ପାରଳାଖେମୁଣ୍ଡି,୫ା୧୧(ଗିରିଧାରୀ ପରିଛା): ମାମଲାର ତଦନ୍ତ ଓ ପରିଚାଳନାରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ଗଜପତି ଜିଲାର ୪ ଜଣ ଅଭିଯୋଜନ ଅଧିକାରୀ ଓ ଥାନାଧିକାରୀଙ୍କୁ ସମ୍ମାନିତ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ (ଏସପି) ପ୍ରହଲ୍ଲାଦ ସହାୟ ମୀନା ସେମାନଙ୍କୁ ପ୍ରଶଂସାପତ୍ର ଓ ମାନପତ୍ର ପ୍ରଦାନ କରି ପ୍ରୋତ୍ସାହିତ କରିଛନ୍ତି।
ଅପରାଧ ନିୟନ୍ତ୍ରଣ ସହ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଗୁରୁବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପୋଲିସ୍ ଓ ସରକାରୀ ଓକିଲଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏସ୍ପି ମୀନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲାର ସମସ୍ତ ଥାନାଧିକାରୀ ଏବଂ ସରକାରୀ ଓକିଲମାନେ ଯୋଗ ଦେଇଥିଲେ।
ଏହି ବୈଠକରେ ମାମଲାର ତଥ୍ୟାବଳୀ ସଠିକ୍ ଭାବେ ପ୍ରସ୍ତୁତ କରିବା, ତଦନ୍ତ ସମୟରେ ରହୁଥିବା ବିଭିନ୍ନ ତ୍ରୁଟିବିଚ୍ୟୁତିର ସୁଧାର ଆଣିବା ଏବଂ ଅପରାଧୀଙ୍କ ଦଣ୍ଡବିଧାନ ହାର (Conviction Rate) ବୃଦ୍ଧି କରିବା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏଥିସହିତ ବିଭିନ୍ନ ସଙ୍ଗିନ ମାମଲାର ପରିଚାଳନା ସମୟରେ ପୋଲିସ୍ ଓ ଅଭିଯୋଜକମାନେ ସମ୍ମୁଖୀନ ହେଉଥିବା ବ୍ୟାବହାରିକ ସମସ୍ୟାର ସମାଧାନ କରି ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ କିପରି ଅଧିକ ତ୍ୱରାନ୍ୱିତ କରାଯାଇପାରିବ, ସେ ନେଇ ମତବିନିମୟ ହୋଇଥିଲା।
ଏହି ସମାବେଶ ଅବସରରେ ମାମଲା ପରିଚାଳନାରେ ନିଷ୍ଠାପର କାର୍ଯ୍ୟ ପାଇଁ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଆସୋସିଏଟ୍ ଲୟର ସୌମ୍ୟ ସୌରଭ ପଟ୍ଟନାୟକ, ଏପିପି କେ. ଶ୍ରୀନିବାସ ରାଓ ଏବଂ ଗୁରାଣ୍ଡି ଥାନାଧିକାରୀ ଅଶ୍ୱିନୀ ଭିତିରିଆଙ୍କୁ ଏସ୍ପି ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଭବିଷ୍ୟତରେ ମଧ୍ୟ ଏହିଭଳି ଉତ୍କୃଷ୍ଟ ସେବା ଜାରି ରଖି ସାଧାରଣ ଜନତାଙ୍କ ଆସ୍ଥାଭାଜନ ହେବାକୁ ଏସପି ମୀନା ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

