ଚେତିବା କେବେ

ଡ. ପ୍ରମୋଦ କୁମାର ପଣ୍ଡା

 

ପ୍ରତିଦିନ ଭଳି ଦୀପାବଳିରେ ଫୁଲବାଲା ମୋ’ ଘର ଗେଟ୍‌ରେ ଫୁଲ ଜରିଟିଏ ଟଙ୍ଗେଇ ଚାଲିଯାଇଥିଲା। ମୁଁ ତାକୁ ଦିନରେ ଘର ଠାକୁରଙ୍କ ପୂଜାରେ ବ୍ୟବହାର କଲି। ଓଡ଼ିଆ ଘରେ ସାରେ ଦୀପ ପ୍ରଜ୍ୱଳନ ପରେ ବଡ଼ବଡ଼ୁଆ ଅର୍ଥାତ୍‌ ପୂର୍ବପୁରୁଷଙ୍କୁ ଆବାହନର ପରମ୍ପରା ରହିଛି। ସାବେଳ ପାଇଁ ପୁଣି ଫୁଲ ଦରକାର। ମୁଁ ଫୁଲବାଲାକୁ ଦୀପାବଳି ଦିନ ପାଇଁ ୨ ପୁଟୁଳା ଫୁଲ ଦେବାପାଇଁ କହିବାକୁ ଭୁଲିଯାଇଥିଲି। ସନ୍ଧ୍ୟା ପୂର୍ବରୁ, ଫୁଲବାଲା ପାଖକୁ ଯାଇ ଆଉ କିଛି ଫୁଲ ଦେବାପାଇଁ କହିଲି । ଦୋକାନୀ ମୋତେ ସବୁ ଫୁଲ ଦେଲା ମାତ୍ର ମନ୍ଦାର ଫୁଲ ଦେଲାନାହିଁ । ମୁଁ କହିଲି, ଆଜି କାଳୀ ଓ ମା’ ଲକ୍ଷ୍ମୀଙ୍କ ପୂଜା, ତେଣୁ ମନ୍ଦାର ଫୁଲ ଦିଅ । ସେ କହିଲା, ଆଜି କଲିକତାରେ କାଳୀପୂଜା ଥିବାରୁ ମନ୍ଦାର ଫୁଲ ବହୁତ କମ ଆସିଥିଲା। ସକାଳେ ସରିଗଲା।
ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ଭାଇ! କ’ଣ ମନ୍ଦାର ଫୁଲ ବି କଲିକତାରୁ ଆସୁଛି? ସେ କହିଲା, ହଁ ଆଜ୍ଞା! ପ୍ରତିଦିନ ମୁଁ ଆପଣଙ୍କୁ ତ କଲିକତି ମନ୍ଦାର ଫୁଲ ଦେଉଛି। ଦୋକାନୀର ଉତ୍ତର ଶୁଣି କାହିଁକି କେଜାଣି ମୋ ମୁଣ୍ଡଟା ଘାବରେଇଗଲା। ସହଜେ ତ ଗାଁରେ ପିଲାଦିନୁ ମନ୍ଦାର ଫୁଲରେ ଖେଳିଆସିଛୁ। ସବୁ ଗାଁରେ ମନ୍ଦାର ଫୁଲଗଛ ଭରପୂର। ଆମ ଗ୍ରାମ ଦେବତୀଙ୍କୁ ପ୍ରତିଦିନ ମନ୍ଦାର ଫୁଲ ଚଢ଼ାଟା ମନ ଭିତରେ ନାଚି ଯାଉଥିଲା। ତା’ ଛଡ଼ା ରେଭେନ୍ସା କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ପଢ଼ିବା ବେଳେ ମନ୍ଦାର ଫୁଲକୁ ଭୁଲିପାରୁନଥିଲି। ମୋଟ ଉପରେ କଲିକତାରୁ ମନ୍ଦାର ଫୁଲ ଆସି ଓଡ଼ିଶାରେ ଦେବୀ ପୂଜନକୁ ମୁଁ ସହଜରେ ହଜମ କରିପାରୁନଥିଲି। ମୋ’ ବିବେକ କହୁଥିଲା ଏମିତି ବାଉଳାଙ୍କ ପରି ବିଚଳିତ ହେଲେ ଚଳିବ? ଯଦି ସରୁ ଚାଉଳ, ଅଟା, ଡାଲି, ତେଲ, ମାଛ, ଅଣ୍ଡା, ପିଆଜ, ରସୁଣ, ନଡ଼ିଆ, କଦଳୀ, ଛେଳି, ଅଦା, ଗେଣ୍ଡୁଫୁଲ, ଗାଜର, ଆଳୁ, ଚିନି, ପନିର, ଘିଅ, ଖୁଆ ଆଦି ଅନ୍ୟ ରାଜ୍ୟରୁ ଆସିପାରୁଛି, ମନ୍ଦାରଫୁଲ ଆସିଗଲା ଯେ କ’ଣ ଭାସିଗଲା? ଆଗାମୀ ଦିନରେ ସବୁକିଛି ତ ପଡ଼ୋଶୀ ରାଜ୍ୟରୁ ଆସିବ ଓ ଆମେ ତାକୁ ଖାଇ ସଗର୍ବେ କହିବା ଆମେ ଆମ ଉଦ୍ୟମରେ ଓ ଏକ ନମ୍ବର ଖାଉଟି ରାଜ୍ୟରେ ପରିଗଣିତ କରିଦେଇଛୁ। ହଁ ପାଠକ ବନ୍ଧୁ! ବାସ୍ତବରେ ବଡ଼ ଲଜ୍ଜାଜନକ ସ୍ଥିତି। ଆମଠୁ ଧନୀ ରାଜ୍ୟ ପଶ୍ଚିମବଙ୍ଗର ମୁଣ୍ଡ ପିଛା ଆୟ ଓଡ଼ିଶାଠୁ ଅଧିକ। ପଶ୍ଚିମବଙ୍ଗର ଚାଷୀଙ୍କ ମାସିକ ଆୟ ୬,୭୬୨ ଟଙ୍କା ହୋଇଥିବାବେଳେ ଓଡ଼ିଶାର ମାସିକ ଚାଷୀ ଆୟ ୫,୧୧୨ ଟଙ୍କା। ସେଠାକାର ଚାଷୀଭାଇ ମନ୍ଦାର ଫୁଲ ଉତ୍ପାଦନ କରି ଆମକୁ ବିକ୍ରି କରୁଛି। ମାତ୍ର ଆମର ସବୁ ସୁବିଧା ଥିବା ସତ୍ତ୍ୱେ ଅଳସୁଆମି ଯୋଗୁ ଆମେ ଖାଉଟି ହେଉଛୁ ।
ଆଜିକାର ନୂଆପିଢ଼ିକୁ ଏ ବିଷୟରେ ଗଭୀର ଚିନ୍ତା କରିବାକୁ ପଡ଼ିବ। ସର୍ବଦା ସରକାରଙ୍କୁ ସାହାଯ୍ୟ ଭିକ୍ଷା କରିବା କିମ୍ବା ସରକାରଙ୍କୁ ଦୋଷ ଦେଲେ ଚଳିବ ନାହିଁ। ପଶ୍ଚିମବଙ୍ଗ ସରକାର କ’ଣ ମନ୍ଦାର ଫୁଲ ଚାଷ କରୁଛନ୍ତି ନା ଜନସାଧାରଣଙ୍କୁ ଟଙ୍କାପଇସା ଦେଇ ତା’ର ବିକ୍ରିବଟା କରୁଛନ୍ତି। ସେଠାକାର ଚାଷୀ ଓ ବ୍ୟବସାୟୀ ନିଜର ରୋଜଗାର ବୃଦ୍ଧି ପାଇଁ ସ୍ବତଃସ୍ଫୂର୍ତ୍ତ ଭାବରେ ଏସବୁ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ପୁରପଲ୍ଲୀର ହୋଟେଲରେ ତନ୍ଦୁରୀ ରୋଟି ଓ ତଡ଼କା ମିଳୁଛି। ସେ ସବୁକୁ ପଞ୍ଜାବୀ ଲୋକ ପ୍ରଚାର ପ୍ରସାର କରିଛନ୍ତି , କିନ୍ତୁ ସେଠାକାର ସରକାର ନୁହେଁ। ସେହିପରି ଓଡ଼ିଶାର ଖାଦ୍ୟ ଓଡ଼ିଶା ବାହାରକୁ ନେବା ଦାୟିତ୍ୱ ସରକାରଙ୍କୁ ଦେବା ଠିକ୍‌ ନୁହେଁ। ଏହା ଆମ ଜନସାଧାରଣଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ। ମୋଟ ଉପରେ ଆମ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଚିନ୍ତା କରିବା ଦରକାର କିପରି ଆବଶ୍ୟକତାକୁ ରାଜ୍ୟର ନିଜସ୍ବ ଉତ୍ପାଦନରେ ପୂରଣ କରିବା ।
ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ମନ୍ଦିର ଅଛି। ଭୁବନେଶ୍ୱରକୁ ସେଥିପାଇଁ ମନ୍ଦିରମାଳିନୀ ସହର କୁହାଯାଏ। କିନ୍ତୁ ମନ୍ଦାର ଫୁଲ ଆଣୁଛୁ ପଶ୍ଚିମବଙ୍ଗରୁ। ଆଳୁ ପାଇଁ କିମ୍ବା ଅଦା ପାଇଁ ଶୀତଳଭଣ୍ଡାର ଆବଶ୍ୟକ, ଯାହା ରାଜ୍ୟରେ ନାହିଁ। ତେଣୁ ଚାଷୀ ଏହାକୁ ଚାଷ କରି ପାରୁନାହାନ୍ତି। ମାତ୍ର ମନ୍ଦାରଫୁଲ ପାଇଁ ତ ଶୀତଳଭଣ୍ଡାର ଆବଶ୍ୟକ ନୁହେଁ। ପ୍ରତିଦିନ ଏହା ଗାଡ଼ିରେ ଆସୁଛି। ଏହାସହ ବର୍ତ୍ତମାନ ଓଡ଼ିଶାରେ ବିଚିତ୍ର ସ୍ଥିତି ଉତ୍ପନ୍ନ ହେଲାଣି। ସହରମାନଙ୍କରେ ଉତ୍ତରପ୍ରଦେଶରୁ ଲୋକେ ଆସି ରାସ୍ତା କଡ଼ରେ ଚିନାବାଦାମ ଭାଜି ବିକ୍ରି କରୁଛନ୍ତି। ସେମାନେ ତାଙ୍କ ରାଜ୍ୟରୁ ଚିନାବାଦାମ ଆଣୁଛନ୍ତି। ଆଉ କିଛି ଦିନପରେ ଆମର ଚିନାବାଦାମ ବି ବିକ୍ରି ନ ହୋଇ ପଡିରହିବ। ଆମ ରାଜ୍ୟର ବଜାର ବାହାର ରାଜ୍ୟ ଉତ୍ପାଦକୁ ଗୋଟିକ ପରେ ଗୋଟିଏ ଟେକିଦେବା ଉଚିତ କି? ଆଳୁ ବଜାର ପଶ୍ଚିମବଙ୍ଗ ଓ ବିହାର ଚାଷୀଙ୍କୁ ଦେଇଦେଲୁ। ପିଆଜ ବଜାର ମହାରାଷ୍ଟ୍ର ଚାଷୀଙ୍କୁ। ରସୁଣ ବଜାର ଗୁଜରାଟ ଓ ରାଜସ୍ଥାନ ଚାଷୀଙ୍କୁ। ଏହିପରି ଅନେକ କିଛି। ମନ୍ଦାର ଫୁଲ ଚାଷରେ ଲାଭ ନ ଥିଲେ କଲିକତା ଚାଷୀ କରନ୍ତେ କାହିଁକି। ଜଳେଶ୍ୱର ଡେଇଁଲେ ମେଦିନାପୁର। ପୂର୍ବେ ତାହା ବାଲେଶ୍ୱର ଜିଲାରେ ଥିଲା। ଆମର ଓ ତାଙ୍କର ମୃତ୍ତିକା ଏବଂ ଜଳବାୟୁ ସମାନ। ସେଠାରେ ବର୍ଷତମାମ ଗେଣ୍ଡୁଫୁଲ ଚାଷ ହେବ ଆଉ ଆମେ କିଣିକି ଠାକୁର ପୂଜା କରିବା। କିନ୍ତୁ ଏସବୁ ବିଷୟରେ ଚିନ୍ତା କରିବାକୁ ଆମ ପାଖରେ ସମୟ ନାହିଁ। ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକସମାଜ ପାଖରେ ଏ ବିଷୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ଆଣିବାକୁ ସମୟ ମଧ୍ୟ ନାହିଁ। ଯୁବାବର୍ଗଙ୍କ ମନରେ ଏ ପ୍ରଶ୍ନ ଉଠୁନାହିଁ। ଆମ ରାଜ୍ୟର ନାନାବିଧ ଆବଶ୍ୟକତାକୁ ଆଉ ରାଜ୍ୟ ଉତ୍ପାଦନରେ ପୂର୍ତ୍ତି କରିବା ପାଇଁ ପାରଦର୍ଶୀ ଯୋଜନା ନିର୍ମାଣ ଓ ତା’ର ସଠିକ କ୍ରିୟାନ୍ବୟନର ଆବଶ୍ୟକତା ରହିଛି । ନ ହେଲେ ଆମ ରାଜ୍ୟରୁ ପ୍ରତିବର୍ଷ ୧୦ମ ଶ୍ରେଣୀ ପାସ୍‌ କରୁଥିବା ୬ ଲକ୍ଷ ପିଲା କରିବେ କ’ଣ? ମନ୍ଦାର ଫୁଲ ଏକ ଛୋଟ ଜିନିଷ, ମାତ୍ର ଦୁଃଖ ଲାଗୁଛି ଯେ ଓଡ଼ିଶାରେ ଉତ୍ପାଦନ ଭିତ୍ତିଭୂମି ଥାଇ ଖାଉଟି ସାଜି ଅନ୍ୟ ରାଜ୍ୟ ଉତ୍ପାଦରେ ବଞ୍ଚତ୍ବା ମାନସିକତାର ବୃଦ୍ଧି ହେଉଛି। ଓଡ଼ିଶାର ଯୁବାପିଢ଼ି ଏ ସମସ୍ୟା ସମାଧାନ ପାଇଁ ଆଗେଇ ଆସନ୍ତୁ। ବୟସ୍କ ଏବଂ ଅନୁଭବୀ ସେମାନଙ୍କୁ ପ୍ରେରଣା ଓ ଜ୍ଞାନ ଦିଅନ୍ତୁ ; ଆଉ ପ୍ରଶାସକ ଉତ୍ପାଦ ବିକ୍ରି ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା କରନ୍ତୁ ।
ଶ୍ୟାମଚାନ୍ଦ ପାଟଣା, ଭଦ୍ରକ
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri