ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସର୍ଭେ କାର୍ଯ୍ୟ କରିବେ। ଉକ୍ତ କାର୍ଯ୍ୟ ସୋମବାର ଶୁଭାରମ୍ଭ ହୋଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକରେ ମଧ୍ୟ ହୋଇଛି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ର ଛାତ୍ରୀଛାତ୍ରମାନେ ପ୍ରାୟ ୨୦୩ କେନ୍ଦ୍ରରେ ଏହି ସର୍ଭେ ଆସନ୍ତା ୧୦ ତାରିଖ ସୁଦ୍ଧା କରିବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଓ ଜନକଲ୍ୟାଣମୂଳକ ପ୍ରୟାସ।
ଅଙ୍ଗନୱାଡି କେନ୍ଦ୍ରରେ ଥିବା ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କ ପୁଷ୍ଟିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏହି ସର୍ଭେର ମୁଖ୍ୟ ଲକ୍ଷ୍ୟ। ସରକାର ଆଗାମୀ ୫ ବର୍ଷ ଧରି ଏହି ପ୍ରକ୍ରିୟା ଜାରି ରଖିବାର ଲକ୍ଷ୍ୟ ରଖିଛନ୍ତି। ସ୍ବେଚ୍ଛାସେବୀମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଜନ୍ମରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କର ଓଜନ ଓ ଉଚ୍ଚତା ମାପୁଛନ୍ତି। ଏହାପରେ ସଂଗୃହୀତ ତଥ୍ୟକୁ ସୁପୋଷିତ ଓଡ଼ିଶା ମିଶନ ପୋର୍ଟାଲରେ ଅପଲୋଡ କରୁଛନ୍ତି।
NSSର ଛାତ୍ରୀ ସ୍ବେଚ୍ଛାସେବୀମାନଙ୍କ ପାଇଁ ଏହା କେବଳ ଏକ ସର୍ଭେ ନୁହେଁ, ବରଂ ସମାଜସେବା ସହିତ ଏକ ନୂଆ ଅନୁଭୂତି ଓ ଶିକ୍ଷଣର ସୁଯୋଗ। ନିଜ ଶିକ୍ଷା ସହିତ ସମାଜର ଶିଶୁମାନଙ୍କ ପୁଷ୍ଟି ଓ ସୁସ୍ଥତା ପାଇଁ ସେମାନଙ୍କ ଏହି ଅବଦାନ ନିଶ୍ଚିତ ଭାବେ ପ୍ରଶଂସନୀୟ।
Dharitri – Odisha’s No.1 Odia Daily

