ଯେତେବେଳେ ଯେଉଁ କଥା

ପ୍ରାତଃଭ୍ରମଣରୁ ଫେରି ବୈଠକଘରେ ବସି ପତ୍ନୀ ପ୍ରାଣାୟାମ କରିବା ପରେ ମୋତେ କହିଲେ, ବଜାର ଯାଇ କଞ୍ଚାଲଙ୍କା, ଧନିଆପତ୍ର, ସାରୁ, କଖାରୁ, ପୋଟଳ, ଟମାଟୋ, ଲେଉଟିଆ ଶାଗ ଆଣିବ। ମୁଁ ସେତେବେଳେ ଅଧା ଲେଖିଥିବା ଲେଖାଟିକୁ ସମ୍ପୂର୍ଣ୍ଣ କରିବା ସାଧନାରେ ଥିଲି। ପତ୍ନୀ କ’ଣ କ’ଣ ମୋତେ ବରାଦ କଲେ ତାହା ପୂରା ଶୁଣି ନ ପାରି ଖାଲି ହଁ ହାଁ ଉଚ୍ଚାରିବସିଲି। ତରବରିଆ ଭାବରେ ବ୍ୟାଗ ଧରି ବଜାରକୁ ଯାଇ ପତ୍ନୀଙ୍କ ବରାଦ କଥା ମନେପକେଇବାକୁ ଚେଷ୍ଟା କଲି। କିନ୍ତୁ ସହଜରେ ମନେପଡିଲା ନାହିଁ, କିଣିବାକୁ ଥିଲା ଯାହାଯାହା। ଶୀଘ୍ର କିଣିପକେଇ ଘରକୁ ଫେରିଲି। ହେଲେ ବ୍ୟାଗ ଖୋଲି ଦେଖିବାମାତ୍ରେ ପତ୍ନୀଙ୍କ ତୁଣ୍ଡରୁ ଭାସିଆସିଲା-କଞ୍ଚାଲଙ୍କା ଆଣିନାହଁ,ଆଣିଛ କଲରା, ଧନିଆପତ୍ର ଜାଗାରେ ଆଣିଛ ପୋଦିନା!
ସାରୁ ନାହିଁ, ଅଛି ଖମ୍ବଆଳୁ! ପତ୍ନୀଙ୍କର ତାଚ୍ଛଲ୍ୟ ଶ୍ରବଣାନ୍ତେ ଅକଲ ପଶିଲା ମୋ ମୁଣ୍ଡରେ! ଓହୋ, ମାତ୍ରାଧିକ ସାହିତ୍ୟ ପ୍ରୀତି ବହୁବାର ମୋତେ ଅକଳରେ ପକେଇଛି,ଏମିତି ଏମିତି! ପତ୍ନୀଙ୍କ ବରାଦକୁ ମନେରଖି ପରିବା କିଣି ଘରକୁ ଫେରିଥିଲେ,ଏତେ ସରି କିଆଁ ମୋ ହାଲତ ହୋଇଥାନ୍ତା ସତରେ? ତେଣୁ ଯେତେବେଳେ ଯେଉଁ କଥା, ସେତେବେଳେ ସେ କଥାକୁ ଉପଯୁକ୍ତ ମାନ୍ୟତା ଦେବା ନିହାତି ଦରକାର। ସମୟ ଆମକୁ ଯେତେବେଳେ ଅକଳରେ ପକାଏ, ସେତେବେଳେ ଧୈର୍ଯ୍ୟ,ସାହସ, ଆତ୍ମବିଶ୍ୱାସକୁ ନେଇ ନୀରବରେ ଆଗକୁ ବଢିବା ଦରକାର। ସମୟ ବଡ଼ ବଳବାନ୍‌। ଯେଉଁ ସମୟ ଆମ ପାଇଁ ସମସ୍ୟା ସୃଷ୍ଟି କରୁଛି,ସେଇ ସମୟ ପୁଣି ଆମ ପାଇଁ ସମାଧାନର ସୂତ୍ର ନିରୂପଣ କରୁଛି। କେତେବେଳେ ଜୀବନରେ ଭଲ ସମୟ ଆସେ ତ ପୁଣି କେତେବେଳେ ଆସେ ଖରାପ ସମୟ! ସେଇଥିପାଇଁ ତ ଯେତେବେଳେ ଯେଉଁ କଥା ସୂତ୍ରରେ ସୃଷ୍ଟ ସମସ୍ୟା ବା ଆସନ୍ନ ବିପଦକୁ ମୁକାବିଲା କରିବା ନିହାତି ଦରକାର।
ଅଫିସରେ ଏକଦା ଜଣେ ସହକର୍ମୀ ବନ୍ଧୁଙ୍କର ଚକ୍ରାନ୍ତ ଯୋଗୁ ମୁଁ କିଛିଦିନ ମୋର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କର କ୍ରୋଧର ଶିକାର ହୋଇ ହଇରାଣ ହେବାକୁ ବାଧ୍ୟ ହୋଇଥିଲି। ଅସହିଷ୍ଣୁ ସହକର୍ମୀ ବନ୍ଧୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖରେ ମୋ ବିରୋଧରେ ବେଜାଏ ଚୁଗୁଲି କଲେ, ମିଥ୍ୟା ଅଭିଯୋଗ ଆଣିଲେ। ଯଦ୍ଦ୍ବାରା ଅକାରଣେ ଉଚ୍ଚପଦସ୍ଥ ଅଧିକାରୀ ମହାଶୟ ମୋ ଉପରେ ରକ୍ତଚାଉଳ ଚୋବେଇଲେ। ତାଙ୍କର ଔଦ୍ଧତ୍ୟ ଓ ଅହଙ୍କାର ପ୍ରଦର୍ଶନକୁ ମୁଁ ନୀରବରେ ବରଦାସ୍ତ କରୁଥିଲି ସତ, ମାତ୍ର ତାଙ୍କ ଧମକଚମକରେ ହତୋତ୍ସାହିତ ହୋଇ ମୁଁ ମୋ ମାନସିକ ଭାରସାମ୍ୟ ହରେଇ ନ ଥିଲି। ଅଧିକନ୍ତୁ ଅତ୍ୟନ୍ତ ନିଷ୍ଠାର ସହ ମୁଁ ମୋ କର୍ତ୍ତବ୍ୟ ସମ୍ପାଦନ କରିଚାଲିଥିଲି। ଦିନକର କଥା। ସେ ହେଙ୍କଡ଼, ହାମ୍‌ବଡା ଅଧିକାରୀଙ୍କୁ ସାମ୍ନା କରିବାର ସୁଯୋଗ ଦୈବାତ ମୋତେ ମିଳିଗଲା। ତାଙ୍କ ପାଖକୁ ଯାଇ ସିଧାସଳଖ ତାଙ୍କୁ ପ୍ରଶ୍ନ କଲି, ସାର୍‌, ବିନା କାରଣରେ ମୋ ଉପରେ କାହିଁକି ରାଗି ଏତେ ଧମକଚମକ ଦେଉଛନ୍ତି ? ଅଧିକାରୀ ଜଣକ ମୋ ମୁହଁକୁ ବଲବଲ ଅନେଇ ରହିଲେ ଓ କହିଲେ, ”ଆରେ ଆରେ କମ୍‌ ବହପ ନୁହଁ ତୋର ? ହେଃ ମୋତେ ଚିହ୍ନିନୁ, ମୁଁ କିଏ, କେତେ ପାରିବାର ?“ ହେଲେ କିଛି କ୍ଷଣ ପରେ ସେ ମୋତେ ପୁଣି କହିଲେ, ହଁ ବୁଝିପାରିଲି ତୁମ କଥା। ତେବେ ଅସଲ ସମସ୍ୟା ହେଲା, ତୁମ ସହକର୍ମୀ ଯାହାକୁ ତୁମେ ତୁମର ବିଶ୍ୱସ୍ତ ଓ ଦରଦୀ ବନ୍ଧୁ ଭାବୁଛ,ସେ ତୁମ ବିରୋଧରେ ଏଣୁତେଣୁ ଗୁଡ଼ାଏ ମୋ ପାଖରେ ଅଭିଯୋଗ କରି ମୋତେ ଅନୁରୋଧ କରି କହିଲା, ସାର୍‌, ଭଲକିନା ହାଇଡୋଜ ଦେବେଟି ତାକୁ। ସବୁ ନାଟର ଗୋବର୍ଦ୍ଧନ ସେଇ ତୁମ ବନ୍ଧୁ! ସେ କହିବାରୁ ମୁଁ ତୁମ ଉପରେ ମିଛଟାରେ ରାଗୁଥିଲି ! ଛାଡ଼ ସେ କଥା। ମୁଁ କହିଲି,”ହେଲେ ସାର୍‌,ମୋ ଉପରେ ଅକାରଣେ ଆଉ ରାଗିବେ ନାହିଁ ପ୍ଲିଜ୍‌! ଯଦି ରାଗିବାର କାରଣ ଥିବ,ମୋତେ ଜଣେଇଲେ,ମୁଁ ସେ କାରଣକୁ ସମ୍ମାନ ଦେଇ ନିଜକୁ ସଂଶୋଧନ କରିଦେବି।” କହିବା ବାହୁଲ୍ୟ,ତା’ପରଠାରୁ ଅତି ଆଶ୍ଚର୍ଯ୍ୟ ଭାବରେ ସେ ମହାଶୟଙ୍କ ସହ ମୋର ଭଲ ସମ୍ପର୍କ ଗଢିଉଠିଲା!
ଏମିତି ଏମିତି ଅନେକ ସମ୍ବାଦ, ବିସମ୍ବାଦ, ଘଟଣା, ଅଘଟଣ ଆମ ଜୀବନରେ ଘଟେ ବା ଆସେ, ଯାହାର ଅବଧି କିଛି କ୍ଷଣ, କିଛି ମୁହୂର୍ତ୍ତ, କିଛି ଦିନ, କିଛି ମାସ, କିଛି ବର୍ଷ। ତେବେ ମୁହୂର୍ତ୍ତକୁ ମୁକାବିଲା କରିପାରିଲେ, ପରକ୍ଷଣରେ ଆମକୁ ପଶ୍ଚାତ୍ତାପ,ମନସ୍ତାପ, ଅନୁଶୋଚନା,ଅବସୋସ କି ଅସାମର୍ଥ୍ୟକୁ ନେଇ ଧନ୍ଦିହେବାକୁ ଆଦୌ ପଡିବ ନାହିଁ। ଆଉ ମୁହୂର୍ତ୍ତକୁ ମୁକାବିଲା କରି ନ ପାରିଲେ ଅର୍ଥାତ୍‌ ସୃଷ୍ଟ ସମସ୍ୟା ବା ପରିସ୍ଥିତି ପ୍ରତି ଉଦାସୀନ, ବୀତସ୍ପୃହ, ଅନିୟମିତ, ଅଳସୁଆ, ଅକର୍ମା ରହିଲେ, ସମସ୍ୟା କାୟା ବିସ୍ତାର କରିବ,ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଥୟ!
ବେଳେବେଳେ ଅବଶ୍ୟ ପରିସ୍ଥିତି ଭିନ୍ନ ମୋଡ଼ ଧରେ! ସକଳ ସୂତ୍ର, ନିୟମ, ପ୍ରଣାଳୀ, ପ୍ରୟୋଗ, ପଦ୍ଧତି, ପ୍ରୟାସ ଫସର ଫାଟେ! ଯାହାହେବାକୁ ଥିବ,ତାହା ଅବଶ୍ୟ ହୋଇବ!
କୌଣସି ଉପାୟରେ ମିଳିବନାହିଁ ସମସ୍ୟା ସମାଧାନର ସୂତ୍ର। ଗୋଟିଏ ସମସ୍ୟା ସହ ଯୋଡି ହୋଇଯାଉଥିବ,ଗୋଟିକ ପରେ ଗୋଟିଏ କ୍ରମରେ ଆଉ କିଛି ସମସ୍ୟା! ଲାଗୁଥିବ,ସମସ୍ୟାର ଚକ୍ରବୂ୍ୟହ ଭେଦି ବାହାରକୁ ଆସିବା ଅସମ୍ଭବ ବ୍ୟାପାର!
ଏମିତି ଦେଖିବାକୁ ଗଲେ, ସମସ୍ୟା, ସଙ୍କଟ ଆମ ଜୀବନଚର୍ଯ୍ୟା ସହିତ ଓତପ୍ରୋତ ଭାବେ ଜଡିତ। ସମସ୍ୟା ତ ପ୍ରତିବନ୍ଧକ! ପ୍ରତିବନ୍ଧକ ପାରିହୋଇ ଆଗକୁ ବଢିପାରିଲେ ଦକ୍ଷତା, କ୍ଷମତା, ପାରଦର୍ଶିତା,ସଫଳତାର ଅଧିକାରୀ ହୋଇପାରିବା! ସମସ୍ୟାର କୋପ, ପ୍ରକୋପ, ଥାଟ, କୁହାଟରେ ଡରିଗଲେ ତ କଥା ସରିଗଲା! ସମସ୍ୟାର ତ୍ରାସ ଓ ଧାସରେ ଦୃଷ୍ଟିଶକ୍ତି କ୍ଷୀଣ ହୋଇଯାଇପାରେ, ତା’ର ପ୍ରଭାବରେ ଚଉଦିଗ ଜାଲଜାଲିଆ କି ଅନ୍ଧାର ଦେଖାଯାଇପାରେ!
ଅନ୍ଧାର ଭିତରେ ସମାଧାନର ରାସ୍ତା ନିରୂପଣ କରିବା ଦୁରୂହ ହୋଇପାରେ! ତା’ସତ୍ତ୍ୱେ ବି ଉଦ୍ୟମରୁ ବିରତ କିମ୍ବା ବିଚ୍ୟୁତ ହେବା ଅନୁଚିତ। ସୁଯୋଗ, ସଂଯୋଗର ମିଳିତ ଆନୁକୂଲ୍ୟରେ କେଉଁଠି ନା କେଉଁଠି ସମାଧାନର ବାଟ ଫିଟିଯିବ, ଗାଣିତିକ ସୂତ୍ର; ‘ସମସ୍ୟା ଅଛି ତ ତା’ର ସମାଧାନ ନିଶ୍ଚିତ ଅଛି’ ନ୍ୟାୟରେ। ସବୁଠୁ ବଡ଼ କଥା ହେଲା, ଆମକୁ ପ୍ରତ୍ୟେକ କ୍ଷେତ୍ରରେ ହାତେ ମାପି ଚା’ଖଣ୍ଡେ ଚାଲିବା ଦରକାର। ଆଗତ ଭବିଷ୍ୟତ କଥା ବା ଘଟଣା ଆମ ଅକ୍ତିଆର କି ଆୟତ୍ତ ବାହାରେ। ବିତିଯାଇଥିବା ଅତୀତ ବି ନାହିଁ ଆମ ହାତ ପାଆନ୍ତାରେ, କୁଆଡ଼େ ନା କୁଆଡ଼େ ଉଡ଼ିଯାଇଛି ଦୂରେ, ବହୁଦୂରେ! ତେଣୁ ବର୍ତ୍ତମାନକୁ ନେଇ ଯେତେସବୁ ବ୍ୟବସ୍ଥା! ସାମ୍ନାକୁ ଆସୁଥିବା ସମସ୍ୟାକୁ ତତ୍କାଳେ ସମାଧାନ କରିବାର ଦକ୍ଷତା ଆମ ଭିତରେ ମହଜୁଦ ଥିବା ନିହାତି ଦରକାର। ସେଥିପାଇଁ ବନ୍ଧୁଗଣ, ମୋର କହିବାର କଥା, ଆଜ୍ଞା,ଯେତେବେଳେ ଯେଉଁ କଥା!

ରାଧାଶ୍ୟାମ ରାଉଳ
ମର୍କତନଗର, କଟକ
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?