ତମାଖୁମୁକ୍ତ କଲେଜ କ୍ୟାମ୍ପସ୍‌

ଡ. ମନୋରଞ୍ଜନ ପ୍ରଧାନ

 

 

ଗୋଟିଏ ଦେଶର ଭାଗ୍ୟ ଓ ଭବିଷ୍ୟତ ତା’ର ଯୁବସମାଜ ଉପରେ ବିଶେଷଭାବେ ନିର୍ଭରଶୀଳ। ତେଣୁ ଯୁବଶକ୍ତିକୁ ରାଷ୍ଟ୍ରଶକ୍ତି ବୋଲି କୁହାଯାଏ। ଭାରତ ବିଶ୍ୱର ଏକ ଯୁବରାଷ୍ଟ୍ର, ଯାହାର ପ୍ରାୟ ପଞ୍ଚଷଠି ପ୍ରତିଶତ ଜନସଂଖ୍ୟା ଯୁବକ ଓ ଯୁବତୀ। ସେମାନଙ୍କ ଆଚରଣ, ବୁଦ୍ଧି, ବିଚାର, ଦକ୍ଷତା, ସାମାଜିକ ମୂଲ୍ୟବୋଧ, ଦାୟିତ୍ୱବୋଧ, ରାଷ୍ଟ୍ରବୋଧ, କର୍ତ୍ତବ୍ୟନିଷ୍ଠା, ଇଚ୍ଛାଶକ୍ତି ହିଁ ଏ ଦେଶକୁ ସବୁ କ୍ଷେତ୍ରରେ ସମୃଦ୍ଧ କରିପାରିବ। ତେଣୁ ଯୁବସମାଜ ଉପରେ ଦୃଢ ବିଶ୍ୱାସ ପ୍ରକଟ ପୂର୍ବକ ସ୍ବାମୀ ବିବେକାନନ୍ଦ କହନ୍ତି- ‘ମନୁଷ୍ୟ ଦରକାର। ମନୁଷ୍ୟ ଦରକାର; ଆଉ ସବୁ ହୋଇଯିବ। ବୀର୍ଯ୍ୟବାନ୍‌, ସମ୍ପୂର୍ଣ୍ଣ ଅକପଟ, ତେଜସ୍ବୀ, ବିଶ୍ୱାସୀ, ଯୁବଗଣ ଆବଶ୍ୟକ। ଏହିପରି ଶହେ ଯୁବକ ହେଲେ, ସମଗ୍ର ଜଗତକୁ ପରିବର୍ତ୍ତନ କରାଯାଇପାରେ।’ ଅର୍ଥାତ୍‌ ସ୍ବାଭିମାନୀ ଓ ଚରିତ୍ରବାନ ଯୁବକ ସମାଜ ହିଁ କେବଳ ରାଷ୍ଟ୍ରନିର୍ମାଣ କାହିଁକି ସାରା ବିଶ୍ୱ ନିର୍ମାଣର ବିଶ୍ୱକର୍ମା ହୋଇ ଶାନ୍ତି, ମୈତ୍ରୀ, ସଂହତି ଓ ସମୃଦ୍ଧି ସ୍ଥାପନ କରିପାରିବେ। କିନ୍ତୁ ପରିତାପର ବିଷୟ ଆମ ଦେଶର ଯୁବଗୋଷ୍ଠୀ ଆଜି ନିଶା କବଳରେ କବଳିତ। ଏହା ସତ୍ୟ ଯେ ନିଶାପାନ ବା ନିଶାସେବନ ବିଷପାନଠାରୁ ଆହୁରି ଭୟଙ୍କର। ନିଶା ପାଗଳ ଯୁବକ ନିଜ ଭାଗ୍ୟ ଓ ଭବିଷ୍ୟତ ନିର୍ମାଣ ପରିବର୍ତ୍ତେ ଅପରାଧୀ ହୋଇ ସମାଜରେ କଳଙ୍କର ବୋଝ ନେଇ ନିଜ ବ୍ୟକ୍ତିଗତ, ପାରିବାରିକ ସର୍ବୋପରି ରାଷ୍ଟ୍ରର ଆଶା ଓ ସ୍ବପ୍ନକୁ ଧୂଳିସାତ କରୁଛି। ଯୁବସମାଜ ଭାରତ ଭଳି ପ୍ରଗତିଶୀଳ ରାଷ୍ଟ୍ରର ମେରୁଦଣ୍ଡ ହୋଇଥିବାବେଳେ ଆମ ଯୁବ ମାନବସମ୍ବଳର ଏକ ବୃହତ୍‌ ଅଂଶ ନିଶାଖାଇ ବିପଥଗାମୀ ଓ ବିପଦଗାମୀ ହେବା ଚିନ୍ତାର କାରଣ।
ତମାଖୁ ଅଭ୍ୟାସ ସମ୍ବନ୍ଧରେ ଥରେ ଜାତିରଜନକ ମହାତ୍ମା ଗାନ୍ଧୀ କହିଥିଲେ, ‘ମୁଁ ଏ ନିଶାକୁ ଜଙ୍ଗଲି, କ୍ଷତିକାରକ ଓ କୁତ୍ସିତ ବୋଲି ମନେକରେ। ଏ ଜିନିଷ ବ୍ୟବହାର କରିବାରେ ସଂସାର ଏତେ ସଉକି କରୁଛି କାହିଁକି ତାହା ବୁଝିପାରେ ନାହିଁ। ଯେଉଁ ରେଳଡବାରେ ବହୁ ଲୋକ ବିଡି ଟାଣନ୍ତି, ସେଠାରେ ବସିବା ମୋ ପକ୍ଷେ ଅସହ୍ୟ ହୋଇଥାଏ।’ ଅବଶ୍ୟ ସରକାରୀ କଟକଣା ଯୋଗୁ ରେଳଡବା ଭଳି ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଦଣ୍ଡନୀୟ ଅପରାଧ ହୋଇଥିବାରୁ ପୂର୍ବଭଳି ସେଭଳି ଦୁରବସ୍ଥା ଆଜି ଅନ୍ତତଃ ନାହିଁ। କିନ୍ତୁ ନିଶା ତଥା ମାଦକଦ୍ରବ୍ୟ ସେବନ ଦେଶରେ ବୃଦ୍ଧିହେବାରେ ଲାଗିଛି। ନିଶାପାନ ପଲ୍ଲୀଠାରୁ ଦିଲ୍ଲୀ, ଗରିବଠାରୁ ମହାଧନୀ, ଅପାଠୁଆଠାରୁ ମହାଜ୍ଞାନୀ ଯାଏ ପରିବ୍ୟାପ୍ତ। ତଫାତ୍‌ କେବଳ ଦାମ୍‌ ଆଉ ବ୍ରାଣ୍ଡ୍‌। କାହାକୁ କହିବା ଛୁଞ୍ଚି ଚାଲୁଣି ସମଦଶା।
ଏନଡିଡିଟିସି ତଥ୍ୟାନୁସାରେ ଭାରତରେ ପ୍ରାୟ ୨.୬ କୋଟି ଲୋକ ହେରୋଇନ, ମରଫିନ୍‌ ଭଳି ନିଶାଦ୍ରବ୍ୟ ସେବନ କରୁଛନ୍ତି। ଦେଶର ପ୍ରାୟ ୭୫ ପ୍ରତିଶତ ପରିବାରର ଅନ୍ତତଃ ଜଣେ ସଦସ୍ୟ ଡ୍ରଗ୍ସ ବା କୌଣସି ମାଦକ ଦ୍ରବ୍ୟ ବ୍ୟବହାର କରେ। ସବୁଠାରୁ ସାଂଘାତିକ କଥା ହେଉଛି ଦେଶରେ ବାର୍ଷିକ ଷାଠିଏ ହଜାର ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବାବେଳେ ନିଶାସେବନ ହେତୁ ପ୍ରାୟ ଦଶ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତି। ଅର୍ଥାତ୍‌ ଦୁର୍ଘଟଣାଜନିତ ମୃତ୍ୟୁଠାରୁ ନିଶାଜନିତ ମୃତ୍ୟୁ ବହୁ ଅଧିକ। ସେହିଭଳି ଗ୍ଲୋବାଲ ୟୁଥ ସର୍ଭେ ଆଣ୍ଡ୍‌ ଗ୍ଲୋବାଲ ଆଡଲ୍ଟ ଟବାକୋ ସର୍ଭେ ୨୦୧୬-୧୭ ଅନୁସାରେ ଯୁବାଗୋଷ୍ଠୀଙ୍କ ମଧ୍ୟରେ ତମାଖୁ ଭଳି ନିଶାଦ୍ରବ୍ୟ ସେବନ ଅତି ପ୍ରବଳ । ସର୍ଭେ ଅନୁସାରେ ଦେଶରେ ପ୍ରାୟ ୨୬.୭ କୋଟି ଲୋକ ତମାଖୁ ବ୍ୟବହାର କରନ୍ତି। ବିଶେଷକରି ୨୮.୬% ଯୁବତୀ ଯୁବକ (ସେଥିରୁ ୪୨.୪% ପୁରୁଷ ଓ ୧୪.୨% ମହିଳା) ତମାଖୁ ବ୍ୟବହାର କରନ୍ତି। ସେହିଭଳି ଜିଏଟିଏସ ତଥ୍ୟ କହେ ୨୧.୪% ଯୁବତୀଯୁବକ (ତନ୍ମଧ୍ୟରୁ ୨୯.୬% ପୁରୁଷ ଓ ୧୨.୮% ମହିଳା)ଧୂଆଁ ବିହୀନ ଟବାକୋ ବ୍ୟବହାର କରୁଥିବାବେଳେ ୧୦.୭% ଧୂମଯୁକ୍ତ ଟବାକୋ (ସେଥିରୁ ୯୯.୫% ପୁରୁଷ ଓ ବାକି ମହିଳା)ବ୍ୟବହାର କରନ୍ତି।
ଦୁଃଖର କଥା ନିଶା ସେବନ ଆଜି କେବଳ ଘର ଭିତରେ ସୀମିତି ହୋଇ ରହିନାହିଁ। ନିଶା ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷା ଓ ସଂସ୍କାର କେନ୍ଦ୍ରରେ ମଧ୍ୟ ନିଜର ଆସ୍ଥାନ ଜମେଇଲାଣି। ତେଣୁ ପଢୁଆ ଯୁବଗୋଷ୍ଠୀଙ୍କୁ ନିଶା ଓ ନିଶା କବଳରୁ ଦୂରେଇ ରଖିବା ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମହାବିଦ୍ୟାଳୟ ସ୍ତରରୁ ସଚେତନତା ଆରମ୍ଭ କରିବାକୁ ଅଣ୍ଟାଭିଡିଛନ୍ତି; ଯାହା କି ଅତ୍ୟନ୍ତ ଯୁଗାନ୍ତକାରୀ ପଦକ୍ଷେପ। ରାଷ୍ଟ୍ରୀୟ ସେବା ଯୋଜନା (ଏନଏସଏସ) ଏବଂ ୟୁଥ ରେଡକ୍ରସ ଭଳି ସେବା ଓ ସଂସ୍କାରଧର୍ମୀ ଶାଖା ମାଧ୍ୟମରେ କଲେଜରୁ ନିଶାମୁକ୍ତ ଓଡ଼ିଶା ଗଠନ କରିବାର ସଂକଳ୍ପ ନିଶ୍ଚିତଭାବେ ଏକ ସୁସ୍ଥ ରାଜ୍ୟ ଗଠନରେ ବିଶେଷ ସହାୟକ ହେବ। ଶିକ୍ଷାନୁଷ୍ଠାନକୁ ତମାଖୁମୁକ୍ତ କରିବା ପାଇଁ ଥିବା ତମାଖୁ ନିରୋଧକ ଆଇନ ୨୦୦୩କୁ କଡାକଡି ଭାବେ ପାଳନ ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା କଲେଜ ପଢୁଆ ଯୁବତୀଯୁବକ କେବଳ ନିଶାଦ୍ରବ୍ୟଠାରୁ ଦୂରେଇ ରହିବେ ତାହା ନୁହେଁ, ସେମାନଙ୍କ ପ୍ରେରଣା ଓ ପରାମର୍ଶରେ ନିଜ ପରିବାର ତଥା ସମାଜର ସଦସ୍ୟମାନେ ନିଶା କବଳରୁ ମୁକ୍ତିପାଇପାରିବେ। ନିଶ୍ଚିତ ବିନାଶରୁ ନିଜ ଜୀବନକୁ ବଞ୍ଚେଇବା ସହ ପରିବାରର ସାମାଜିକ, ଆର୍ଥିକ ଓ ସ୍ବାସ୍ଥ୍ୟଗତ ସମସ୍ୟାର ସହଜ ସମାଧାନ କରିପାରିବେ।
ଯୁବଶକ୍ତି ରାଷ୍ଟ୍ରଶକ୍ତି ହୋଇଥିବାରୁ ରାଜ୍ୟର ଉଚ୍ଚଶିକ୍ଷିତ କଲେଜ ପଢୁଆ ଯୁବତୀଯୁବକ ଯଦି ବହୁସଂଖ୍ୟାରେ ଏହି ସାମାଜିକ ଆନ୍ଦୋଳନରେ ଯୋଗଦେବେ, ତେବେ କେବଳ ଶିକ୍ଷାନୁଷ୍ଠାନ ନୁହେଁ ସମ୍ପୂର୍ଣ୍ଣ ରାଜ୍ୟ ତମାଖୁମୁକ୍ତ ହେବାପାଇଁ ବେଶି ସମୟ ଲାଗିବନାହିଁ। ଏଥିପାଇଁ କେତେଗୁଡିଏ ପଦକ୍ଷେପ ନିଆଯିବା ଉଚିତ। ପ୍ରଥମତଃ, ରାଷ୍ଟ୍ରୀୟ ସେବା ଯୋଜନା, ୟୁଥ ରେଡକ୍ରସ, ଏନସିସି ଭଳି ଶାଖାଗୁଡିକର ସମର୍ପିତ ସ୍ବେଚ୍ଛାସେବୀ ମାନଙ୍କଦ୍ୱାରା ନିରନ୍ତର ସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯିବା ଉଚିତ। ସାଧାରଣତଃ କୁସଂଗରେ ପଡି କିଶୋରୀକିଶୋରମାନେ ନିଶାଦ୍ରବ୍ୟ ସେବନ ଭଳି ଭୟଙ୍କର କୁଅଭ୍ୟାସର ବଶବର୍ତ୍ତୀ ହୋଇଯାଆନ୍ତି। ପରବର୍ତ୍ତୀ ସମୟରେ ଏଥିରୁ ମୁକୁଳି ନ ପାରି ବିଭିନ୍ନ ଅସାମାଜିକ କାର୍ଯ୍ୟ କରିବାକୁ ବାଧ୍ୟ ହୁଅନ୍ତି। ବେଳେବେଳେ ସେମାନେ ଅନ୍ୟଦ୍ୱାରା ଏଭଳି ପ୍ରଶିକ୍ଷିତ ଓ ପ୍ରରୋଚିତ ହୋଇଥାନ୍ତି କି ଏସବୁ ଖାଇଲେ ଫୁର୍ତ୍ତି ଲାଗିବା, ପଢିବାକୁ ଭଲ ଲାଗିବା, ମନ ଭଲ ରହିବ ଇତ୍ୟାଦି ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ସୃଷ୍ଟି ହୋଇଥାଏ। ବେଳେବେଳେ ଏଗୁଡ଼ିକୁ ଫେଶନ ଓ ଆଜିକାଲି ଜମାନାର ଷ୍ଟାଇଲ ବୋଲି ଭାବିଥାନ୍ତି; ଫଳରେ ସେମାନେ ଧୀରେ ଧୀରେ ଏହି ହାନିକାରକ ଓ ଲାଭବର୍ଜିତ ବ୍ୟସନ କବଳରେ କବଳିତ ହୋଇ ନିଜର ତଥା ସମାଜର ଅପୂରଣୀୟ କ୍ଷତି କରିଥାନ୍ତି। ତେଣୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସଚେତନତା ଶିବିର, ଆଲୋଚନା ଚକ୍ର, ସ୍ବାସ୍ଥ୍ୟମେଳା, ବିଶିଷ୍ଟ ବ୍ୟକ୍ତି ଓ ଡକ୍ଟରମାନଙ୍କୁ ଡକାଇ ଉଦ୍‌ବୋଧନ, ପରାମର୍ଶ ଇତ୍ୟାଦି ନିୟମିତ ବ୍ୟବଧାନରେ ଅନୁଷ୍ଠିତ କରାଇବା ଉଚିତ। ଦ୍ୱିତୀୟତଃ, ଶିକ୍ଷାନୁଷ୍ଠାନରେ ତମାଖୁ ପ୍ରବେଶ କୌଣସି ପ୍ରକାରେ ରୋକିବା ଆବଶ୍ୟକ। ଏଥିପାଇଁ କଡା ନିୟମ ଓ କଟକଣା ଜରୁରୀ। ମୁଖ୍ୟତଃ କଲେଜର କୌଣସି ଶିକ୍ଷାଦାତା ଓ କର୍ମଚାରୀ ଯେପରି ଏଭଳି ମାଦକ ଦ୍ରବ୍ୟ ନ ଖାଆନ୍ତି, ତାହା ସୁନିଶ୍ଚିତ କରିବାକୁ ହେବ। ଆବଶ୍ୟକ ହେଲେ ଚାକିରି ହରେଇବାର ବ୍ୟବସ୍ଥା ହେବା ଉଚିତ। ସେଥିପାଇଁ ଆନ୍ତଃକଲେଜ ତଦାରଖ ବା ପରିଦର୍ଶନ କମିଟି ଗଠନକରି ଅତର୍କିତ ତଦାରଖ ହେବା ଉଚିତ। ଅପରପକ୍ଷେ, କଲେଜଠାରୁ ଅନତି ଦୂର ଯାଏ କୌଣସି ନିଶାଦ୍ରବ୍ୟ ଯେପରି ବିକ୍ରି ହେବନାହିଁ ତାହା ମଧ୍ୟ ସୁନିଶ୍ଚିତ କରେଇବା ଉଚିତ। ତୃତୀୟତଃ, ଯଦି କୌଣସି ଛାତ୍ରୀଛାତ୍ର ନିଶା କବଳରେ କବଳିତ, ସେମାନଙ୍କୁ ବ୍ୟକ୍ତିଗତ ପରାମର୍ଶ ଓ ଉପଦେଶ ଜରିଆରେ ନିଶାମୁକ୍ତ କରେଇବାର ସୁଚିନ୍ତିତ ବ୍ୟବସ୍ଥା ହେବା ଜରୁରୀ। ଚତୁର୍ଥତଃ, ନିଶାପାନ କରି ସମାଜରେ ଯେଉଁ ବ୍ୟକ୍ତିମାନେ କ୍ୟାନ୍ସର, ଟିବି ଭଳି ଦୁରାରୋଗରେ ପଡି ଅନୁତାପ କରୁଛନ୍ତି, ସେଭଳି ଲୋକଙ୍କୁ କଲେଜକୁ ଡାକି ସେମାନଙ୍କର ଶାରୀରିକ, ଆର୍ଥିକ ଓ ସାମାଜିକ ଦୁର୍ଦ୍ଦଶା ସମ୍ବନ୍ଧରେ ପିଲାଙ୍କୁ ଅବଗତ କରାଯିବା ଉଚିତ। ଅପରପକ୍ଷେ, ଯେଉଁ ଲୋକମାନେ ଏଭଳି ନିଶା କବଳରୁ ମୁକୁଳି ଆଜି ସୁସ୍ଥ ଓ ସୁଖଦ ଜୀବନ ବିତଉଛନ୍ତି, ସେମାନଙ୍କୁ ମଧ୍ୟ ଡାକି ସେମାନଙ୍କ ଅନୁଭୂତି, ନିଶାସେବନର କୁପରିଣତି ଓ ଛାଡ଼ିବାର ଉପାୟ ସମ୍ବନ୍ଧରେ ପ୍ରତ୍ୟକ୍ଷ ଅନୁଭୂତି ପିଲାମାନେ ପାଇବା ଦରକାର। ପଞ୍ଚମତଃ, ସବୁ ସ୍ତରର ପାଠ୍ୟପୁସ୍ତକରେ ନିଶାଦ୍ରବ୍ୟ ସେବନର ଦୁଷ୍ପରିଣାମ ସମ୍ବନ୍ଧରେ ଏକ ଅଧ୍ୟାୟ ରଖାଯିବା ଉଚିତ। ଏଥିରେ ବିଭିନ୍ନ ଗବେଷଣାଗତ ତଥ୍ୟ,ଏକକ ଅଧ୍ୟୟନ ସଚିତ୍ର ଉପସ୍ଥାପନା ହେଲେ ପିଲାଙ୍କ ଭିତରେ ସଚେତନତା ସୃଷ୍ଟିହେବ।
ଶେଷରେ, ପ୍ରତି କଲେଜର କେତେଜଣ ଭଲ ସ୍ବେଚ୍ଛାସେବୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣର ବ୍ୟବସ୍ଥା ହେବା ଉଚିତ; ଫଳରେ ସେମାନେ ନିଜ ସାଙ୍ଗସାଥୀମାନଙ୍କୁ ବୁଝେଇ ଶୁଝେଇ ସୁବାଟକୁ ଆଣିପାରିବେ କାରଣ ପିଲାମାନେ ନିଜ ଗୁପ୍ତକଥା ତଥା କୂଅଭ୍ୟାସର ଇତିବୃତ୍ତ ନିଜ ସାଙ୍ଗସାଥୀକୁ ଯେଭଳି ନିଃସଙ୍କୋଚରେ କହିପାରିବେ, ସେମାନେ ଶିକ୍ଷକ, ଡକ୍ଟର ବା ଅନ୍ୟ କାହାକୁ କହିପାରିବେ ନାହିଁ। ତେଣୁ କଲେଜ ଛାତ୍ରୀଛାତ୍ରଙ୍କୁ ହିଁ ମୁଖ୍ୟ ଅଭିପ୍ରେରକଭାବେ ପ୍ରସ୍ତୁତ କରିବା ପାଇଁ ଯୋଜନା ହେବା ଉଚିତ। ତେବେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ ହେବାକୁ ଥିବା ଏଭଳି ସଂସ୍କାରଧର୍ମୀ ଯୋଜନା ଏକ ସାଧୁ ଉଦ୍ୟମ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ
ଜୟପୁର, କୋରାପୁଟ, ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri