ହିଂସା ଉଦ୍ରେକକାରୀ ଜିନ୍‌

ସଦରେ କଳିଝଗଡ଼ା ହେଲେ ସବୁ ରାଜନେତା ଭାଗ ନିଅନ୍ତି ନାହିଁ, କେତେକ ସଂସଦର କୂଅ ଭିତରକୁ ଯାଆନ୍ତି ତ କେତେକ ବାଚସ୍ପତିଙ୍କ ପାଖକୁ ଯାଇ ପାଟି କରନ୍ତି, ଅଳ୍ପ କେତେ ଜଣ ମାଇକ୍‌ ଫୋପଡ଼ାଫୋପଡ଼ି କରନ୍ତି ତ ଜଣେ ଅଧେ ପ୍ରତିପକ୍ଷର ଜଣେ ଅଧେଙ୍କୁ ଲହୁଲୁହାଣ କରିପକାନ୍ତି। ବହୁତଳ କୋଠାରେ ଡକାୟତି, ରାସ୍ତାରେ ଛିନ୍‌ତାଇ ବା ଘରେ ପଶି ମାରଣାସ୍ତ୍ର ବ୍ୟବହାର କରି ଲୁଟ୍‌ କରିବା ବା ବଳାତ୍କାର କରିବା ଭଳି ବଦମାସି କାମ ସେମିତି ଜଣେଅଧେ କରନ୍ତି। ବୈଜ୍ଞାନିକମାନେ କହିଲେଣି ଯେ, ଏହାର କାରଣ ଶିଶୁକୁ ତା’ ମର୍ଜି ଉପରେ ଛାଡ଼ିଦେବା (ଗରିବ ପରିବାରରେ) ଅଥବା ପ୍ରତିପାଳନରେ ଅବହେଳା କରି ମା’ବାପାମାନେ ପିଲାକୁ ବାହାରର ପ୍ରଭାବରେ ଛାଡ଼ିଦେବା (ସ୍ବଚ୍ଛଳ ପରିବାରରେ ଆଉଟ୍‌ସୋର୍ସିଂ କରିବା)ା ଫଳରେ ଶିଶୁର ଜିନ୍‌ (ବଂଶଗୁଣ)ର ଖରାପ କ୍ରିୟାଗୁଡ଼ିକୁ ମାତାପିତାମାନେ ପ୍ରତିପାଳନ ସମୟରେ ଯେଭଳି ରୋକିପାରନ୍ତେ ତାହା ହୋଇ ପାରେନାହଁି, ପିଲାମାନଙ୍କଠାରେ ବଦମାସି ଗୁଣ ବଢ଼ାଉଥିବା ଜିନ୍‌ର ଅଂଶ ବିକଶିତ ହୁଏ, ଯୁବା ସମୟରେ ହିଂସ୍ର ଚରିତ୍ର/ଆଚରଣ ଆପେ ଆପେ ବାହାରିପଡ଼େ।
ପାଠକମାନେ ଜାଣନ୍ତି ମଣିଷର ଲିଙ୍ଗ ତିଆରି କରେ ହଳେ କ୍ରମୋଜୋମ୍‌: ଗୋଟିଏ ଏକ୍ସ ଓ ଗୋଟିଏ ଓ୍ବାଇ କ୍ରମୋଜୋମ୍‌ ମିଶି ପୁରୁଷ ତିଆରି କରେ, କିନ୍ତୁ ଦୁଇଟି ଏକ୍ସ କ୍ରମୋଜୋମ ଏକାଠି ହେଲେ ନାରୀ ତିଆରି ହୁଏ: ତେଣୁ ପୁଅ ହେବ କି ଝିଅ ତା’ ସ୍ବାମୀ ଉପରେ ନିର୍ଭର କରେ, କାରଣ ସେ ହିଁ ଏକ୍ସ ଦେବ କି ଓ୍ବାଇ ଦେବ ନିର୍ଣ୍ଣୟ କରେ; ସ୍ତ୍ରୀ କେବଳ ଏକ୍ସ ଦେଇଥାଏ। ଏକ୍ସ ଓ ଓ୍ବାଇ ଦୁହେଁଯାକ ଏକ ବୃହତ୍‌ ଡିଏନ୍‌ଏ କଣିକାର ଅଂଶ, ଯେଉଁ ଡିଏନ୍‌ଏ ବଂଶଗୁଣର ସବୁ ପାଠ ଭ୍ରୂଣ ଦେହରେ ଛାଡ଼ିଦିଏ। ଏକ୍ସ କ୍ରମୋଜୋମ ଓ୍ବାଇ କ୍ରମୋଜୋମ୍‌ଠାରୁ ବଡ଼, ବହୁତ ବେଶି ଜିନ୍‌ ବହନ କରିଥାଏ। ଡିଏନ୍‌ଏ/ଚରରେଣୁ ଭିତରେ ‘ମନୋଆମିନ ଅକ୍ସିଡେଜ୍‌ ଏ’, ସଂକ୍ଷେପରେ ‘ଏମ୍‌ଏଓଏ’ monoamine oxidase A, MAOA ବା ‘ମାଓଆ’ ନାମରେ ଗୋଟିଏ ଜିନ୍‌ ଅଛି। ଏହି ଜିନ୍‌ର ଉପଜ, ଇଂଲିଶ୍‌ରେ ତାକୁ ଆଲେଲେ କୁହାଯାଏ, ଏକା ବେଳକେ ୩ଟି ସୂତା ଭଳି ଗଜୁରି ଗୁଡ଼େଇ ତୁଡ଼େଇ ହୋଇ ମାଓଆ ଜିନ୍‌ ଭିତରେ ଧୀରେ ଧୀରେ ବଢ଼େ। ଏକ୍ସ କ୍ରମୋଜୋମ ସହିତ ମାଓଆ ଜିନ୍‌ଟି ବାନ୍ଧି ହୋଇ ରହେ। ବହୁତ ଧୀରେ ଧୀରେ କାମ କରେ, ଯାହା ସମାଜବିରୋଧୀ ଆଚରଣ ବଢ଼ାଇଥାଏ। ମାଓଆ ଜିନ୍‌ର ସକ୍ରିୟତା ହ୍ରାସ ପାଇଲେ ଶରୀରରେ ସେରୋଟୋନିନ (ଖୁସି କରିବା କେମିକାଲ୍‌) ସ୍ତର ବଢ଼ିଯାଏ, ମଣିଷର ଅଟିଜିମ୍‌ (ତ୍ରୁଟିଯୁକ୍ତ ଶାରୀରିକ ବିକାଶ) ଆସିଯାଏ, ସାଧାରଣ ଲୋକଙ୍କଠାରେ ନିଦ୍ରାଦୋଷ, ଚର୍ମ ଲାଲ ପଡ଼ିବା, ଝାଳ ବୋହିବା, ମୁଣ୍ଡ ବିନ୍ଧିବା ଓ ଡାଇରିଆ ଆଦି ବାରମ୍ବାର ଘଟିଥାଏ। ମାଓଆ ଜିନ୍‌ ଥିବା ପିଲାଟି ପ୍ରତିକୂଳ ପରିସ୍ଥିତିରେ ବଢ଼ିଲେ ଗୁଣ୍ଡାଗିରି, ମଦ୍ୟପାନ, ଝଗଡ଼ା ଓ ହତ୍ୟାକାଣ୍ଡ ଆଦି ଭିଆଇବାରେ ବ୍ୟାପୃତ ରହେ। ଉପଯୁକ୍ତ ପ୍ରତିପାଳନ (ନର୍ଚର୍‌) ନ ପାଇଲେ ଏହି ଜିନ୍‌ ଥିବା ପୁଅମାନେ ଦାଦାଗିରି କରିବେ, ଠକ ହେବେ, ଅପହରଣ କରି ପ୍ରଚୁର ପଇସା ନ ପାଇଲାଯାକେ ହତ୍ୟା ଧମକ ଦେବେ ଏବଂ ଉପଯୁକ୍ତ ଶିକ୍ଷା ଓ ଅନୁପାଳନ ପାଇଥିବା କିଶୋର ଓ ଯୁବକମାନେ ମାଓବାଦୀ ହେବେ, ଅଥବା ଅଲ୍‌କାଏଦା, ଲସ୍କର-ଇ-ତୋଇବା ବା ମୁଣ୍ଡମାଳ ପିନ୍ଧୁଥିବା ଆନନ୍ଦମାର୍ଗୀ ସଙ୍ଗଠନଗୁଡ଼ିକରେ ଯୋଗଦେବେ। ଆମେରିକାର ଫ୍ଲୋରିଡ଼ା ଷ୍ଟେଟ୍‌ ୟୁନିଭର୍ସିଟିର କଲେଜ୍‌ ଅଫ୍‌ କ୍ରମିନୋଲଜି ଆଣ୍ଡ କ୍ରିମିନାଲ୍‌ ଜଷ୍ଟିସ୍‌ ବିଭାଗ ଅନୁଧ୍ୟାନ କରି ଦେଖିଛି ଯେ, ସମାଜରେ ଅତି ମାରାତ୍ମକ ଅପରାଧୀ ସୃଷ୍ଟି କରୁଥିବା ପରିବେଶ ସହ ଏହି ଜନ୍ମଗତ ମାଓଆ ଜିନ୍‌ ମଧ୍ୟରେ ତନାଘନା (ଇଣ୍ଟର୍‌ପ୍ଲେ) ହିଁ ଦାଦାଗିରି ଆଣିଥାଏ। ଏହାକୁ ଆମେରିକାରେ ୱାରିଅର (ଲଢୁଆ) ଜିନ୍‌ ନାମ ଦିଆଯାଇଛି। ଏହି ଜିନ୍‌ ଡୋପାମାଇନ୍‌ ଓ ସେରୋଟୋନିନ ଭଳି ସ୍ନାୟବିକ-ପରିବାହକ (ନ୍ୟୁରୋଟ୍ରାନ୍ସମିଟର୍‌) କଣିକାକୁ ପ୍ରଭାବିତ କରିଥାଏ। ଏକ୍ସ କ୍ରମୋଜୋମରେ ମାଓଆ ଜିନ୍‌ ଥାଏ। ନାରୀର କ୍ରମୋଜୋମରେ କେବଳ ଏକ୍ସ ଥାଏ, ସେଗୁଡ଼ିକ ହଳ ହଳ ହୋଇଥାଆନ୍ତି, ପୁରୁଷର କ୍ରମୋଜୋମରେ ଏକ୍ସ ଓ ଓ୍ବାଇ ଯୋଡ଼ି ହୋଇ ରହିଥା’ନ୍ତି। ତେଣୁ ଏକ୍ସ ଓ ଓ୍ବାଇ ମିଶିଗଲେ ପୁଅ ହେବ, ଏକ୍ସ ଓ ଏକ୍ସ ମିଶିଗଲେ ଝିଅ ହେବ। ପୁଅମାନେ ହିଂସା ଉଦ୍ରେକକାରୀ ମାଓଆ ଜିନ୍‌ର ଗୋଟିଏ ମାତ୍ର କପି ପାଉଥିବା ବେଳେ ଝିଅମାନେ ଦୁଇଟି କପି ପାଇଥାନ୍ତି। ଝିଅମାନଙ୍କ କ୍ଷେତ୍ରରେ ମାଓଆ ଜିନ୍‌ର ଦୁଇଟି ଉପଜ (ଆଲେଲେ) ବାହାରିଥାଏ ବୋଲି ଗୋଟିଏ ଅନ୍ୟଟିର ପ୍ରତିରୋଧ କରେ, ତେଣୁ ଝିଅମାନେ କମ୍‌ ବଦମାସ ହୁଅନ୍ତି। ଶିଶୁର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ମାତାପିତାଙ୍କ ଲାଳନପାଳନ ବା ଯତ୍ନ (ଇଂଲିଶ୍‌ରେ ନର୍ଚର୍‌) ସଘନ ରହିଲେ, ବଦମାସି ବଢ଼ାଉଥିବା ଆଲେଲେ ଗଜୁରେ ନାହିଁ, ଗଜୁରୁଥିଲେ ବି ବେଶି ବଢ଼ିପାରେ ନାହିଁ; ଶିଶୁ ବଢ଼ୁଥିଲା ବେଳେ ମା’ବାପାଙ୍କ ଯତ୍ନ ନ ମିଳିଲେ (ଯଥା ଜନ୍ମବେଳୁ ଆୟା ଓ ବଢ଼ିଲା ବେଳେ ହଷ୍ଟେଲ ଭଳି ଆଉଟ୍‌ସୋର୍ସିଂ ବ୍ୟବସ୍ଥା କଲେ) ପୁଅପିଲାମାନଙ୍କ ମାଓଆ ଜିନ୍‌ରେ ଆଲେଲେ ଗଜୁରି ବଢ଼ିବାରେ ଲାଗେ ଏବଂ ସିଏ ଅନ୍ୟମାନଙ୍କଠାରୁ ନିଜକୁ ରକ୍ଷା କରିବାର ହିଂସ୍ରତା ହାସଲ କରେ। ଝିଅମାନଙ୍କ ଉପରେ ମା’ର ତାଗିଦା ଓ ସ୍ନେହ ଥାଏ ବୋଲି କମ୍‌ ସଂଖ୍ୟାର ଯୁବତୀ ବଦମାସ ହୁଅନ୍ତି। ୭-୧୨ ବର୍ଷ ବୟସର ୨୫୦୦ ପିଲାଙ୍କଠାରୁ ଡିଏନ୍‌ଏ ତଥ୍ୟ ଏବଂ ଚଳିବା ଢଙ୍ଗ ଉପରେ ଗବେଷଣା କରାହୋଇଥିବା ଏ ପ୍ରକାରର ଫଳ ୨୦୦୯ ଜୁନ୍‌ ସଂଖ୍ୟାର କମ୍ପ୍ରେହେନ୍‌ସିଭ୍‌ ସାଇକ୍ରିଆଟ୍ରି ପତ୍ରିକାରେ ପ୍ରକାଶ ପାଇଛି।
ଯୋଦ୍ଧା ବା ଲଢ଼ୁଆ ବଂଶାଣୁ- ମାଓଆ ଜିନ୍‌- ଏକ ବିରଳ ଜିନ୍‌। ପ୍ରାୟ ୩୩% ଲୋକଙ୍କ ଭିତରେ ଦେଖାଯାଏ। ଏହି ଜିନ୍‌ ପରିବର୍ତ୍ତିତ ହୋଇ ୨ ବା ଅଧିକ ବିକଳ୍ପ ରୂପ ନେଇଥାଏ, ତଥାପି କ୍ରମୋଜୋମ୍‌ରେ ସେହି ସ୍ଥାନରେ ରହିଥାଏ, ଚଳପ୍ରଚଳ କରେନାହିଁ, ଏକ ସୂତା ଭଳି ଏହି ଆଲେଲେ ହିଂସ୍ର ମନୋଭାବ ଉଦ୍ରେକ କରେ, ଅନିୟନ୍ତ୍ରିତ ହେଲେ ଯୁବକକୁ ଦଣ୍ଡାବାଳୁଙ୍ଗା କରିଦିଏ। ଆବଶ୍ୟକ ପ୍ରତିପାଳନ ନ ପାଇଲେ, ମା’ବାପା ବିଶେଷତଃ ମା’ଙ୍କ ନଜର ଅନ୍ଦାଜରେ ପିଲାର ବଦମାସି ବଢ଼େ, ସେହିମାନେ ରାଜନୀତିରେ ପଶିଲେ ବିଧାନସଭା ବା ସଂସଦରେ ହାତାହାତି ହେବାର ଦୃଶ୍ୟ ଦେଖିବାକୁ ମିଳିବ ତ ସେମାନଙ୍କ ଭିତରୁ କେତେକ ଯୁବକ ରାସ୍ତା ଘାଟରେ ଦୋକାନ ବଜାରରେ ଖଣ୍ଡା-ଭୁଜାଲି-ବନ୍ଧୁକ ଭଳି ମାରଣାସ୍ତ୍ର ସହ ଦେଖିବାକୁ ମିଳିବେ ଏବଂ କେତେକ ବୟସ୍କା ମହିଳା ଦେହ ବ୍ୟବସାୟରେ ବା ତା’ ଆଳରେ ବ୍ଲାକ୍‌ମେଲ୍‌ କରିବେ। ତୀବ୍ର ଗତିର ଗାଡ଼ି ଧରି ଛିନ୍‌ତାଇ କରିବେ ବା ଅପହରଣ କରି ପଣବନ୍ଦୀର ପାଉଣା ମାଗିବେ। ଏସବୁ ଗଣତନ୍ତ୍ରର ମାରକ। ମହାଭାରତ ଯୁଗରେ ଯୁଦ୍ଧୋର ଦ୍ୱାରକାରେ ଅଭିଭାବକମାନେ ସେମାନଙ୍କ ଲାଳନପାଳନ ଦାୟିତ୍ୱରୁ ଦୂରେଇଗଲେ ବୋଲି ତ ବେକାର ଯୁବକମାନେ ଗର୍ଭଧାରିଣୀ ନାରୀ ଭଳି ବେଶ ହୋଇ ଋଷିମାନଙ୍କୁ ପରିହାସ କରିଥିଲେ, ଯେଉଁଥିରୁ ଯଦୁବଂଶ ଧ୍ୱଂସ ହୋଇଥିଲା।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri