ସତ୍ୟର ପ୍ରଳାପ କାହିଁକି

ପିଲାଦିନର କଥା ମନେପଡ଼ିଯାଏ। ବିଦ୍ୟାଳୟରେ ଗୁରୁଜୀ କହୁଥିଲେ ମଧୁବାବୁଙ୍କ ବର୍ଣ୍ଣବୋଧ ବହିରୁ ‘ଆହେ ଦୟାମୟ ବିଶ୍ୱବିହାରୀ’ ପ୍ରାର୍ଥନାଟିକୁ ଆଖି ବନ୍ଦକରି ବୋଲିବାକୁ। କାରଣ ଏହାକୁ ଗାନ କଲେ କୁଆଡ଼େ ଠାକୁରେ ବହୁତ ଖୁସି ହେବା ସହ ଭଲ ବିଦ୍ୟା, ବୁଦ୍ଧି ସହିତ ଭଲ ଜ୍ଞାନ ମଧ୍ୟ ପ୍ରଦାନ କରିଥା’ନ୍ତି। ସକାଳେ ସନ୍ଧ୍ୟାରେ ଉକ୍ତ ବନ୍ଦନାକୁ ଘରେ ପାଠ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି ମା’ବାପା। ଏହି ପ୍ରାର୍ଥନା ଗାନ କଲେ ଭଲ ମଣିଷଟିଏ ହୋଇ ସମାଜରେ ନାଁ ରଖିବୁ ବୋଲି କହିଥା’ନ୍ତି। ମାତ୍ର ସେହି ପ୍ରାର୍ଥନାରେ ଗୋଟିଏ ଧାଡ଼ି ଥିଲା ‘ସତ କହିବାକୁ କିଅଁା ଡରିବି, ସତ କହି ପଛେ ମଲେ ମରିବି’। ଆଜି ଏ ଧାଡ଼ିଟିର କେତେ ପ୍ରାସଙ୍ଗିକତା ଅଛି ଏବଂ ତାହାକୁ କେତେ ଜଣ ନିଜ ଦୈନନ୍ଦିନ ଜୀବନରେ ପାଳନ କରୁଛନ୍ତି, ତାହା ବିଚାରଯୋଗ୍ୟ। ଭାଗବତର ଆପ୍ତବାକ୍ୟ କହେ, ‘ଯାତସ୍ୟ ହି ଧ୍ରୁବ ମୃତ୍ୟୁ’- ଜନ୍ମ ଯେପରି ସତ୍ୟ, ମୃତ୍ୟୁ ମଧ୍ୟ ସେହିପରି ଧ୍ରୁବ ସତ୍ୟ। କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଆଜି ସମାଜରେ ସତ୍ୟକୁ ନେଇ ବୁଦ୍ଧିଜୀବୀ, ନେତା, ମନ୍ତ୍ରୀ, ଶାସକ, ପ୍ରଶାସକ ସମସ୍ତେ ସତ୍ୟର ଦ୍ୱାହି ଦେଇ ଦିବାଲୋକରେ ଡାହା ମିଛ କହି ବାହାବା ନେଉଛନ୍ତି। ସତ ନ କହିବା ପଛରେ କାରଣ କ’ଣ ଥାଇପାରେ? ନିଜ ମନ ନିଜକୁ ପ୍ରଶ୍ନ କରେ କାହିଁକି ସତ କହିପାରୁନୁ, ଏଥିରେ ଅସୁବିଧା କେଉଁଠି? ସଂସାରରେ ଯେତେ କାର୍ଯ୍ୟ ଅଛି, ସତ କହିବାଟା ସବୁଠାରୁ କଷ୍ଟସାଧ୍ୟ। ଯଦି ଆପଣମାନେ ଭାବୁଥାଆନ୍ତି ଏହା ସହଜ କାର୍ଯ୍ୟ, ତେବେ ଗୋଟିଏଦିନ ଶପଥ କରିବେ ଉକ୍ତ ଦିନଟିରେ ଯାହା କହିବେ ସତ୍ୟ କହିବେ। ଯଦି ଏହା ସମ୍ଭବ କରି ଦେଖାଇଦେବେ, ତେବେ ଆପେ ନିଜେ ନିଜର ଗୁରୁ ପାଲଟିଯିବେ, କାହାଠାରୁ ଜ୍ଞାନ ନେବାର ଆବଶ୍ୟକତା ନାହିଁ।
ଇଏତ ଆମର ନିତିଦିନିଆ ଜୀବନର କାହାଣୀ। ମାସ ଶେଷରେ ପେପରବାଲା ପଇସା ମାଗିଲେ ଆରେ ଆଜି ନାହିଁ ଆଉ ଦୁଇ ଦିନ ପରେ ଦେବି କିନ୍ତୁ ପାଖରେ ପଇସା ଥିବ। ଆଜିକାଲି ଫୋନ୍‌ ଓ ମୋବାଇଲ ହେଉଛି ମିଛ କହିବାର ପ୍ରକୃଷ୍ଟ ମାଧ୍ୟମ। ସବୁଠୁ ବେଶି ମିଛ କୁହାଯାଇଥାଏ ନିଜ ଘରେ, ନିଜ ପତ୍ନୀକୁ ଓ ପିଲାମାନଙ୍କୁ। ଧର୍ମରାଜ ଯୁଧିଷ୍ଠିର ଦିନେ ମହାଭାରତ ଯୁଦ୍ଧରେ ସାମାନ୍ୟ ମିଛ କହିଥିଲେ, ‘ନରେ ବା କୁଞ୍ଜରେ ଅଶ୍ୱତ୍‌ଥାମା ହତ’। ତେଣୁ ତାଙ୍କୁ ନର୍କର ଦ୍ୱାର ଦେଖିବାକୁ ପଡ଼ିଥିଲା। ମାତ୍ର ଆଜି ଆମେମାନେ ପ୍ରତି ମୁହୂର୍ତ୍ତରେ କେତେ ଡାହାମିଛ କହୁଛୁ, ତେବେ ଆମେ ନର୍କକୁଣ୍ଡରେ ପଡ଼ିବାନି କି? ଏହାକୁ ଅନେକେ ପୁରାଣ କଥା ପୁରୁଣା ବୋଲି କହିଥିଲେ ମଧ୍ୟ ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ମନୁସ୍ମୃତିରେ କୁହାଯାଇଛି, ସତ୍ୟ କୁହ, ପ୍ରିୟ କୁହ, ମାତ୍ର ଅପ୍ରିୟ ସତ୍ୟ କୁହନାହିଁ। ମାତ୍ର ସତ୍ୟ ଯେତେ ସାଂଘାତିକ ତଥା ଯେତେ ପ୍ରିୟ ହୋଇଥିଲେ ମଧ୍ୟ ଅସତ୍ୟ କୁହନାହିଁ। ସଦାସର୍ବଦା ସତ୍ୟଟାହିଁ ଅପ୍ରିୟ, କିନ୍ତୁ ସମୟଚକ୍ରରେ ଯଦି ଗୋଟିଏ ମିଛ କାହାର ଜୀବନ ବଞ୍ଚାଇପାରେ, ସେଭଳି ମିଛ କହିବା ଦୋଷାବହ ହେଲେ ମଧ୍ୟ ସ୍ବାଗତଯୋଗ୍ୟ, ମୋତେ ପଛେ ତକ୍ଷକ ଖାଉ ବଂଶରେ କଳଙ୍କ ନ ଲାଗୁ, କିନ୍ତୁ ମିଛ ଆଶ୍ୱାସନା, ମିଛ ସ୍ନେହ, ମିଛ ପ୍ରେମ ସବୁଠୁ ବେଶି ମାରାତ୍ମକ। ମାତ୍ର ଅନେକେ କୁହନ୍ତି, ଏବେ ମଧ୍ୟ କହୁଛନ୍ତି- ବ୍ୟବସାୟରେ ମିଛ ନ କହିଲେ କୁଆଡ଼େ ଚଳିହେବନି। ମାତ୍ର ଏ କଥାଟି ଏକାବେଳକେ ସତ ନୁହେଁ କି ମିଛ ବି ନୁହେଁ! ଆମ ବ୍ୟବସାୟ କଥା। ମୋ ଜୀବନକାଳରେ ଅଦ୍ୟାବଧି ଅନେକ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଛି। ଅନେକ ପାଠପଢ଼ୁଆ ବାବୁମାନେ କହନ୍ତି- ହେଇଟି ସାହୁକାରେ, ମୋତେ ଖରାପ ଜିନିଷ ଦେବନି, ଅନ୍ୟ ଯାହାକୁ ଦେଉଛ ଦିଅ ମୋର ଯାଏଆସେ ନାହିଁ। ସାହୁକାର ପଚାରିଲେ ଆଜ୍ଞା ଆପଣ କାହିଁକି ସେ ଅନ୍ୟ ଲୋକ ନ ହେବେ? ବଣି ଗୋଡ଼ ହଳଦିଆ ଭଳି ସମସ୍ତେ କହିଲେ ଆମେ ଭଲରେ ରହିବୁ। ତା’ହାଲେ ମନ୍ଦରେ କିଏ ରହିବ? ଆଜିକାଲି ସତ୍ୟକୁ ନେଇ କେତେ ତଣ୍ଟିଫଟା ଭାଷଣ, ପ୍ରବଚନ ଦେଇ ରାତ୍ରର ନିସ୍ତବ୍ଧ ପ୍ରହରରେ ଅନ୍ୟ କିଛି କରିବା ଇଏ କ’ଣ ସତ୍ୟର ଅପଳାପ ନୁହେଁ କି? ସତ୍‌ସଙ୍ଘ ମାଧ୍ୟମରେ ସତ୍ୟର ବାନା ଉଡ଼ାଉଥିବା ଅନେକ ସାଧୁ ସନ୍ଥମାନଙ୍କର କଳାକାରନାମା କେତେଦୂର ସତ୍ୟ ପ୍ରତି କୁଠାରାଘାତ ପାଠକେ ବିଚାର କରିବେ। ନ୍ୟାୟାଳୟରେ ବିଚାରପତିଙ୍କ ଆଗରେ ପବିତ୍ର ଗୀତା ଛୁଇଁ ପ୍ରାୟତଃ ସମସ୍ତେ ମିଛ କୁହନ୍ତି। ତାଙ୍କୁ ଜେରା କରୁଥିବା ଓକିଲ ବନ୍ଧୁ ମଧ୍ୟ ନିଜ ମୁଦାଲାକୁ ଦୋଷମୁକ୍ତ କରିବା ପାଇଁ ମିଛ ସତର ଅପଳାପ କରିଥା’ନ୍ତି। ତେଣୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଯେତେ ବୁଝାଇଥିଲେ ମଧ୍ୟ ସେ ମିଛ କହିପାରିବେନି ବୋଲି ଓକିଲାତି କରିବାକୁ ମନା କରିଦେଇଥିଲେ। ଆଜିର ନେତୃବର୍ଗ ସତ ହାସଲ ପାଇଁ ଅନେକ ମିଥ୍ୟା ଆଶ୍ୱାସନା ଦେଇଥା’ନ୍ତି, ମାତ୍ର ତା’ ଭିତରୁ ଗୋଟିଏ ପୂରଣ ହୋଇନଥାଏ, କିନ୍ତୁ ଆସିଯାଇଥାଏ ଆଉ ଗୋଟିଏ ନିର୍ବାଚନ। ତଥାପି ଆମ ଭୋଟଦାତାମାନେ ସମସ୍ତେ ଜାଣନ୍ତି ନେତା କେବେହେଲେ ସତ୍ୟ କୁହନ୍ତି ନାହିଁ ଆଉ ଯେଉଁ ନେତା ତାଙ୍କ ଦଳ ମୁଖ୍ୟଙ୍କର ଅନ୍ୟାୟ ବିରୋଧରେ ମୁହଁ ଖୋଲିଲା, ତା’ ପରଠୁ ତା’ର ଶନିଦଶା ପଡ଼ିଗଲା ବୋଲି ସେ ଜାଣିଥାଏ। ତେଣୁ ‘ନିଜେ ବଞ୍ଚତ୍ଲେ ବାପର ନଁା’ ପରି ସତ୍ୟର ପ୍ରଳାପ କରି ମିଥ୍ୟାର ରାଜୁତି ଚଳାଇ ଜନସାଧାରଣଙ୍କ ସହ ଛଳନା କରି ଚାଲିଥା’ନ୍ତି।
ଅବଗତିର ଲକ୍ଷ୍ୟହେଲା ସତ୍ୟ ଲାଭ ଏବଂ ତାକୁ ଭିତ୍ତିକରି ମାନବ ସମାଜ ଆଗରେ ଥିବା କର୍ତ୍ତବ୍ୟରାଜିର ସମ୍ପାଦନ। ପାଣ୍ଡିଆସ୍‌ ପାଇଲେଟ ଯିଶୁଖ୍ରୀଷ୍ଟଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଯିଶୁ ଜୀବନର ଅର୍ଥ ସମ୍ପର୍କରେ ଉଚ୍ଚତର ସତ୍ୟ ଜାଣିଛନ୍ତି ବୋଲି ଦାବି କରି ସେ ଗଣ୍ଡଗୋଳ ସୃଷ୍ଟି କରୁଥିବାରୁ ତାଙ୍କୁ ବନ୍ଦୀ କରାଯାଇଥିଲା। ଏହି ପ୍ରଶ୍ନ ପଚାରି ପାଇଲେଟ ସତ୍ୟର ଅସ୍ତିତ୍ୱ ସମ୍ପର୍କରେ ସନ୍ଦେହ ପ୍ରକାଶ କରିଥିଲେ। ଏହି ସତ୍ୟର ଅବଧାରଣାଟି ବହୁ ଶବ୍ଦାର୍ଥପୂର୍ଣ୍ଣ ଏବଂ ଅନେକ ସମୟରେ ତାହା ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥାଏ। ‘ରାମ ନାମ ସତ୍ୟ ହାଏ’ ଶବ ମଶାଣିକୁ ଗଲାବେଳେ ଶବବାହକମାନେ ଏହା କହିଥା’ନ୍ତି ଯେ- ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ। ଯଦି ଉକ୍ତ ବାକ୍ୟକୁ ଝିଅ ବିଦାୟ ବେଳେ କୁହାଯାଏ, ତାହା ବିପରୀତ କ୍ରିୟା ସୃଷ୍ଟି କରିଥାଏ। ମାତ୍ର ସବୁକିଛି ଆସିଛି ‘ସତ୍ୟ’ ଧାରଣାରୁ। ‘ସତ୍ୟ’ର ଧାରଣାଟି ଚିନ୍ତନରେ ବାସ୍ତବର ଏକ ସଠିକ୍‌, ପ୍ରାମାଣିକ ପ୍ରତିଫଳନକୁ ବୁଝାଇବା କାର୍ଯ୍ୟରେ ଲାଗିଥାଏ। ସତ୍ୟ ବସ୍ତୁସମୂହର ପ୍ରମାଣସିଦ୍ଧ ପ୍ରତିଫଳନକୁ ବୁଝାଏ। ପ୍ରାଚୀନ ଦାର୍ଶନିକମାନେ ସତ୍ୟକୁ ଜ୍ଞାନ ସହିତ ଜଡ଼ିତ କରିଥିଲେ, ଯେଉଁ ଜ୍ଞାନର ବାସ୍ତବ ସହିତ ମେଳ ଅଛି। ତେଣୁ ମନରୁ ଭୟ, ଭ୍ରାନ୍ତି ଦୂର କରି ବାସ୍ତବ ଚିତ୍ରକୁ ଆଣିପାରିଲେ ସତ୍ୟ ନିଶ୍ଚୟ ନିଜର କାୟା ବିସ୍ତାର କରିବା ସହ ସମାଜ ହସି ଉଠିବ।
ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?