ପଚାପାଣିରେ ସାଲୁବାଲୁ ପୋକ

ଢେଙ୍କାନାଳ ଅଫିସ,୨୪।୪: ଆବର୍ଜନାରେ ଭର୍ତ୍ତିହୋଇଛି ଡ୍ରେନ୍‌। ଜଳ ନିଷ୍କାସନ ପଥକୁ ଜାମ୍‌ କରି ରଖିଛି ପଲିଥିନ, ଥର୍ମୋକୁଲ ଭଳି ବିପଜ୍ଜନକ ବର୍ଜ୍ୟ। ଜମି ରହିଥିବା ପାଣି ପଚିଗଲାଣି। ଲାଙ୍ଗୁଡ଼ିଆ ପୋକ ସାଲୁବାଲୁ ହେଉଛନ୍ତି। ବର୍ଷା ହେଲେ ପାଣି ଉଛୁଳିଲେ ପୋକସବୁ ରାସ୍ତାଘାଟ, ଘର ସବୁଆଡ଼େ ଚାଲୁଛନ୍ତି। ଅସଜଡ଼ା ପରିମଳ ବ୍ୟବସ୍ଥାର ଏଭଳି ସାଂଘାତିକ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ। ପୌରାଞ୍ଚଳ ସଫେଇରେ ମାସକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଖାତାରେ ହିସାବ ଗଡୁଥିବାବେଳେ ଏଭଳି ଦୃଶ୍ୟ ବାସ୍ତବତା ବଖାଣୁଛି। ସଫେଇ କାର୍ଯ୍ୟ ଠିକାସଂସ୍ଥା ହାତରେ ଟେକି ଦେଇ ପୌରସଂସ୍ଥା ନିଘୋଡ଼ ନିଦରେ ଶୋଇପଡ଼ିଥିବାବେଳେ ଏହାର ଫଳ ସହରବାସୀ ଭୋଗୁଥିବା ଅଭିଯୋଗ ହୋଇଛି।
ସୌନ୍ଦର୍ଯ୍ୟରେ ଢେଙ୍କାନାଳ ସହର ହେବ ୧ନଂ.। ଚକାଚକ୍‌ କରିବ ଡ୍ରେନ୍‌। ସହରର କେଉଁଠି ସାମାନ୍ୟ ଅଳିଆ ପଡ଼ିବାକୁ ଦିଆଯିବ ନାହିଁ। ସହରବାସୀ ସୁସ୍ଥ ପରିବେଶରେ ରହିବେ। ପୌର ପରିଷଦ ବୈଠକରେ ଏଭଳି ଲମ୍ବାଚଉଡ଼ା ଭାଷଣ ଶୁଣିବାକୁ ମିଳୁଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ। ସହରାଞ୍ଚଳର କୌଣସି ଗୋଟିଏ ଓ୍ବାର୍ଡରେ ପରିମଳ ବ୍ୟବସ୍ଥିତ ହୋଇପାରୁନାହିଁ। ସବୁଠି କୁଢ଼ କୁଢ଼ ଅଳିଆ ଆବର୍ଜନା ରାସ୍ତାକଡ଼ରେ ଗଦା ହୋଇ ରହିଥିବା ଦେଖିବାକୁ ମିଳୁଛି। ନିକଟରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଅସରାଏ ବର୍ଷା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇ ଦେଇଛି। ଡ୍ରେନେଜ୍‌ ଆବର୍ଜନାମୁକ୍ତ ହୋଇପାରି ନ ଥିବାରୁ ଦୁର୍ଗନ୍ଧରେ ନାକ ଫାଟୁଛି। ଏସବୁ ସମସ୍ୟା ପଛରେ ଜନପ୍ରତିନିଧିଙ୍କ ଉଦାସୀନତାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ। ସହର ସଫେଇରେ ନିୟୋଜିତ ଠିକା ସଂସ୍ଥା ପ୍ରତି କୋହଳ ମନୋଭାବ ହିଁ ଏଭଳି ଅବ୍ୟବସ୍ଥାକୁ ଡାକି ଆଣିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସହରରେ ମାସକୁ ସଫେଇରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଠିକାସଂସ୍ଥା ମନମାନି ଚଳାଇଛି। ପୌରସଂସ୍ଥା ଅଧିକାରୀ, କର୍ମଚାରୀ, ସ୍ଥାନୀୟ ଜନପ୍ରତିନିଧିଙ୍କ ଛତ୍ରଛାୟାତଳେ ରହି ସଫେଇ କାର୍ଯ୍ୟକୁ ଅଣଦେଖା କରି ଚାଲିଛି। ବିଶେଷ କରି ୨ନଂ. ଓ ୩ନଂ. ୱାର୍ଡ ପୂର୍ତ୍ତ ବିଭାଗ ରାସ୍ତାର କୁଞ୍ଜକାନ୍ତ ମନ୍ଦିର ସମ୍ମୁଖ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖ, ଆୟକର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ହଟୁ ନ ଥିବାରୁ ଅସ୍ବାଭାବିକ ପରିବେଶ ସୃଷ୍ଟି ହୋଇଛି। ୨୨ନଂ. ୱାର୍ଡର ଡ୍ରେନ୍‌ ପୋକ ସାଲୁବାଲୁ ହେଉଛି। ୧୦ନଂ. ୱାର୍ଡରେ ସ୍ଥିତି ବିଗିଡ଼ିଯିବା ପରେ ଜନ ଅସନ୍ତୋଷ ତେଜିଥିଲା। ଫଳରେ ରବିବାର ପୂର୍ବାହ୍ନ ୧୦ଟାରେ ପୌର ନିର୍ବାହୀ ଅଧିକାରୀ ନିଜେ ଉପସ୍ଥିତ ରହି ଡ୍ରେନ୍‌ ସଫେଇ କରିଥିଲେ। ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ୩ନଂ. ୱାର୍ଡ ଲଳିତନଗର ଅଞ୍ଚଳରେ। ଏଠାରେ ମଧ୍ୟ ଡ୍ରେନର ମଇଳା ପାଣି ନିଷ୍କାସନ ହେବା ପାଇଁ ବାଟ ପାଉନାହିଁ। ମୁକୁଳା ଡ୍ରେନ୍‌ ଜନସାଧାରଣ, ବୁଲାପ୍ରାଣୀଙ୍କ ପାଇଁ ବିପଦର କାରଣ ପାଲଟିଛି। ଏ ସମ୍ପର୍କରେ ସ୍ଥାନୀୟ କାଉନସିଲରଙ୍କଠାରୁ ଆରମ୍ଭ କରି ପୌରଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମସ୍ତେ ଏହାକୁ ଅତି ହାଲୁକା ଭାବେ ନେଇ ପ୍ରସଙ୍ଗ ଏଡ଼ାଇ ଯାଉଛନ୍ତି। ଫଳରେ ପୌର ନିର୍ବାଚନ ପରେ ସଫେଇ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ସହରବାସୀ ଯେଉଁ ଆଶା ରଖିଥିଲେ, ତାହା ଫସର ଫାଟିବା ଭଳି ଦୃଶ୍ୟମାନ ହେଉଛି। ଅନ୍ୟପଟେ ଠିକାସଂସ୍ଥାର ସଫେଇ କାର୍ଯ୍ୟକୁ ସମୀକ୍ଷା କରିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ନିର୍ବାଚିତ ପ୍ରତିନିଧି ଆଗଭର ହେଉନାହାନ୍ତି। ତେଣୁ ସାରା ସହରରେ ଏଭଳି ପୁତ୍ତିଗନ୍ଧମୟ ସ୍ଥିତି ଉପୁଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର କୁହନ୍ତି, ରବିବାର ଛୁଟି ସତ୍ତ୍ୱେ ଅଭିଯୋଗ ପାଇବା ପରେ ୧୦ନଂ. ୱାର୍ଡରେ ନିଜେ ଛିଡା ହୋଇ ସଫେଇ କାର୍ଯ୍ୟ କରିଥିଲେ। ୨ନଂ. ଓ ୩ନଂ. ୱାର୍ଡରେ ରାସ୍ତାରେ ଗଦା ହୋଇଥିବା ଅଳିଆକୁ ସୋମବାର ସକାଳ ସୁଦ୍ଧା ଉଠାଇ ଦିଆଯିବ। ୨୨ନଂ. ୱାର୍ଡରେ ଡ୍ରେନ୍‌ ଅବସ୍ଥା ଦେଖି ଆସିଛନ୍ତି। ସୋମବାର ଉକ୍ତ ଡ୍ରେନ ସଫା କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?