ରାଷ୍ଟ୍ରର ଦାୟିତ୍ୱ କ’ଣ

ଡ. ସନ୍ତୋଷ କୁମାର ମହାପାତ୍ର

ଏବେ କେବଳ ଅହରହ ପ୍ରଚାର ଏବଂ ନୂଆ ନୂଆ ସ୍ଲୋଗାନ ଦେବାରେ ଅତିବାହିତ ହେଉଛି। ଏପରି କି ଧର୍ମ ଓ ଜାତି ନାମରେ ଭୋଟ ମଗାଯାଉଛି। ପ୍ରଧାନମନ୍ତ୍ରୀଙ୍କର ‘ନୂଆ ଭାରତ’ ସବ୍‌କା ସାଥ, ସବ୍‌କା ବିକାଶ’ ସ୍ଲୋଗାନ ଦେଶରେ କେବଳ ୩୫ କୋଟି ଜନତାଙ୍କ ପାଇଁ ପ୍ରଯୁଜ୍ୟ ହୋଇପାରେ, କିନ୍ତୁ ଅବଶିଷ୍ଟ ୧୦୦ କୋଟି କିପରି ଦୁଃଖରେ ଅଛନ୍ତି, ତାହା କିଏ ଚିନ୍ତା କରିବ? ଯେଉଁ ୧୯.୪୪ କୋଟି କ୍ଷୁଧାରେ ପୀଡ଼ିତ ଓ ୨୫.୧% ବହୁମୁଖୀ ଦାରିଦ୍ର୍ୟ ଦ୍ୱାରା ଜର୍ଜରିତ, ଯେଉଁ କୋଟି କୋଟି ଯୁବତୀ ଯୁବକ ବେକାର ଓ ଲକ୍ଷ ଲକ୍ଷ ଲୋକ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ତାଙ୍କ ପରିବାରର ଦୁଃଖ, ଯନ୍ତ୍ରଣା କିଏ ବୁଝିବ?
ପ୍ରଧାନମନ୍ତ୍ରୀଙ୍କ କର୍ତ୍ତବ୍ୟ କହିଲେ ଏକ ସରକାରଙ୍କ କର୍ତ୍ତବ୍ୟ, ଏକ ରାଷ୍ଟ୍ରର କର୍ତ୍ତବ୍ୟ ବା ଦାୟିତ୍ୱକୁ ବୁଝାଏ, ଯଦିଓ ଏକ ସରକାର ଏବଂ ରାଷ୍ଟ୍ର ଭିତରେ ଅନେକ ପାର୍ଥକ୍ୟ ରହିଛି। ଏକ ସରକାର ରାଷ୍ଟ୍ରର ଏକ ଅଂଶ। ମୁଖ୍ୟ କାରଣ ହେଉଛି, ରାଷ୍ଟ୍ର ତା’ର ପୂର୍ବ ବଣ୍ଟନ ନ୍ୟାୟ ଏବଂ ବଣ୍ଟନକାରୀ ନ୍ୟାୟ ପ୍ରଦାନ କାର୍ଯ୍ୟ ଠିକ୍‌ ଭାବରେ କରିନାହିଁ। ପୂର୍ବ-ବଣ୍ଟନ ନୀତି ସହିତ, ସରକାର ନିଶ୍ଚିତ କରନ୍ତି ଯେ ଲୋକମାନେ ମୌଳିକ ଜନସେବା ଏବଂ ଉତ୍ତମ କର୍ମସଂସ୍ଥାନ ପାଇପାରିବେ। ମୁଦ୍ରାସ୍ଫୀତି, ମୂଲ୍ୟ ବୃଦ୍ଧି ନିୟନ୍ତ୍ରିତ ହେଉଥିବ ଏବଂ ଆୟର ଅସମାନତା ବ୍ୟାପକ ହେଉ ନ ଥିବ। ବଣ୍ଟନକାରୀ ନ୍ୟାୟ ନୀତିରେ, ସରକାର, ଧନୀ, ପୁଞ୍ଜିପତି ବଡ଼ ଶିଳ୍ପପତିଙ୍କ ଅଧିକ ଟିକସ ବା ସମ୍ବଳ ସଂଗ୍ରହ କରି ନିଯୁକ୍ତି ସୃଷ୍ଟି କରିବା, ସାମାଜିକ ଭିତ୍ତିଭୂମି, କଲ୍ୟାଣମୂଳକ ଯୋଜନାରେ ଖର୍ଚ୍ଚ କରି ସାଧାରଣ ଜନତାଙ୍କ ନିମ୍ନମୁଖୀ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବେ ଓ ଆର୍ଥିକ ବୈଷମ୍ୟ ପ୍ରତିହତ କରିବେ। ଆମ ଦେଶରେ ମୁକ୍ତ ବଜାର ଅର୍ଥନୀତି କାର୍ଯ୍ୟକାରୀ ହେବାପରେ ରାଷ୍ଟ୍ର ତା’ର ଏସବୁ ଦାୟିତ୍ୱରୁ ଓହରି ଆସିଛି। କିନ୍ତୁ ଗତ ୪ ରୁ ୫ ବର୍ଷ ହେବ ଏହି ପ୍ରକ୍ରିୟା ଆହୁରି ତ୍ୱରାନ୍ବିତ ହୋଇଛି। ରାଷ୍ଟ୍ର ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ ହସ୍ତକ୍ଷେପ ନ କଲାବେଳେ, ଧନିକ ଶ୍ରେଣୀ, କର୍ପୋରେଟ ନିବେଶକଙ୍କ ସ୍ବାର୍ଥ ପାଇଁ ହସ୍ତକ୍ଷେପ କରୁଛି; ଯାହା ମହାମାରୀ ଦ୍ୱାରା ଭାରତ ଅଧିକ ମାତ୍ରାରେ ପ୍ରଭାବିତ ହେବାର ଏକ କାରଣ।
ପ୍ରଧାନମନ୍ତ୍ରୀ ସାଧାରଣ ଜନତାଙ୍କ ସ୍ବାର୍ଥ କଥା କହିଲା ବେଳେ ବାସ୍ତବରେ ଧନୀ, ପୁଞ୍ଜିପତି, ନିବେଶକ ତଥା କର୍ପୋରେଟଙ୍କ ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରୁଛନ୍ତି। ଉଦାହରଣ ସ୍ବରୂପ କରୋନା ମହାମାରୀ ଯୋଗୁ ୯୭%ଙ୍କ ବାସ୍ତବ ଆୟ ହ୍ରାସ ପାଇଛି, ପ୍ରାୟ ୩ କୋଟି ମଧ୍ୟବିତ୍ତ ଶ୍ରେଣୀର ନିମ୍ନକୁ ଆସିଛନ୍ତି, ୭ କୋଟିରୁ ଊର୍ଦ୍ଧ୍ୱ ଗରିବୀର ଗହରକୁ ଠେଲିହୋଇ ଯାଇଛନ୍ତି, କିନ୍ତୁ ଅରବପତିଙ୍କ ସମ୍ପଦ ବୃଦ୍ଧି ପାଉଛି।
ବିଶ୍ୱ ଅସମାନତା ରିପୋର୍ଟ ଅନୁସାରେ ଧନୀଙ୍କ ମଧ୍ୟରେ ଭାରତ ଏକ ଗରିବ ଏବଂ ବୈଷମ୍ୟପୂର୍ଣ୍ଣ ରାଷ୍ଟ୍ର; ଯାହାର ୧% ଧନୀ ଜାତୀୟ ଆୟର ୨୧.୭% ଏବଂ ମୋଟ ସମ୍ପଦର ୩୩% ମାଲିକ। ଗତ ଡିସେମ୍ବର ୨୬ରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ୧ବିଲିୟନ ଡଲାର ବା ୭୫୦୦କୋଟି ଟଙ୍କାର ମାଲିକଙ୍କ ସଂଖ୍ୟା, ଯାହା ୨୦୨୦ରେ ୮୫ ଥିଲା ତାହା ୨୦୨୧ରେ ୧୨୬କୁ ବୃଦ୍ଧି ପାଇଛି। ସେହି ଅରବପତିମାନଙ୍କ ସମ୍ପଦ ଯାହା ୨୦୨୦ରେ ୪୮୩ ବିଲିୟନ ଡଲାର ବା ୩୫.୩ ଲକ୍ଷ କୋଟି ଟଙ୍କା ଥିଲା, ୨୦୨୧ରେ ୭୨୮ ବିଲିୟନ ଡଲାର ବା ୫୪.୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ୨୦୨୧-୨୨ର ଆକଳିତ ଜିଡିପି ୨୯୪୭ ବିଲିୟନ ଡଲାରର ଏକ-ଚତୁର୍ଥାଂଶ। କେବଳ ଗୌତମ ଆଦାନୀଙ୍କ ସମ୍ପଦ ୧୦୬.୪% ବୃଦ୍ଧି ପାଇଛି। ଅର୍ଥାତ୍‌ ଘଣ୍ଟାକୁ ୩୮୦ କୋଟି ଟଙ୍କା ବୃଦ୍ଧି ପାଇଛି। କଠୋର ପରିଶ୍ରମ ବା ଉତ୍ପାଦନ ଯୋଗୁ ସେମାନଙ୍କ ସମ୍ପଦ ବୃଦ୍ଧି ପାଇନି, ବରଂ ବିନା ପରିଶ୍ରମରେ, ଷ୍ଟକ ମାର୍କେଟର ସୂଚକାଙ୍କ ବୃଦ୍ଧି, ସୁଧ ହାର ହ୍ରାସ ଯୋଗୁ ତାଙ୍କର ଏହି ସମ୍ପଦ ବୃଦ୍ଧି ପାଇଛି। ସ୍ବଳ୍ପ ସୁଧହାର ଯୋଗୁ ସେମାନଙ୍କ ଋଣ ଓ ସୁଧ ବାବଦ ଦେୟ ହ୍ରାସ ପାଇଲା ବେଳେ ସଞ୍ଚୟକାରୀ ତାଙ୍କ କଷ୍ଟାର୍ଜିତ ସଞ୍ଚୟ ଉପରେ ବିଯୁକ୍ତାତ୍ମକ ବାସ୍ତବ ସୁଧ (ନାମାଙ୍କନ ସୁଧ ହାର ଓ ମୁଦ୍ରାସ୍ଫୀତିର ତଫାତ)ପାଉଛନ୍ତି ଏବଂ ବୀମା ପ୍ରିମିୟମ ଉପରେ ୧୮% ଜିଏସ୍‌ଟି ଦେଉଛନ୍ତି। ଏହାକୁ ଆର୍ଥିକ ଦମନ କୁହାଯାଏ। ୨୦୨୦ରେ ଭାରତର ୧୦୦ ଶ୍ରେଷ୍ଠ ବିଲିୟନେୟାରଙ୍କ ସମ୍ପଦ ୧୨,୯୭,୮୨୨ କୋଟି ଟଙ୍କା ବୃଦ୍ଧି ପାଇଥିଲା, ଯାହା ଭାରତର ୧୩.୮ କୋଟି ଗରିବ ଭାରତୀୟଙ୍କୁ ପ୍ରତ୍ୟେକ ୯୪, ୦୪୫ ଟଙ୍କାର ଚେକ ଦେବା ପାଇଁ ଯଥେଷ୍ଟ। ଅକ୍ସଫାମ୍‌ର ୨୦୨୦ ରିପୋର୍ଟ ଅନୁସାରେ ଭାରତର ସବୁଠାରୁ ଧନୀ ୧%ଙ୍କ ସମ୍ପଦ ଦେଶର ୯୫.୩ କୋଟି ଲୋକଙ୍କ ସମ୍ପଦର ଚାରି ଗୁଣରୁ ଅଧିକ; ଯେଉଁମାନେ ଦେଶର ଜନସଂଖ୍ୟାର ୭୦%।
ବର୍ତ୍ତମାନ ଶାସନ ପ୍ରକ୍ରିୟା ପ୍ରଗତିଶୀଳ ନ ହୋଇ ପ୍ରତିଗାମୀ ହୋଇଛି। ଦେଶ ଚଳାଇବା ପାଇଁ ଆବଶ୍ୟକ ସମ୍ବଳ ସରକାର ପରୋକ୍ଷ କର ଦ୍ୱାରା ସଂଗ୍ରହ କରୁଛନ୍ତି; ଯାହାର ବୋଝ ଗରିବଙ୍କ ଉପରେ ବେଶି ପଡ଼ିଥାଏ। ଗରିବଙ୍କୁ ବାଧୁଥିବା ଏବଂ ମୁଦ୍ରାସ୍ଫୀତି ବୃଦ୍ଧି କରୁଥିବା ପେଟ୍ରୋଲିୟମ ସାମଗ୍ରୀ ଉପରେ ସରକାର ଅବକାରୀ ଶୁଳ୍କ ବୃଦ୍ଧି କରିଚାଲିଛନ୍ତି। ଗତ ତିନି ଆର୍ଥିକ ବର୍ଷରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଆଦାୟ କରାଯାଉଥିବା ଟିକସରୁ ସରକାର ପ୍ରାୟ ୮ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ସୂଚନା ଦେଇଛନ୍ତି। କେବଳ ୨୦୨୦-୨୧ରେ ଯେତେବେଳେ ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି ସେତେବେଳେ ୩.୭୧ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରାଯାଇଛି; ଯାହାଫଳରେ ୨୦୨୧ ନଭେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ରେକର୍ଡ ୧୪.୨୩%ରେ ପହଞ୍ଚିଛ। ମୁଦ୍ରାସ୍ଫୀତିର ବୋଝ ଗରିବଙ୍କ ଉପରେ ପଡ଼ିଥାଏ କାରଣ ତାଙ୍କର ଦରଦାମ ବୃଦ୍ଧି ସହିତ ଆୟ ବଢ଼ି ନ ଥାଏ। ସେହିପରି ସରକାର ଅଧିକ ଯେଉଁ ଋଣ କରି ବ୍ୟୟ କରୁଛନ୍ତି ତାହାଦ୍ୱାରା ଯେଉଁ ଜିଡିପି ବୃଦ୍ଧି ହେଉଛି ତାହାର ସୁଫଳ କିଛି ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ଲୋକଙ୍କ ନିକଟକୁ ଗଲାବେଳେ ଋଣ ଶୁଝିବାକୁ ସରକାର ଜନହିତକର ବ୍ୟୟ ହ୍ରାସ କରିବାରୁ ପରୋକ୍ଷରେ ଗରିବଙ୍କ ଉପରେ ବୋଝପଡୁଛି।
ଦେଶର ସମ୍ବଳ ଅଭାବ ସମୟରେ ସରକାର ଗୋଟିଏ ପଟେ କର୍ପୋରେଟ ଟିକସ ହ୍ରାସ କଲାବେଳେ, ଦୀର୍ଘ ୭୦ ବର୍ଷ ଭିତରେ ଭାରତ ବର୍ଷରେ ଯେଉଁ ସବୁ ସମ୍ପତ୍ତି ସୃଷ୍ଟି ହୋଇଥିଲା, ବର୍ତ୍ତମାନର ପୁଞ୍ଜିପତି ବନ୍ଧୁମାନଙ୍କୁ ସିଧାସଳଖ ଲିଜ୍‌ ଆକାରରେ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟଅର୍ଥରେ ରାଷ୍ଟ୍ରର ସମ୍ପତ୍ତି, ଭିତ୍ତିଭୂମିକୁ ଘରୋଇ କମ୍ପାନୀଙ୍କୁ ଲିଜ୍‌ ବା ୨୫ ବର୍ଷ ପାଇଁ ମାଲିକାନା ହସ୍ତାନ୍ତର କରି କିଛି ଅର୍ଥ ସଂଗ୍ରହ କରିବା। କିନ୍ତୁ ଏହାର ବୋଝ ଜନସାଧାରଣଙ୍କ ଉପରେ ପଡ଼ିବ କାରଣ ସେହି ଭିତ୍ତିଭୂମି ଯେତେବେଳେ ଜନସାଧାରଣ ବ୍ୟବହାର କରିବେ, ତାଙ୍କଠାରୁ ଉପଯୋଗକର୍ତ୍ତା ଦେୟ ଆଦାୟ କରିବେ। ସରକାର ଧନିକ ଶ୍ରେଣୀଠାରୁ ଟିକସ ଆଦାୟ କରିବାରେ ବିଫଳ ହେବା ଯୋଗୁ ରାଷ୍ଟ୍ରାୟତ୍ତ ଶିଳ୍ପରୁ ପୁଞ୍ଜିପ୍ରତ୍ୟାହାର ବା ଘରୋଇକରଣ କରି ସମ୍ବଳ ସଂଗ୍ରହ କରୁଥିଲେ। ବର୍ତ୍ତମାନ ମୁଦ୍ରୀକରଣ ପଥ ଅବଲମ୍ବନ କରିବାକୁ ଯାଉଛନ୍ତି; ଯେଉଁଥିରେ କେନ୍ଦ୍ର ସରକାରଙ୍କ ସମ୍ପତ୍ତିର ପରିଚାଳନା କରିବେ ଘରୋଇ ସଂସ୍ଥା। ରେଳ, ସଶକ୍ତି, ଷ୍ଟାଡିୟମ, ଏୟାରପୋର୍ଟ, ପୋର୍ଟ ଆଦି କ୍ଷେତ୍ରର ପରିଚାଳନା ଘରୋଇ ସଂସ୍ଥା ହାତକୁ ଯିବ। କେନ୍ଦ୍ର ସରକାରଙ୍କ ପାଖରେ ମାଲିକାନା ରହିବ । ଏକ ନିର୍ଦ୍ଦିଷ୍ଟ ସମୟସୀମା ପରେ ସରକାରଙ୍କୁ ସମ୍ପତ୍ତି ହସ୍ତାନ୍ତର କରିବେ ଘରୋଇ ସଂସ୍ଥା। ୪ ବର୍ଷ ଭିତରେ ଏଥିରୁ ୬ ଲକ୍ଷ କୋଟି ଟଙ୍କା ହାସଲ କରିବା ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପ୍ରସ୍ତୁତ ହୋଇଛି ନ୍ୟାଶନାଲ ମନିଟାଇଜେଶନ ପାଇପ୍ଲାଇନ। ଏହି ପ୍ରକ୍ରିୟା ଦ୍ୱାରା ଗରିବ ଓ ସାଧାରଣ ଜନତା ଅଧିକ କ୍ଷତିଗ୍ରସ୍ତ ହେବେ। ସମାଜର ମୁଖ୍ୟ ସ୍ରୋତରୁ ତଳକୁ ଠେଲି ହୋଇଯିବେ।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଗଣମାଧ୍ୟମର ଚିତ୍ର ଓ ଚରିତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ ମଣିଷ ମାତ୍ରେ ହିଁ ଖବର-ଭୋକୀ। ତା’ର ଏ ଭୋକକୁ ଏବେ ଅଧିକ ଉଚ୍ଚକିତ କରିଛି ସୋସିଆଲ ମିଡିଆର ହଟଚମଟ ଖେଳ।...

କାହିଁ ବନ୍ଧୁତା

ଡା. ସୁରେନ୍ଦ୍ର ନାଥ ପତି ବନ୍ଧୁତା ବା ଇଂଲିଶରେ ‘ଫ୍ରେଣ୍ଡ୍‌ଶିପ୍‌’ ଶବ୍ଦଟି ଉଚ୍ଚାରଣ କଲାମାତ୍ରେ, ଚକ୍ଷୁ ସମକ୍ଷରେ ଭାସିଉଠେ ଏକ ହସହସ ମୁଖ ଓ ସେହି...

ଟେକ୍ନୋ ଚିନ୍ତକ

ଉଚ୍ଚଶିକ୍ଷା ଲାଭ କରିବା ପରେ ଭାରତୀୟ ଯୁବପିଢ଼ିଙ୍କ ମଧ୍ୟରୁ ଅଧିକାଂଶ ଚାକିରି ପଛରେ ଗୋଡ଼ାଇଥାଆନ୍ତି। କିନ୍ତୁ ଏମିତି କେତେକେ ଅଛନ୍ତି, ଯେଉଁମାନେ ଔଦ୍ୟୋଗିକ ବିକାଶ ଦିଗରେ...

ଏଇ ଭାରତରେ

ଫାର୍ମ ହାଉସ ପାଲଟିଯାଇଛି ପ୍ରଣୀମାନଙ୍କ ପାଇଁ ସ୍ବର୍ଗ ଓ ସେମାନଙ୍କ ପାଇଁ ଦେବଦୂତ ଭାବେ ଉଭା ହୋଇଛନ୍ତି ଟେକ୍‌ନିସାନ କୁଲଦୀପ ଖତ୍ରି। ୩୦ ବର୍ଷୀୟ କୁଲଦୀପ...

ଶିଶୁ ଓ ଶାକାହାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୋ ନାତୁଣୀ ଅନସୂୟାର ବୟସ ୫ ବର୍ଷ। ସେ ଶାକାହାରୀ ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଏ। ପରିବା ବିଶେଷ କରି...

ଅନ୍ଧବିଶ୍ୱାସ ଓ ଚକରା ମଉସା

ସୁଧାକର ଦାସ ଅନ୍ଧବିଶ୍ୱାସ କ’ଣ ଏକ ପ୍ରଥା? ଏହା ସହିତ ଆମ ସାମାଜିକ ଓ ଅର୍ଥନୈତିକ ଜୀବନର କ’ଣ କିଛି ସମ୍ପର୍କ ନାହିଁ? ହତାଶା ଓ...

ଏଇ ଭାରତରେ

ଭୋକିଲା ପିଲାର ପେଟକଥା ବୁଝିପାରୁଛନ୍ତି କୋଲକାତାର ମୈତ୍ରୀ ବାନାର୍ଜୀ। ସେ ଚାକିରି ଛାଡି ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା...

କବକ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କବକ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ କ୍ୟାଣ୍ଡିଡା ଏରିସ୍‌ ପ୍ରଥମେ ୨୦୦୯ରେ ଜାପାନରେ ଦେଖାଯାଇଥିଲା। ଏହାପରେ ଏବେ ସାରା ବିଶ୍ୱରେ ଏହା...

Advertisement
Archives

Model This Week