କିସ କରିବା ଆଜ୍ଞା

ଦ୍ୱିତୀ ଚନ୍ଦ୍ର ସାହୁ

ଡଙ୍ଗରିଆଙ୍କ ଚିତ୍ରକଳା ସମ୍ପର୍କରେ ଜାଣିବାକୁ ଆଗ୍ରହ ହେତୁ ଯିବାକୁ ପଡ଼ିଲା ଡଙ୍ଗରିଆ ଅଞ୍ଚଳ। ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚତ୍ଲି ଡଙ୍ଗରିଆଙ୍କ ଅନ୍ୟତମ ପ୍ରମୁଖ ଗାଁ ଖମ୍ବେସିରେ। ଥାକ ଥାକ ହୋଇ ଦି’ ଧାଡ଼ିଆ ଟିଣ ଘରସବୁ। ରାସ୍ତା ସବୁ ଉଠାପକା। ମଝିରେ ପୂଜାଘର। ପାରମ୍ପରିକ ଚିତ୍ରରେ ଚିତ୍ରିତ ହୋଇ ଖୁବ୍‌ ଆକର୍ଷଣ ଲାଗୁଛି। ଗାଁର ଅନେକ ଯୁବକ ହାତରେ ମୋବାଇଲ ଯଦିଓ ନେଟ୍‌ଓ୍ବର୍କ ନାହିଁ। କାହା କାହା ଦାଣ୍ଡରେ ମୋଟର ବାଇକ ଥୁଆ ହୋଇଛି। ଗାଁକୁ ବିଦ୍ୟୁତ୍‌ ଯୋଗାଣ ହୋଇଛି। ତଥାପି ସାମାଜିକ ଜୀବନରେ ସେତେଟା ପରିବର୍ତ୍ତନ ସମ୍ଭବ ହୋଇପାରିନି। କିଛି ଘର ପାରମ୍ପରିକ ରଙ୍ଗଠାରୁ ଅଲଗା। ବିଭିନ୍ନ ରଙ୍ଗରେ ରଙ୍ଗେଇ ହୋଇ ବସନ୍ତ ଋତୁରେ ବଣୁଆ ଗଛର ହର ରଙ୍ଗୀ ପତ୍ର ଭଳି ଲାଗୁଛି। ବାକି ଘରଗୁଡ଼ିକର ଛାତ ଟିଣ ହେଲେ ବି ପାରମ୍ପରିକ ଆଭୂଷଣକୁ ଜାବୋଡି ଧରିଛି ଯେମିତି। ସିମେଣ୍ଟ କାନ୍ଥରେ କିଛି ଚିତ୍ରକଳା ଦିଶୁଛି। ସାଧାରଣତଃ ଡଙ୍ଗରିଆ ଗୋଷ୍ଠୀର ଲୋକେ ଧଳା, ନାଲି, ହଳଦିଆ, ଗେରୁଆ, ସବୁଜ ରଙ୍ଗକୁ ବ୍ୟବହାର କରୁଥିବାବେଳେ ଚିତ୍ରକଳାରେ ଅନେକ ତଫାତ ବାରି ହେଉଛି। ଆଧୁନିକତା ସମସ୍ତ ଘର ଭିତରକୁ ଧସେଇ ପଶିଯାଇଥିବା ଅନୁଭବ ହେଉଛି।
ଡଙ୍ଗରିଆମାନେ ସମୟ ସୁଅରେ ବିକାଶର ଧାରାରେ ସାମିଲ ହେବା ଭଲ କଥା। କଥା ପ୍ରସଙ୍ଗରେ ଜାଣିବାକୁ ଚାହିଁଲି ଧାଙ୍ଗିଡି ବସାର ସ୍ଥିତି। ହସିଦେଲା ଜଣେ ଡଙ୍ଗରିଆ ରମଣୀ। ଗାଁର ବୟୋଜ୍ୟେଷ୍ଠା ମହିଳା କହିଲା – ‘ଆଉ କିଛି ନାହିଁ ଆଜ୍ଞା। କେବେ ଥିଲା ଧାଙ୍ଗିଡି ବସା। ଏବେ ଆଉ ନାହିଁ।’ ଏତିକି କହି କିଛି ଦୂରରେ ଥିବା ଛୋଟ କୁଡ଼ିଆ ଆଡ଼କୁ ଅଙ୍ଗୁଳି ଦେଖାଇଲା। ଦେଖିଲି ଗୋଟେ ପରିତ୍ୟକ୍ତ କୁଡ଼ିଆ। ସାମ୍ନାରେ ଛୋଟ ବାଟ ଥାଇ ଘେରା ହୋଇଛି ବଇ। ତା’ ଭିତରକୁ ପଶିଲି। ଦୁଇ ତିନିଟା ଘୁଷୁରି ଭୁସ୍‌ ଭୁସ୍‌ ହୋଇ ବାହାରି ଚାଲିଗଲେ। ପାଖାପାଖି ମାଟି ମୁହାଁ ହୋଇଛି ଚାଳ। ନଇଁ ନଇଁ ଭିତରକୁ ପଶିଲି। ଭିତରେ ଫାଙ୍କା ଘର। କେତୋଟି ବ୍ୟାଗ କାନ୍ଥରେ ଝୁଲୁଛି। ମୋଟାମୋଟି ଭାବେ ଅଲୋଡ଼ା ଅଖୋଜା ସ୍ଥାନଟିଏ ପରି ରହିଛି। ମୁଁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁବାରୁ ପାଖରେ ଥିବା ସେଇ ମହିଳା ଜଣକ ମନକଥା ଜାଣିଗଲା ବୋଧେ ତୁରନ୍ତ କହିଲା – ‘ଇଠିକି କିଏ ମିଶା ଆସୁନି। ସିମିତି ଏ ଘର ପଡିଛି।’ ସଞ୍ଜରେ ନାଚଗୀତ ହେଉନି କି ଇଠି? ମୋର ପ୍ରଶ୍ନରେ ସେ କହିଲା – ”ସିଟାମଣେ କିଛି ନାହିଁ ଆଜ୍ଞା ! ଏବେ ବେଶି ପଢୁଆ ପିଲା। ଇମିତି କଥାକୁ ପସନ୍ଦ ନାହିଁ। ବାହାରେ ବାହାରେ ମନ ଦିଆନିଆ ହୋଇଯାଉଛନ୍ତି। ସିଟୁ ବିଭା ହେଉଛନ୍ତି। ଏ ଘର ଲୁଡ଼ା ପଡୁନି।“ ବୁଝିପାରିଲି ଧାଙ୍ଗିଡି ବସାର ଦୁରବସ୍ଥା କଥା। ଧାଙ୍ଗିଡି ବସା କେବଳ ମନ ଦିଆନିଆର କେନ୍ଦ୍ର ହୋଇ ନ ଥିଲା। ବରଂ ଝିଅମାନଙ୍କୁ ଆଦିବାସୀ ସଂସ୍କୃତିର ସବୁ ସଣ୍ଠଣା ଶିଖାଯାଉଥିଲା। ଗାଁର ମୁରବିପ୍ରତୀମ ସ୍ତ୍ରୀ ଲୋକ ସାଂସାରିକ ଜୀବନର ବିଭିନ୍ନ ଦିଗ ଉପରେ ରାତିରେ ଏକରକମ ପାଠ ପଢ଼ଉଥିଲେ। ଜନଜାତି ଭିତରେ ସଂସ୍କାର ଥିଲା। ଏଠାରୁ ଝିଅମାନେ ଭବିଷ୍ୟତ ଜୀବନଚର୍ଯ୍ୟାର ବିବିଧ ଦିଗ ବିଷୟରେ ସମସ୍ତ ପ୍ରସଙ୍ଗ ଜାଣି ପାରୁଥିଲେ। ସମ୍ଭବତଃ ଏଇ କାରଣରୁ ଜନଜାତିଙ୍କ ଗୋଷ୍ଠୀ ଜୀବନ ଶୃଙ୍ଖଳିତ ଥିଲା। ଏବେ ଜନଜାତି ଗୋଷ୍ଠୀରେ ବି ହତ୍ୟା, ଦୁଷ୍କର୍ମ, ଆତ୍ମହତ୍ୟା ଓ ଦାଦନ ଖଟିବାକୁ ବାହାରକୁ ଯିବା ଦେଖିବାକୁ ମିଳୁଛି। ବିଶୃଙ୍ଖଳିତ ହୋଇ ଉଠିଛି ଜନଜାତି ଗୋଷ୍ଠୀ ଜୀବନ। ଅଯଥା ରାଜନୀତି ଓ ଆଧୁନିକତା ଭିତରେ ପେଷି ହେଉଛନ୍ତି ଜନଜାତିର ଲୋକ। ଉଜୁଡି ଗଲାଣି ପାରମ୍ପରିକ ଚାଷ। ସମସ୍ତଙ୍କ ହାତକୁ ମିଳୁନି କାମ। ଗାଁରେ ରୋଜଗାର ପାଇଁ କିଛି ବ୍ୟବସ୍ଥା ନାହିଁ। ଗାଁରେ ରହି ହାତକୁ କାମ ଖୋଜିବା ବି ସମ୍ଭାବନା ଦେଖିପାରୁନି ଜନଜାତିର ଯୁବ ଗୋଷ୍ଠୀ। ଶେଷରେ ନିରାଶ ହୋଇ ଦାଦନ ଖଟିବାକୁ ବାହାରକୁ ଯାଉଛି।
ଆଦିମ ଜନଜାତି ଡଙ୍ଗରିଆ ଯୁବ ଗୋଷ୍ଠୀରୁ ଅନେକ ଦାଦନ ଯାଇଥିବା ଜାଣି ଚକିତ ହେଲିନି। ଉଜୁଡି ଯାଇଥିବା ପାରମ୍ପରିକ ଫସଲ ଓ ଉପତ୍ାଦିତ ଫସଲର ପ୍ରକୃତ ମୂଲ୍ୟ ପାଇପାରୁ ନ ଥିବାରୁ ଡଙ୍ଗରିଆ ଜନଜାତି ପାରମ୍ପରିକ ଫଳ ଚାଷ ଆଡୁ କ୍ରମଶଃ ମୁହଁ ଫେରେଇବାକୁ ଲାଗିଲେଣି। ଗାଁ ସାରା ଘୂରି ବୁଲିଲା ଭିତରେ ଏତିକି ଧାରଣା ହୋଇଗଲା ଯେତକ ବୃଦ୍ଧା ଓ ବୃଦ୍ଧ ଗାଁକୁ ଜଗି ବସିଛନ୍ତି। ଆଉ କିଛି ବୟସ୍କ ଲୋକେ ନିଜର ପାରମ୍ପରିକ ଚାଷବାସରେ ଲାଗିଛନ୍ତି। ଅଧା ପାଠ ଛାଡିଥିବା ପିଲାମାନେ ଦାଦନ ଖଟିବାକୁ ବାହାରେ ଅଛନ୍ତି। ଆଉ କିଛି ପିଲା ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଛନ୍ତି। ଡଙ୍ଗରିଆ ଅଞ୍ଚଳର ଏଇ ସ୍ଥିତି ଅନେକ କଥାକୁ ଇଙ୍ଗିତ କରୁଛି।
ବର୍ଷ ବର୍ଷ ଧରି ଅର୍ଥ ଶ୍ରାଦ୍ଧ ସତ୍ତ୍ୱେ ଦକ୍ଷତା ବୃଦ୍ଧି ଦିଗରେ ଆମ ବ୍ୟବସ୍ଥା ସେତେ ସଫଳ ହୋଇପାରିନି। ସେମାନଙ୍କ ଉପରେ ବାହାରିଆ ଭିନ୍ନ ଏକ ସଂସ୍କୃତିକୁ ଲଦି ଦିଆଯିବାର ପ୍ରୟାସ ହେଉଛି। ଏଣେ ମାଟି ତଳେ ଥିବା ଖଣିଜ ସଂପଦ ପ୍ରତି ବହୁ କମ୍ପାନୀଙ୍କ ଡାହାଣା ଆଖି। ଅର୍ଥନୈତିକ ବିକାଶରେ ସଫଳ ହୋଇପାରୁନି ଡଙ୍ଗରିଆ ଜନଜାତି। ବଜାରକୁ ନେଉଥିବା ଉପତ୍ାଦିତ ଜିନିଷର ପ୍ରକୃତ ମୂଲ୍ୟ ପାଇପାରୁନି। ସ୍କୁଲକୁ ଯାଉଥିବା ସବୁ ପିଲା ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି। ଅଧାରୁ ଗାଁକୁ ଫେରି ନିଜ ସଂସ୍କୃତିକୁ ଆପଣେଇ ପାରୁନାହାନ୍ତି କି ଅଧାପାଠ ଯୋଗୁ ପ୍ରତିଯୋଗିତାର ଭିଡ଼ ଭିତରେ ନିଜକୁ ଖାପ ଖୁଆଇ ପାରୁ ନାହାନ୍ତି। ବିଷମ ସ୍ଥିତିରେ ଏବେ ଡଙ୍ଗରିଆ ଜନଜାତି। ଘରର କଳେବର ବଦଳିଛି ସତ, ଅଥଚ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିର ପରିବର୍ତ୍ତନ ଲାଗି ତଥାପି ଅପେକ୍ଷାରେ ଡଙ୍ଗରିଆ ଜନଜାତି। ହଜିଯାଉଥିବା ସଂସ୍କୃତି ସମ୍ପର୍କିତ ଉପାଦେୟ ତଥ୍ୟକୁ ସଂଗ୍ରହ କରି ଫେରିଲାବେଳକୁ ମୁହଁ ସଞ୍ଜରେ ଆଉ ଏକ ରାସ୍ତା ପାଖ ଗାଁରେ ଶୁଭୁଛି କ୍ୟାସେଟ ଗୀତ। ପ୍ରଶସ୍ତ ଗାଁ ଦାଣ୍ଡର ମଝିରେ ସୋଲାର ପ୍ଲେଟ ସହ ସଂଯୋଗ ହୋଇ ରହିଛି ଦୁଇଟି ଗୀତ ବାଜୁଥିବା ବକ୍ସ। ଏକା ରଙ୍ଗର ଫ୍ରକ ପିନ୍ଧିଥିବା କିଶୋରୀ ଝିଅମାନେ ଗୀତର ତାଳେ ତାଳେ ନାଚୁଛନ୍ତି। ପାରମ୍ପରିକ ବାଦ୍ୟ ବାଜୁନି କି ପାରମ୍ପରିକ ବେଶଭୂଷା ଲୋଡ଼ା ପଡ଼ୁନି। ଚାରିପାଖେ ଘେରି ରହିଛନ୍ତି ଜନଜାତିର ସବୁ ବର୍ଗର ଲୋକେ। କୋରାପୁଟିଆ ଦେଶିଆ ଗୀତରେ ସୁନ୍ଦର ତାଳପକା ନୃତ୍ୟ। ତାଳିମାରି ଉତ୍ସାହିତ କରୁଛନ୍ତି କିଛି ଯୁବକମାନେ। ମଲ୍ଲିଫୁଲିଆ ହସ ଭିତରେ ବଡ ମଣିଷମାନେ ବିଭୋର ନୃତ୍ୟରେ। ପଚାରିଲି ଜଣକୁ – ‘ଏମିତି କି ନାଚ ଚାଲିଛି ?’ ନାଚକୁ ଉପଭୋଗ କରୁଥିବା ମଧ୍ୟ ବୟସ୍କ ଡଙ୍ଗରିଆ ଜଣକ କହିଲା – ‘ମା ଓାକି ଇଲକି ଆହା ଆଚେ ! ଆନା କିନ ଆଜ୍ଞା !’ ଏହାର ଓଡ଼ିଆ ଅର୍ଥ ହେଲା ‘ଆମର ଆଡ଼େ ଇମିତି କା ହେଇଗଲା ସବୁ ! କିସ କରିବା ଆଜ୍ଞା ?’ ଚହଲା ସଂସ୍କୃତିଠାରୁ ମୁହଁ ଫେରେଇ ଚାଲି ଆସିଲି ସତ, କିନ୍ତୁ ମନକୁ ବୁଝେଇପାରିଲିନି। ଲୋକଟିର ପ୍ରଶ୍ନର ଉତ୍ତର ତଥାପି ଖୋଜି ଚାଲିଛିି ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ- ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri