ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମ କର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଡମ କର୍ଲାଖୁଣ୍ଟା ଗ୍ରାମର ତୁଳସୀରାମ ସାହୁ, ସୁରସିଂ ପାତ୍ର ଏବଂ ଫଟାମୁଣ୍ଡାର ବଳଦେବ ସାହୁ ବୋଲି ଜଣାପଡିଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଗୁରୁବାର ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍ପି ନାଗରାଜ ଦେବର କୋଣ୍ଡା ସୂଚନା ଦେଇଛନ୍ତି। ପ୍ରକାଶ ଯେ,ଗତ ବୁଧବାର ସନ୍ଧ୍ୟା ୭ଟା ୩୦ରେ ଭାଜପା ନେତା ଫକୀର ରଣାଙ୍କୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୧୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତମାନେ ଛୁରୀ ଭୁସି ହତ୍ୟା କରିଥିଲେ। ଏ ନେଇ ଗୁରୁବାର ମୃତ ଫକୀରଙ୍କ ପୁଅ ଏମ. ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

