ଇସ୍ରାଏଲକୁ ସମର୍ଥନ ଅନ୍ତରାଳେ

ଅକ୍ଟୋବର ୭ରେ ପାଲେଷ୍ଟିନୀୟ ଚରମପନ୍ଥୀ ସଙ୍ଗଠନ ‘ହମାସ୍‌’ର ଆକ୍ରମଣ ପରେ ଇସ୍ରାଏଲର ବୋମା ଓ କ୍ଷେପଣାସ୍ତ୍ର ମାଡ଼ରେ ଏଯାଏ ୮ହଜାରରୁ ଅଧିକ ପାଲେଷ୍ଟିନୀୟ ପ୍ରାଣ ହରାଇଥିବା ବେଳେ ୧୮ହଜାରରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ମୃତକମାନଙ୍କ ମଧ୍ୟରେ ୬୨% କେବଳ ମହିଳା ଓ ଶିଶୁ ରହିଛନ୍ତି। ସେଠାରେ ରିଲିଫ୍‌ ଓ ଥଇଥାନ କାମରେ ନିୟୋଜିତ ଜାତିସଂଘର ୩୫ ଜଣ କର୍ମଚାରୀ ବି ବୋମାମାଡ଼ରେ ପ୍ରାଣ ହରାଇଛନ୍ତି।
ଗାଜାଷ୍ଟ୍ରିପ୍‌ରେ ରହୁଛନ୍ତି ୨୨ ଲକ୍ଷ ପାଲେଷ୍ଟିନୀୟ। ୨୦୦୭ରୁ ଗାଜାକୁ ଏକ ଖୋଲା ଜେଲରେ ପରିଣତ କରି ରଖିଥିବା ଇସ୍ରାଏଲ ଏବେ ସେଠାକୁ ପାଣି, ଇନ୍ଧନ, ଖାଦ୍ୟ, ଜିନିଷପତ୍ର ଓ ବିଦ୍ୟୁତ୍‌ ଯୋଗାଣକୁ ଏକଦମ୍‌ ବନ୍ଦ କରିଦେଇ ସେମାନଙ୍କୁ ମୋରିବାକୁ ଷଡ଼ଯନ୍ତ୍ର କରିଛି। ପାଶ୍ଚାତ୍ୟ ଦେଶମାନଙ୍କ ସମେତ ବିଶ୍ୱର ପ୍ରାୟ ସବୁ ଦେଶର ଲୋକ ଇସ୍ରାଏଲୀ ବର୍ବରତା ଓ ଯୁଦ୍ଧକୁ ବିରୋଧ କରିଛନ୍ତି। ଅବସ୍ଥା ଏପରି ହୋଇଛି ଯେ ଶେଷରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରସଙ୍କୁ ବି ପାଲେଷ୍ଟାଇନ୍‌ବାସୀଙ୍କ ପ୍ରତି ଇସ୍ରାଏଲ କରି ଆସିଥିବା ହିଂସା, ଗୋଲାମୀ ଓ ଅମାନବିକତାକୁ ଖୋଲାଖୋଲି ଭାବେ କହିବାକୁ ପଡ଼ିଛି। ଆଜି ଇସ୍ରାଏଲ ଯୁଦ୍ଧ ବିରୋଧରେ ସମଗ୍ର ଆରବ ଜଗତ ସମେତ ବିଶ୍ୱର ଅଧିକାଂଶ ଦେଶ ସ୍ବର ଉଠାଇଛନ୍ତି। ଏପରିକି ଇସ୍ରାଏଲର ନାଗରିକମାନେ ବି ନିଜ ଦେଶର ଯୁଦ୍ଧ ଅଭିଯାନକୁ ବିରୋଧ କରି ରାସ୍ତାକୁ ଆସିବା ଦେଖାଯାଇଛି। ସେଠାକାର ମିଡିଆର ଏକ ବଡ଼ ଭାଗ ନେତାନ୍ୟାହୁ ସରକାରଙ୍କ ଯୁଦ୍ଧଖୋର ନୀତି ବିରୋଧରେ କହିଛି। କେବଳ ଆମେରିକା, ଇଂଲଣ୍ଡ, ଜର୍ମାନୀ ପରି ହାତଗଣତି ପାଶ୍ଚାତ୍ୟ ଦେଶଙ୍କୁ ଛାଡ଼ିଦେଲେ ବିଶ୍ୱର ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଦେଶ ଇସ୍ରାଏଲ ପକ୍ଷରେ ଠିଆ ହେବାକୁ ସାହସ କରିନାହାନ୍ତି।
ପରିତାପର ବିଷୟ ଐତିହାସିକ ଭାବେ ପାଲେଷ୍ଟାଇନ ପକ୍ଷରେ ରହିଆସିଥିବା ଭାରତ ଏବେ ଇସ୍ରାଏଲ ପକ୍ଷରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଠିଆହେବା ବାରମ୍ବାର ଦେଖାଯାଇଛି। ‘ହମାସ୍‌ର’ ଆକ୍ରମଣ ପରେ ‘ଭାରତ ଇସ୍ରାଏଲ ସହିତ ଠିଆହୋଇଛି ବୋଲି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି କେବଳ ପାଲେଷ୍ଟାଇନ୍‌ର ସ୍ବାଧୀନତା ପ୍ରତି ଭାରତର ରହିଆସିଥିବା ନୀତିକୁ ବଦଳାଇ ନାହାନ୍ତି, ବରଂ ବିଶ୍ୱରେ ଭାରତର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛନ୍ତି। ଯଦିଓ ବିଶ୍ୱର ରାଜନୈତିକ ପରିସ୍ଥିତିକୁ ହୃଦୟଙ୍ଗମ କରି ଏହାର ଠିକ୍‌ ୪ଦିନ ପରେ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରେସ୍‌ ବିବୃତି ଜାରି କରି ଭାରତ ପାଲେଷ୍ଟାଇନ୍‌ବାସୀଙ୍କ ସ୍ବାଧୀନତାର ସଂଗ୍ରାମକୁ ସମର୍ଥନ ଜାରି ରଖିବ ବୋଲି କୁହାଯାଇଛି ଏବଂ ତା’ର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ପାଲେଷ୍ଟାଇନ୍‌ର ପ୍ରଧାନମନ୍ତ୍ରୀ ମହମ୍ମଦ ଆବାସଙ୍କ ସହ ଟେଲିଫୋନରେ କଥା ହୋଇ ଗାଜାର ଯୁଦ୍ଧପୀଡ଼ିତଙ୍କୁ ମାନବୀୟ ସହାୟତା ପଠାଇଛନ୍ତି, କିନ୍ତୁ ତାହା ଭାରତର ଭାବମୂର୍ତ୍ତିକୁ ସୁଧାରିବାରେ ସହାୟକ ହୋଇନି। ‘ହମାସ୍‌’ର ଆତଙ୍କକୁ ମାତ୍ର କିଛି ମିନିଟ୍‌ ମଧ୍ୟରେ ନିନ୍ଦା କରିଥିବା ପ୍ରଧାନମନ୍ତ୍ରୀ ମୋଦି ଏଯାଏ ଗାଜାରେ ଇସ୍ରାଏଲର ବର୍ବରତା ଓ ନରସଂହାରକୁ ନିନ୍ଦା କରିବାକୁ ସାହସ ଜୁଟାଇ ପାରିନାହାନ୍ତି। ଅନ୍ୟପଟେ ଇସ୍ରାଏଲକୁ ସମର୍ଥନ କରି ଶାସକ ଭାଜପାର ସମର୍ଥକ ଓ ସହଯୋଗୀ ହିନ୍ଦୁତ୍ୱବାଦୀ ଶକ୍ତିମାନେ ଏହି ଘଟଣାକୁ ନେଇ ଦେଶରେ ମୁସଲମାନଙ୍କ ବିରୋଧରେ ଘୃଣା ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି।
ତବେ ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’ ପରି ଭାରତ ସରକାରଙ୍କ ଇସ୍ରାଏଲୀ ପ୍ରେମ ଏବେ ପୁଣିଥରେ ସାମନାକୁ ଆସିଛି। ନିକଟରେ ଗାଜାର ଯୁଦ୍ଧ ପୀଡ଼ିତଙ୍କୁ ମାନବୀୟ ସହାୟତା ଦେବାକୁ ଏକ ଦୀର୍ଘକାଳୀନ ଯୁଦ୍ଧବିରତି ପାଇଁ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଆରବ ଲିଗ୍‌ ପକ୍ଷରୁ ଜୋର୍ଡାନ ଆଣିଥିବା ପ୍ରସ୍ତାବ ଉପରେ ମତଦାନ ବେଳେ ଭାରତର ଭୂମିକା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରସ୍ତାବକୁ ରୁଷିଆ, ଚାଇନାଠାରୁ ଆରମ୍ଭ କରି ସମସ୍ତ ଆରବ ଦେଶ ଏପରିକି ଫ୍ରାନ୍ସ ପରି ପାଶ୍ଚାତ୍ୟ ଦେଶକୁ ମିଶାଇ ମୋଟ ୧୨୦ ଦେଶ ସମର୍ଥନ କରିଥିବା ବେଳେ ଇସ୍ରାଏଲ ଓ ଆମେରିକା ସମେତ ମାତ୍ର ୧୪ଟି ଦେଶ ହିଁ ବିରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆମେରିକା କେବଳ ଆଜି ନୁହେଁ ବରଂ ଆରମ୍ଭରୁ ହିଁ ଇସ୍ରାଏଲକୁ ସମର୍ଥନ ଦେଇ ଆସିଛି। ୧୯୭୨ଠାରୁ ଏଯାଏ ସଂଯୁକ୍ତ ରାଷ୍ଟ୍ରରେ ଇସ୍ରାଏଲ୍‌ର ପାଲେଷ୍ଟାଇନ୍‌ବାସୀଙ୍କ ଉପରେ ଦମନ ଓ ଜମି କବ୍‌ଜା ବିରୋଧରେ ଆସିଥିବା ପ୍ରସ୍ତାବଗୁଡ଼ିକ ଉପରେ ଆମେରିକା କମ୍‌ସେ କମ୍‌ ୫୩ ଥର ଭିଟୋ ପ୍ରୟୋଗ କରି ତାକୁ ଖାରଜ କରିଛି। ଏହାର ଅର୍ଥ ହେଲା, ଇସ୍ରାଏଲ ପାଲେଷ୍ଟାଇନ୍‌ରେ ଯେତେ ବର୍ବରତା ଓ ଯୁଦ୍ଧ ଅପରାଧ କଲେ ମଧ୍ୟ ଆମେରିକା ଜାତିସଂଘରେ ତାକୁ ଦୃଢ଼ ସମର୍ଥନ ଦେବ। ଇସ୍ରାଏଲକୁ ଏଭଳି ଅନ୍ଧ ସମର୍ଥନ ପଛରେ ପ୍ରମୁଖ କାରଣଟି ହେଲା ତୈଳ ସମ୍ପଦରେ ସମୃଦ୍ଧ ମଧ୍ୟପ୍ରାଚ୍ୟରେ ନିଜର ରାଜନୈତିକ, ସାମରିକ ଓ ଆର୍ଥିକ ପ୍ରଭାବ ଏବଂ ନିୟନ୍ତ୍ରଣକୁ ବଜାୟ ରଖିବା ପାଇଁ ଇସ୍ରାଏଲ ତା’ର ଏକ ଶକ୍ତିଶାଳୀ ସ୍ତମ୍ଭ ଭାବେ କାମ କରୁଛି।
ଅନ୍ୟପକ୍ଷରେ ଇସ୍ରାଏଲକୁ ଭାରତ ସରକାରଙ୍କ ସମର୍ଥନ ପଛରେ ଦେଶର ସାମୂହିକ ସ୍ବାର୍ଥ ପରିବର୍ତ୍ତେ ଗୋଟିଏ ଘରୋଇ କମ୍ପାନୀର ସ୍ବାର୍ଥ ରହିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ମୋଦିଙ୍କ ଶାସନ କାଳରେ ଇସ୍ରାଏଲରେ ଆଦାନୀର କାରବାର ବଢ଼ିଛି। ଚଳିତ ବର୍ଷ ଇସ୍ରାଏଲର ସବୁଠାରୁ ବଡ଼ ବନ୍ଦର, ହାଇଫାକୁ ଆଦାନୀ ୧୨୦କୋଟି ଡଲାର ବିନିମୟରେ କିଣିଛି। ଏହି ବନ୍ଦରର ମାଲିକାନା ହସ୍ତାନ୍ତର ସମୟରେ ଗୌତମ ଆଦାନୀଙ୍କ ସହ ଖୋଦ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଏହା ବାଦ୍‌ ନିକଟରେ ଭାରତରେ ଅନୁଷ୍ଠିତ ଜି ୨୦ ବୈଠକରେ ଭାରତରୁ ୟୁରୋପକୁ ଯେଉଁ ବାଣିଜ୍ୟ କରିଡରର ନିଷ୍ପତ୍ତି ନିଆଗଲା, ତା’ର ସବୁଠାରୁ ବଡ଼ ଲାଭାର୍ଥୀ ଆଦାନୀ ହେବାକୁ ଯାଉଛି। ଭାରତ, ଇସ୍ରାଏଲ ଓ ଆମେରିକା ଉଦ୍ୟମରେ ହେବାକୁ ଯାଉଥିବା ଏହି କରିଡରରେ ଆଦାନୀର ମୁମ୍ବାଇ, ମୁଦ୍ରା ଓ ହାଇଫା ପରି ଅନେକ ବନ୍ଦର ଓ ବିମାନ ବନ୍ଦର ଯୋଡ଼ି ହେବାକୁ ଯାଉଛି। ଏଥିରେ ଯୋଡ଼ି ହେବାକୁ ଥିବା ଗ୍ରିସ୍‌ର ପିୟେରେସ୍‌, ଭୋଲେସ୍‌ ଆଦି ବନ୍ଦରକୁ ମଧ୍ୟ କିଣିବାକୁ ଆଦାନୀ ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ କଥାବାର୍ତ୍ତା ଚାଲିଛି। ଏହା ସହିତ ଭାରତ ଏବେ ଇସ୍ରାଏଲୀ ଅସ୍ତ୍ରଶସ୍ତ୍ରର ଏକ ବଡ଼ କ୍ରେତାରେ ପରିଣତ ହୋଇଛି। ଏହିସବୁ କାରଣରୁ ହିଁ ମୋଦି ସରକାର ନିଜର ପାଲେଷ୍ଟାଇନ୍‌ ନୀତିରେ ପରିବର୍ତ୍ତନ କରିଛନ୍ତି।
ତେବେ ଜାତିସଂଘରେ ଗାଜାରେ ଯୁଦ୍ଧ ବିରାମ ସପକ୍ଷରେ ଶାନ୍ତି ପାଇଁ ଭୋଟ ଦେବାରୁ ବିରତ ରହି ଭାରତ ଏକ ମସ୍ତବଡ଼ ରଣକୌଶଳଗତ ଭୁଲ୍‌ କରିଛି ବୋଲି କୁହାଯାଇପାରେ। ଭୋଟଦାନ ବିରତ ପରେ ପରେ ଇସ୍ରାଏଲ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ କାତାରର ଏକ ଅଦାଲତ ଭାରତର ୮ ଜଣ ବରିଷ୍ଠ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି। ଆରବୀ ମିଡିଆରେ ଏଥିପାଇଁ ଭାରତର ଇସ୍ରାଏଲ ସପକ୍ଷବାଦୀ ପରିବର୍ତ୍ତିତ ନୀତିକୁ ଦାୟୀ କରାଯାଇଛି।
ଅନ୍ୟପକ୍ଷରେ ଇସ୍ରାଏଲ ବିରୋଧରେ ଏକାଠି ହୋଇଥିବା ତୈଳ ସମୃଦ୍ଧ ଆରବ ଦେଶଗୁଡ଼ିକୁ ଅସନ୍ତୁଷ୍ଟ କରିବା ଭାରତ ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି। କାରଣ ଭାରତ ବାହାରେ ଅନ୍ୟ ଦେଶରେ ରହୁଥିବା ୧.୩୪କୋଟି ଭାରତୀୟଙ୍କ ମଧ୍ୟରେ ସବୁଠାରୁ ବେଶି ଅର୍ଥାତ୍‌ ୮୮.୮ ଲକ୍ଷ (୬୬%) ଭାରତୀୟ କେବଳ ମଧ୍ୟପ୍ରାଚ୍ୟର ଛଅଟି ଦେଶରେ ରହୁଛନ୍ତି। ସେମାନଙ୍କଠାରୁ ପ୍ରତିବର୍ଷ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଭାରତକୁ ଆସୁଛି। ଏହାବାଦ୍‌ ଆମର ମୋଟ ତୈଳ ଆବଶ୍ୟକତାର ସିଂହଭାଗଟି କେବଳ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆମଦାନୀ ହେଉଛି। ପୁଣି ସେସବୁ ଦେଶର ବଜାରରେ ଭାରତୀୟ କମ୍ପାନୀଗୁଡ଼ିକର ବିଭିନ୍ନ ସାମଗ୍ରୀର ଏକ ଚାହିଦା ରହିଛି। ଏଭଳି ପରିସ୍ଥିତିରେ ଇସ୍ରାଏଲକୁ ସମର୍ଥନ କରିବା ନଁାରେ ଉପରୋକ୍ତ ଦେଶମାନଙ୍କ ସହ ଆମର ସମ୍ପର୍କକୁ ଖରାପ କରିବା ଦେଶର ସ୍ବାର୍ଥକୁ ପ୍ରଭାବିତ କରିବ।

  • ଭାଲଚନ୍ଦ୍ର ଷଡ଼ଙ୍ଗୀ
    ମୋ: ୯୪୩୭୧୬୬୩୯୧

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?