ଏତେ ଲୋଭ କ’ଣ ପାଇଁ

ଏବେ ପ୍ରାୟ ସବୁଦିନ ଖବରକାଗଜ ଲେଉଟାଇଲେ ଆଖିରେ ପଡ଼ୁଛି ‘ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ’ ନ ହେଲେ ‘ଲାଞ୍ଚ ନେଇ ବନ୍ଧାହେଲେ ସରକାରୀ ବାବୁ’ ଇତ୍ୟାଦି ଚାଞ୍ଚଲ୍ୟକର ଖବର। ଏମାନଙ୍କର ତାଲିକା ଦିନକୁ ଦିନ ଲମ୍ବା ହେବାରେ ଲାଗିଛି। ପୁଳା ପୁଳା ସୁନାକୁ ମାଳ ମାଳ ପ୍ଲଟ୍‌, ଭଳିକି ଭଳି ଗାଡ଼ିକୁ ବିଡ଼ା ବିଡ଼ା ନୋଟ୍‌ ଦେଖିଲେ ଦୁଃଖ ଲାଗୁଛି ଯେତିକି ଆଶ୍ଚର୍ଯ୍ୟ ବି ଲାଗୁଛି ସେତିକି। ଦୁଃଖ ଲାଗୁଛି ଆମ ସମାଜର ସ୍ଥିତି ଦେଖିକି ଓ ଆଶ୍ଚର୍ଯ୍ୟ ଲାଗୁଛି ମଣିଷର ରୁଗ୍‌ଣ ମାନସିକତା କଥା ଭାବିକି। ଦୁର୍ନୀତି ବିଭାଗର ଛାଟ ବାଜିଥିବା ଏ ସମସ୍ତ ବ୍ୟକ୍ତି ପ୍ରାୟତଃ ଉଚ୍ଚଶିକ୍ଷିତ, ଉଚ୍ଚ ପଦପଦବୀରେ ଅଧିଷ୍ଠିତ ଏବଂ ଏମାନଙ୍କର ଆର୍ଥିକ ଅବସ୍ଥା ମଧ୍ୟ ସ୍ବଚ୍ଛଳ। ତେବେ ଦରିଆ ଭିତରେ ଥାଇ ଏମାନଙ୍କର ଏତେ ଶୋଷ କ’ଣ ପାଇଁ? ପ୍ରାଚୁର୍ଯ୍ୟ ଭିତରେ ବୁଡ଼ିରହି ମଧ୍ୟ ଆହୁରି ଆହୁରି ପାଇବାର ଲାଳସା ସତରେ କେତେ ଦୁର୍ଭାଗ୍ୟପୂର୍ଣ୍ଣ ଭାବିଲେ ପାଠକବନ୍ଧୁ! ଲୋଭ କହିଲେ ଆମେ ସାଧାରଣତଃ ବୁଝୁ ପରଧନ ଉପରେ ଆଖି ପକେଇବା ଓ କଳେବଳେ କୌଶଳେ ତାକୁ କରାୟତ୍ତ କରି ନିଜ ପାଣ୍ଠିର କଳେବର ବଢେଇବା। ଏହା ଏକ ଘୃଣ୍ୟକର୍ମ ଜାଣି ମଣିଷ ନା ସନ୍ତପ୍ତ ନା ଅନୁତପ୍ତ, ବରଂ ଛାରପୋକ ପରି ଯେତେ ରକ୍ତ ଶୋଷିଲେ ବି ଅତୃପ୍ତ। ତେଣୁ ଏପରି ଚରିତ୍ରମାନଙ୍କୁ ନିତାନ୍ତ ଦରିଦ୍ର ଆଖ୍ୟା ଦେଲେ କ’ଣ କିଛି ଭୁଲ୍‌ ହେବ କି? ମହାପୁରୁଷମାନେ କହିଛନ୍ତି ଯାର ତୃଷ୍ଣା ଯେତେ ବିଶାଳ ସେ ସେତେ ଦରିଦ୍ର। ‘କ୍ଷୁଧାତୁରାଣାଂ ନ ଚ ଶୁଦ୍ଧବୁଦ୍ଧି’। ଏହି ନ୍ୟାୟରେ ରାବଣ ସୁନାର ଲଙ୍କାରେ ଥାଇ ବି ଥିଲା ଦରିଦ୍ର କିନ୍ତୁ ବିଚରା କୈବର୍ତ୍ତ ଶୃଙ୍ଗବେରପୁରର କୁଡ଼ିଆରେ ଥାଇ ମଧ୍ୟ ଥିଲା ପରମ ସୁଖୀ ଓ ସନ୍ତୋଷ। ଶ୍ରୀମଦ୍‌ଭଗବଦ୍‌ ଗୀତା ତେଣୁ ଚେତାବନୀ ଦେଲେ ଯେ କାମ, କ୍ରୋଧ ଓ ଲୋଭ ହେଉଛି ନରକର ଦ୍ୱାର ଯାହା ଅନର୍ଥକୁ ଡାକିବା ସହିତ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଅଧୋଗାମୀ କରିଦିଅନ୍ତି।
ପୁରାଣକୁ ଆଲୋଚନା କଲେ ଜଣାଯାଏ ଯେ ତ୍ରେତୟା ଯୁଗରେ ‘କାମ’ର ପ୍ରତୀକ ରାବଣ ଓ କୁମ୍ଭକର୍ଣ୍ଣକୁ ବିନାଶକଲେ ଏକମାତ୍ର ପ୍ରଭୁ ରାମଚନ୍ଦ୍ର। ସେହିପରି ଦ୍ୱାପର ଯୁଗରେ ‘କ୍ରୋଧ’ର ପ୍ରତୀକ ଶିଶୁପାଳ ଓ ଦନ୍ତବକ୍ରକୁ ବିନାଶ କଲେ ଏକମାତ୍ର ପ୍ରଭୁ କୃଷ୍ଣଚନ୍ଦ୍ର। କିନ୍ତୁ ଲୋଭ ଏତେ ଭୟଙ୍କର ଯେ ‘ଲୋଭ’ର ପ୍ରତୀକ ହିରଣାକ୍ଷ ଓ ହିରଣ୍ୟକଶିପୁକୁ ବିନାଶ କରିବାକୁ ପ୍ରଭୁଙ୍କୁ ଦୁଇଥର ଅବତାର ନେବାକୁ ପଡ଼ିଲା। ଗୋଟିଏ ହେଉଛି ବରାହ ଓ ଅନ୍ୟଟି ନରସିଂହ। ଏ ସଂସାରରେ ଯଦି କେଉଁ ମନ୍ଦ ପଦାର୍ଥ ପ୍ରଥମେ ସୃଷ୍ଟି ହେଲା ତାହା ହେଉଛି ଲୋଭ। ଆଜିର ସମାଜରେ ପ୍ରାୟତଃ ଦୁଇପ୍ରକାର ଲୋଭରେ ମଣିଷ ପୀଡ଼ିତ। ଗୋଟିଏ ହେଉଛି ସଂଗ୍ରହବୃତ୍ତିଜନିତ ଲୋଭ ଓ ଅନ୍ୟଟି ଭୋଗବୃତ୍ତିଜନିତ ଲୋଭ। ଜଣେ ହିରଣାକ୍ଷ ଓ ଆଉ ଜଣେ ହିରଣ୍ୟକଶିପୁ ଯେଉଁମାନେ ଆଦି ଦୈତ୍ୟରୂପେ ବେଶ୍‌ ଜଣାଶୁଣା। ଏ ଦୁଇଭାଇଙ୍କ ମଧ୍ୟରେ ବଡ଼ ଥିଲା ହିରଣ୍ୟକଶିପୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ପ୍ରଭୁ ବରାହ ଅବତାର ନେଇ ପ୍ରଥମେ ସାନଭାଇ ହିରଣାକ୍ଷକୁ ମାରିଲେ। ଏହାର କାରଣ ସାନଭାଇ ଥିଲା ସବୁଠୁ ବିଷାକ୍ତ ଯାହା ହେଉଛି ସଂଗ୍ରହବୃତ୍ତି ଲୋଭ। ସମ୍ପତ୍ତିର ପାହାଡ଼ ଉପରେ ଥାଇ ଆହୁରି ଆହୁରି ଧନ ଠୁଳ କରିବାର ନିଶାରେ ମାତିଥିବା ମଣିଷମାନେ ହିଁ ହିରଣାକ୍ଷ। ତେବେ କ’ଣ ପାଇଁ ଏତେ ଲୋଭ ଆଉ ନିଶା?
ଓଡ଼ିଆରେ ଗୋଟିଏ ଉକ୍ତି ଅଛି ଅଧର୍ମ ବିତ୍ତ ବଢ଼େ ବହୁତ। ଅକାଟ୍ୟ ଏ ବଚନ କାରଣ ଅନୀତି ଓ ଅସାଧୁ ଉପାୟରେ ଅର୍ଜିତ ଧନକୁ ମଣିଷ ନିଜେ ଭୋଗ କରିପାରେନା କି ତା’ର ପୁତ୍ର ପରିଜନ ଭୋଗ କରିପାରନ୍ତି ନାହିଁ। ଧର୍ମପୂର୍ବକ ଅର୍ଜିତ ଧନରେ ଭଗବାନ୍‌ ରୁହନ୍ତି ଓ ଅଧର୍ମ ବିତ୍ତରେ ସଇତାନ ରୁହେ। ଭଗବାନ୍‌ ମଙ୍ଗଳମୟ ହୋଇଥିବାରୁ ଧର୍ମ ଓ ନୀତି ଉପରେ ପ୍ରତିଷ୍ଠିତ ପରିବାରରେ ସବୁବେଳେ ସୁଖ, ଶାନ୍ତି ବିରାଜମାନ କରୁଥିବା ବେଳେ ସଇତାନ ପରିବାରରେ ଅଶାନ୍ତି, କଳହର ଧୂଆଁ ମଣିଷକୁ ଅଣନିଃଶ୍ୱାସୀ କରିଦିଏ। ଏ କଥା ସତ୍ୟ ଯେ ଧନ ପାଇବାକୁ ହେଲେ ଦୁଃଖ, ଧନ ଚାଲିଗଲେ ବି ଦୁଃଖ କିନ୍ତୁ ସବୁଠୁ ବେଶି ଦୁଃଖ ହେଉଛି ଧନକୁ କୁଣ୍ଢେଇ ଧରି ଜଗିବା। କିନ୍ତୁ ଯେତେ ଜଗିଲେ ବି ଏହାକୁ କ’ଣ ଅଟକେଇ ହବ? ଏ ପାପ ଧନକୁ ଦିନେ ନା ଦିନେ ଚୋର ଖଣ୍ଟମାନେ ନେଇଯିବେ ନ ହେଲେ ଥାନା, ଡାକ୍ତରଖାନା, କୋର୍ଟ କଚେରି ଖାଇଯିବେ ନତୁବା ଦୁର୍ନୀତି ବିଭାଗଧରି ଚାଲିଯିବେ। ତେବେ ଏ ସବୁ କଥା ଜାଣି ମଧ୍ୟ ନିଜ ସାଧୁତାରେ କଳଙ୍କ ଲଗାଇ କ’ଣ ପାଇଁ ମଣିଷ ଧନ ଠୁଳ କରିବାରେ ଲାଗିଛି ତାହା ହିଁ ବଡ଼ ବିଚିତ୍ର।
ମନେପଡି଼ଯାଏ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କର ପ୍ରଧାନମନ୍ତ୍ରୀ ଚାଣକ୍ୟଙ୍କର କଥା। ଭାରତ ଭ୍ରମଣ ବେଳେ ମେଘାସ୍ଥିନିସ୍‌ ଚାଣକ୍ୟଙ୍କର ପ୍ରତିଭା କଥା ଶୁଣି ତାଙ୍କୁ ସାକ୍ଷାତ୍‌ କରିବାକୁ ଯାଆନ୍ତେ ଚାଣକ୍ୟ ହାତରେ ଦୁଇଟି ଜଳୁଥିବା ଡିବିକୁ ଧରିଆସି ପଚାରିଲେ ‘ମୋ ସହିତ ଆପଣଙ୍କର ଆଲୋଚନା କ’ଣ ବ୍ୟକ୍ତିଗତ ନା ଦେଶ ସମ୍ପର୍କିତ?’ ଉତ୍ତର ପାଇଲେ ବ୍ୟକ୍ତିଗତ। ଚାଣକ୍ୟ ସଙ୍ଗେ ସଙ୍ଗେ ଜଳୁଥିବା ଦୁଇଟି ଡିବି ମଧ୍ୟରୁ ଗୋଟିକୁ ଲିଭାଇ ଦିଅନ୍ତେ ମେଘାସ୍ଥିନିସ୍‌ ପଚାରିଲେ ଗୋଟିଏ ଡିବିକୁ ଲିଭାଇଦେଲେ କାହିଁକି? ଚାଣକ୍ୟ ଉତ୍ତର ଦେଲେ ଯେଉଁ ଡିବିଟି ଲିଭାଇଦେଲି ତାହା ସରକାରଙ୍କର। ଯେହେତୁ ମୋ ସହ ଆଲୋଚନା ଆପଣଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସେଥିରେ ସରକାରୀ ଡିବି ଜାଳିବାରେ କି ଆବଶ୍ୟକତା ଅଛି? ଏହା ହିଁ ଥିଲା ଏ ଦେଶର ସାଧୁତା। କିନ୍ତୁ ଆଜି ସରକାରଙ୍କ ସମ୍ପତ୍ତି ଚଳୁକରିବାରେ ସରକାରୀ କର୍ମଚାରୀଙ୍କର ଜାଗିଛି ଭୟଙ୍କର ନିଶା। ବାଡ଼ ଯଦି ଫସଲ ଖାଏ ତେବେ ଦୋଷ ଦେବା କାହାକୁ? ଉପନିଷଦରେ କୁହାଯାଇଛି ‘ମା ଗୃଧଃ କସ୍ୟସ୍ବିଦ୍‌ ଧନଃ’ ଅର୍ଥାତ୍‌ ପରଧନ ଉପରେ କେବେ ହେଲେ ନଜର ପକେଇବା ଉଚିତ ନୁହେଁ। ପରଧନ ସଂଗ୍ରହ ମଣିଷକୁ ଚାକର କରିଦିଏ କିନ୍ତୁ ଧର୍ମଧନର ସଦୁପଯୋଗ ତାକୁ ମାଲିକ ଆସନରେ ବସାଇଦିଏ। ବଡ଼ ଦୁର୍ଭାଗ୍ୟର କଥା ଏବେ ମଣିଷର ଯାତ୍ରା ଆରମ୍ଭ ହେଉଛି ବିଷୟା ବିଷରୁ ଓ ସରୁଛି ବିନାଶରେ। ବରଂ ମଣିଷ ଯଦି ତା’ର ଧର୍ମୋପାର୍ଜିତ ଧନକୁ ସମାଜର ସାମୂହିକ ମଙ୍ଗଳ କାମରେ ସଦୁପଯୋଗ କରିପାରନ୍ତା ତାହା ହିଁ ହୁଅନ୍ତା ଯଜ୍ଞକର୍ମ। ସେଥିପାଇଁ ତ ହିରଣ୍ୟକଶିପୁକୁ ବିନାଶ କଲେ ପ୍ରଭୁ ବରାହ ଯେ ଯଜ୍ଞର ପ୍ରତୀକ। ଏହି ଯଜ୍ଞକର୍ମ ଦ୍ୱାରା ସମଷ୍ଟିର ହିତ ସାଧନ ହେବା ସହ ଯଜ୍ଞର ପ୍ରସାଦ ରୂପେ ମଣିଷ ପ୍ରସନ୍ନତା ଲାଭକରିପାରନ୍ତା। ଆଜିର ଅଧୋଗାମୀ ମଣିଷ ଯେବେ ଏହି କଥାଟିକକ ବୁଝିପାରନ୍ତା ତେବେ ତା’ର ଉଜୁଡ଼ା ଘର ପୁଣି ସଜାଡ଼ି ହୋଇଯାଆନ୍ତା ଓ ଅଶାନ୍ତି ବଦଳରେ ପ୍ରଶାନ୍ତି ତା’ର ମନମହକୁମାକୁ ମହକାଇ ପାରନ୍ତା।
ଅଧ୍ୟାପକ, ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ
ମୋ: ୯୪୩୭୧୧୩୧୬୨


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri