ଯୁଦ୍ଧ ଉପାର୍ଜିତ ପୁରସ୍କାର

ନୋବେଲ୍‌ ପୁରସ୍କାର’ ବିଶ୍ୱର ସର୍ବୋଚ୍ଚ ସମ୍ମାନ ରୂପେ ପରିଗଣିତ। କିଏ ସେ ନୋବେଲ୍‌? କାହିଁକି ବା ତାଙ୍କ ନଁାରେ ଏପରି ସର୍ବୋଚ୍ଚ ପୁରସ୍କାର ଦେବାର ଘୋଷଣା କରାଗଲା? ଏହାର ଇତିହାସ ଅନେକଟା ଦୁଃଖଦ, ଯାହାକୁ ସୁଖଦ କରିବାକୁ ବିଶ୍ୱଦରବାରରେ ବାରମ୍ବାର ଚେଷ୍ଟା କରାଯାଇଛି। ବିଧିର ବିଧାନ କିନ୍ତୁ ଚାହିଁଛି ପୃଥକ୍‌ ପରିଣତି। କ୍ରମେ ପୁରସ୍କାରଟି ନାନାଆଡୁ ଦୁଃଖକୁ ହିଁ ସାଉଁଟି ଆଣିଛି।
ସାର୍‌ ଆଲଫ୍ରେଡ୍‌ ନୋବେଲ୍‌। ୧୮୩୩ ମସିହାରେ ଜନ୍ମ ନିଅନ୍ତି ସ୍ବିଡେନ୍‌ରେ। ରସାୟନ ବିଜ୍ଞାନରେ ବ୍ରତୀ। ୧୮୬୬ରେ ଆବିଷ୍କାର କରନ୍ତି ମାରାତ୍ମକ ବିସ୍ଫୋରକ ‘ଡିନାମାଇଟ୍‌’। ୧୮୬୭ରେ ସେ ‘ଡିନାମାଇଟ୍‌’ର ପେଟେଣ୍ଟ କରିନିଅନ୍ତି। ଅର୍ଥାତ୍‌ ଏହାର ବିକ୍ରି ଲବ୍‌ଧ ଅର୍ଥ ଉପରେ ତାଙ୍କର ଏକଚାଟିଆ ଅଧିକାର ରହେ। ରୋଜଗାରର ସୁଅ ଛୁଟେ। ତାହା ତାଙ୍କୁ ସୁନାମ ସହିତ ସମପରିମାଣର ଦୁର୍ନାମ ମଧ୍ୟ ଆଣି ଦିଏ। ବିଭିନ୍ନ ଖବରକାଗଜ ଓ ଗଣମାଧ୍ୟମ ସାର୍‌ ଆଲ୍‌ଫ୍ରେଡ୍‌ଙ୍କୁ ‘ମୃତ୍ୟୁର ସୌଦାଗର’ ବୋଲି ବର୍ଣ୍ଣନା କରନ୍ତି। କାରଣ ‘ଡିନାମାଇଟ୍‌’ ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ମାତ୍ରାଧିକ ଭାବେ ବଢ଼ିଚାଲେ।
ଏ ଅବତାରଣା ଆଲ୍‌ଫ୍ରେଡ୍‌ଙ୍କୁ ବହୁତ ବାଧେ। ସେ ମର୍ମାହତ ହୁଅନ୍ତି। ତାଙ୍କ ଡିନାମାଇଟ ଉପାର୍ଜିତ ଅର୍ଥକୁ କୌଣସି କଲ୍ୟାଣକାରୀ କାମରେ ଉପଯୋଗ କରିବା ପାଇଁ ସିଦ୍ଧାନ୍ତ ନିଅନ୍ତି। ‘ମୃତ୍ୟୁର ବର୍ଷେ ପୂର୍ବରୁ, ୧୮୯୫ରେ ସେ ଗୋଟେ ଉଇଲ୍‌ କରି ତାଙ୍କର ସମସ୍ତ ଅର୍ଜିତ ଅର୍ଥକୁ ବିଶ୍ୱର କଲ୍ୟାଣ ନିମନ୍ତେ ଏକ ପାଣ୍ଠିକୁ ହସ୍ତାନ୍ତର କରନ୍ତି। ବିଶ୍ୱର ସର୍ବଶ୍ରେଷ୍ଠ ସାହିତ୍ୟ କୃତି, ରସାୟନ ବିଦ୍ୟା, ପଦାର୍ଥ ବିଜ୍ଞାନ ଓ ଭେଷଜ ବିଜ୍ଞାନରେ ଶ୍ରେଷ୍ଠ ଆବିଷ୍କାର/ଉଦ୍ଭାବନ ପାଇଁ ଅଲଗା ଅଲଗା ଚାରୋଟି ପୁରସ୍କାର ଦିଆଯିବ। ସେତେବେଳକୁ ପ୍ରାୟ ପ୍ରଥମ ବିଶ୍ୱଯୁଦ୍ଧ ଆଶଙ୍କାରେ ପ୍ରାକ୍‌ଯୁଦ୍ଧ ଅଶାନ୍ତି ଅଳ୍ପ ବହୁତେ ଅନୁଭୂତ ହୋଇଆସୁଥିଲା। ତେଣୁ ଶେଷକୁ ପଞ୍ଚମ ଶ୍ରେଷ୍ଠ ପୁରସ୍କାର ଭାବେ ନୋବେଲ ଶାନ୍ତି ପୁରସ୍କାରକୁ ମଧ୍ୟ ଯୋଡ଼ାଗଲା ଓ ଆଲ୍‌ଫ୍ରେଡ୍‌ଙ୍କ ମୃତ୍ୟୁର ଚାରିବର୍ଷ ପରଠାରୁ ୧୯୦୧ରୁ ଆରମ୍ଭ ହେଲା ‘ନୋବେଲ୍‌ ପୁରସ୍କାର’ ପ୍ରଦାନର ପର୍ବ।
୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ। ନୋବେଲ୍‌ ପୁରସ୍କାର ପରିଚାଳନା କମିଟି ଯୁଦ୍ଧର ବାସ୍ନା ବାରିପାରି, ଏହାର ୧୩ ବର୍ଷ ପୂର୍ବରୁ ଶାନ୍ତି ପୁରସ୍କାର ପ୍ରଦାନ ଆରମ୍ଭ କରିଥିଲେ। ତଥାପି ଯୁଦ୍ଧକୁ ବନ୍ଦ କରିପାରିଲେ ନାହିଁ। ଠିକ୍‌ ୨୦ ବର୍ଷ ପରେ, ପୁଣି ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ଭୟଙ୍କର ରୂପ ନିଏ। ୮୦ ବର୍ଷ ପରେ ଆଜି ଆମେ ତୃତୀୟ ବିଶ୍ୱଯୁଦ୍ଧର ଦ୍ୱାରଦେଶରେ ଉପନୀତ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା, ପର୍ଯ୍ୟାଲୋଚନା ଓ ପ୍ରଚେଷ୍ଟା ମଧ୍ୟ କରୁଛୁ।
ଦୁଇଦୁଇଟି ଭୟଙ୍କର ଯୁଦ୍ଧ କିପରି ପୁରସ୍କାର ପ୍ରଦାନ କରିବାରେ; ପ୍ରକାରାନ୍ତେ ଉପାର୍ଜନ କରାଇବାରେ ସମର୍ଥ ହୋଇପାରିଛି ସେ ବିଷୟରେ ଆଲୋକପାତ କରିବା। ଦ୍ୱିତୀୟ ବିଶ୍ୱଯୁଦ୍ଧର ପୃଷ୍ଠଭୂମିରେ ଗୁଣ୍ଟାର୍‌ ଗ୍ରାସ୍‌ ରଚନା କରନ୍ତି ଏକ ବହୁଚର୍ଚ୍ଚିତ ଉପନ୍ୟାସ, ‘ଦି ଟିନ୍‌ ଡ୍ରମ୍‌’। ୧୯୫୮ରେ ଏହା ପ୍ରକାଶିତ ହୁଏ, ଯାହାର ନାୟକ ଜଣେ ୧୩ ବର୍ଷର ବାଳକ; ନଁା ଓସ୍କାର ମାଜେରାଥ୍‌। ବାଳକଟି ଗୋଟିଏ ଡ୍ରମ୍‌ ବାଡ଼େଇ ଭର୍ତ୍ସନା କରୁଛି ବୟସ୍କମାନଙ୍କୁ। ଅର୍ଥାତ୍‌ ପ୍ରୌଢ଼ ବର୍ଗଙ୍କୁ ଯିଏ ଯୁଦ୍ଧର ମୁଖ୍ୟ ନେପଥ୍ୟ ନାୟକ ଓ ଯୁବ ବର୍ଗଙ୍କୁ, ଯେଉଁମାନେ ଯୁଦ୍ଧ ଲଢ଼ନ୍ତି। ଅନେକ ବର୍ଷ ପରେ ୧୯୯୯ ମସିହାର ସାହିତ୍ୟ ବିଭାଗରେ ନୋବେଲ୍‌ ପୁରସ୍କାର ପାଇଁ ଗୁଣ୍ଟାର ଗ୍ରାସ୍‌ଙ୍କର୨ଟି ଉପନ୍ୟାସ ‘ଦି ର଼୍ୟାଟ’ ଓ ‘ଦି ଟିନ୍‌ ଡ୍ରମ୍‌’ ନୋବେଲ୍‌ କମିଟିର ବିଚାର ପରିସରଭୁକ୍ତ ହୋଇଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରଠୁ ଆମେ ୮ଦଶନ୍ଧି ସମୟ ବିତେଇ ସାରିଲେଣି। ଏହା ମଧ୍ୟରେ ସାହିତ୍ୟ ଓ ଶାନ୍ତି ପାଇଁ ୮୦ଥର ନୋବେଲ୍‌ ପୁରସ୍କାର ଦିଆଯାଇଥିବ। ୧୯୬୯ରୁ ଆରମ୍ଭ ହୋଇଥିବା, ଅର୍ଥନୀତି ନୋବେଲ୍‌ ପୁରସ୍କାର ମଧ୍ୟ ପ୍ରାୟ ୫୫ ଥର ଦିଆସରିବଣି। ଏ ତିନି ଜାତିର ପୁରସ୍କାର ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ବିଚାର କରି ଦିଆଯାଇଥିବ। ହୁଏତ କେଉଁଠି ଛୋଟମୋଟ ଯୁଦ୍ଧ ଏ ପୁରସ୍କାର ପାଇଁ ଆଧାର ବି ସାଜିଥାଇ ପାରନ୍ତି। କିନ୍ତୁ କ୍ରମ ହେଲା, ପ୍ରଥମେ ଯୁଦ୍ଧ ପରବର୍ତ୍ତୀ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ; କିଛି ବର୍ଷ ମଧ୍ୟରେ ସେ ଘନଘଟାର ବର୍ଣ୍ଣନାତ୍ମକ ସାହିତ୍ୟ ସୃଷ୍ଟି ପାଇଁ ଓ ପରେ ପରେ ଯୁଦ୍ଧୋତ୍ତର ଅର୍ଥନୀତିରେ ସୁଧାର ଆଣିବାର ପ୍ରଚେଷ୍ଟା ପାଇଁ। ଯୁଦ୍ଧ ଉପାର୍ଜିତ ସାହିତ୍ୟ ନୋବେଲ୍‌ ପୁରସ୍କାରର ଆଖ୍ୟାୟିକା ତ ଶୁଣିଲେ। ଶାନ୍ତି ପୁରସ୍କାର କଥା ସମସ୍ତେ ଜାଣିଛନ୍ତି। ଜାତିସଂଘ ମଧ୍ୟ ପ୍ରତିଷ୍ଠା ହୋଇଛି ଶାନ୍ତି ପ୍ରତିଷ୍ଠା ପାଇଁ, ଯଦିଓ ଏହା ଆଜିଯାଏ ସକ୍ରିୟ ହୋଇପାରି ନାହିଁ। ଯୁଦ୍ଧୋତ୍ତର ପୃଥିବୀରେ ନିଶ୍ଚୟ କେଉଁଠି ନା କେଉଁଠି ଅର୍ଥନୀତିରେ ଭୂସ୍ଖଳନ ହେବାର ଆଶଙ୍କା ଥାଏ। ତାକୁ ସୁଧାରିବା ପାଇଁ ଯାଇ କେହି ମନୀଷୀ ଆସି ଅର୍ଥନୀତିରେ ସୁଧାର ଆଣିଲେ, ସେ ପୁଣି ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପାଇଁ ଦାବିଦାର ହୋଇଯାଆନ୍ତି। ବାଂଲାଦେଶର ମହମ୍ମଦ ୟୁନୁସ୍‌ ମଧ୍ୟ ଯୁଦ୍ଧୋତ୍ତର ଅର୍ଥନୀତିରେ ଏଭଳି ନୋବେଲ୍‌ ପୁରସ୍କାର ପାଇବାରେ ଦୃଷ୍ଟାନ୍ତ ସାଜିଛନ୍ତି। କିନ୍ତୁ ଅର୍ଥନୀତିରେ ନୋବେଲ ପୁରସ୍କାର ବିଚାର ଯେଉଁ କ୍ଷେତ୍ର ପାଇଁ ଦିଆଯାଏ, ତାହା ଲାଗି ପ୍ରଥମେ ଦେଶଟି ଦରିଦ୍ର ପଦବାଚ୍ୟ ହେବା ଉଚିତ।
ବର୍ତ୍ତମାନ ପୃଥିବୀରେ ରୁଷିଆ-ୟୁକ୍ରେନ୍‌, ଗାଜା-ଇସ୍ରାଏଲ କିମ୍ବା ଭାରତ-ପାକିସ୍ତାନ ଯୁଦ୍ଧର ନିଅଁା ପୂରାପୂରି ଲିଭିନାହିଁ। ସବୁଠାରେ କୁହୁଳୁଛି। ପୁଣି ଦକ୍ଷିଣ-ଉତ୍ତର କୋରିଆ ଓ ଚାଇନା-ତାଇୱାନରେ ଆଉ ଦୁଇଟି ଆସନ୍ନ ଯୁଦ୍ଧ କଳାହାଣ୍ଡିଆ ମେଘ ଭଳି ଘୋଟି ରହିଛି। କେତେବେଳେ ବର୍ଷିଯିବ କେହି ଜାଣିନାହାନ୍ତି। ସେପଟେ ପୁଣି ସାହିତି୍ୟକ ଗୋଷ୍ଠୀ ଚାହିଁ ବସିଥିବେ ଏହି ଯୁଦ୍ଧ ପୃଷ୍ଠଭୂମିକୁ ନେଇ ଦରଦୀ ସାହିତ୍ୟ ରଚନା ପାଇଁ, ଯାହା ପୁଣି କିଛି ବର୍ଷ ପରେ ସାହିତ୍ୟରେ ନୋବେଲ୍‌ ପୁରସ୍କାର ପାଇଁ ମନୋନୀତ ହେବ। ପୁଣି ୟୁକ୍ରେନ୍‌, ଗାଜା ବା ପାକିସ୍ତାନ ଭଳି ଯୁଦ୍ଧ ବିଧ୍ୱସ୍ତ ରାଷ୍ଟ୍ରର ଅର୍ଥନୀତିରେ ସୁଧାର ଆଣିବା ପାଇଁ ବିଶ୍ୱସ୍ତରରେ ନାନା ଚେଷ୍ଟା କରାଯିବ। ତାହା ହୁଏତ କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥାକୁ ନୋବେଲ୍‌ ଅର୍ଥନୀତି ପୁରସ୍କାର ପାଇବାରେ ସହାୟକ ହେବ।
ପୃଷ୍ଠଭୂମିରେ ଯୁଦ୍ଧରୁ ପରୋକ୍ଷରେ ଉପାର୍ଜିତ ହୋଇଥିବା, ଶାନ୍ତି, ସାହିତ୍ୟ ଓ ଅର୍ଥନୀତିର ତିନୋଟି ଯାକ ନୋବେଲ୍‌ ପୁରସ୍କାର ଗୋଟିଏ ଦେଶକୁ ଚାଲିଯିବାର ଆଶଙ୍କା ମଧ୍ୟ ରହିଛି। ମୃତ୍ୟୁର ଘନଘଟାରୁ ଦୁଃଖ ଉପାର୍ଜିତ ଅର୍ଥରେ ପ୍ରଦତ୍ତ ନୋବେଲ୍‌ ପୁରସ୍କାର ପୁଣି ଘୂରିବୁଲେ ସେହି ଦୁଃଖର ଭଉଁରି ଭିତରେ। ସୁଖ ସାଉଁଟିବାର ଆଶା ପରାହତ ହୁଏ। ଆମର ସହଜାତ ଯୁଦ୍ଧଖୋର ମନୋବୃତ୍ତି ଯୋଗୁ କୌଣସି ପ୍ରକାରେ ପ୍ରାୟୋଜିତ ଦୁଃଖ ଲଦି ଦିଆଯାଏ ପୃଥିବୀବାସୀଙ୍କ ଉପରେ।
ମୋ: ୯୪୩୭୦୪୫୫୪୭

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?