କିଏ ବୁଝେ ପିଲାମନ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

 

ପାଠପଢ଼ାର ତାଗିଦା ଓ ମୋବାଇଲ ଫୋନର ବ୍ୟବହାରକୁ ନେଇ ଘରେ ବିରକ୍ତି ହେବାରୁ କଟକର ଜଣେ ବିଦ୍ୟାଳୟ ଛାତ୍ର ନିଜ ଜୀବନ ହାରିଛନ୍ତି। ଓଡ଼ିଶାରେ ଆମ ଦେଖିବା ଭିତରେ ଏହିପରି ଘଟଣା ନିୟମିତ ଭାବେ ପ୍ରାୟତଃ ଘଟୁଛି। ଅନେକ ସମୟରେ କିଛିଦିନ ପାଇଁ ଏ ଚର୍ଚ୍ଚା ଲାଗିରହିଥାଏ ପରେ ସବୁ ଠିକ୍‌ଠାକ୍‌ ଯେପରି ହୋଇଯାଏ। କଅଁଳ ମନରେ ପିଲାଟି ଭିତରେ ଜୀବନକୁ ଚିହ୍ନିବା ପୂର୍ବରୁ ସେମାନେ ଜୀବନକୁ ହାରି ଦେବା ପାଇଁ କାହିଁକି ନିଷ୍ପତ୍ତି ନେଉଛନ୍ତି? ଦୋଷ କାହାର? ଏବଂ ଦାୟିତ୍ୱ କାହାର? ପିଲାମାନଙ୍କ ପାଇଁ ସବୁଠାରୁ ଉତ୍ତମ ତଥା ଶ୍ରେଷ୍ଠ ବନ୍ଧୁ ହେଉଛନ୍ତି ତାଙ୍କ ମା’ବାପା। ଯେତେବେଳେ ଘରୁ ଏବଂ ତା’ ଆଖପାଖ ଦୁନିଆରୁ ପିଲାଟି ନିଜ ଲୋକଙ୍କଠାରୁ ଭଲ ବ୍ୟବହାର ପାଇ ନ ଥାଏ ସେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥାଏ।
ବର୍ତ୍ତମାନର ମୋବାଇଲ ଧରା ବ୍ୟସ୍ତ ସମୟ ଭିତରେ ଆପଣଙ୍କ ପିଲା ଏକା ଏକା ରହିବାକୁ ଚେଷ୍ଟା କରୁଛି କି? ବେଳେ ବେଳେ ଚୁପ୍‌ଚାପ୍‌, ଉଦାସ ଏହିପରି ମନୋଭାବ ତା’ର ଦେଖୁଛନ୍ତି କି? ସ୍କୁଲ ଖୁବ୍‌ ହେଲେ ଘର ଏହାରି ଭିତରେ ସେ ନିଜକୁ ବାନ୍ଧି ରଖିବା ପାଇଁ ଚେଷ୍ଟା କରୁଛି କି? ଯଦି ହଁ ତେବେ ଏହା ଅବୁଝା ନୁହେଁ ଯେ ସେ ନିଜର ବନ୍ଧୁଟିଏ ପାଇପାରୁନାହିଁ ଖୁସି, ସୁଖ, ଆନନ୍ଦକୁ ବାଣ୍ଟିବା ପାଇଁ। ତେବେ ଏହାକୁ ଛୋଟିଆ କଥା ଭାବନ୍ତୁ ନାହିଁ। କାରଣ ଏହା ପିଲାର ଶାରୀରିକ, ବୌଦ୍ଧିକ ଓ ସାମାଜିକ ଅଭିବୃଦ୍ଧିର ବାଧକ ନିଶ୍ଚୟ। ଏହିପରି ଉଦାସ ରହୁଥିବା ପିଲାଙ୍କ ହାବଭାବ ପରବର୍ତ୍ତୀ ସମୟ ପାଇଁ ଭଲ ହୋଇ ନ ଥାଏ। କାରଣ ପିଲାଟି ତା’ର ଜଣେ ବନ୍ଧୁ ପାଇଲେ ପ୍ରଥମତଃ ଏକଲାପଣକୁ ଦୂରେଇ ପାରିବ, ଦ୍ୱିତୀୟତଃ ତା’ ମନକଥା ବାଣ୍ଟିପାରିବ ଆଉ ନିଜ ଜୀବନକୁ ନେଇ ସେ ଖୁବ୍‌ ଖୁସିରେ ଆଗେଇପାରିବ ମଧ୍ୟ। ବର୍ତ୍ତମାନର ସମୟରେ ଅନେକ ପିଲା ବାହାରକୁ ନ ଯାଇପାରି ପ୍ରାୟତଃ ଅନେକ ସମୟ ଘର ଭିତରେ ଆବଦ୍ଧ ହୋଇ ରହୁଥିବାରୁ ପିଲାଟିର ମାନସିକ, ଶାରୀରିକ ଓ ବୌଦ୍ଧିକ ସ୍ଥିତି ସମ୍ପର୍କରେ ଅନେକ ମା’ବାପା ଅଜଣା ଥାଆନ୍ତି। ତେବେ ବଡ଼ କଥା ହେଉଛି କୋମଳମତି ପିଲାଟିର ମନକୁ ବୁଝି ତା’ପାଇଁ କିଛି ସମୟ କାଢ଼ିଲେ ତାର କଅଁଳ ମନ ଆସନ୍ତା କାଲିର ଏକ ଉଜ୍ଜ୍ୱଳ ସମାଜ ପାଇଁ କ୍ଷେତ୍ର ଯେ ସୃଷ୍ଟି ନ କରିପାରିବ ତାହା କିଏ ବା ନ କହିବ? ଅନେକ ସମୟରେ ପାରିବାରିକ ଝଡ଼ଝଞ୍ଜା,ମା’ବାପା ବା ଆତ୍ମୀୟ ସ୍ବଜନଙ୍କ ଭିତରେ ମନାନ୍ତର, ମତାନ୍ତର ଏପରି ଅଘଟଣ ପିଲାମାନଙ୍କୁ ଯଥେଷ୍ଟ ଆଘାତ ଦେଇଥାଏ।
ଜୀବନର ପ୍ରାରମ୍ଭରୁ ଶିଶୁ, ପ୍ରକୃତି, ସମାଜ ଓ ପରିବେଶ ସହିତ ଓତପ୍ରୋତ ଭାବରେ ଜଡ଼ିତ ଥାଏ ।
ତା’ର ଭାଷା, ବ୍ୟବହାର, ଚାଲିଚଳଣ ଓ ସଦାଚାର ଶିକ୍ଷା କରିଥାଏ ପରିବାରରୁ ବିଶେଷତଃ ସମାଜ ତଥା ପରିବେଷ୍ଟନୀମାନଙ୍କଠାରୁ। ଗ୍ରାମାଞ୍ଚଳର ଶିଶୁଟିଏ ଶିକ୍ଷିତ ପରିବାର ଶିଶୁଠାରୁ ନିଶ୍ଚୟ ପୃଥକ ଓ ଭିନ୍ନ ଗୁଣର କେବଳ ପରିବେଶ ପାଇଁ । ଉପଯୁକ୍ତ ପରିବେଶ ଶିଶୁଟିକୁ ଉପଯୁକ୍ତ ମଣିଷ କରି ଗଢ଼ିତୋଳେ- ଏହା ସତ୍ୟ। ତେବେ ଶିଶୁ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ହେଲେ ଆବଶ୍ୟକ ଉପଯୁକ୍ତ ଶିକ୍ଷାର ପ୍ରସାର।
ପିଲାମାନଙ୍କର ସାମାଜିକ ବ୍ୟବହାର ଉପରେ ଧ୍ୟାନ ଦେଇ ତା’ର ମନ ଭିତରର ଲାଜକୁଳା ଗୁଣକୁ ପ୍ରଥମତଃ ଦୂରେଇବା ପାଇଁ ଚେଷ୍ଟା କରନ୍ତୁ। ସେହିପରି ପିଲାମାନଙ୍କୁ ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବା, ମିଳାମିଶା କରିବା ସର୍ବୋପରି ନିଜର ସମସ୍ୟା ଜଣାଇବା ଏହିପରି ଗୁଣକୁ ଶିଖାନ୍ତୁ। ମନେରଖନ୍ତୁ ପିଲାମାନଙ୍କୁ କେବେ ସେମାନଙ୍କର ଭାଇଭଉଣୀ ହୁଅନ୍ତୁ ବା ପଡ଼ୋଶୀ କିମ୍ବା ସେମାନଙ୍କ କ୍ଲାସ୍‌ମେଟ ସହ କସ୍ମିନକାଳେ ତୁଳନା କରନ୍ତୁ ନାହିଁ। ଏପରି କି ନିଜ ପିଲାଦିନର କୌଣସି ଘଟଣା କହି ପିଲାମାନଙ୍କ ଭିତରେ ତୁଳନାର ଚିତ୍ର ଦିଅନ୍ତୁ ନାହିଁ। ଏହା ଅପେକ୍ଷା ତାକୁ ବେଶ୍‌ ସ୍ବାଭାବିକ ଓ ଖୋଲା ହୃଦୟର ଶିଖାନ୍ତୁ। ବନ୍ଧୁ ତିଆରି କରିବା, ନିଜ ସୁଖଦୁଃଖ ବାଣ୍ଟିବା, ସମସ୍ତଙ୍କ ସହିତ ମିଳିମିଶି ସଦ୍‌ଭାବର ସହ ବଞ୍ଚିବା ଏହି କଳା ହିଁ ପିଲାଟିକୁ ଶିକ୍ଷା ଦିଅନ୍ତୁ।
ପିଲାଟିର ମା’ବାପା ସେମାନଙ୍କର ରୋଲ୍‌ ମଡେଲ ହୁଅନ୍ତୁ। ସବୁବେଳେ ପିଲାମାନଙ୍କ ସାମ୍ନାରେ ନିଜେ ବେଶ୍‌ ଖୋଲା ଭାବେ ସମୟ ବିତାନ୍ତୁ। ପିଲାଟି ସାମାଜିକ ଭାବେ କାହା ସହିତ ନ ମିଶି ପାରୁଥିଲେ ତାକୁ ମନସ୍ତାତ୍ତ୍ୱିକ ଭାବେ ପ୍ରେରଣା ଦେଇ ତା’ର ସହପାଠୀ ବା ବନ୍ଧୁମାନଙ୍କ ସହ ମିଶିବାର ସୁଯୋଗ ସୃଷ୍ଟି କରନ୍ତୁ। ଅନେକ ମା’ ବାପା ନିଜେ ଚୁପ୍‌ଚାପ ସ୍ବଭାବର ହୋଇଥିବାରୁ ପିଲାମାନେ ଜନ୍ମରୁ ପ୍ରାୟତଃ ସେହି ଗୁଣକୁ ଆଦରି ଥାଆନ୍ତି। ତେଣୁ ପିଲାମାନଙ୍କୁ ସମୟ ଦିଅନ୍ତୁ। କେବଳ ମୋବାଇଲ, ପଇସା ବା ତାଙ୍କ ଆବଶ୍ୟକତା ଯୋଗାଇ ଦେଲେ ଆପଣ ପିଲାର କେବେ ହେଲେ ବନ୍ଧୁ ହୋଇପାରିବେ ନାହିଁ। କାରଣ ଛୋଟ ପିଲାଟି ଭିତରେ ଅନେକ ପ୍ରଶ୍ନ, ଅନେକ ଘଟଣାର ଉତ୍ତର ସେ ଖୋଜିଥାଏ। ଏପରି କ୍ଷେତ୍ରରେ ସେ ଜଣେ ପରାମର୍ଶ ପାଉଥିବା ବନ୍ଧୁଟି ଆବଶ୍ୟକ କରିଥାଏ, ଯେଉଁ କାର୍ଯ୍ୟଟି ବା ତା’ର ପ୍ରଥମ ବନ୍ଧୁ ଭାବେ ତା’ ମା’ବାପା ରହିବେ। ଆଉ ଗୋଟିଏ ବଡ଼ କଥା ମନେରଖନ୍ତୁ, ଅନେକ ସମୟରେ ଶିଶୁ ଅବାଧ୍ୟ ହେଲେ ଆମେ ତାକୁ ବିଭିନ୍ନ ଭୟ ଦେଖାଇଥାଉ, ଏହାଫଳରେ ତା’ଉପରେ ମାନସିକ ଚାପ ପଡ଼ିଥାଏ ।
ଫଳରେ ଅନେକ ସମୟରେ ଶିଶୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜର ସାହସ ହରାଇ ବସେ । ସେହିପରି ପିଲା ଭୁଲ୍‌ କରି ବସିଲେ ଆମେ ତାକୁ ମାଡ଼ ଦେଉ ଓ ଆଉ ଭୁଲ୍‌ ନ କରିବା ପାଇଁ ନିର୍ଦ୍ଦେଶ ଦେଉ ।
ତା’ଦ୍ୱାରା ପିଲା ଭୁଲ୍‌ କରେନି ସତ କିନ୍ତୁ ସେ ଆଉ ଠିକ୍‌ କରିବା ପାଇଁ ମଧ୍ୟ ଅଗ୍ରସର ହୁଏନାହିଁ ମନରେ ରହିଯାଏ ଭୟ ଆଶଙ୍କା । ଆପଣ କେବେ ଭୁଲିଯାଆନ୍ତୁ ନାହିଁ ପିଲାଟି ହେଉଛି ଆପଣଙ୍କର ପ୍ରତୀକ। ଆପଣଙ୍କ ଶାରୀରିକ ଓ ମାନସିକ ପ୍ରତିଫଳନର ସେ ଚିତ୍ର। ତେଣୁ ପିଲାଟି ଦିନରୁ ହିଁ ତାକୁ ସତ୍‌ଶିକ୍ଷା ଓ ସତ୍‌ ପରାମର୍ଶ ଦେବା ସହ ଉତ୍ତମ ଜୀବନ ଗଢ଼ିବା, ନିଜ ପଡ଼ୋଶୀ, ସମାଜ ଓ ରାଷ୍ଟ୍ର ପାଇଁ ସେବା ମନୋଭାବ ସୃଷ୍ଟି କରାଇବାର ପ୍ରାଥମିକ ଦାୟିତ୍ୱ ମା’ବାପାଙ୍କର। ମା’ବାପାମାନେ ନିଜେ ଆଗେ ସଦ୍‌ଗୁଣର ଅନୁଶୀଳନ କରି ପିଲାମାନଙ୍କୁ ସେହି ରାସ୍ତାରେ ଆଗେଇ ନେଲେ ପିଲାମାନେ ଉତ୍ତମ ବନ୍ଧୁ ପାଇପାରିବେ ଆଉ ଉତ୍ତମ ଜୀବନ ସେମାନଙ୍କ ଜୀବନ ଅଭିବୃଦ୍ଧି ବିକାଶର ଆଲୋକ ବର୍ତ୍ତିକା ସାଜିବ।
ମୋ : ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri