
ନୂଆଦିଲ୍ଲୀ,୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ଗୁରୁବାର ପରଲୋକ ଘଟିଛି। ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଶୋକର ଲହର ଖେଳିଯାଇଛି। ଗୁରୁବାର ରାତିରେ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ସମୟ ପରେ ସେ ଆଖି ବୁଜିଥିଲେ।
ମନମୋହନ ସିଂ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଥିଲେ। ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୨ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।ଏହାଛଡ଼ା ସେ ଅନେକ କାରଣକୁ ନେଇ ମନେ ରହିବେ। ଯଦି କେବେ ଆଖି ବନ୍ଦ କରି ତାଙ୍କ କଥା କେହି ଚିନ୍ତା କରେ ତେବେ ସର୍ବପ୍ରଥମେ ତାଙ୍କର ନୀଳ ରଙ୍ଗର ପଗଡ଼ି ନଜର ଆସିବ।
ଅଧିକାଂଶ ସମୟରେ କେବଳ ନୀଳ ରଙ୍ଗର ପଗଡ଼ି ପିନ୍ଧୁଥିଲେ ମନମୋହନ। ଏହା ପଛରେ ରହିଥିଲା ବଡ଼ କାରଣ। ଏକଦା ସେ କହିଥିଲେ ଯେ ଏହି ରଙ୍ଗର ପଗଡ଼ି ତାଙ୍କ ଲାଗି ସ୍ବତନ୍ତ୍ର। ୨୦୦୬ରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଡକ୍ଟରେଟ୍ ଅଫ୍ ଲ’ରେ ସମ୍ମାନିତ କରାଯାଇଥିଲା। ଏହି ସମୟରେ ସେ ଯେବେ ଷ୍ଟେଜ୍କୁ ଯାଉଥିଲେ , ସେତେବେଳେ ଡ୍ୟୁକ୍ ଅଫ୍ ଆଡିନ୍ବର୍ଗ ପ୍ରିନ୍ସ ଫିଲିପ୍ ତାଙ୍କ ପଗଡ଼ି ଆଡ଼କୁ ଇଙ୍ଗିତ କରି, ଦେଖ ତାଙ୍କ ପଗଡ଼ିର ରଙ୍ଗ ବୋଲି କହିଥିଲେ। ଏହି ଟିପ୍ପଣୀ ପରେ ହାଲକା ନୀଳ ରଙ୍ଗ ତାଙ୍କର ପ୍ରିୟ ରଙ୍ଗ ବୋଲି ସେ କହିଥିଲେ। ଏହି ରଙ୍ଗ ତାଙ୍କୁ କ୍ରେମ୍ବ୍ରିଜ ସମୟକୁ ମନେ ପକାଇ ଦେଉଥିଲା।
ଯେତେବେଳେ ମନମୋହନ କେମ୍ବ୍ରିଜରେ ପଢ଼ୁଥିଲେ, ସେତେବେଳେ ନୀଳ ରଙ୍ଗର ପଗଡ଼ି ପିନ୍ଧୁଥିଲେ। ତାଙ୍କୁ ବନ୍ଧୁମାନେ ‘ବ୍ଲୁ ଟର୍ବନ’ ନାମରେ ଡାକୁଥିଳେ। ଏହା ତାଙ୍କ ନିକ୍ନେମ୍ ପାଲଟିଥିଲା। ଏହି କାରଣରୁ ନୀଳ ରଙ୍ଗର ପଗଡ଼ି ତାଙ୍କ ପରିଚୟର ବଡ଼ ଅଂଶ ଥିଲା।
କହିରଖୁଛୁ, ମନମୋହନଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ନିଗମବୋଧ ଘାଟରେ କରାଯିବ।