ଆମେ ଯାହା କରନ୍ତେ

ବ୍ରଜମୋହନ ମିଶ୍ର

 

ଏ ସଂସାର କେବଳ ବିରାଟ ନୁହଁ, ଏହା ସୁନ୍ଦର ପୁଣି ଆନନ୍ଦମୟ। ଏହା ପ୍ରକାଶ କରି ଭକ୍ତକବି ମଧୁସୂଦନ ଆମ ଆଖି ଖୋଲି ଦେବା ସହ ହୃଦୟ ଭେଦିଛନ୍ତି। ବିରାଟତା ସହ ସୌନ୍ଦର୍ଯ୍ୟ ଓ ଆନନ୍ଦ ଏତେ କୋଳାକୋଳି ହୋଇ ଯାଇଛନ୍ତି ଯେ ଗୋଟାକଠାରୁ ଆରଟିକୁ ଅଲଗାଦେଖି ହେବ ନାହିଁ କି ଅନୁଭବ କରିହେବ ନାହିଁ। ଏ ଅବିଚ୍ଛେଦ୍ୟ ତିନି ପ୍ରସ୍ଥ ସମସ୍ତଙ୍କ ସମକ୍ଷରେ ବେଶ୍‌ ଖୋଲାମେଲା। ପୁଣି ଏଗୁଡ଼ିକୁ ନେଇ ସମସ୍ତେ ନିତିଦିନ ବଞ୍ଚୁଛନ୍ତି। ଏଗୁଡ଼ିକ ସମସ୍ତଙ୍କ ଜୀବନ ଧାରଣର ପୋଷକ ରୂପେ କ୍ରିୟା ସମ୍ପାଦନ କରୁଛନ୍ତି ନିଃଶବ୍ଦରେ ଓ ନିର୍ବିଶେଷରେ। ଯେଉଁଠି ଘଞ୍ଚ ବନରାଜି ମାଇଲ ମାଇଲ ଧରି ଲମ୍ବି ଯାଉଛି, ସେଇଠି କେଉଁ ଜାଗାରେ ହୁଏତ କୁଳୁକୁଳୁ କରି ଝରଣାଟିଏ ବହିଯାଉଛି ତ କେଉଁ ଗହଳ ଗଛ ଉପରେ ଚଢ଼େଇମାନେ ବସି କିଚିରିମିଚିରି ହେଉଛନ୍ତି। ଏହା ଏକାଧାରରେ ସୁନ୍ଦର, ତେଣୁ ଆନନ୍ଦଦାୟୀ। ଆନନ୍ଦାଳୟ ସୌନ୍ଦର୍ଯ୍ୟ ସହ ବିରାଟତାର ଏଇ ନିବିଡ଼ ସମ୍ପର୍କ ଆମ୍ଭମାନଙ୍କୁ ବିସ୍ମିତ, ବିହ୍ବଳିତ ଓ ବିଗଳିତ କରନ୍ତା। ସେହି ଶକ୍ତି ସେମାନଙ୍କ ପାଖରେ ନିତ୍ୟ ବିଦ୍ୟମାନ ଥିଲେ ସୁଦ୍ଧା ଆମେ ବୁଦ୍ଧିମାନ୍‌ ମତିହୀନମାନେ ସେ ଦିଗରେ କେବେ ଆଗ୍ରହୀ ହୋଇ ନଥାଉ। ଜୀବନ ସଂଗ୍ରାମ ନାଁରେ ଆମେ ଚେତାଶୂନ୍ୟ ହୋଇ ଏଡ଼େ ଜୋର୍‌ରେ ଆମର ଖଣ୍ଡାଟିମାନ ବୁଲାଉ ଯେ ଆଉ କିଛିକୁ ମନ କରୁନାହିଁ। ହେଲେ ଜୀବନ ସଂଗ୍ରାମ ଭିତରକୁ ତ ଆମେ କେବେ ପଶୁନା। ସତରେ ଜୀବନ ପାଇଁ ସଂଗ୍ରାମ ଅବଶ୍ୟ କରଣୀୟ। ତାହା ପୁଣି ଭିତର ସଂଗ୍ରାମ ଓ ବାହାର ସଂଗ୍ରାମ। ଭିତର ସଂଗ୍ରାମ ବାହାର ସଂଗ୍ରାମ ଅପେକ୍ଷା ଅଧିକ ଶକ୍ତିଶାଳୀ, ଅଧିକ ଏକନିଷ୍ଠ, ଅଧିକ ଶ୍ରଦ୍ଧାମୟ ହେବା କଥା। ସେଇ ସଂଗ୍ରାମ କରିବାକୁ ହେଲେ ଆମକୁ ତା’ ସହ ଯଥେଷ୍ଟ ପରିଚିତ ହେବା ଏକାନ୍ତ ଆବଶ୍ୟକ।
ବାହାର ଓ ଭିତର- ଏ ଦୁଇଟି ଅଲଗା ପୁଣି ଅଭିନ୍ନ। ଅଲଗା ଏଇଥିପାଇଁ ଯେ ‘ବାହାର’ ଆଖିକୁ ଦେଖାଯାଏ, ‘ଭିତର’ଟି ନୁହଁ। ଦେଖା ନ ଯାଉଛି ବୋଲି ତାହାକୁ ଆମେ ଅସ୍ବୀକାର କରିବା କିମ୍ବା ଅବହେଳା କରିବା ଠିକ୍‌ ନୁହଁ। ମୋତେ ନିର୍ବାଚନରେ ଅଂଶ ଗ୍ରହଣ କରି ଜିତିବାକୁ ହେବ- ଏ ବାହାର କଥା- ଏହା ବେଶ୍‌ ପ୍ରତ୍ୟକ୍ଷ। ସେଥିପାଇଁ ମୁଁ କେତେ ମାତ୍ରାରେ ସକ୍ରିୟ, ସଜାଗ ଓ ସଶସ୍ତ୍ର। ସେହିପରି ମୋତେ ଏ ମହିମାମୟ ସଂସାରରେ ‘ପରୀକ୍ଷିତ ଜୀବନ’ଟିଏ ଧାରଣ କରିବାକୁ ହେବ। ତା’ ନହେଲେ ହୁଏତ ଖାଇ ପିଇ ଚଉକସରେ ମୁଁ ଦିନଯାମିନୀ କ୍ଷେପିପାରେ, କିନ୍ତୁ ମୋର ଏ ସଂସାର ସହ ଆମତ୍ୀୟତା ଆସିବ ନାହିଁ। କାରଣ ସଂସାରରେ ଥାଇ ମଧ୍ୟ ମୁଁ ସଂସାରର ହୋଇନଥିବି। ସଂସାରର ହେବାକୁ ମୁଁ ସଂସାରକୁ ଆସିଛି- ଏଇ ବିଶ୍ୱାସର ଚେର ମୋ ଭିତରେ ଖୁବ୍‌ ମାଡ଼ିଯିବ। ତାହା ଯେତେ ଭିତରକୁ ଭେଦୁଥିବ ମୁଁ ସେତେ ସଂସାରର ପାରାୟଣ କରିବାକୁ ଉତ୍ସାହୀ ହୋଇ ଉଠୁଥିବି। ସେଥିପାଇଁ ମୋତେ ସଂସାରପରାୟଣ ହେବାକୁ ପଡ଼ିବ। ଏଇ ଅବବୋଧକୁ ଗଣ୍ଠିଧନ କରି ମୁଁ ମୋ ଭିତର ସଂଗ୍ରାମ ଆରମ୍ଭ କରିବି। ଭିତର ସଂଗ୍ରାମ ଅର୍ଥ ମୋ ଭିତରେ ସଦା ପ୍ରସ୍ତୁତ ଏକ ସୀମାବଦ୍ଧ, ଅଶ୍ରଦ୍ଧାଳୁ ଏବଂ ଅବୈଷ୍ଣବ ଅପଶକ୍ତି ସହ ସତ୍ୟାଗ୍ରହ। ଏଠାରେ ସଂଗ୍ରାମ ସତ୍ୟାଗ୍ରହ ପର୍ଯ୍ୟାୟର। ସତ୍ୟାଗ୍ରହରେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରାଯାଏନା, ତା’ ସହ ପୁଣି ତା’ ପାଇଁ ସଂଗ୍ରାମ କରାଯାଏ। ତା’ ଭିତରେ ଉଦ୍ଦେଶ୍ୟ ଥାଏ ଅନ୍ୟାୟର, ଅସତ୍ୟର, ଦୁରାଗ୍ରହର ରୂପାନ୍ତର ଆଉ ଏ ରୂପାନ୍ତର ଆକ୍ରୋଶରେ ନୁହେଁ ଆମତ୍ଶକ୍ତିରେ ସମ୍ଭବ।
ଯେଉଁ ବିକଳ ବାସନାଗୁଡ଼ା ବ୍ୟକ୍ତିକୁ ଭାରି ହନ୍ତସନ୍ତ କରନ୍ତି, ସେଗୁଡ଼ିକ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରି ନୁହଁ, ସେଗୁଡ଼ିକ ସହ ପ୍ରେମପୂର୍ଣ୍ଣ କଥାବାର୍ତ୍ତା କରି ସେଗୁଡ଼ିକୁ ଅକ୍ତିଆରକୁ ଆଣିବା। ଅଧିକାର କରିବାକୁ ଛଟପଟ ହେଉଥିବା ସେଇ ଅତୃପ୍ତ ଅଶନି ସହ ସ୍ନେହରେ କଥାବାର୍ତ୍ତା କରି, ‘ଅଧିକାର’ ଯେ ଅଳ୍ପ, ଅଳୀକ ତାହା ବୁଝାଇ ଦେବା। କାହାକୁ ବା କିଛି ଅଧିକାର କରିବାରେ ଅଧିକ ଅତୃପ୍ତି, ଅଧିକ ଅସନ୍ତୋଷ ଜନ୍ମ ନେଇଥାଏ, ଏ ତତ୍ତ୍ୱଟି ସହ ସେହି ଅଶାନ୍ତକୁ ପରିଚିତ କରାଇଦେବା। କେତେ କେତେ ପ୍ରକାରେ କେତେ କେତେ ଲୋକ ରାଜ୍ୟ ଅଧିକାର କରିଛନ୍ତି। ଫଳରେ ସେମାନେ କ୍ଷମତାଶୀଳ ହୋଇ ଅଧିକ ଅତୃପ୍ତ ହୋଇଛନ୍ତି। ସେମାନେ ନା ହୋଇ ପାରିଛନ୍ତି ସଂଘର, ନା ଧର୍ମର, ନା ହୋଇ ପାରିଛନ୍ତି ବୁଦ୍ଧର। ବୁଦ୍ଧ, ସଂଘ, ଧର୍ମ- ହେଉଛନ୍ତି ସୀମାହୀନତା ଆଉ ଶ୍ରଦ୍ଧାମୟତା। ଅଧିକାର ଲାଳସୀ ପ୍ରପଞ୍ଚ ସତ୍ତା ଅଧିକାର ଦ୍ୱାରା ଅନେକ ସଂଗ୍ରହ କରିପାରେ। ତା’ ଫଳରେ ସେ ସୀମାବଦ୍ଧ ଓ ଶ୍ରଦ୍ଧାଶୂନ୍ୟ ହୋଇଥାଏ। ଅଧିକାର ଏକ ଅସ୍ବାଭାବିକ ଓ ଅଶିଷ୍ଟ ପ୍ରାପ୍ତି। ଏପରି ପ୍ରାପ୍ତି ସଦା ଉତ୍ତେଜକ, ଉନ୍ମାଦକ। ତେଣୁ ଭାରି ଉପତ୍ୀଡ଼କ ଓ ଉଚ୍ଛୃଙ୍ଖଳ। ବସ୍ତୁ ଅଧିକାର କରି ବ୍ୟକ୍ତି ଆଗେଇ ପାରେନାହିଁ କି ଆଗକୁ ଦେଖେନାହିଁ କି ଆଗକୁ ମନ କରେନାହିଁ। ତା’ର ସକଳ ସଂକ୍ରାନ୍ତିର ଦ୍ୱାର ବନ୍ଦ ହୋଇଯାଏ। ଏହି ‘ଅଧିକାର’ ବାସନାକୁ ଆମେ ଅନୁକ୍ଷଣ ବିଭିନ୍ନ ରୂପରେ ଦେଖିପାରିବା।
କିଛି ‘ଅଧିକାର’ କରିବାକୁ ସଂସାର ବିରାଟ, ସୁନ୍ଦର ଏବଂ ଆନନ୍ଦମୟ ହୋଇନାହିଁ। ତା’ର ଏପରି ଅଭିବ୍ୟକ୍ତି ମଧ୍ୟରେ ଯେଉଁ ସାତ୍ତ୍ୱିକ ସନ୍ଦର୍ଭ ଫୁଟିଉଠେ, ତାହା ହେଉଛି ଏକ ପୂର୍ଣ୍ଣପ୍ରାଣତା, ଯାହା ‘ସବୁ’ ସହ ଗୁନ୍ଥି ହୋଇଯିବାକୁ ଚାହେଁ। ପକ୍ଷାନ୍ତରେ ଆମେ ମନୁପୁତ୍ର/ପୁତ୍ରୀମାନେ ସଂସାରଯାକର ସବୁକୁ ଅଧିକାର କରିବାକୁ ଅନବରତ ଦୌଡ଼ୁଛୁ। ଏହାର ସକାଶେ ସଂଗ୍ରାମ। ଏହି ‘ଅଧିକାରପ୍ରବଣତା’ ପାଖରେ ସଖାଟିଏ ପରି ବସି, ହସିହସି ଯୁକ୍ତିବାଢ଼ି ତା’ର ଆଣ୍ଟ ଭାଙ୍ଗିବା ହେଉଛି ଭିତର ସଂଗ୍ରାମର ଲକ୍ଷଣ। ତାହା ହିଁ ଜୀବନ ସଂଗ୍ରାମର ମୂଳ କଥା ଓ ସାର କଥା। ଆମର ସର୍ବବିଧ ପ୍ରଗତି ତାରି ଉପରେ ଏକାନ୍ତ ଭାବେ ନିର୍ଭର କରେ। ସଂସାରକୁ ଦିନଦିନ ଦେଖୁଥିଲେ ମଧ୍ୟ ତା’ର ଉଦାରତା, ନିର୍ବିକାରତା ଏବଂ ଅପରିଗ୍ରହତା ପ୍ରତି ଆମେ କାହିଁକି ଏତେ ଅମନୋଯୋଗୀ? ସଂସାରକୁ ସତରେ ଆମେ ଦେଖୁଛୁ ତ? ମନେହୁଏ, ଆମେ ସଂସାରରେ ଜୀବନ ସଂଗ୍ରାମ ନାଁରେ ନିଜ ପାଇଁ ଯେଉଁ ବନ୍ଧନ ସୃଷ୍ଟି କରୁଛୁ, ତାହା ଫଳରେ ସଂସାରକୁ ସତରେ ଦେଖିପାରୁନାହୁଁ। ଆଉ ତା’ ସହ ମିତ୍ରତା ସ୍ଥାପନ କରିବା ତ ସୁଦୂର ପରାହତ। ଆମର ଆଖି ସଂସାରଯାକର ଦ୍ରବ୍ୟ ଉପରେ ନିବଦ୍ଧ ହୋଇ ବନ୍ଦୀ ଥିବାରୁ ସଂସାରର ଆହ୍ବାନ ‘ଶୁଣିବାରେ’ ଏହା ଆମେ ଅସମର୍ଥ ହେଉଛେ। ଏ ଅସାମର୍ଥ୍ୟ ବର୍ଜନ କରିବାର ସାମର୍ଥ୍ୟ ମଧ୍ୟ ଆମ ପାଖରେ ରହିଛି। ତାକୁ ଆଧ୍ୟାମତ୍ିକ ଭାଷାରେ ‘ଆସ୍ପୃହା’ ବୋଲି କୁହାଯାଇଛି। ଖୁବ୍‌ ପ୍ରସନ୍ନ ଭାବରେ, କୌଣସି ନୀଚ କି ନିମ୍ନକୁ ମନ ନ କରି ବିରାଟକୁ ବାଞ୍ଛିବା ଓ ସେଥିପାଇଁ ପ୍ରାର୍ଥନାମୟ ହେବା- ଯେଉଁ ବିରାଟ ଏକାଧାରରେ ସୁନ୍ଦର ଓ ଆନନ୍ଦମୟ। ହେଲେ ଭିତର ସଂଗ୍ରାମ ବ୍ୟତିରେକେ ଏହା କେବେ ସମ୍ଭବ ନୁହଁ। ଉପରଟା ତ ଖୁବ୍‌ ଅଳ୍ପରେ ସନ୍ତୁଷ୍ଟ ହୋଇଯାଏ। କିନ୍ତୁ ଭିତର, ‘ଅଳ୍ପ’ର ସ୍ବରୂପ ଜାଣିଥିବାରୁ ଏଥିରେ ଲାଖିଯାଏ ନାହିଁ। ତାହା ଅଗ୍ରଗାମୀ ହୋଇ ଅନଳ୍ପର ଆବାହନ କରେ। ଫଳରେ ‘ଅଳ୍ପ’ ବି ରୂପାନ୍ତରିତ ହୋଇ ‘ଅନଳ୍ପ’ ହେବାର ଆଧ୍ୟାମତ୍ିକତା ଲାଭକରେ।
ଅନେକ ପ୍ରକାରେ ବଞ୍ଚୁଥିବା ଆମ୍ଭେମାନେ ଭିତର (କେନ୍ଦ୍ର) ବଞ୍ଚତ୍ବା ଉପରେ ଭାରି ଜୋର୍‌ ଦେବା। ତେଣୁ ଭିତର ଆଡ଼ୁ ବଞ୍ଚତ୍ବା। ତାହା ହେଲେ ସଂସାର ତତ୍ତ୍ୱ ସହ ଆମ ବଞ୍ଚତ୍ବା ଯୁକ୍ତ ହୋଇପାରିବ। ଫଳରେ ଆମ ଜୀବନ ଯାହା ଗଭୀର ଭାବରେ ଆବଶ୍ୟକ କରେ, ତାହା ଆମକୁ ଅବଶ୍ୟ ମିଳିବ। ଆମ ଜୀବନ ଗତିଶୀଳ ଏବଂ ଗରିମାମୟ ହୋଇଯିବ। ସଂସାରକୁ ଚାହିଁ ପୁଣି ନିଜ ଭିତରକୁ ଶୁଣି ଆମେ ଏଇ ବୈଜ୍ଞାନିକ ପରୀକ୍ଷଣ କରିବାକୁ ସମ୍ମତ ହେବା। ଫଳରେ ଆମର ଏଠାକୁ ଆସିବା, ଏଠାରେ ରହିବା ପୁଣି ଏଠାରୁ ଚାଲିଥିବାରେ ଆଦୌ ଅମେଳ କି ଅସଙ୍ଗତି ରହିବ ନାହିଁ। ସେତେବେଳେ ଆମେ ଭିନ୍ନ ଏକ ‘ବିବାହ’ର ପ୍ରତିଭୂ ହୋଇଯିବା।
ଭଦ୍ରକ, ମୋ: ୮୦୧୮୦୮୭୮୩୧


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri