ନୂଆପଡ଼ା ଉପନିର୍ବାଚନରେ କାହା ମତିଗତି କୁଆଡ଼େ: ଜାଣନ୍ତୁ ଗ୍ରାଉଣ୍ଡ ଜିରୋରୁ…

ନୂଆପଡ଼ା,୨୯ା୧୦(ସୁନିତ୍‌ ମିଶ୍ର):ନୂଆପଡ଼ା ଉପନିର୍ବାଚନ ବର୍ତ୍ତମାନ ଭାଜପା, ବିଜେଡି ଓ କଂଗ୍ରେସ ପାଇଁ ‘ଏସିଡ୍‌ ଟେଷ୍ଟ’ ଭଳି ସ୍ଥିତି ଉପୁଯାଇଛି। ରାଜ୍ୟ ରାଜନୀତି ଦୃଶ୍ୟପଟରେ ପରିବର୍ତ୍ତନ ସତ୍ତ୍ୱେ ୩ ପ୍ରମୁଖ ଦଳର ନେତାଙ୍କ ମାନସିକତା ବଦଳିପାରୁ ନାହିଁ। ରାଜ୍ୟର ସବୁ ପ୍ରାନ୍ତର ପ୍ରମୁଖ ଦଳର ନେତାମାନେ ଏଠାରେ ଡେରା ପକାଇ ରହିଛନ୍ତି। ହେଲେ ଉପନିର୍ବାଚନ ଲଢ଼େଇକୁ ସାମ୍ନା କରିବା ନେଇ ବିଜେଡି ସରକାରରେ ଥିବାବେଳେ ଯେଉଁ ଢାଞ୍ଚାରେ ରହୁଥିଲା ସେଭଳି ହ୍ୟାଙ୍ଗ ଓଭରରୁ ବାହାରିପାରି ନାହିଁ। ସରକାରକୁ ଆସିଥିବା ଭାଜପା କ୍ଷମତା ଦେଖି ଅଧିକ ଆତ୍ମବିଶ୍ବାସୀ ହୋଇପଡ଼ିବା ଭଳି ବ୍ୟବହାର ଦେଖାଉଛି। ସମାନ ଭାବେ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ‘ଏକଲା ଚାଲୋ’ ନୀତି ମଧ୍ୟ ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି। ୩ ଦଳର ଏପରି ମାନସିକତା ସେମାନଙ୍କ ଉପନିର୍ବାଚନ ରଣନୀତି ପାଇଁ କେତେ ସହାୟକ ହେବ ତାକୁ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ବିଗତ ଦିନରେ ଉପନିର୍ବାଚନଗୁଡ଼ିକରେ ବିଜେଡି ଶାସକ ଦଳରେ ରହି ଲଢେଇ କରିଆସିଛି। ବିଜେଡି ପକ୍ଷରୁ ଯେଉଁ ସବୁ ଉପନିର୍ବାଚନ ଲଢ଼ାଯାଇଛି ସେତେବେଳେ ଲକ୍ଷ୍ୟ କରାଯାଇଛି, ଅନେକ ରାଜ୍ୟସ୍ତରୀୟ ନେତାଙ୍କ ମଧ୍ୟରେ ଜୋନୱାରୀ ଦାୟିତ୍ୱ ବଣ୍ଟନ କରାଯିବା ସହିତ ସେମାନଙ୍କ ଅଧୀନରେ ମାଳମାଳ ବିଧାୟକଙ୍କୁ ସାମିଲ କରି ଟିମ ଗଠନ କରାଯାଇଥାଏ। ସେହିପରି ଯଦି ଜଣେ ବିଧାୟକ ସେତେବେଳେ ଆସୁଥାନ୍ତି ସରକାରୀ ଦଳର ପ୍ରଭାବ ଏବଂ ନିଜ ଅଞ୍ଚଳର ପତିଆରା ପାଇଁ ଉପନିର୍ବାଚନ ଦାୟିତ୍ୱରେ ଆସିଛୁ ବୋଲି ବାର୍ତ୍ତା ଦେବାଲାଗି ବିଧାୟକମାନଙ୍କ ସମର୍ଥକମାନେ ଧାଇଁ ଆସୁଥିଲେ। ସରକାରରେ ଥିବା କାରଣରୁ ବିଜେଡି ନେତାଙ୍କ ସମର୍ଥକ ସେତେବେଳେ ହାତରୁ ଖର୍ଚ୍ଚ କରି ଡେରା ପକାଇ ରହୁଥିଲେ। ନୂଆପଡ଼ାରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପୂର୍ବଭଳି ବିଜେଡିର ରାଜ୍ୟସ୍ତରୀୟ ନେତା, ବିଧାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ହେଲେ ଆଗରୁ କେବେ ବିରୋଧୀ ଦଳରେ ରହି ଉପନିର୍ବାଚନ ଲଢ଼ି ନ ଥିବାରୁ ବିଜେଡି ନେତାଙ୍କୁ ଏବେ କୁଆଡେ ନୂଆପଡ଼ାରେ ଭାରି କଷ୍ଟ ହେଉଛି ବୋଲି ତାଙ୍କ ଦଳ ଭିତରେ ଚର୍ଚ୍ଚା ହେଉଛି। କେତେଜଣ ନେତାଙ୍କଠାରୁ ଜାଣିବାକୁ ମିଳୁଛି, ଆଗରୁ ଯେପରି କର୍ମୀମାନେ ଉପନିର୍ବାଚନ ହେଲେ ଆସିବାକୁ ଆଗ୍ରହ କରନ୍ତି ସେତକ ବି ଦେଖିବାକୁ ମିଳୁ ନାହିଁ। ନୂଆପଡ଼ା ଏନ୍‌ଏସିରେ ଦଳ ପକ୍ଷରୁ କରାଯାଇଥିବା କାର୍ଯ୍ୟାଳୟରେ କାଉ କୋଇଲି ଉଡୁ ନାହାନ୍ତି। କେବଳ କେତେଜଣ ନେତା ପରସ୍ପର ରୁମକୁ ବଡ଼ ବଡ଼ ଗାଡ଼ିରେ ବସି ବାରମ୍ବାର ଯା’ଆସ କରୁଛନ୍ତି। ଆଗଭଳି ରୋଜଗାର ନ ଥିବା କାରଣରୁ ପଞ୍ଚାୟତକୁ ଦାୟିତ୍ୱ ପାଇଥିବା ନେତାମାନେ ନିଜ ପକେଟରୁ ଖର୍ଚ୍ଚ କଲାବେଳେ କୁଆଡ଼େ କୁନ୍ଥକୁନ୍ଥ ହେଉଥିବା ଶୁଣିବାକୁ ମିଳୁଛି। ବଡ଼ ନେତାମାନେ ଦଳର ସ୍ଥିତି ଏବେ କିପରି ଅଛି ବୋଲି ଜାଣିବାକୁ ଚେଷ୍ଟା କରୁଛନ୍ତି। ଯାହା ମୁହଁରୁ ଦଳୀୟ ପ୍ରାର୍ଥୀ ଦୁଇ ନମ୍ବର ସ୍ଥିତିକୁ ଆସିଗଲାଣି ବୋଲି ଶୁଣୁଛନ୍ତି ସେତିକିରେ ଆଶ୍ୱସ୍ତ ହେଲାଭଳି ପ୍ରତିକ୍ରିୟା ଦେଖାଉଛନ୍ତି। ଯେମିତିକି ସେମାନେ କଳେବଳେ କୌଶଳେ ଦୁଇ ନମ୍ବର ହେବାପାଇଁ ଏଠାକୁ ଆସିଛନ୍ତି। ଏହାରି ଭିତରେ ଦଳର ସଭାପତି ନବୀନ ପଟ୍ଟନାୟକ କୁଆଡେ କେତେଜଣ ନେତାଙ୍କୁ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପରେ ତିନି ଥର ଲେଖା ଟେଲିଫୋନ କଲେଣି ବୋଲି ଶୁଣିବାକୁ ମିଳୁଛି। ପଞ୍ଚାୟତ ଦାୟିତ୍ୱରେ ଥିବା ନେତାମାନେ ତୃଣମୂଳ ସ୍ଥିତି ଭଲ ନାହିଁ ବୋଲି କହୁଥିଲେ ମଧ୍ୟ ତାହା କିପରି ସମାଧାନ ହେବ ତାହାର ବାଟ ନ କରି ବଡ଼ ନେତାମାନେ ଜାଣି ଅଜଣା ରୋଲ କରି ସମୟ ଗଡ଼ାଇ ଚାଲିଛନ୍ତି ବୋଲି କେତେଜଣଙ୍କ ମୁହଁରୁ ଶୁଣିବାକୁ ମିଳୁଛି।
ଦେଖିବାକୁ ଗଲେ ପୂର୍ବରୁ ରାଜ୍ୟରେ ହୋଇଥିବା କେତେଗୁଡ଼ିଏ ଉପନିର୍ବାଚନରେ ଭାଜପା ବିରୋଧୀ ଦଳରେ ରହି ଲଢ଼ି ୨ ନମ୍ବର ସ୍ଥାନ ଅଧିକାର କରିଥିଲା। କେବଳ ଧାମନଗର ଉପନିର୍ବାଚନକୁ ବିରୋଧୀ ଦଳରେ ଥିବାବେଳେ ଭାଜପା ହାତେଇବାରେ ସଫଳ ହୋଇଥିଲା। ହେଲେ ୨୦୨୪ ନିର୍ବାଚନରେ ସରକାରକୁ ଆସିବା ପରେ ଶାସକ ଦଳ ଭାବେ ନୂଆପଡ଼ାରେ ଭାଜପା ପ୍ରଥମ ଉପନିର୍ବାଚନ ଲଢ଼ୁଛି। ଦଳର ଏକାଧିକ ନେତା ନିଜ ନିଜର କର୍ମୀମାନଙ୍କୁ ଧରି ନୂଆପଡାରେ ଡେରା ପକାଇଛନ୍ତି। ବହୁ ସ୍ଥାନରୁ ଭାଜପା ସପକ୍ଷରେ ଭୋଟରଙ୍କ ମତ ରହୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ମଧ୍ୟ ବିଜେଡିରୁ ଯାଇ ପ୍ରାର୍ଥୀ ହୋଇଥିବା ଜୟ ଢୋଲକିଆ ଦଳ ପରିବର୍ତ୍ତନ କରୁଛନ୍ତି ବୋଲି ତୃଣମୂଳ ସ୍ତରରେ ତାଙ୍କ ବିରୋଧରେ କେତେକାଂଶରେ ପ୍ରତିକ୍ରିୟା ରହିଛି। ସେହିପରି ଭାଜପାର ଦୀର୍ଘ ଦିନର ନେତା ତଥା ସ୍ଥାନୀୟ ସଂଗଠକ ଭାବେ ପରିଚିତ ବସନ୍ତ ପଣ୍ଡା, ପ୍ରସନ୍ନ ପାଢ଼ୀ ଏବଂ ଯଦୁମଣି ପାଣିଗ୍ରାହୀ ଯେଉଁମାନେ ଟିକେଟ ଆଶାରେ ରହିଥିଲେ ସେମାନଙ୍କ କର୍ମୀମାନେ ଏଯାଏ ଶାସକ ଦଳ ସପକ୍ଷରେ ସମ୍ପୂର୍ଣ୍ଣ ମନ ବଦଳାଇପାରି ନାହାନ୍ତି। ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ଏକ ତ୍ରିମୁଖୀ ଲଢ଼େଇର ଦୃଶ୍ୟପଟ ଦେଖିବାକୁ ମିଳିଥିଲା। ଯାହାର ପରିଣାମ ସ୍ବରୁପ ଫାଇଦା ଏକପ୍ରକାର ବିଜେଡି ନେବାରେ ସଫଳ ହୋଇଥିଲା। ଚଳିତ ଉପନିର୍ବାଚନରେ ମଧ୍ୟ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବାର ସମ୍ଭାବନା ଅଧିକ ବୋଲି ଯାହା ସ୍ଥାନୀୟ ଅଞ୍ଚଳରେ ବୁଲିବା ପରେ ଲକ୍ଷ୍ୟ କରାଯାଉଛି। ଏତେ ସବୁ ସମସ୍ୟା ଭିତରେ ସବୁଠୁ ବଡ଼ କଥା ହେଉଛି, ଗତ କିଛିଦିନ ପର୍ଯ୍ୟନ୍ତ ତୃତୀୟ ସ୍ଥାନ ପାଇଁ ବିଜେଡି ଏଠାରେ ଲଢିବ ବୋଲି କୁହାଯାଉଥିଲା। ସେହି ଚର୍ଚ୍ଚାକୁ ମାତ୍‌ ଦେଇ ଶଙ୍ଖ ଦଳ ନିଜ ସ୍ଥିତିରେ ସୁଧାର ଆଣିପାରିଛି ବୋଲି ପାରିପାଶର୍‌ବିକ ସ୍ଥିତିରୁ ଅନୁମାନ କରାଯାଉଛି। ହେଲେ ଜଣେ ନୁହେଁ ଅନେକ ଭାଜପା ନେତାଙ୍କ ସୂତ୍ରରୁ ଶୁଣିବାକୁ ମିଳୁଛି ଅତି ଆତ୍ମବିଶ୍ବାସ ବଢାଇ ତାଙ୍କ ଦଳର ରାଜ୍ୟସ୍ତରୀୟ ଶୀର୍ଷ ନେତୃତ୍ୱ ଏବେଠାରୁ ଯେପରି ଜିତିଗଲେଣି ସେହିଭଳି ବ୍ୟବହାର କରୁଛନ୍ତି। କେବଳ ଜିତିବାର ବ୍ୟବଧାନ ବଢ଼ାଇବା ଭାଜପାର ମୂଳ ଲକ୍ଷ୍ୟ ବୋଲି ତାଙ୍କ ଦଳର ନେତାମାନେ କହି ବୁଲୁଛନ୍ତି ବୋଲି ମଧ୍ୟ ଲକ୍ଷ୍ୟ କରାଯାଉଛି। ବିରୋଧୀ ଦଳରେ ଥିବାବେଳେ ଶାସନ କ୍ଷମତାକୁ ଆସିବା ପାଇଁ ଭାଜପା ନେତାମାନେ ଯେଉଁ ବିପରୀତ ପରିସ୍ଥିତିର ମୁକାବିଲା କରୁଥିଲେ ଏବେ ସେମାନେ ସରକାରକୁ ଆସିବାକ୍ଷଣି ଯେପରି ବଡ଼ ଗାଡ଼ି ଓ ବ୍ୟାପକ ଆରେବା ଚଳାଇଛନ୍ତି ତାକୁ ନେଇ କୁଆଡେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଲାଣି ବୋଲି ଶୁଣିବାକୁ ମିଳୁଛି।
ବିଜେଡି ଓ ଭାଜପା ଅପେକ୍ଷା ଏହି ଉପନିର୍ବାଚନରେ ନିଜର ସାଂଗଠନିକ କ୍ଷମତା ବୃଦ୍ଧି କରିବା ପାଇଁ କଂଗ୍ରେସ ପାଖରେ ଏକ ବଡ଼ ସୁଯୋଗ ରହିଥିଲା। ପ୍ରାର୍ଥୀ ନ ପାଇ କଲବଲ ସ୍ଥିତିର ସମ୍ମୁଖୀନ ହେଉଥିବା ବିଜେଡିକୁ ପଛରେ ପକାଇବା ପାଇଁ କଂଗ୍ରେସ ନିକଟରେ ଏକ ବଡ଼ ସୁଯୋଗ ମଧ୍ୟ ଥିଲା। କିଛିଦିନ ତଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ସବୁଠୁ ଆଗରେ ରହିଥିବାର ଚର୍ଚ୍ଚା ମଧ୍ୟ ହେଲା। ହେଲେ ସମାୟାନୁକ୍ରମେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ପୂର୍ବ ତୁଳନାରେ ଜନ ସମର୍ଥନ କମୁଥିବାର ଖବର ନିର୍ବାଚନମଣ୍ଡଳୀ ଭିତରୁ ଏବଂ ତାଙ୍କ ଦଳୀୟ ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ନୂଆପଡ଼ାରେ ଡେରା ପକାଇ ରହିଥିବା ଜଣେ କଂଗ୍ରେସ ଛାତ୍ର ନେତା କହିଛନ୍ତି, ଆମେ କୋମନା ବ୍ଲକରେ ବହୁତ ଭଲ ସ୍ଥିତିରେ ଥିଲୁ। ଏହି ବ୍ଲକରୁ ଏକତରଫା ଭୋଟ ତାଙ୍କ ପ୍ରାର୍ଥୀ ପାଇବ ବୋଲି ଆଶା କରିଥିଲୁ। ହେଲେ ଦୁଇଦିନ ହେଲା ପୂର୍ବଭଳି ସେଠାରେ ଆଉ ତାଙ୍କ ଦଳର ପ୍ରାର୍ଥୀଙ୍କ ପାଇଁ ଏକତରଫା ଭୋଟ ନ ଥିବା ଶୁଣୁଛନ୍ତି। ସବୁଆଡେ ମଧ୍ୟ ଭୋଟ ଖବର କମୁଛି। ହେଲେ ଏମିତି କାହିଁକି ହେଉଛି ସିଏ ବୁଝିପାରୁ ନ ଥିବା ଶୁଣିବାକୁ ପାଉଛନ୍ତି। ଗୋଟିଏ ପଟେ କଂଗ୍ରେସ ନେତାଙ୍କୁ ଏଠାକୁ ଆସିବାକୁ ମନା କରାଯିବା ଏବଂ ପ୍ରାର୍ଥୀଙ୍କ ଭୋଟ ଖସିବା ସହିତ ଏକ ସାମୂହିକ ନେତୃତ୍ୱକୁ ସାଙ୍ଗରେ ନ ନେଇ ଭକ୍ତଙ୍କ ଅକେଲାଚଲୋ ନୀତି ସେମାନଙ୍କ ଦଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜ୍ୟ ସ୍ତରରେ ଦଳର ସ୍ଥିତି ସୁଧାରିବାର ଏଭଳି ଏକ ସୁଯୋଗକୁ ଜାଣିଶୁଣି ବିଫଳ କରିବା କାହା ସ୍ବାର୍ଥ ସାଧନର ଚିନ୍ତା ବୋଲି ଦଳର ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

ବିରାଟ କୋହଲି ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ଶାମି,ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୫।୮: ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିରାଟ କୋହଲି ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ଦେଖାଇଛନ୍ତି। ତାଙ୍କୁ ତାଙ୍କ ଆଙ୍ଗୁଠିରେ ପ୍ରାର୍ଥନା ମାଳି ଏବଂ ଏକ ଟାଲି କାଉଣ୍ଟର ସହିତ ଦେଖାଯାଇଛି,…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri