ସ୍ବେଚ୍ଛାକୃତ ଜନସେବା

ନିର୍ବାଚନ ସମୟରେ ଯେତେବେଳେ ନବୀନ ତଥା ପୁରାତନ ପ୍ରାର୍ଥୀମାନଙ୍କୁ ତାଙ୍କ ପ୍ରାର୍ଥିତ୍ୱ ସମ୍ବନ୍ଧରେ ଗଣମାଧ୍ୟମ ତରଫରୁ ପ୍ରଶ୍ନ କରାଯାଏ, ସେତେବେଳେ ଉତ୍ତରଟିଏ ମିଳେ ଯେ ଜନସେବାର ମହତ୍‌ ଉଦ୍ଦେଶ୍ୟ ନିମିତ୍ତ ସେମାନେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ଉକ୍ତିରୁ ଏହା ସ୍ପଷ୍ଟ ହୁଏ ଯେ ସତେଯେପରି ଜନସେବା ପାଇଁ ରାଜନୀତି ଏକ ଓ ଅଦ୍ୱିତୀୟ ବିକଳ୍ପ। ସେମାନଙ୍କ ମତରେ ଜନସେବା ଓ ରାଜନୀତି ପରସ୍ପର ପରିପୂରକ। ବିନା ରାଜନୀତିରେ ଜନସେବା ଅସମ୍ଭବ। ଉକ୍ତ ନିବନ୍ଧରେ ଆମେ କେତୋଟି ଦୃଷ୍ଟାନ୍ତକୁ ପରୀକ୍ଷଣ ପୂର୍ବକ ଜ୍ଞାତ ହେବା ଯେ ଜନସେବା ପାଇଁ ରାଜନୀତି କ’ଣ ବାସ୍ତବରେ ଅପରିହାର୍ଯ୍ୟ?
ସାଧାରଣରେ ଅସମ୍ଭବ ମନେହେଉଥିବା କାର୍ଯ୍ୟକୁ ସମ୍ଭବରେ ପରିଣତ କରିବାର ବିରଳ ଦୃଷ୍ଟାନ୍ତ କିଛି ଯୋଗଜନ୍ମାଙ୍କ ଭାଗ୍ୟରେ ହିଁ ଘଟିଥାଏ। କନ୍ଧମାଳ ଜିଲାର ପଥରମଣିଷ ଭାବେ ଖ୍ୟାତ ଜଳନ୍ଧର। ବଣ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଗାଁକୁ ନ ଥିଲା ସାଧାରଣ ପାଦଚଲା ରାସ୍ତାଟିଏ। ପାହାଡ଼ ପାର୍ଶ୍ୱଦେଇ ଯେଉଁ କ୍ଷୀଣ କଣ୍ଟକିତ ପଥଟିଥିଲା, ସେଥିରେ ବୁଲିବୁଲି ୨୫ କିଲୋମିଟରରୁ ଊଦ୍ଧର୍‌ବ ଦୂରତା ଅତିକ୍ରମ କରି ମୁଖ୍ୟ ରାସ୍ତା ଧରିବାକୁ ହେଉଥିଲା। ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ଚାରିକାନ୍ଧ ସହାୟତାରେ ଡାକ୍ତରଖାନା ନେବା କେବଳ କଷ୍ଟସାଧ୍ୟ ନ ଥିଲା, ବ୍ୟୟସାପେକ୍ଷ ମଧ୍ୟ ଥିଲା। ନିଜ ପରିବାରର ଜଣେ ସଦସ୍ୟଙ୍କର ଏପରି ଅବସ୍ଥାରେ ମୃତ୍ୟୁବରଣ କରିବାର ତିକ୍ତ ଅନୁଭୂତିରୁ ଜନ୍ମନେଲା ଏକ ଅଜବ ସଂକଳ୍ପ। ପାହାଡ଼କାଟି ରାସ୍ତା ନିର୍ମାଣ କରିବାର ପ୍ରତିବଦ୍ଧତା ନେଇ ଆଗେଇ ଚାଲିଲେ ଜଳନ୍ଧର। ପାହାଡ଼କାଟି ୬ବର୍ଷ ମଧ୍ୟରେ ଏକ ପାହାଡ଼ିଆ ରାସ୍ତା ନିର୍ମାଣରେ ସଫଳ ହେଲେ ଜଳନ୍ଧର। ନବନିର୍ମିତ ରାସ୍ତାଟି କେବଳ ପାଦଚଲା ମଣିଷ ନୁହେଁ ଗାଡିମୋଟର ଯାତାୟାତ ପାଇଁ ବେଶ୍‌ ସୁଗମ ହୋଇଛି। ଜଳନ୍ଧର ପଥର ମଣିଷ ମୁକୁଟରେ ବିମଣ୍ଡିତ ହୋଇଛନ୍ତି।
ସେହିପରି ନୟାଗଡ଼ ଜିଲା ଫୁଲୁରି ଗ୍ରାମର ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହେଲେ ହରି ବେହେରା। ଦୁର୍ଗମ ବଣ ପାହାଡ଼ଘେରା ଇଲାକାର ଶାନ୍ତ, ସରଳ ମଣିଷଟିଏ ସେ। ଘଞ୍ଚଜଙ୍ଗଲ ଓ ଉଚ୍ଚପାର୍ବତ୍ୟାଞ୍ଚଳ ଥିଲା ଗାଁକୁ ରାସ୍ତାନିର୍ମାଣର ପ୍ରମୁଖ ପ୍ରତିବନ୍ଧକ। ହରି ଗ୍ରାମବାସୀଙ୍କୁ ନେହୁରା ହେଲେ ମଧ୍ୟ ସାହାଯ୍ୟ ସହଯୋଗ ତ ଭିନ୍ନକଥା, ସାମାନ୍ୟ ଟିକେ ଅନୁକୂଳ ମନ୍ତବ୍ୟ ମଧ୍ୟ ଗ୍ରାମବାସୀଙ୍କଠାରୁ ମିଳିଲା ନାହିଁ। କେବଳ ତାଙ୍କ ବଡ଼ଭାଇ ଏଥିରେ ତାଙ୍କୁ ସହଯୋଗର ହାତ ବଢ଼ାଇଲେ। ସରକାରୀ ସହାୟତା ତ ଦୂରକଥା; ଅଧିକନ୍ତୁ କାମ ଆରମ୍ଭ ହେବା ମାତ୍ରକେ ବନବିଭାଗ ଦାଉସାଧିଲା। ହରିଙ୍କୁ ଥାନାରେ ଅଟକ ରଖାଗଲା। କଥା ହେଲା ଗ୍ରାମବାସୀ ଓ ଗ୍ରାମ ମୁଖିଆ ଅନୁମତି ପତ୍ରରେ ସ୍ବାକ୍ଷର କଲେ ହରି ସେ କାମରେ ଆଗେଇ ପାରିବେ। ଶେଷରେ ସମସ୍ତ ପ୍ରତିବନ୍ଧକ ଦୂର ହେଲା ଓ ରାସ୍ତାକାମ ଆରମ୍ଭ ହେଲା। ରାତି ପାହିବା କ୍ଷଣି ହରି ଓ ତାଙ୍କ ବଡ଼ଭାଇ ଗଇଁତି, ଶାବଳ, କୋଦାଳ ଓ ଅନ୍ୟାନ୍ୟ ଉପକରଣ ଧରି ରାସ୍ତାକାମରେ ଲାଗିଯାନ୍ତି। ରାସ୍ତାକାମ ଅଧାହେଲା ବେଳକୁ ହରି ବଡ଼ଭାଇଙ୍କର ଦେହାନ୍ତ ହେଲା। ଅବଶିଷ୍ଟ ଅଧାକାମକୁ ଏକାକୀ ହରି ୨୦୨୦ ରେ ପୂର୍ଣ୍ଣାଙ୍ଗ କଲେ। ହରି ଆଜି ସାମାନ୍ୟରୁ ସର୍ବମାନ୍ୟରେ ପରିଣତ ହୋଇପାରିଛନ୍ତି।
ଆଉଜଣେ ଦାନୀ, ଦରିଦ୍ରର ବନ୍ଧୁ ହେଉଛନ୍ତି ତାମିଲନାଡୁର କଲ୍ୟାଣସୁନ୍ଦରମ୍‌। ତାମିଲ ଭାଷାରେ ସ୍ନାତକ ଡିଗ୍ରୀ ହାସଲ କଲାପରେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଲାଇବ୍ରେରି ସାଇନ୍ସରେ ସ୍ନାତକୋତ୍ତର ପରେ ଟ୍ୟୁଟିକୋରିନ ଆର୍ଟସ କଲେଜରେ ଦୀର୍ଘ ୩୫ବର୍ଷ ସରକାରୀ ଚାକିରି କରି ୨୦୦୮ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିଗଟି ହେଲା ତାଙ୍କ ଦାନୀପଣିଆ। ନିଜେ ଅବିବାହିତ ରହିବା ସହ ସ୍ବଅର୍ଜିତ ସମସ୍ତ ବେତନ ଓ ପୈତୃକ ସମ୍ପତ୍ତିକୁ ଦୀନ ଦରିଦ୍ରଙ୍କୁ ଦାନ କରିଦେଇଛନ୍ତି। ‘ଇଣ୍ଟରନ୍ୟାଶନାଲ ଚିଲଡ୍ରେନ୍ସ ୱେଲଫେୟାର ଅର୍ଗାନାଇଜେଶନ’ନାମକ ଏକ ସଂସ୍ଥା ଗଠନକରି ତା’ ମାଧ୍ୟମରେ ଦରିଦ୍ର ଓ ଅନାଥ ପିଲାଙ୍କ ଉଦ୍ଦେଶ୍ୟରେ ସେ ତାଙ୍କର ସମସ୍ତ ବେତନ ଓ କର୍ମନିବୃତ୍ତି ପରେ ସମସ୍ତ ପେନ୍‌ସନ୍‌କୁ ଦାନ କରିଚାଲିଛନ୍ତି। ଭାରତ-ଚାଇନା ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ବେତାର ଭାଷଣ ଓ ସାହାଯ୍ୟ ପାଇଁ ଦେଶବାସୀଙ୍କୁ ଆହ୍ବାନରେ ଅନୁପ୍ରାଣିତ ହୋଇ ସେ ନିଜର ସୁନାଚେନକୁ ମୁଖ୍ୟମନ୍ତ୍ରୀ କାମରାଜଙ୍କ ହାତରେ ଅର୍ପଣ କରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ପୈତୃକ ଘରଡିହକୁ ଭୂମିହୀନଙ୍କୁ ଦାନକରି ଫୁଟ୍‌ପାଥକୁ ଆଶ୍ରୟସ୍ଥଳ ଭାବେ ଆଦରି ନେଇଛନ୍ତି। ଜାତିସଂଘ ତାଙ୍କୁ ‘ଜଣେ ମହାନ୍‌ବ୍ୟକ୍ତି’ ଭାବେ ସମ୍ବର୍ଦ୍ଧିତ କରିଛି। ଆମେରିକାର ଏକ ବୈଶ୍ୱିକ ସଂସ୍ଥା ତାଙ୍କୁ ‘ସହସ୍ରାବ୍ଦୀର ବ୍ୟକ୍ତିତ୍ୱ’ ଉପାଧିରେ ଭୂଷିତ କରି ୩୦କୋଟି ଟଙ୍କର ପୁରସ୍କାର ରାଶି ପ୍ରଦାନ କରିଛନ୍ତି, ଯାହାକୁ ସେ ଦୀନଜନଙ୍କ ସେବା ପାଇଁ ଉତ୍ସର୍ଗ କରିଛନ୍ତି। ପେଟପୋଷିବା ପାଇଁ ଏବେ କଲ୍ୟାଣସୁନ୍ଦରମ୍‌ ଏକ ହୋଟେଲରେ ଛୋଟମୋଟ କାମ ସହ ଏକ ଲଣ୍ଡ୍ରିରେ ସାମୟିକ କର୍ମ ସମ୍ପାଦନ କରୁଛନ୍ତି।
କେବଳ ଉପର ବର୍ଣ୍ଣିତ ବ୍ୟକ୍ତିବିଶେଷ ନୁହନ୍ତି ଭାରତର କୋଣ ଅନୁକୋଣରେ ଏପରି ମହାମାନବମାନେ ବଣମଲ୍ଲୀ ସଦୃଶ ତାଙ୍କର ସୌରଭ ବିକିରଣ କରିଚାଲିଛନ୍ତି, ଯେଉଁମାନଙ୍କର ହିସାବ ଆଜିର ସ୍ବାର୍ଥପର ଦୁନିଆ ପାଖରେ ନାହିଁ। ଏ ଦେଶରେ ଅନେକ ରିକ୍ସା ଓ ଅଟୋଚାଳକ ତଥା ଦିନମଜୁରିଆ ଅଛନ୍ତି, ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ସହ ସୁନାରୁପା ଥଳି ପାଇ ମଧ୍ୟ ଅତି ନିର୍ଲୋଭ ଭାବରେ ମାଲିକକୁ ସିଧାସଳଖ କିମ୍ବା ଥାନା ମାଧ୍ୟମରେ ଫେରାଇ ଦେବାର ବହୁ ନଜିର ରହିଛି। ଏ ଲେଖକର ହାଇସ୍କୁଲ ଶିକ୍ଷକମାନଙ୍କ ମଧ୍ୟରୁ ଅନ୍ୟତମ ଛାତ୍ରବତ୍ସଳ ବିଜ୍ଞ ଶିକ୍ଷକ ଥିଲେ ସ୍ବର୍ଗତ୍‌ ରାମ ସାର୍‌। ପ୍ରତ୍ୟହ ପ୍ରଭାତରେ ଗୋଟିଏ କୋଦାଳ ଓ ଝୁଡିଧରି ଘରୁ ବାହାରିଯାନ୍ତି। ଗ୍ରାମ ଶେଷରେ ଥିବା ମଶାଣି ସଂଲଗ୍ନ ଜମିରେ ଆରମ୍ଭ କରନ୍ତି ମାଟିଖୋଳା କାମ। ଅନ୍ୟର ସାହାଯ୍ୟ ଓ ସହଯୋଗକୁ ଉପେକ୍ଷା କରି ଏକାକୀ ଜନକଲ୍ୟାଣର ମହାମନ୍ତ୍ରରେ ଦୀକ୍ଷିତ ହୋଇ ଆଜି ଜଳାଶୟଟି ସୃଷ୍ଟି କରିପାରିଛନ୍ତି।
ଅଧୁନା ପ୍ରତ୍ୟହ ଯେତେବେଳେ ଗଣମାଧ୍ୟମରେ ଅନୀତି, ଦୁର୍ନୀତିପରାୟଣ ବ୍ୟକ୍ତି ବିଶେଷଙ୍କ କଳାକାରନାମା ତଥା ଅର୍ଥଶୋଷଣର ଘୃଣ୍ୟ ଖବର କର୍ଣ୍ଣଗୋଚର ହୋଇ ସାଧାରଣରେ ଭ୍ରୂକୁଞ୍ଚନ ସୃଷ୍ଟି କରୁଛି; ଠିକ୍‌ ସେହି ସମୟରେ କିଛି ଭଲଲୋକଙ୍କର ସ୍ବେଚ୍ଛାକୃତ ନିରୁତ ଜନସେବା ତଥା ପରୋପକାରର ଅକ୍ଷୟ ଦୃଷ୍ଟାନ୍ତ ବାସ୍ତବିକ ଅନୁକରଣୀୟ। ଏଠାରେ ବିଚାର୍ଯ୍ୟ ଜନସେବା ପାଇଁ ରାଜନୀତିକୁ ପାଥେୟ କରିବା ଏକମାତ୍ର ବିକଳ୍ପ କି ନୁହେଁ।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ-୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri