ଶତ୍ରୁ କିଏ

ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଦୀର୍ଘ ୫ ମାସ ଧରି ଲାଗି ରହିଥିବା ଜାତିଆଣ ହିଂସା ମଣିପୁରରେ ପୁଣି ଉଗ୍ର ରୂପ ଧାରଣ କରିଛି। ଦୁଇ ଜଣ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନିଆଯାଇ ହତ୍ୟା କରାଯିବା ପରେ ରାଜ୍ୟବ୍ୟାପୀ ପ୍ରତିବାଦ ଚାଲିଛି। କିଛି ଗୋଷ୍ଠୀ କହୁଛନ୍ତି ଯେ, ଛାତ୍ରୀଛାତ୍ରଦ୍ୱୟ ମେଇତି ସମ୍ପ୍ରଦାୟର। କୁକି ସେମାନଙ୍କୁ ଅପହରଣ କରିନେଇଥିଲେ। ଏହି ଘଟଣାର ସତ୍ୟାସତ୍ୟ ବୁଝିବା କଷ୍ଟକର ହୋଇଥାଇପାରେ। କିନ୍ତୁ ସ୍ବୀକାର କରିବାକୁ ପଡ଼ିବ ଯେ, ଯେଉଁସବୁ ଜାଗାରେ ଦଙ୍ଗା ଓ ହିଂସା ଘଟିଥାଏ, ସେଠାରେ କିଏ କାହାକୁ ମାରିଲା ତାହା ସ୍ପଷ୍ଟ ବୁଝିବା କଷ୍ଟକର। ଅନେକ ସ୍ଥାନରେ ଉଦାହରଣ ଅଛି ନିଜ ସମ୍ପ୍ରଦାୟର ଲୋକଙ୍କୁ ମାରି ତିକ୍ତତା ବୃଦ୍ଧି କରାଇଦିଆଯାଏ। ଇତିମଧ୍ୟରେ ମଣିପୁରକୁ ‘ବିଶୃଙ୍ଖଳିତ ଅଞ୍ଚଳ’ ଘୋଷଣା କରାଯିବା ପରେ ୧ ଅକ୍ଟୋବରରୁ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ)କୁ ଆଉ ୬ ମାସ ସମ୍ପ୍ରସାରଣ କରାଯାଇଛି। ତେବେ ଇମ୍ଫାଲ ଉପତ୍ୟକାର ୧୯ଟି ପୋଲିସ ଷ୍ଟେଶନ ଅଞ୍ଚଳକୁ ଏଥିରୁ ବାଦ୍‌ ଦିଆଯାଇଥିବାରୁ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। କହିବାକୁ ଗଲେ ଏଏଫ୍‌ଏସ୍‌ପିଏ ଉଗ୍ରପନ୍ଥୀ କାର୍ଯ୍ୟକୁ ଦମନ କରିବାରେ ଲାଗିବା କଥା। ହେଲେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଲାଗି ଏହାକୁ ବ୍ୟବହାର କରାଯାଉଛି। ଉଭୟ କେନ୍ଦ୍ର ଓ ସବୁ ରାଜ୍ୟ ସରକାର ନିଜ ଦାୟିତ୍ୱରେ ବିଫଳ ହେଉଥିବାରୁ ଏହିଭଳି କଠୋର ଆଇନକୁ ବ୍ୟବହାର କରୁଛନ୍ତି। ଏହା କେବଳ ଭାଜପା ସମୟରେ ହେଉଛି କହିବା ଅନୁଚିତ ହେବ। କଂଗ୍ରେସ ସରକାର ମଧ୍ୟ, ଅନେକ ଦଶନ୍ଧି ଧରି, ଏହି ଆଇନର ଅପବ୍ୟବହାର କରିଛି। ତେବେ ଇମ୍ଫାଲ ଉପତ୍ୟକା ଜାତିଆଣ ହିଂସା ଭିଆଉଥିବା ବେଳେ କେଉଁ ଦୃଷ୍ଟିରୁ ବିଚାର କରାଯାଇ ଏହି ଇଲାକାକୁ ବିଶୃଙ୍ଖଳିତ ଅଞ୍ଚଳ ସଂଜ୍ଞାରୁ ବାଦ୍‌ ଦିଆଯାଇଛି, ତାହା ବୁଝିବା କଷ୍ଟକର ନୁହେଁ। ସମ୍ଭବତଃ ରାଜଧାନୀ ଅଞ୍ଚଳକୁ ବିଶୃଙ୍ଖଳିତ ଇଲାକା ଘୋଷଣା କରିଦେଲେ ସରକାରଙ୍କ ଅପାରଗତା ପଦାରେ ପଡ଼ିଯିବା ସହ ତାହାର କ୍ଷମତା ଉଭାନ ହୋଇଯିବ ବୋଲି ଚିନ୍ତା କରାଯାଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ମୃତ ଛାତ୍ରୀଛାତ୍ରଙ୍କ ପରିବାରକୁ ରାଜ୍ୟପାଳ ଅନସୂୟା ଉଇକେ ଭେଟି ଅପହରଣ ଓ ହତ୍ୟାରେ ସମ୍ପୃକ୍ତ ଅପରାଧୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ନିଶ୍ଚିତ ଭାବେ ସମ୍ପୃକ୍ତ ପରିବାରବର୍ଗଙ୍କ ପାଇଁ ସହାନୁଭୂତି ଆଣିଥିବ। କିନ୍ତୁ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କଠାରୁ ଯେଉଁ ତତ୍ପରତା ଆଶା କରାଯାଉଥିଲା, ତାହା ଦେଖିବାକୁ ମିଳିନାହିଁ। ଗୋଟେ ରାଜ୍ୟରେ ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଯିବା, ଛାତ୍ରୀଛାତ୍ରଙ୍କୁ ଅପହରଣ ଓ ହତ୍ୟା ସହିତ ବିଭିନ୍ନ ବର୍ଗର ନାଗରିକଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ କୌଣସି କଠୋର ପଦକ୍ଷେପ ନିଆଯାଇପାରୁ ନ ଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ଅଶାନ୍ତ ସ୍ଥିତି ସୃଷ୍ଟି ହେବା ପରେ ମଣିପୁରରେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଗଲାଣି। ତେବେ ଛାତ୍ରୀଛାତ୍ରଦ୍ୱୟଙ୍କୁ ହତ୍ୟା କରାଯିବା ପରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ଲୋକମାନେ ଏକତ୍ର ରହିବା ସହ ଶାନ୍ତି ବଜାୟ ରଖିବା ଏବଂ ରାଜ୍ୟର ଶତ୍ରୁ ବିରୋଧରେ ସାମୂହିକ ଲଢ଼େଇ କରିବାକୁ ଆଗେଇ ଆସନ୍ତୁ। ଏଠାରେ ପ୍ରଶ୍ନ ଉଠୁଛି ଶତ୍ରୁ କିଏ। ନିଜ ଦାୟିତ୍ୱରୁ ଓହରିଯାଇ ଏକ ଶତ୍ରୁର ଭୂତ ଲୋକଙ୍କ ଆଗରେ ଥୋଇଲେ ବୀରେନ୍ଦ୍ର ଭାବୁଛନ୍ତି ବୋଧେ ଜନସାଧାରଣଙ୍କୁ ବାଉଳା କରିହେବ। ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଏହା ବାଣୀ ଶୁଣାଇବାର ମୁହୂର୍ତ୍ତ ନୁହେଁ ବୋଲି ବିଚାର କରାଯିବା ଦରକାର।
ମଣିପୁରରେ ହିଂସା ଯୋଗୁ କେବଳ ସଂଖ୍ୟାଲଘୁ କୁକି ନୁହନ୍ତି, ମେଇତି ସମ୍ପ୍ରଦାୟ ମଧ୍ୟ ଅସ୍ବାଭାବିକ ସ୍ଥିତିର ସାମ୍ନା କରୁଛି। ଇତିମଧ୍ୟରେ ଯାହା କୁହାଯାଉଥିଲା ଯେ, ଭାଜପା ଏହି ଗଣ୍ଡଗୋଳକୁ ଭିଆଉଛି, ତାହା ଏବେ ସନ୍ଦେହ ଘେରରେ ଆସିଗଲାଣି। କାରଣ ମଣିପୁର ରାଜ୍ୟ ଭାଜପା ଶାଖା ଏବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ବିଗିଡ଼ି ଯାଉଥିବା ଅସ୍ବାଭାବିକ ସ୍ଥିତି ସମ୍ପର୍କରେ ଅବଗତ କରାଇଲେଣି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏହାବ୍ୟତୀତ ଉତ୍ତର ପୂର୍ବାଞ୍ଚଳର ପ୍ରାୟ ସବୁ ରାଜ୍ୟର ଇତିହାସ ଦେଖିଲେ କେନ୍ଦ୍ରରେ ଯିଏ ସରକର ଗଢ଼େ, ସେହି ଦଳ ଏହି ଭୂଖଣ୍ଡର ସବୁ ପ୍ରଦେଶରେ ସରକାର ଗଢ଼ିଥାଏ। ଏହା ଗତାନୁଗତିକ।
ମଣିପୁର ନିଆଁ ବନାଗ୍ନି ଭଳି ବ୍ୟାପି ଚାଲିଛି। ତାହାର ଧାସରେ ସମସ୍ତେ ଆକ୍ତାମାକ୍ତା। ଗୋଟିଏ ପଟେ କେନ୍ଦ୍ର ସହିତ ସଲାସୁତରା କରି ମୁଖ୍ୟମନ୍ତ୍ରୀ ଚୌକି ଭିଡ଼ିଧରିଥିବା ଭଳି ମନେହେଉଛି। ଅନ୍ୟପକ୍ଷେ ଏଥିରୁ ନଜର ହଟେଇବା ଲାଗି କାନାଡା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛି। ସ୍ଥିତି କେତେ ବିଗିଡ଼ିଲେ ପ୍ରତିକାରମୂଳକ ପଦକ୍ଷେପ ନିଆଯିବ, ତାହାକୁ ଯେପରି ଅପେକ୍ଷା କରାଯାଇଥିବା ଭଳି ମନେହେଉଛି। ଗଣତନ୍ତ୍ରରେ ଲୋକଙ୍କୁ ସୁରକ୍ଷା ଦେବା ସରକାରଙ୍କ ମୌଳିକ କାର୍ଯ୍ୟ। ଦେଶର ଗୋଟେ ପ୍ରାନ୍ତ ଜଳୁଥିବା ବେଳେ ତାହାକୁ ଅଣଦେଖା କରିଦିଆଗଲେ ବାହ୍ୟ ଶତ୍ରୁ ସେହି ଭୂଖଣ୍ଡକୁ ଟାର୍ଗେଟ କରିଦେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri