ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହୋଇଛି। ଆଶା ଥିଲା, ଏହି ଆଲୋଚନାରେ ଉଭୟ ରାଷ୍ଟ୍ର ସକାରାତ୍ମକ ନିଷ୍କର୍ଷ ବାହାର କରିବେ, ଯଦ୍ଦ୍ବାରା କେବଳ ମଧ୍ୟପ୍ରାଚ୍ୟ, ଉପସାଗରୀୟ ଅଞ୍ଚଳ ନୁହେଁ, ସମଗ୍ର ବିଶ୍ବ ଶାନ୍ତିରେ ନିଃଶ୍ବାସ ମାରିବ। କିନ୍ତୁ ତାହା ସଫଳ ହେଲା ନାହିଁ। ଯଦି ଇରାନ-ଇସ୍ରାଏଲ,ଆମେରିକା ଯୁଦ୍ଧର ବିଭୀଷିକାକୁ ଦେଖିବା, ତେବେ ପ୍ରଥମେ ନଜର ଆସିବ ଇରାନର ମିନାବରେ ଥିବା ଶାଜାରେହ ତୟେବେହ ପ୍ରାଥମିକ ବିଦ୍ୟାଳୟ ଉପରେ ହୋଇଥିବା ଅମାନବୀୟ କ୍ଷେପଣାସ୍ତ୍ର ଆକ୍ରମଣରେ ପାଖାପାଖି ୧୮୦ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରେ ସଂଖ୍ୟାଧିକ ହେଉଛନ୍ତି ପିଲା। ଚଳିତ ଇରାନ୍ ଓ ଇସ୍ରାଏଲ- ଆମେରିକା ଯୁଦ୍ଧରେ ଏହା ଏକ ଅତ୍ୟନ୍ତ ଅମାନବୀୟ ଘଟଣା। ସେହିପରି ଆଫ୍ଗାନିସ୍ତାନ- ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କାବୁଲର ଏକ ଡାକ୍ତରଖାନା ଉପରେ ପାକିସ୍ତାନୀ ବିମାନ ଆକ୍ରମଣ ଯୋଗୁ ଅତିକମ୍ରେ ୪୦୦ ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ସଂଖ୍ୟାଧିକ ହେଉଛନ୍ତି ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ଚିକିତ୍ସକ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ବିଶ୍ୱାୟନ ସହାୟତାରେ ମାନବ ସଭ୍ୟତା ପ୍ରଗତିର ଅଭୂତପୂର୍ବ ଶିଖର ଆଡ଼କୁ ଅଗ୍ରସର ହେଉଥିବା ବେଳେ ବିଶ୍ୱର ଅନେକ ସ୍ଥାନରେ ଏହିଭଳି ଯୁଦ୍ଧର ଉନ୍ମାଦ ମାନବିକ ମୂଲ୍ୟବୋଧକୁ ଦଳିଦେଉଛି। ଏହା ଏକ ଗଭୀର ଯନ୍ତ୍ରଣାଦାୟକ ବିରୋଧାଭାସ। ଯେତେବେଳେ ମାନବଜାତି ମହାକାଶରେ ଗ୍ରହ, ଉପଗ୍ରହ ଓ ନକ୍ଷତ୍ରରେ ଜୀବନ ଖୋଜୁଛି ଏବଂ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଜୀବନକୁ ସହଜ କରୁଛି, ସେତେବେଳେ ମଣିଷ-ମଣିଷ ଭିତରେ ହିଂସା, ପ୍ରତିଶୋଧ, କ୍ରୋଧ, ଘୃଣା ଏବଂ ଆଧିପତ୍ୟର ପ୍ରବୃତ୍ତି ଏତେ ଶକ୍ତିଶାଳୀ ହୋଇଛି ଯେ ଏହା ନିଜ ଅସ୍ତିତ୍ୱର ମୂଳଦୁଆ ଧ୍ୱଂସ କରିବାକୁ ପ୍ରସ୍ତୁତ ହେଉଛି। ଗାଜାରୁ ୟୁକ୍ରେନ୍ ଏବଂ ଇରାନ୍ରୁ ଆଫ୍ଗାନିସ୍ତାନ ପର୍ଯ୍ୟନ୍ତ ଯୁଦ୍ଧ ଦୃଶ୍ୟ ସୂଚାଇଦିଏ ଯେ ଆଧୁନିକ ସଭ୍ୟତାର ଉଜ୍ଜ୍ୱଳତା ତଳେ ଗଭୀର ଅନ୍ଧକାର ରହିଛି, ଯେଉଁଥିରେ ସମ୍ବେଦନଶୀଳତା ଶ୍ୱାସରୁଦ୍ଧ ହେଉଛି।
ଯୁଦ୍ଧର ଦୁଃଖଦ ଦିଗଟି ହେଉଛି ଏହାର ମୂଲ୍ୟ ସେହିମାନେ ବହନ କରନ୍ତି, ଯାହାଙ୍କର ଯୁଦ୍ଧ ସହ କୌଣସି ସିଧାସଳଖ ସମ୍ପର୍କ ନାହିଁ। ନିର୍ଦ୍ଦୋଷ ସାଧାରଣ ନାଗରିକ, ମହିଳା, ଶିଶୁ ଏବଂ ବୃଦ୍ଧ ସମସ୍ତେ ଏହି ହିଂସାର ଶିକାର ହୁଅନ୍ତି। କାବୁଲର ଏକ ହସ୍ପିଟାଲକୁ ଟାର୍ଗେଟକରି ହୋଇଥିବା ପାକିସ୍ତାନର ବିମାନ ଆକ୍ରମଣ କେବଳ ଏକ ସାମରିକ କାର୍ଯ୍ୟ ନୁହେଁ, ବରଂ ମାନବତା ବିରୋଧରେ ଏକ ଗମ୍ଭୀର ଅପରାଧ। ଯେତେବେଳେ ଜୀବନ ରକ୍ଷାର ପ୍ରତୀକ ଏକ ହସ୍ପିଟାଲ ଧ୍ୱଂସର କେନ୍ଦ୍ର ହୋଇଯାଏ, ଏହା କେବଳ ନିୟମ ଉଲ୍ଲଂଘନ ନୁହେଁ ବରଂ ସଭ୍ୟତାର ଆତ୍ମା ଉପରେ ଏକ ଜଘନ୍ୟ ଆକ୍ରମଣ। ୪୦୦ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ୪୦୦ ପରିବାରର ଧ୍ୱଂସର କାହାଣୀ, ୪୦୦ ସ୍ବପ୍ନ ଭାଙ୍ଗିଯିବାର ଯନ୍ତ୍ରଣା। ମିନାବ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଚାଲୁଥିବା ବେଳେ ସେଠାରେ କ୍ଷେପଣାସ୍ତ୍ର ଆକ୍ରମଣରେ ମୃତ୍ୟୁ ଲଭିଥିବା କୋମଳମତି ପିଲା ଜୀବନ ବୁଝିବା ପୂର୍ବରୁ ସେମାନଙ୍କ ଜୀବନ ପ୍ରଦୀପ ଲିଭିଗଲା।
ଏହାଦ୍ବାରା କାହାର କ’ଣ ଲାଭ ହେଲା ତାହା ତ କହିହେବ ନାହିଁ, କିନ୍ତୁ ସେତିକିଟି ପରିବାରର ସଦସ୍ୟମାନେ ଜିଇ ଥାଉ ଥାଉ ଶବ ପାଲଟିଗଲେ।
ଜେନେଭା ସମ୍ମିଳନୀ ଚୁକ୍ତିନାମା ମାଧ୍ୟମରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଆଇନ ଏବଂ ଯୁଦ୍ଧର ନିୟମଗୁଡ଼ିକରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ଯୁଦ୍ଧ ସମୟରେ ସାଧାରଣ ନାଗରିକ, ହସ୍ପିଟାଲ, ସ୍କୁଲ ଏବଂ ଶରଣାର୍ଥୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯିବ ନାହିଁ। ଯୁଦ୍ଧର ଭୟାବହତା ମଧ୍ୟରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୀମାରେ ମାନବିକ ମର୍ଯ୍ୟାଦା ବଜାୟ ରଖାଯିବ। ତଥାପି ଆଜି ଏହି ନିୟମଗୁଡ଼ିକ ଯେଉଁ ନିର୍ଲଜତାର ସହିତ ଉଲ୍ଲଂଘନ କରାଯାଉଛି ତାହା ଚିନ୍ତାଜନକ। ଏହା କେବଳ ନିୟମ ପ୍ରତି ଅବମାନନା ନୁହେଁ, ବରଂ ଏହା ଦର୍ଶାଉଛି ଯେ କ୍ଷମତା ଏବଂ ପ୍ରଭୁତ୍ୱର ରାଜନୀତି ନୈତିକତାକୁ ସମ୍ପୂର୍ଣ୍ଣ ଭାବରେ ଅତିକ୍ରମ କରିସାରିଛି। ଯୁଦ୍ଧର ଅନ୍ତର୍ନିହିତ କାରଣଗୁଡ଼ିକୁ ଯାଞ୍ଚ କରିବା ଦ୍ୱାରା ଜଣାପଡ଼େ ଯେ ଏହା କେବଳ ସୀମା କିମ୍ବା ସମ୍ବଳ ପାଇଁ ସଂଘର୍ଷ ନୁହେଁ, ବରଂ ଏଥିରେ ରାଜନୈତିକ ମହତ୍ତ୍ୱାକାଂକ୍ଷା, ଧାର୍ମିକ ଅସହିଷ୍ଣୁତା, ଆର୍ଥିକ ସ୍ବାର୍ଥ ଏବଂ ବିଶ୍ୱ କ୍ଷମତା ସନ୍ତୁଳନର ଜଟିଳତା ସାମିଲ ଅଛି। ଜୋର୍ ଯା’ର, ମୁଲକ ତା’ର ନ୍ୟାୟରେ ବଳି ପଡ଼ିଯାଉଛି ମାନବ ମୂଲ୍ୟବୋଧ ଓ ମଣିଷପଣିଆ। ବାସ୍ତବରେ, ଯୁଦ୍ଧ କେବଳ ସୀମାରେ ଲଢ଼ାଯାଏ ନାହିଁ; ଏହାର ଗଭୀର କ୍ଷତ ମାନବତାର ଆତ୍ମା ଉପରେ ଲାଗେ। ଏହା କହିବା ଭୁଲ୍ ହେବ ନାହିଁ ଯେ ଆଜିର ବିଶ୍ୱ ଏପରି ଏକ ସମୟରେ ଠିଆ ହୋଇଛି, ଯେଉଁଠାରେ ପ୍ରଗତି ବିଷୟରେ ବହୁ ଆଲୋଚନା ହେଉଛି, କିନ୍ତୁ ତା’ ଭିତରେ ବିନାଶର ପାଦଚିହ୍ନ ସ୍ପଷ୍ଟ ଭାବରେ ଶୁଣାଯାଉଛି। ସମ୍ପ୍ରତି ବିଶ୍ବରେ ସଂଘଟିତ ହୋଇଥିବା ଯୁଦ୍ଧ କେବଳ ଦୁଇ କିମ୍ବା ତିନୋଟି ଦେଶର ସୀମା ମଧ୍ୟରେ ସୀମିତ ନୁହେଁ; ଏହା ବିଶ୍ୱ ଅର୍ଥନୀତି, ମାନବ ସମ୍ବେଦନଶୀଳତା ଏବଂ ଆଗାମୀ ପିଢ଼ିର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରୁଛି। ଇତିହାସ ସାକ୍ଷୀ ଅଛି ଯେ ଯୁଦ୍ଧ କେବେ ବି କୌଣସି ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ଯୁଦ୍ଧ କେବଳ ଆଉ ଏକ ନୂତନ ଯୁଦ୍ଧର ବୀଜ ବୁଣେ। ଯୁଦ୍ଧରେ ଯଦି କିଏ ହାରେ, ତାହା ହେଉଛି ମାନବତା।
ସତ୍ୟ ହେଉଛି ଯେ ଯୁଦ୍ଧଭୂମିରେ ବାରୁଦର ଗନ୍ଧ ମଧ୍ୟରେ, କରୁଣା ଏବଂ ଦୟା ପ୍ରଥମେ ବଳିଦାନ ଦିଆଯାଏ। ଯେତେବେଳେ ବୋମା ପଡ଼ିଥାଏ, ସେମାନେ ଦେଖନ୍ତି ନାହିଁ ଯେ ତଳେ କିଏ ଅଛି। ଧ୍ୱଂସାବଶେଷ ଗଦା ଉପରେ କାନ୍ଦୁଥିବା ପିଲାମାନେ, ପ୍ରିୟଜନଙ୍କୁ ହରାଇଥିବା ମହିଳାମାନେ ଏବଂ ଅସହାୟ ବୃଦ୍ଧ ବ୍ୟକ୍ତିମାନେ ଯୁଦ୍ଧ କେତେ ନିଷ୍ଠୁର ହୋଇପାରେ ତାହାର ଜୀବନ୍ତ ପ୍ରମାଣ। ଆଜି ଖେଳଣା ସହ ଖେଳିବାକୁ ଚାହୁଁଥିବା ପିଲାମାନେ ଘୃଣା ଏବଂ ବିନାଶର ସ୍ମୃତି ସହ ରହିଯାଇଛନ୍ତି। ଯେଉଁ ଦେଶକୁ ନିର୍ମାଣ କରିବାକୁ ଦଶନ୍ଧି ଦଶନ୍ଧି ଧରି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ, ଯୁଦ୍ଧରେ ତାହା ନିମିଷକ ମଧ୍ୟରେ ଧ୍ୱଂସପ୍ରାପ୍ତ ହୋଇଯାଏ। ଦେଶ ବର୍ଷ ବର୍ଷ ପଛକୁ ଫେରିଯାଏ। ଯେତେବେଳେ ଦେଶଗୁଡ଼ିକ ନିଜ ସ୍ବାର୍ଥ ଉପରେ ଆଧାରିତ ନିଷ୍ପତ୍ତି ନିଅନ୍ତି, ସେମାନେ ପ୍ରାୟତଃ ମାନବିକ ମୂଲ୍ୟବୋଧକୁ ଅଣଦେଖା କରନ୍ତି। ଏହି ଧାରା ବିଶେଷ ଭାବରେ ବିପଦପୂର୍ଣ୍ଣ ହୋଇଯାଏ, ଯେତେବେଳେ ଶକ୍ତିଶାଳୀ ଦେଶଗୁଡ଼ିକ ସେମାନଙ୍କର ପ୍ରଭାବ ବ୍ୟବହାରକରି ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକୁ ପ୍ରଭାବହୀନ କରିଦିଅନ୍ତି। ଯେପରିକି ଜାତିସଂଘ ଭଳି ପ୍ରତିଷ୍ଠାନଗୁଡ଼ିକ ଏବେ କେବଳ ଦର୍ଶକ ହୋଇ ରହିଛନ୍ତି।
ଯୁଦ୍ଧର ଆଉ ଏକ ଭୟଙ୍କର ଦିଗ ହେଉଛି ଶରଣାର୍ଥୀ ସଙ୍କଟ। ଯେତେବେଳେ ଲୋକମାନେ ସେମାନଙ୍କ ଘରୁ ବିସ୍ଥାପିତ ହୁଅନ୍ତି ଏବଂ ଶରଣାର୍ଥୀ ଶିବିରରେ ରହିବାକୁ ବାଧ୍ୟ ହୁଅନ୍ତି, ସେତେବେଳେ ସେମାନଙ୍କ ଜୀବନ ଅସୁରକ୍ଷା, ଅଭାବ ଏବଂ ଅନିଶ୍ଚିତତାରେ ପରିପୂର୍ଣ୍ଣ ହୋଇଯାଏ। ଏହା କେବଳ ପିଢ଼ିଗତ ସଙ୍କଟ ନୁହେଁ, ବରଂ ଭବିଷ୍ୟତ ପାଇଁ ଏକ ଚ୍ୟାଲେଞ୍ଜ, କାରଣ ଏପରି ପରିବେଶରେ ବଢ଼ିବା ଶିଶୁ ଓ ମହିଳାମାନେ ପ୍ରାୟତଃ ହିଂସା ଏବଂ ଅସୁରକ୍ଷାର ଚକ୍ରରେ ଫସିଯାଆନ୍ତି। ଯୁଦ୍ଧ ପ୍ରତି ଏହି ସମ୍ବେଦନହୀନତା ଅତ୍ୟନ୍ତ ଚିନ୍ତାଜନକ। ଧର୍ମ, ଯାହା ମୌଳିକ ଭାବରେ ଶାନ୍ତି, କରୁଣା ଏବଂ ସହାବସ୍ଥାନର ପ୍ରଚାରକରେ, ରାଜନୀତି ଏବଂ କ୍ଷମତାର ଏକ ଉପକରଣ ଭାବରେ ବ୍ୟବହାର ହେଲେ ବିକୃତ ହୋଇଯାଏ। ଏହି ପରିସ୍ଥିତି କେବଳ ସମାଜକୁ ବିଭାଜନ କରେ ନାହିଁ ବରଂ ହିଂସାକୁ ବୈଧ କରିବା ପାଇଁ ମଧ୍ୟ କାମ କରେ। ଏହା ପ୍ରକୃତରେ ଆତ୍ମନିରୀକ୍ଷଣର ସମୟ। ଆମକୁ ବିଚାର କରିବାକୁ ପଡ଼ିବ ଯେ, ଆମର ପ୍ରଗତି ପ୍ରକୃତରେ ଆମକୁ ଅଧିକ ମାନବିକ କରୁଛି କି ନାହିଁ, ନା ଆମେ କେବଳ ଅଧିକ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ନୈତିକ ଭାବରେ ପ୍ରତିକୂଳ ହେଉଛୁ। ଯଦି ମାନବତାକୁ ବଞ୍ଚିବାକୁ ଅଛି, ତେବେ ଆମକୁ ଯୁଦ୍ଧର ଉନ୍ମାଦରୁ ଉପରକୁ ଉଠି ଶାନ୍ତି, ସହାବସ୍ଥାନ ଏବଂ କରୁଣାର ପଥ ଗ୍ରହଣ କରିବାକୁ ପଡ଼ିବ।
ପ୍ରକାଶ ତ୍ରିପାଠୀ
ମୋ: ୬୩୭୦୫୩୭୩୭୯

