ଭିଟାମିନ୍‌ ଓ ସ୍ୱାସ୍ଥ୍ୟ

ଭାରତରେ ଅଧିକାଂଶ ଲୋକଙ୍କ ଅଭ୍ୟାସ ରହିଛି ଯଦି ସେମାନଙ୍କୁ କୌଣସି ରୋଗ ହୁଏ ଡାକ୍ତରଙ୍କ ପରାମର୍ଶ ନେବା ଅପେକ୍ଷା ଦୋକାନରୁ ଔଷଧ କିଣି ସେବନ କରିଥାଆନ୍ତି। ଆହୁରି କିଛି କ୍ଷେତ୍ରରେ ଦେଖାଯାଉଛି, ଡାକ୍ତର ଔଷଧ ପ୍ରେସ୍‌କ୍ରିପ୍‌ଶନ କରୁଥିବା ବେଳେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ କ୍ଲିନିକାଲ ଟେଷ୍ଟ୍‌ କିମ୍ବା ଭିଟାମିନ୍‌ ଲେଖିବା ଲାଗି ପ୍ରସ୍ତାବ ଦେଇଥାଆନ୍ତି। ଏଭଳି ବ୍ୟକ୍ତିମାନଙ୍କ ମନରେ ଧାରଣା ରହିଛି ଯେ, ଭିଟାମିନ୍‌ ଖାଇଦେଲେ ରୋଗ ଭଲ ହେବା ସହ ସେମାନେ ସୁସ୍ଥ ହୋଇଯିବେ। ଏପରି ମାନସିକତା ଠିକ୍‌ ନୁହେଁ ବୋଲି ଏବେ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜ (ଏମ୍‌ଏଏମ୍‌ସି) ଓ ରାମ ମନୋହର ଲୋହିଆ ହସ୍ପିଟାଲର ବିଶେଷଜ୍ଞମାନେ ଦେଇଥିବା ମତରୁ ସ୍ପଷ୍ଟ ବୁଝାପଡ଼ିଯାଉଛି। ସେମାନେ କହିଛନ୍ତି, ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖିବା ପରେ ଡାକ୍ତରଙ୍କ ଦ୍ୱାରା ଯଥାର୍ଥ ବୈଜ୍ଞାନିକ ପ୍ରମାଣସିଦ୍ଧ ଭିଟାମିନ୍‌ ବ୍ୟବହାର କରାଯିବା ଦରକାର। ବହୁ ପୁରୁଣା ରୋଗ ଲାଗି ପ୍ରତିଷେଧକ ଭାବେ ହେଉ କିମ୍ବା ଉତ୍ତମ ସ୍ବାସ୍ଥ୍ୟ ରକ୍ଷା ସକାଶେ ଅବିଚାରିତ ଭାବେ ଯେଭଳି ଭିଟାମିନ୍‌ ବ୍ୟବହାର କରାଯାଉଛି, ତାହାକୁ ବନ୍ଦ କରାଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଭାରତ ସମେତ ବିଶ୍ୱବ୍ୟାପୀ ମଲ୍ଟିଭିଟାମିନ୍‌ ବହୁଳ ଭାବେ ବ୍ୟବହୃତ ହେଉଥିବା ପରିପ୍ରେକ୍ଷୀରେ ବିଶେଷଜ୍ଞ ଡାକ୍ତରମାନେ ଏଭଳି ଚେତାବନୀ ଦେଇଛନ୍ତି। ଏଥିସହିତ ସେମାନେ କହିଛନ୍ତି ଯେ, ଭାରତ ଭିଟାମିନ୍‌ କିମ୍ବା ମିନେରାଲ ସପ୍ଲିମେଣ୍ଟ୍‌ସ ସକାଶେ ବୈଜ୍ଞାନିକ ପ୍ରମାଣସିଦ୍ଧ ନିୟମାବଳୀ ଆଣିବା ଦରକାର। ଏଥିଲାଗି ନ୍ୟୁଟ୍ରିଶନ, ଫାର୍ମାକୋଲୋଜି ଏବଂ ନିଦାନ କ୍ଷେତ୍ରର ବିଶେଷଜ୍ଞଙ୍କ ମଧ୍ୟରେ ସହମତି ଅଣାଯିବା ଉଚିତ ବୋଲି କୁହାଯାଇଛି।
ଅବିଚାରିତ ଭାବେ ଭିଟାମିନ୍‌ ବ୍ୟବହାର କରାଯାଉଥିବାରୁ ଶରୀର ଉପରେ ତାହାର ଘୋର ପ୍ରଭାବ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ସେଥିମଧ୍ୟରୁ ସାଧାରଣରେ ଭିଟାମିନ୍‌-‘ବି’ ବହୁଳ ମାତ୍ରାରେ ଲୋକେ ସେବନ କରୁଛନ୍ତି। ୟୁଏସ୍‌ ପ୍ରିଭେନ୍‌ଶନ ସର୍ଭିସ ଟାସ୍କଫୋର୍ସ (ୟୁଏସ୍‌ପିଏସ୍‌ଟିଏଫ୍‌) ଗତ ସପ୍ତାହରେ ହୃଦ୍‌ ସମ୍ବନ୍ଧୀୟ ଓ କର୍କଟ ରୋଗର ପ୍ରତିରୋଧକ ଭାବେ ବ୍ୟବହୃତ ଭିଟାମିନ୍‌, ମିନେରାଲ୍ସ ଓ ମଲ୍ଟିଭିଟାମିନ୍‌ ସପ୍ଲିମେଣ୍ଟ ସଂକ୍ରାନ୍ତରେ ନୂଆ ନିୟମାବଳୀ ଜାରି କରିଛି। ଏହି ଦୁଇ ରୋଗ ଲାଗି ବିଶେଷକରି ବିଟା କାରୋଟିନ୍‌ କିମ୍ବା ଭିଟାମିନ୍‌-ଇ ସପ୍ଲିମେଣ୍ଟ ବ୍ୟବହାର ରୋକିବା ଲାଗି ସୁପାରିସ କରିଛି। ଜର୍ନାଲ ଅଫ୍‌ ଆମେରିକାନ୍‌ ମେଡିକାଲ ଆସୋସିଏଶନ୍‌ ପକ୍ଷରୁ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତରେ ତନାଘନା ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଏମ୍ସର ମେଡିସିନ୍‌ ବିଭାଗର ଆଡିଶନାଲ ପ୍ରଫେସର ନିରଜ ନିଶ୍ଚଳ କହିଛନ୍ତି ଯେ, ଭିଟାମିନ୍‌ ବଟିକା ସେବନ କରିବା ଅପେକ୍ଷା ଲୋକେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦରକାର। କିନ୍ତୁ ଆଜିର ଖାଦ୍ୟଶସ୍ୟ ଅନେକାଂଶରେ ରାସାୟନିକ ଓ କୀଟନାଶକ ପଦାର୍ଥ ଦ୍ୱାରା ବିଷାକ୍ତ ହୋଇଯାଇଛି। ଏପରିକି କୁକୁଡ଼ାର ଓଜନ ଶୀଘ୍ର ବଢ଼ାଇ ଦେବା ଲାଗି ରସାୟନଯୁକ୍ତ କୃତ୍ରିମ ଖାଦ୍ୟ ଦିଆଯାଉଛି। ଏହିସବୁକୁ ଯେତେବେଳେ ମଣିଷ ଖାଉଛନ୍ତି, ତାହା ସିଧାସଳଖ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଏହା ଦ୍ୱାରା ନୂତନ ପ୍ରକାରର ରୋଗ ବା ବ୍ୟାଧି ଦେଖିବାକୁ ମିଳୁଛି। ଅନେକ ସମୟରେ ‘ଅଚିହ୍ନା’ ରୋଗରେ ଲୋକଙ୍କ ମୃତ୍ୟୁ ଘଟୁଥିବା ଖବର ଗଣମାଧ୍ୟମରୁ ଶୁଣିବାକୁ ମିଳୁଛି। ଏହିଭଳି ଘଟଣା ସୀମିତ ଅଞ୍ଚଳରେ ରହୁଥିବାରୁ ବୁଝିହେବ ଯେ, ସେହି ଅଞ୍ଚଳରେ କିଛି ବିଶେଷ ରାସାୟନିକ ପଦାର୍ଥ ବ୍ୟବହୃତ ହେଉଥିବାରୁ ଲୋକେ ରୋଗାକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଯଦିଓ ଜୈବିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି, ଭାରତର ଜନସଂଖ୍ୟା ତୁଳନାରେ ଖାଦ୍ୟ ଉତ୍ପାଦନ ଯଥେଷ୍ଟ ହେବା ନେଇ ଆଶଙ୍କା ରହିଛି। ତଥାପି ଜନସାଧାରଣ ଯଥାସମ୍ଭବ ସ୍ବାସ୍ଥ୍ୟକର ଖାଦ୍ୟ ବାଛିବା ଜରୁରୀ ହୋଇପଡ଼ିଲାଣି।
ସାଧାରଣରେ ଭାରତୀୟମାନେ ଦେଶୀ ଚିକିତ୍ସା ଆପଣାଇ ରୋଗରୁ ମୁକ୍ତ ହୋଇପାରୁଥିଲେ। ହେଲେ ଏବେ ଫାର୍ମା କମ୍ପାନୀଗୁଡ଼ିକ ଦ୍ୱାରା ଭିଟାମିନ୍‌ ସପ୍ଲିମେଣ୍ଟର ଯେଭଳି ପ୍ରଚାର କରାଯାଉଛି ସେହି ଢାଞ୍ଚାରେ ଗ୍ରାମୀଣ ଲୋକମାନେ ମଧ୍ୟ ପଡ଼ିଯାଇଥିବା ଦେଖାଯାଉଛି। କୁହାଯାଏ ରୋଗରେ ପଡ଼ି ଆରୋଗ୍ୟ ହେବାଠାରୁ ପ୍ରତିଷେଧକ ଶ୍ରେୟସ୍କର। ପ୍ରତ୍ୟେକ ବ୍ୟକ୍ତି ପ୍ରତିଷେଧକମୂଳକ ଦିଗକୁ ଅନିଶା କରିବା ଭଲ କଥା। ଏବର ସମୟରେ ସ୍ବାସ୍ଥ୍ୟକର ଜୀବନଶୈଳୀର ଚାହିଦା ବଢ଼ିଛି। କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ ରହିବ ତାହା ଉପରେ ଅଧିକାଂଶ ଗୁରୁତ୍ୱ ଦେଉ ନାହାନ୍ତି। ଯୋଗ ରୋଗର ଶ୍ରେଷ୍ଠ ଉପଚାର ବୋଲି କୁହାଯାଉଛି। ତାହା ନିୟମିତ ଅଭ୍ୟାସ କରାଗଲେ ସୁଫଳ ମିଳିଥାଏ। କିନ୍ତୁ ଯେଉଁଭଳି ଭାବେ ଗୋଟିଏ ଦିନ ଯୋଗ ଦିବସ ପାଳନ କରାଯାଉଛି, ତାହା ଏକ ରାଜନୈତିକ ପ୍ରଚାର ଛଡ଼ା ଅନ୍ୟ କିଛି ନୁହେଁ ବୋଲି ବୁଝାପଡ଼ୁଛି। ସେହିପରି ସ୍ବାସ୍ଥ୍ୟ ସମ୍ବନ୍ଧରେ ବହୁ ଲୋକ ଠିକ୍‌ ଭାବେ ଅବଗତ ନ ହୋଇ ଦେଖାଶିଖା ଢଙ୍ଗରେ ଭିଟାମିନ୍‌ ଔଷଧ ଖାଇଯାଉଛନ୍ତି। ଆଉ ଏହି ଧାରା କୋଭିଡ୍‌-୧୯ ମହାମାରୀ ବେଳେ ବ୍ୟାପକ ହୋଇଥିବା ସମସ୍ତେ ଅନୁଭବ କରିଛନ୍ତି। ରୋଗ ପ୍ରତିରୋଧକ ଶକ୍ତିବର୍ଦ୍ଧକ ଭାବେ ଭିଟାମିନ୍‌-‘ସି’ ଏବଂ ଭିଟାମିନ୍‌-‘ଡି’କୁ ଲୋକେ ସେହି ସମୟରେ ଚୋବେଇ ଚାଲିଥିଲେ। ୨୦୧୮ରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ବିଶ୍ୱ ଡାଏଟେରି ସପ୍ଲିମେଣ୍ଟ ବଜାରରେ ଭିଟାମିନ୍‌ ସର୍ବାଧିକ ବିକ୍ରି ହୋଇଥିଲା, ଯାହାର ରାଜସ୍ବ ଆକାର ୩୭.୬ ବିଲିୟନ ଡଲାରରେ ପହଞ୍ଚତ୍ଥିଲା। ତେଣୁ କୋଭିଡ୍‌-୧୯ ପରେ ଏହାର ଆକାର କେତେ ବଢ଼ିଯାଇଥିବ ସାଧାରଣରେ କଳନା କରିବା କଷ୍ଟକର। ଭାରତ ପରିପ୍ରେକ୍ଷୀରେ ଦେଖିଲେ ହିସାବରୁ ଜଣାପଡ଼ିଛି ଯେ, ଏଠାରେ ଡାକ୍ତରମାନେ ଯେତେ ଔଷଧ ଲେଖିଥାଆନ୍ତି ସେଥିମଧ୍ୟରେ ୨୫ ପ୍ରତିଶତ ଭିଟାମିନ୍‌ ରହିଥାଏ। ଅର୍ଥାତ୍‌ ଫାର୍ମା କମ୍ପାନୀଗୁଡ଼ିକର ପ୍ରଚାର ଲାଗି ଡାକ୍ତରମାନେ କାର୍ଯ୍ୟ କରୁଥିବା ମଧ୍ୟ କୁହାଯାଉଛି। ଅତଏବ ଜନସାଧାରଣ ଆବଶ୍ୟକ ତଥା ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଦରକାର। ଆଖିବୁଜି ଭିଟାମିନ୍‌ ଖାଇଦେଲେ ଯେ ଜଣେ ଉତ୍ତମ ସ୍ବାସ୍ଥ୍ୟଧାରୀ ହୋଇଯିବେ ଭାବିବା ଭୁଲ୍‌। ଭଲ ଭାବେ ଜାଣି ଓ ପରଖି ଉପଯୁକ୍ତ ଔଷଧ ବ୍ୟବହାର କଲେ ସୁଫଳ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?