ଖବର କ’ଣ

ଅଞ୍ଜନ ଚାନ୍ଦ

 

ଆଉ ଖବର କ’ଣ? – ଏହା ଏକ ସାଧାରଣ ଏବଂ ବୋଧହୁଏ ପୃଥିବୀରେ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ। ଉତ୍ତରରେ ପ୍ରାୟ ସମସ୍ତେ ଭଲ ବୋଲି କହିଥାନ୍ତି। ସେମାନେ ଜାଣନ୍ତି, ଖରାପ କହିଲେ ମଧ୍ୟ ଆଗରେ ଥିବା ଲୋକର ଶୁଣିବାକୁ ସମୟ ନ ଥାଏ। ଯଦି ବି ଶୁଣନ୍ତି ଆନ୍ତରିକ ସମବେଦନା ବହୁତ କମ୍‌ ମିଳେ। ତେଣୁ ଏହି ପ୍ରଶ୍ନ ଓ ତା’ର ଉତ୍ତର ଏବେ କେବଳ ନିରର୍ଥକ ଔପଚାରିକତାରେ ପରିଣତ ହୋଇଛି। ଅଥଚ ମହାଭାରତ ଯୁଗରେ ଏମିତି ଏକ ପ୍ରଶ୍ନର ଯେଉଁ ଉତ୍ତର ମିଳିଥିଲା ତାହା କାଳକାଳକୁ ପ୍ରାସଙ୍ଗିକ ହୋଇ ରହିଛି।
ମହାଭାରତର ବନପର୍ବରେ ରହିଛି ଯକ୍ଷ ଯୁଧିଷ୍ଠିର ଖବର। ବନବାସରେ ଅଛନ୍ତି ପାଣ୍ଡବ ଭାଇମାନେ। ତୃଷା ନିବାରଣ ପାଇଁ ଜଣେ ପରେ ଜଣେ ପୁଷ୍କରିଣୀକୁ ଯାଇଛନ୍ତି। ସେଠାରେ ଥିବା ଯକ୍ଷଙ୍କୁ ଅବମାନନା କରି ମୃତପ୍ରାୟ ପଡ଼ି ରହିଛନ୍ତି। ଶେଷରେ ଯାଇଛନ୍ତି ଯୁଧିଷ୍ଠିର। ଯକ୍ଷ ତାଙ୍କୁ ପଚାରିଛନ୍ତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ। ଯୁଧିଷ୍ଠିର ସମୁଚିତ ଉତ୍ତର ଦେଉଛନ୍ତି। ଏବେ ଶେଷ ପ୍ରଶ୍ନ। ଏହାର ଠିକ୍‌ ଉତ୍ତର କହିପାରିଲେ ସାନଭାଇମାନେ ଜୀବନ୍ୟାସ ପାଇବେ। ଏବଂ ଯକ୍ଷ ଅତି ଛୋଟ ପ୍ରଶ୍ନଟିଏ ପଚାରିଛନ୍ତି – କା ବାର୍ତ୍ତା? ଖବର କ’ଣ? ଏହାର ଉତ୍ତରରେ ଯୁଧିଷ୍ଠିର ଯାହା କହିଛନ୍ତି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।
ଖବର ହେଉଛି, ଏଠାରେ ରୋଷେଇ ଚାଲିଛି। ଏହି ଖବର ସମ୍ପୂର୍ଣ୍ଣ ମର୍ତ୍ତ୍ୟଲୋକର, ଯେଉଁଠି ଅହରହ ରନ୍ଧନ କାର୍ଯ୍ୟ ଚାଲିଛି। ଯୁଧିଷ୍ଠିରଙ୍କ ମୁଖରେ ବ୍ୟାସଦେବ ଏହାର ବିଶଦ୍‌ ବର୍ଣ୍ଣନା କରିଛନ୍ତି। ରୋଷେଇରେ ଲୋଡ଼ାହୁଏ ହାଣ୍ଡି, ଢାଙ୍କୁଣି, ନିଆଁ, ଜାଳ, ଚଟୁ, ରାନ୍ଧିବା ଜିନିଷ ଓ ରାନ୍ଧିବା ଲୋକ। ମର୍ତ୍ତ୍ୟପୁରର ଏହି ସାମଗ୍ରିକ ରନ୍ଧନ କାର୍ଯ୍ୟରେ ପୃଥିବୀ ହାଣ୍ଡି, ଆକାଶ ଢାଙ୍କୁଣି, ସୂର୍ଯ୍ୟ ଅଗ୍ନି, ଦିନ ଓ ରାତି ଜାଳେଣି। ମାସ ଓ ଋତୁ ରୂପକ ଚଟୁରେ ତଳ ଉପର କରି କାଳ ପ୍ରାଣୀମାନଙ୍କୁ ରାନ୍ଧି ଚାଲିଛି।
ଏହା ଏକ ଦର୍ଶନ। ଆମେ ସମସ୍ତେ ଜାଣିଛୁ। ବାରମ୍ବାର ଶୁଣିଛୁ ଓ କହିଛୁ। ସମୟ ସବୁଠାରୁ ବଳବାନ। କାଳର ଫାଶରେ ଆମେ ସଭିଏ ବନ୍ଧା। ଯାହାକୁ ଯେମିତି ଚାହିଁବ ସେ କଲବଲ କରିପାରିବ। ଅଥଚ କେତେଜଣ ଏହାକୁ ହୃଦୟଙ୍ଗମ କରିଛୁ? ଶ୍ମଶାନ ବୈରାଗ୍ୟ ପରି ବିପତ୍ତି ବେଳରେ ହୁଏତ କିଛି ସମୟ ଏହା ଆମକୁ ଆବୋରି ବସିଛି। ବିପଦ ଟଳିଗଲେ ପୁଣି ଆମେ ପୂର୍ବ ପରି ମୂର୍ଖ ମଣିଷରେ ପରିଣତ ହୋଇଛୁ।
କରୋନା ଯେବେ ଦେଶକୁ ପଶିଆସିଲା ଏବଂ ଲୋକଙ୍କ ଅଜ୍ଞତା ଓ ବେଖାତିର ଭାବରୁ ବଣର ନିଆଁ ପରି ଚାରିଆଡ଼କୁ ମାଡ଼ି ଚାଲିଲା ସେତେବେଳେ ତାହାକୁ ରୋକିବା ପାଇଁ ଏକମାତ୍ର ଉପାୟ ଭାବରେ ଜନତାଙ୍କୁ ପରସ୍ପରଠାରୁ ଦୂରେଇ ରଖିବାକୁ ସରକାର ଉଦ୍ୟମ କଲେ। ଏହା ସହିତ ଆଉ କିଛି କାର୍ଯ୍ୟପାଇଁ ଅନୁରୋଧ କରାଗଲା, ଯାହା ହୁଏତ ବୈଜ୍ଞାନିକ ନୁହେଁ କିନ୍ତୁ ଭାବାତ୍ମକ ପରିବର୍ତ୍ତନ ପାଇଁ ଅତି ଆବଶ୍ୟକ।
କେଜାଣି କେଉଁ ଦିନରୁ ସହରର ଲୋକମାନେ ଦେଖି ନ ଥିଲେ ପଡ଼ୋଶୀଙ୍କ ମୁହଁ। କାନ୍ଥ ସେପଟ ଭଡ଼ାଘରେ କିଏ ରହୁଛି, କ’ଣ କରୁଛି, ଏପଟ ଲୋକ ଜାଣୁ ନ ଥିଲେ। ସୁଖ ଦୁଃଖରେ ସହଭାଗିତା ନ ଥିଲା। ନିଜ ଚିନ୍ତାରେ ବ୍ୟସ୍ତ ମଣିଷ ଅନ୍ୟ ପ୍ରତି ଅନ୍ୟାୟ ଅତ୍ୟାଚାରରେ ଆଖି ବୁଜି ଦେଉଥିଲା। ଏପରି ସମୟରେ ଏକାଠି ଏକ ସମୟରେ ଆଧ୍ୟାତ୍ମିକ ଆଚରଣ ସହିତ ସେବା କାର୍ଯ୍ୟରେ ନିୟୋଜିତ ଲୋକଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଆମ ହୃଦୟକୁ ବିକଶିତ କରିଥିଲା। ଭାବନାରେ ଶୁଦ୍ଧତା ସହିତ ମନରେ ଈଶ୍ୱର ବିଶ୍ୱାସ ସୃଷ୍ଟି କରିଥିଲା। ସବୁଠାରୁ ବଡ଼କଥା ଆମେ ଜାଣିପାରିଲୁ ଦିନକୁଦିନ ବିପର୍ଯ୍ୟସ୍ତ ହୋଇପଡୁଥିବା ପ୍ରକୃତି ପାଇଁ ଆମେ ହିଁ ଦାୟୀ। ଆମର କେତୋଟି ଦିନର ନିଷ୍କ୍ରିୟତା ପରିବେଶକୁ ପରିମଳ କରିଦେଲା। ବଢ଼ିଗଲା ପୃଥିବୀର କେତେବର୍ଷର ଆୟୁଷ। ସେତେବେଳେ ଏ ବିଷୟରେ ସବୁଠି ଚର୍ଚ୍ଚା ହେଲା। ଲୋକମାନେ ନିଜକୁ ଘରଭିତରେ ଆବଦ୍ଧ ରଖି ଭାବନାକୁ ମୁକ୍ତ ଆକାଶର ବିହଙ୍ଗ କରିଦେଲେ। ମନେହେଲା ଏକ ବିପୁଳ ପରିବର୍ତ୍ତନ ଆସୁଛି। ହୁଏତ କଳିଯୁଗର ଅବସାନ ଘଟୁଛି।
କିନ୍ତୁ ହାୟ, କିଛି ବି ହେଲାନାହିଁ ସେପରି। ଆଜି ବି କରୋନା ତା’ ବାଟରେ ରହିଛି l ସଂକ୍ରମଣ କମିଛି ସତ, କିନ୍ତୁ ମୃତ୍ୟୁ ହାର ବଢ଼ିଚାଲିଛି। ୟୁରୋପରେ ଏହା ନୂଆରୂପରେ ପୂର୍ବଠାରୁ ଦ୍ରୁତ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି। ସତର୍କତା ଅଭାବରୁ ଅତିଶୀଘ୍ର ଅନ୍ୟ ମହାଦେଶକୁ ମଧ୍ୟ ଏହା ବ୍ୟାପିବାର ସମ୍ଭାବନା ରହିଛି। ଅଥଚ ଦେଖ ଲୋକଙ୍କ ମାନସିକତା ବଦଳି ଯାଇ ପୁଣି ତାମସିକତା କାୟା ବିସ୍ତାର କରୁଛି। ପାର୍ଟି, ଫଙ୍କ୍‌ସନ, ମଉଜ ମଜଲିସ, ସାମାଜିକ ଦୂରତାକୁ ଫୁ। ବୁଝିହେଉନି ମାସ୍କ ପିନ୍ଧିଲେ କ’ଣ ଲାଭ ହୁଏ ! କେତେ ପୁଣି ସହଜଲଭ୍ୟ ଦର୍ଶନ। ଯେବେ ତ ହେଉ ମରିବା, ସେଥିପାଇଁ ଭୋଗବିଳାସ ଛାଡ଼ିଦେବା କାହିଁକି ଅଥବା ତାକୁ ସିନା କରୋନା ହେଲା ସେ ମରିଗଲା, ମୁଁ ମରିବି କାହିଁକି… ଏଭଳି ଅଦ୍ଭୁତ ଭାବନାରେ ମଣିଷ କବଳିତ ହୋଇଯାଇଛି l
ଏ ପ୍ରସଙ୍ଗରେ ଆଉ ଗୋଟେ କଥା ମନେପଡ଼େ: ସେଇ ମହାଭାରତରେ ଯକ୍ଷ ଯୁଧିଷ୍ଠିର ସମ୍ବାଦରେ ଅଛି, ଯକ୍ଷ ଯୁଧିଷ୍ଠିରଙ୍କୁ ପଚାରୁଛନ୍ତି, କିମ୍‌ ଆଶ୍ଚର୍ଯ୍ୟମ୍‌ ?
ସଂସାରରେ ଆଶ୍ଚର୍ଯ୍ୟ କ’ଣ ? ଯୁଧିଷ୍ଠିର କହୁଛନ୍ତି, ଏଠାରେ ପ୍ରତ୍ୟେକଦିନ ପ୍ରାଣୀମାନେ ଯମପୁରକୁ ଯାଉଛନ୍ତି। ଏହା ଦେଖି ମଧ୍ୟ ଅବଶିଷ୍ଟମାନେ ଚିରଦିନ ବଞ୍ଚିରହିବାକୁ ଇଚ୍ଛା କରୁଛନ୍ତି।
ଏହାଠାରୁ ଆଶ୍ଚର୍ଯ୍ୟକଥା ଆଉ କ’ଣ ଅଛି?
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ. ୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri