ନୂଆକୁ ସ୍ୱାଗତ

୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ଶାସନର ପତନ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ରାଜ୍ୟରେ ପ୍ରଥମ ଥର ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଛି। ହେଲେ ଏହା ଏକ ସାଧାରଣ ମନ୍ତ୍ରିମଣ୍ଡଳ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁଯାୟୀ ଓଡ଼ିଶାବାସୀ ସ୍ପଷ୍ଟ ଭାବରେ ଭୋଟ ଦେଇ ରାଜ୍ୟରେ ‘ଡବଲ ଇଞ୍ଜିନ’ ସରକାର ଗଠନ କରିଛନ୍ତି। ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଭାଜପାର ୭୮ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବାଛୁବାଛୁ ସପ୍ତାହ ଉପରେ ଲାଗିଗଲା। ତେବେ ସମସ୍ତେ ଜାଣନ୍ତି ଯେ ଜାତୀୟ ଦଳଗୁଡ଼ିକରେ ଏହା ସ୍ୱାଭାବିକ ଭାବେ ଘଟିଥାଏ। ଯେଉଁ କେତେଜଣଙ୍କ ସମ୍ପର୍କରେ ବେଶି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ସେମାନଙ୍କୁ ପଛରେ ପକାଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ୧୧ ଜୁନ୍‌ରେ ଦଳୀୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି। ଭାଜପାର ସାଙ୍ଗଠନିକ ବ୍ୟବସ୍ଥାକୁ ଦେଖିଲେ କମ୍‌ ଚର୍ଚ୍ଚିତ ବ୍ୟକ୍ତିଙ୍କୁ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଆଯିବାର ଦୃଷ୍ଟାନ୍ତ ରହିଛି। ଅତୀତରେ ଭାଜପାର ପରିଚିତ ପଦ୍ଧତିରେ ହରିୟାଣାରେ ଅଜଣା ଅଶୁଣା ଥିବା ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହିପରି ମଧ୍ୟପ୍ରଦେଶର ମୋହନ ଯାଦବ, ଛତିଶଗଡ଼ର ବିଷ୍ଣୁଦେଓ ସାଇ ଓ ରାଜସ୍ଥାନର ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଯିବା ପରେ ସମ୍ଭବତଃ ସେହି ଫର୍ମୁଲା ଓଡ଼ିଶାରେ ପ୍ରୟୋଗ କରାଯାଇଛି।
୪ ଜୁନ୍‌ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଚାରିଆଡ଼େ ଗୋଟେ ‘ଘୋ’ ସୃଷ୍ଟି ହୋଇଥିଲା ଯେ ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ଆଗଧାଡ଼ିର ନେତାଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦିଆଯାଇପାରେ। କିନ୍ତୁ କେନ୍ଦ୍ରରେ ଭାଜପା ଆକଳନ କରିଥିବା ସଂଖ୍ୟାଠାରୁ ବହୁ ପଛରେ ପଡ଼ିଯାଇଥିବାରୁ ଶୀର୍ଷ ନେତାମାନେ ଉପନିର୍ବାଚନର ସମ୍ମୁଖୀନ ହୋଇ ବିପଦରେ ପଡ଼ିବାକୁ ଚାହିଁବେ ନାହିଁ ବୋଲି ‘ଧରିତ୍ରୀ’ ଅନୁମାନ କରିଥିଲା। ତାହା ହିଁ ହେଲା। ସେହିପରି ରାଜ୍ୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିବା କିଛି ନେତାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଉଠିଥିଲା। ହେଲେ କେନ୍ଦ୍ରୀୟ ନେତୃତ୍ୱ ବିଭିନ୍ନ ଗୋଷ୍ଠୀଙ୍କୁ ଅସନ୍ତୁଷ୍ଟ କରିବାକୁ ନ ଚାହିଁ ଜଣେ ନିର୍ବିବାଦୀୟ ବ୍ୟକ୍ତି ତଥା ଆଦିବାସୀ କାର୍ଡ ଖେଳିବାକୁ ପ୍ରୟାସ କରିଥିବା ମୋହନଙ୍କ ନାମ ଚୟନରୁ ବୁଝାପଡ଼ୁଛି। ଏଥିସହିତ ଭାଜପାର ଉଚ୍ଚ ପଦବୀଧାରୀଙ୍କ ମୂଳକୁ ଦେଖିଲେ ଏହାର ବୈଚାରିକ ଉପଦେଷ୍ଟା ଭାବେ ଜଣାଶୁଣା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଲିଙ୍କ୍‌ ଥିବା ବ୍ୟକ୍ତିଙ୍କୁ ଅବସ୍ଥାପିତ କରାଯାଇଥାଏ। ମୋହନ ସେହିଭଳି ବାଟ ଦେଇ ଆସିଥିବା ବେଳେ ବୃତ୍ତିଗତ ଜୀବନ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତାରୁ ଆରମ୍ଭ କରିଥିଲେ। ରାଜନୀତି କ୍ଷେତ୍ରକୁ ପ୍ରବେଶ କରି ସରପଞ୍ଚ ହେବାଠାରୁ ପରବର୍ତ୍ତୀ ସମୟରେ ୨୦୦୦, ୨୦୦୪, ୨୦୧୯ ଓ ୨୦୨୪ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୯ ନିର୍ବାଚନରେ ସେ ଜିତି ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ବେଳେ ଅଧିକାଂଶ ସମୟରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇ ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସମସ୍ତଙ୍କୁ ନେଇ କିଭଳି ଶାସନ ଚଳାଇବେ ତାହାକୁ ରାଜ୍ୟବାସୀ ଅନେଇ ରହିବା ସ୍ୱାଭାବିକ।
ପ୍ରଥମ ଥର ପାଇଁ ଭାଜପା କ୍ଷମତାକୁ ଆସିଥିବାରୁ ଯେଉଁ ବିଷୟଟି ଆଉ ଏକ ଘଟଣାକୁ ଜନ୍ମ ଦେଇଛି, ତାହା ହେଲା ରାଜ୍ୟରେ ପ୍ରଥମ ଥର ପାଇଁ ଦୁଇ ଉପମୁଖ୍ୟମନ୍ତ୍ରୀ ପଦବୀ ସୃଷ୍ଟି କରାଯିବା। ଅନ୍ୟତମ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଥମ ଥର ପାଇଁ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡ଼ାଙ୍କୁ ଚୟନ କରାଯାଇଛି। ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ଦଳୀୟ ସମନ୍ବୟ ରକ୍ଷା ସକାଶେ କସରତ କରାଯାଇଥିବା ବୁଝା ପଡ଼ିଯାଉଛି।
ଓଡ଼ିଶାରେ ଆଞ୍ଚଳିକ ଦଳ ଦୀର୍ଘ ଶାସନ କରି ରାଜ୍ୟବାସୀଙ୍କୁ ଯେଉଁ ସୁବିଧା ଦେଇଥିଲା, ତାହାକୁ ଜାତୀୟ ଦଳ ଭାଜପା ସରକାର କେତେଦୂର ବଜାୟ ରଖିବ କିମ୍ବା ପୂର୍ବାପେକ୍ଷା ଆହୁରି ଅଧିକ ଜନସାଧାରଣଙ୍କ ନିକଟତର ହେବ, ସେ ବିଷୟରେ ଏବେଠୁ କହିବା କଷ୍ଟକର। ତେବେ ନୂଆକୁ ସର୍ବଦା ସ୍ୱାଗତ କରାଯିବା ଦରକାର। ପୁରୁଣା ହେଲେ ଯାଇ କରାମତି ଜଣାପଡ଼ିବ।

  • ତଥାଗତ ସତପଥୀ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri