ୍ର ତୀବ୍ର ପାଣିପାଗଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେବା ଥୟ। କିନ୍ତୁ ହାତଗଣତି କିଛି ବ୍ୟବସାୟୀ ପ୍ରବଳ ମାତ୍ରାର ଜମି ପାଇବା ସହିତ ଅର୍ଥ ଅର୍ଜନ କରିପାରିବେ। ଦେଶ ଧ୍ୱଂସ ହେଉ, କିନ୍ତୁ ଧନୀ ଆହୁରି ଅଧିକ ଧନୀ ହୁଅନ୍ତୁ। ସୁପ୍ରିମକୋର୍ଟଙ୍କ ଏଭଳି ରାୟ ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ପାସୋରି ଯିବା ଉଚିତ ନୁହେଁ। ନିକଟ ଅତୀତକୁ ଦେଖିଲେ ଅବସର ଗ୍ରହଣ କରିବାର ଅଳ୍ପ କେତେକ ଦିନ ପୂର୍ବରୁ ଭାରତର ପ୍ରତ୍ୟେକ ପ୍ରଧାନ ବିଚାରପତି କେତୋଟି ମାରାତ୍ମକ ରାୟ ଦେଇ ବିଦାୟ ନେଉଛନ୍ତି। ଆରାବଳି ସମ୍ପର୍କିତ ରାୟକୁ ଅବସର ପୂର୍ବରୁ ବି.ଆର୍‌. ଗବଇ ରାୟ ଦେଇ ପଳାଇଗଲେ। ଏହି ରାୟ ପରେ ଗବଇ କହିଛନ୍ତି ତାଙ୍କ ମନ ଉଶ୍ୱାସିଆ ହୋଇଗଲା। ଅବସୋସର ବିଷୟ ଯେ ଦେଶର ଭବିଷ୍ୟତକୁ,ଏହିଭଳି ରାୟ, ଅନ୍ଧକାରକୁ ଠେଲିଦେଲା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?