ଦୋଷ କାହାର-ଭୋଗୁଛି କିଏ

ଘାସିରାମ ପଣ୍ଡା

ପ୍ରସୂତିଙ୍କୁ ସହାୟତା ଦେବା ପାଇଁ ରାଜ୍ୟରେ ମମତା ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ପ୍ରଥମ ଦୁଇଟି ଗର୍ଭ ପାଇଁ ମହିଳାଙ୍କୁ ଦୁଇଟି କିସ୍ତିରେ ପାଞ୍ଚ ହଜାର ଟଙ୍କାର ସହାୟତା ଦିଆଯାଏ। ଏହା ପ୍ରସୂତିଙ୍କ କୁପୋଷଣ, ରକ୍ତହୀନତା ପ୍ରଭୃତି ଦୂର କରିବାରେ ବିଶେଷ ସହାୟକ ହୋଇଥାଏ। ଫଳସ୍ବରୂପ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ରୋକିବାରେ ଏହା ଫଳପ୍ରଦ ସାବ୍ୟସ୍ତ ହେଉଛି। ହେଲେ ୧୯ ବର୍ଷରୁ କମ୍‌ ବୟସର ଗର୍ଭବତୀଙ୍କୁ ମମତା ଯୋଜନାରେ ସହାୟତା ମିଳେ ନାହିଁ। ଗତ ଆର୍ଥିକ ବର୍ଷରେ ଆମ ରାଜ୍ୟରେ ଏଭଳି ୨୪,୩୫୫ ଜଣ ମମତା ଯୋଜନାରୁ ବାଧିତ ହୋଇଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ସୁଦ୍ଧା ଏହି ସଂଖ୍ୟା ୧୦,୧୦୯ରେ ପହଞ୍ଚତ୍ ସାରିଲାଣି। ଏଥିରେ ମୟୂରଭଞ୍ଜ, ନବରଙ୍ଗପୁର, ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲା ବହୁତ ଆଗରେ ଅଛି।
୨୦ ବର୍ଷରୁ କମ୍‌ ବୟସରେ ଗର୍ଭବତୀ ହେଲେ ବିପଦସଙ୍କୁଳ ହେବାର ସମ୍ଭାବନା ବେଶି ଥାଏ। କିଶୋରୀ ବୟସର ମାତୃତ୍ୱରେ ସ୍ବାସ୍ଥ୍ୟଗତ ସମସ୍ୟା ସହିତ ମନୋସାମାଜିକ ସ୍ତରରେ ମଧ୍ୟ ଏମାନେ ବେଶି ପ୍ରଭାବିତ ହୋଇଥାନ୍ତି। ଏଣୁ ଅନ୍ୟମାନଙ୍କ ତୁଳନାରେ ଏମାନଙ୍କୁ ବିଶେଷ ସହାୟତା ଆବଶ୍ୟକ ହୁଏ। ଏହି ବର୍ଗରେ ହିଁ ବେଶି ମାତୃ ମୃତ୍ୟୁ, ଶିଶୁ ମୃତ୍ୟୁ, ରକ୍ତହୀନତା, ଭିନ୍ନକ୍ଷମ ଶିଶୁ ଜନ୍ମ ହେବା ଦେଖାଯାଇଥାଏ। ଏହା ସତ୍ତ୍ୱେ ଏମାନଙ୍କୁ ମମତା ଯୋଜନାରୁ ବାଦ ଦିଆଯାଇଛି। ୧୯ ବର୍ଷରେ ଗର୍ଭବତୀ ବା ମାତୃତ୍ୱ ଲାଭ କରିଥିବା କିଶୋରୀ ପ୍ରାୟତଃ ୧୮ ବର୍ଷ ପୂର୍ବରୁ ବିବାହ କରିଥାନ୍ତି। ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ୧୮ ବର୍ଷ ପୂର୍ବରୁ ଝିଅଙ୍କ ବିବାହ ଆଇନଗତ ଅପରାଧ। ଏଣୁ ମମତା ଯୋଜନାରେ ଏମାନଙ୍କୁ ସହାୟତା ଦେଲେ ବାଲ୍ୟ ବିବାହକୁ ପ୍ରଶ୍ରୟ ଦେଲାଭଳି ହେବ। ଏହି ଯୁକ୍ତି ଆଧାରରେ ଏତେ ସଂଖ୍ୟାରେ କିଶୋରୀ ବିପଦସଙ୍କୁଳ ଅବସ୍ଥାରେ ଥିଲେ ବି ସହାୟତାରୁ ବଞ୍ଚିତ ହେଉଛନ୍ତି।
ବାଲ୍ୟ ବିବାହର ପ୍ରତିରୋଧ ପାଇଁ ସରକାରଙ୍କ ତରଫରୁ ଯଥେଷ୍ଟ ପ୍ରଯତ୍ନ କରାଯାଉଛି। କିନ୍ତୁ କୌଣସି କାରଣରୁ ବିବାହ ପ୍ରତିରୋଧ ହୋଇ ନ ପାରି ଅନୁଷ୍ଠିତ ହୋଇଗଲେ, ବିବାହିତା କିଶୋରୀଙ୍କୁ ସେହି ଅବସ୍ଥାରେ ଛାଡି ଦେବା କି? ଅନେକ ସ୍ଥଳରେ ପ୍ରଶାସନ ଜାଣିବା ପୂର୍ବରୁ ଆନୁଷ୍ଠାନିକ ବାଲ୍ୟ ବିବାହ ହୋଇଯାଉଛି ବା ପୁଅ ଝିଅ ନିଜ ଇଚ୍ଛାରେ ଭଲ ପାଇ ଏକତ୍ର ରହୁଛନ୍ତି। ମମତା ଯୋଜନାରୁ ବାଦ ପଡ଼ିଥିବା ଏହି କିଶୋରୀମାନେ ମଧ୍ୟ ଏହି ଶ୍ରେଣୀଭୁକ୍ତ। ପରିବାରରେ ସ୍ନେହ ଆଦରର ଅଭାବ, ଦରିଦ୍ରତା, ଶିକ୍ଷା ପାଇଁ ସୁଯୋଗର ଅଭାବ, ସାମାଜିକ ନୀତିନିୟମ, ଧାର୍ମିକ ରୀତିନୀତି, କନ୍ୟା ସନ୍ତାନଙ୍କ ସୁରକ୍ଷା ଚିନ୍ତା, ବିବାହ ବେଳେ ଯୌତୁକ ବୋଝ, ଅଣସମ୍ବେଦନଶୀଳ ପ୍ରଶାସନିକ ବ୍ୟବସ୍ଥା ଭଳି କାରଣରୁ ଏହି କିଶୋରୀମାନେ ଆଜି ମାତୃତ୍ୱର ବୋଝ ମୁଣ୍ଡାଇଛନ୍ତି। ପୁରୁଷଟିଏ, ପରିବାର, ସମାଜ, ପ୍ରଶାସନ ସମସ୍ତେ ସମସ୍ୟାର କାରକ ହେଉଥିବା ବେଳେ ପରିଣାମକୁ ମୁଣ୍ଡେଇ ଜୀବନକୁ ବାଜି ଲଗେଇଥିବା କିଶୋରୀକୁ ସହାୟତାରୁ ବଞ୍ଚିତ କରି ଦଣ୍ଡିତ କରାଗଲେ ବାଲ୍ୟବିବାହ ନିରାକରଣ ହୋଇଯିବ କି?
ଖାଦ୍ୟ ସୁରକ୍ଷା ଆଇନ ଅନୁୟାୟୀ ମାତୃତ୍ୱ ପାଇଁ ସହାୟତା ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ଆଇନଗତ ଅଧିକାର। ସହାୟତାରୁ ବଞ୍ଚିତ ଏହି କିଶୋରୀମାନଙ୍କ କ୍ଷେତ୍ରରେ ଏହା ଉଲ୍ଲଂଘନ ହେଉଛି। ଏହା ବ୍ୟତୀତ କିଶୋର ନ୍ୟାୟ ଆଇନ ଅନୁସାରେ ବିପଦସଙ୍କୁଳ ହେବାର ସମ୍ଭାବନା ଥିବା ବା ବିପଦସଙ୍କୁଳ ଅବସ୍ଥାରେ ଥିବା ପ୍ରତ୍ୟେକ କିଶୋରୀ ଯତ୍ନ ଓ ସୁରକ୍ଷା ଆବଶ୍ୟକ ଥିବା ଶିଶୁ ଆକାରରେ ଗଣା ହେବେ। ସେମାନଙ୍କୁ ଚିହ୍ନଟ କରାଯାଇ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପିତ କରିବାପୂର୍ବକ ଆବଶ୍ୟକ ସହାୟତା ଯୋଗେଇଦେବା ଜିଲା ଶିଶୁ ସୁରକ୍ଷା ୟୁନିଟର ଉତ୍ତରଦାୟିତ୍ୱ। ପ୍ରତିବର୍ଷ ଏକ ଆଖିଦୃଶିଆ ସଂଖ୍ୟାରେ କିଶୋରୀ ମାତୃତ୍ୱ ହେଉଥିଲେ ବି ଆମେ ସେମାନଙ୍କ ପ୍ରତି ବିଶେଷ ସମ୍ବେଦନଶୀଳ ହୋଇପାରି ନାହୁଁ। ଶିକ୍ଷା ପାଇଁ ଏମାନଙ୍କୁ ବିଦ୍ୟାଳୟକୁ ପୁନଃ ଆଣିବା ସମ୍ଭବପର ହୋଇପାରୁ ନାହିଁ। ଗର୍ଭବତୀ ଥିବା ବା ମା’ ହୋଇ ସାରିଥିବା କିଶୋରୀ ବିଦ୍ୟାଳୟକୁ ଆସିଲେ ଅନ୍ୟ ପିଲାମାନେ ପ୍ରଭାବିତ ହେବେ। ଏମାନେ ମଧ୍ୟ ଟାହିଟାପରାର ଶିକାର ହୋଇପାରନ୍ତି। ଆମର କୌଶଳ ବିକାଶ ପାଇଁ ଥିବା ତାଲିମ କେନ୍ଦ୍ରରେ ନିଜ ଛୁଆକୁ ନେଇ ମା’ଟିଏ ରହିବା ଭଳି ବ୍ୟବସ୍ଥା ନାହିଁ। ଅଜ୍ଞତାରୁ ଅବା ଅଜାଣତରେ ଏମାନଙ୍କ ଭିତରୁ ଅନେକେ ଗର୍ଭବତୀ ହୋଇଥିବାର ସମ୍ଭାବନା ରହିଛି। ଏଭଳି କ୍ଷେତ୍ରରେ ସେମାନେ ସୁରକ୍ଷିତ ଓ ଗୁପ୍ତରେ ଗର୍ଭଧାରଣର ୨୦ ସପ୍ତାହ ଭିତରେ ଆଇନଗତ ଭାବେ ଗର୍ଭପାତ କରିପାରିବେ। ଏପରିକି ବିବାହ କରିଥିଲେ ବି ଗର୍ଭନିରୋଧକର ବ୍ୟବହାର କରି ସଅଳ ମାତୃତ୍ୱରୁ ବର୍ତ୍ତିପାରିବେ। ହେଲେ ସୂଚନା ଓ ପରାମର୍ଶର ଅଭାବ ଯୋଗୁ ଏହା ସମ୍ଭବ ହୋଇପାରୁ ନାହିଁ।
ପୀଡ଼ିତାକୁ ଆହୁରି ଅଧିକ ପୀଡ଼ା ଦେଲେ ପ୍ରତିକୂଳ ପରିସ୍ଥିତିରୁ ମୁକୁଳିବା ସେମାନଙ୍କ ପକ୍ଷେ ସମ୍ଭବ ହେବ ନାହିଁ। ଏଣୁ ସହାୟତାକୁ ଅବରୁଦ୍ଧ କରୁଥିବା ପ୍ରତ୍ୟେକ ନୀତି ଓ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଗଲେ ଯାଇ ବିବାହିତା ନାବାଳିକାମାନେ ପୁନଃ ବଞ୍ଚିବାର ରାହା ଫେରିପାଇବେ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪
ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri