
ଜଳ ବିନା ଜୀବନ ଅସମ୍ଭବ। ହେଲେ କେବେ ଭାବିଛନ୍ତି କି ପୃଥିବୀର ଭିନ୍ନ ଭିନ୍ନ ସ୍ଥାନରେ ପାଣିର ସ୍ବାଦ ଅଲଗା ଅଲଗା କାହିଁକି ହୋଇଥାଏ? ଗୋଟିଏ ଗ୍ରହରେ ଥାଇ ବି ଭିନ୍ନ ଭିନ୍ନ ସ୍ଥାନର ଲୋକେ ଭିନ୍ନ ଭିନ୍ନ ସ୍ବାଦର ପାଣି କାହିଁକି ପିଅନ୍ତି?
ତେବେ ପ୍ରକୃତରେ କହିବାକୁଗଲେ ବିଶୁଦ୍ଧ ଜଳର କୌଣସି ସ୍ବାଦ ନ ଥାଏ। ହେଲେ ଯେବେ ଜଳ ଭୂମି ଭିତର ଦେଇ ଯାଏ ତାହା ବିଭିନ୍ନ ଖଣିଜ ପଦାର୍ଥ ସଂସ୍ପର୍ଶରେ ଆସେ। ଆଉ ଏହି ଖଣିଜ ପଦାର୍ଥ ଜଳରେ ମିଶିଯିବା ପରେ ଜଳର ସ୍ବାଦ ପରିବର୍ତ୍ତନ ହୋଇଯାଏ। ପାଣିରେ ମିଶିଥିବା ଖଣିଜ ପଦାର୍ଥ ଯେମିତିକି କ୍ୟାଲସିୟମ୍, ମ୍ୟାଗନେସିୟମ୍, ସୋଡିୟମ୍ ଓ ପଟାସିୟମ୍ ଆଦିର ମାତ୍ରା ଜଳର ସ୍ବାଦକୁ ପ୍ରଭାବିତ କରିଥାଏ। ଏହାବାଦ ଯେଉଁଠୁ ଜଳ ବାହାରିଥାଏ ସେଠାକାର ଭୂଗର୍ଭୀୟ ସଂରଚନା ବି ପାଣିର ସ୍ବାଦକୁ ପ୍ରଭାବିତ କରିଥାଏ। ଉଦାହରଣ ସ୍ବରୂପ,ଚୁନପଥର ଥିବା ଅଞ୍ଚଳର ଜଳ କ୍ୟାଲସିୟମ ଯୁକ୍ତ ହୋଇଥାଏ। ଫଳରେ ଜଳ କଠୋର ବି ହୋଇଯାଏ।
ଏହାବାଦ ଜଳଚକ୍ର ଯୋଗୁ ଜଳ ବାଷ୍ପରେ ପରିଣତ ହୁଏ, ମେଘରେ ପରିଣତ ହୁଏ ଓ ପରେ ତାହା ବର୍ଷା ଅବା ତୁଷାରପାତ ରୂପରେ ଭୂମିକୁ ଆସିଥାଏ। ଏହି ପ୍ରକ୍ରିୟା ଭିତରେ ପାଣି ବିଭିନ୍ନ ପ୍ରକାରର ପଦାର୍ଥ ସମ୍ପର୍କରେ ଆସିଥାଏ। ଯାହାକି ଜଳର ସ୍ବାଦକୁ ପ୍ରଭାବିତ କରିଥାଏ।
ଏହାବାଦ ପାଣିର ପିଏଚ୍ ସ୍ତର ବି ପାଣିର ସ୍ବାଦକୁ ପ୍ରଭାବିତ କରିଥାଏ। ଅମ୍ଳୀୟ ପାଣି ଖଟା ଲାଗିଥାଏ। ହେଲେ କ୍ଷାରୀୟ ଜଳ ଲବଣାକ୍ତ ଲାଗେ। ସେହିଭଳି ବିଭିନ୍ନ ପ୍ରକାରର ଗ୍ୟାସ୍ ଯେମିତିକି ଅମ୍ଳଜାନ, କାର୍ବନ ଡାଇ ଅକ୍ସାଇଡ ଆଦି ଜଳରେ ମିଶିଲେ ବି ପାଣିର ସ୍ବାଦ ବଦଳିଥାଏ।