ମିଶନ ଶକ୍ତିର ଆଦେଶନାମାକୁ ଉଲ୍ଲଂଘନ

ଡେରାବିଶ,୧୪।୫(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକରେ ଥିବା ମିଶନ ଶକ୍ତିର ଅନିୟମିତତା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଭାଗୀୟ ଆଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ବ୍ଲକ ଅଧୀନ ୨୬ ପଞ୍ଚାୟତ ମଧ୍ୟରୁ ୧୩ଟି ପଞ୍ଚାୟତର ଏମ୍‌ବିକେ ପ୍ରାର୍ଥୀ ପୂର୍ବରୁ ଚୟନ ହୋଇସାରିଥିବା ବେଳେ ଅବଶିଷ୍ଟ ୧୩ଟି ପଞ୍ଚାୟତ ପାଇଁ ଏମ୍‌ବିକେ ଓ ଖାଲି ପଡ଼ିଥିବା ପଞ୍ଚାୟତଗୁଡ଼ିକରେ ୧୫୧ ସିଆରପି ଓ ୯ ବ୍ୟାଙ୍କମିତ୍ର ପଦବୀ ପାଇଁ ବିଭାଗ ପକ୍ଷରୁ ବିଜ୍ଞାପନ ଜରିଆରେ ମାର୍ଚ୍ଚ ୧ରୁ ଆବେଦନକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କରାଯାଇଥିଲା। ତେବେ ଏମ୍‌ବିକେ, ସିଆରପି ଓ ବ୍ୟାଙ୍କମିତ୍ର ପଦ ପାଇଁ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ମାର୍ଚ୍ଚ ୧୫ ଶେଷ ତାରିଖ ମଧ୍ୟରେ ଆବେଦନ କରିଥିଲେ। ଆବେଦନକାରୀଙ୍କ ପ୍ରମାଣପତ୍ର ଭୁଲ୍‌ କି ଠିକ୍‌ ସେ ବିଷୟରେ ଅଭିଯୋଗ ପାଇଁ ମାର୍ଚ୍ଚ ୩୦ ଯାଏ ଦିନ ଧାର୍ଯ୍ୟ କରାଯାଇଥିଲା। ଏ ସମ୍ବନ୍ଧରେ ପ୍ରାର୍ଥୀଙ୍କ ତାଲିକା ଓ ଅଭିଯୋଗ ପ୍ରଦାନର ସମୟସୀମା ସମ୍ପର୍କରେ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୋଟିସ୍‌ ଲଗା ଯାଇଥିଲା। ଅଭିଯୋଗର ସମୟସୀମା ଶେଷ ପରେ ପ୍ରାର୍ଥୀଙ୍କୁ ଚୟନ କରିବାକୁ ବ୍ଲକ ଲେବୁଲ୍‌ ଫେଡେରେଶନ୍‌ର କର୍ମକର୍ତ୍ତାଙ୍କ ମଧ୍ୟରୁ ୨ଜଣ ଓ ସହଯୋଗୀ ଭାବେ ବ୍ଲକ ମିଶନ ଶକ୍ତିର ମ୍ୟାନେଜର ଏବଂ ଜୀବିକା ମିଶନର ବ୍ଲକ ମ୍ୟାନେଜର ଚୟନ କମିଟିରେ ସହଯୋଗୀ ଭାବେ ରହିବାକୁ ବିଭାଗୀୟ ନିର୍ଦ୍ଦେଶନାମା ରହିଛି। ତେବେ ଏ ସମସ୍ତ ପ୍ରକ୍ରିୟା ଆବେଦନର ଶେଷ ତାରିଖଠାରୁ ୫୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ନିର୍ଦ୍ଦେଶନାମା ରହିଛି। ଅବଧି ସରିବା ପରେ ଏ ସମ୍ପର୍କିତ ଚୟନ କାର୍ଯ୍ୟ ଶେଷ ହୋଇ ନ ଥିବା ଜଣାପଡ଼ିଛି। ବିଭାଗୀୟ ନିର୍ଦ୍ଦେଶନାମାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଏହି ପଦବୀଗୁଡ଼ିକ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଚୟନ କମିଟିରେ ରହିପାରିବେ ନାହିଁ। ମାତ୍ର ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଯିବା ସହ ବିଭାଗୀୟ ନିର୍ଦ୍ଦେଶନାମାକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରାଯାଇ ପ୍ରାର୍ଥୀ ଚୟନ କାର୍ଯ୍ୟ କରାଯାଉଛି। ଆବେଦନ କରିଥିବା ଏମ୍‌ବିକେ ପ୍ରାର୍ଥୀ ଚୟନ କମିଟିରେ ରହୁଛନ୍ତି। ଫଳରେ ଏମ୍‌ବିକେଙ୍କୁ ଚୟନ କରିବାର ବିଭାଗୀୟ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥୀ କହିଛନ୍ତି, ଏମ୍‌ବିକେ, ସିଆରପି, ବ୍ୟାଙ୍କ ମିତ୍ର ଚୟନ ନାମରେ ବ୍ଲକ ଅଞ୍ଚଳର ନିରୀହ ମହିଳାଙ୍କୁ କେବଳ ଭୁଅଁା ବୁଲାଯାଉଛି। ମହିଳା ସଶକ୍ତୀକରଣ ନାମରେ ଏହି ଯୋଜନାକୁ କେବଳ ବାଟବଣା କରାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଚୟନ ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ଆବେଦନକାରୀ ନ୍ୟାୟ ପାଇପାରନ୍ତେ। ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଧିକ ସ୍ବଚ୍ଛ କରିବାକୁ ମାର୍ଚ୍ଚ ୧୬ରେ ବ୍ଲକ ଫେଡେରେଶନ୍‌ ପକ୍ଷରୁ ରିଜୋଲ୍ୟୁଶନ୍‌ କରାଯାଇଥିଲା। ଏଥିରେ ଥିବା ସର୍ତ୍ତାବଳୀ କାର୍ଯ୍ୟକାରୀ ହେଲାନାହିଁ କି ସରକାରୀ ନିର୍ଦ୍ଦେଶନାମାକୁ ମଧ୍ୟ ପାଳନ କରା ନ ଯିବା ଯୋଗୁ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ବିଭାଗୀୟ ନିର୍ଦ୍ଦେଶନାମାରେ ଥିବା ଶିକ୍ଷାଗତ ଓ ଅଭିଜ୍ଞତା ଭିତ୍ତିରେ ପ୍ରାର୍ଥୀଙ୍କୁ ନମ୍ବର ଦେବାର ବ୍ୟବସ୍ଥା ଥିଲା। ଚୟନ ସମୟରେ ପ୍ରାର୍ଥୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଶିକ୍ଷାଗତ ସାର୍ଟିଫିକେଟ୍‌ର ନକଲ ଠିକ୍‌ କି ଭୁଲ ସେଥିପାଇଁ ଓରିଜିନାଲକୁ ମଧ୍ୟ ଯାଞ୍ଚ କରା ନ ଯିବା ବିଭାଗୀୟ ଦୁର୍ବଳତାକୁ ପଦାରେ ପକାଇଛି। ଏଥିସହ ଅନ୍ୟ ପ୍ରମାଣପତ୍ରକୁ ମଧ୍ୟ ଠିକ୍‌ ଭାବେ ଯାଞ୍ଚ କରା ନ ଯିବା ନେଇ ପ୍ରାର୍ଥୀ ଚୟନରେ ଅନିୟମିତତା ହେଉଛି ବୋଲି ମିଶନ ଶକ୍ତିର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସେ ଦାବି ଜଣାଇଛନ୍ତି। ଭାଜପା ଜିଲା ସାଧାରଣ ସମ୍ପାଦକ ସରୋଜକାନ୍ତ ନାୟକ କହିଛନ୍ତି, ମିଶନ ଶକ୍ତିର ଏହି ଯୋଜନାକୁ ଡେରାବିଶ ବ୍ଲକରେ ଦିଗହରା କରାଯାଉଛି। ଏମ୍‌ବିକେ, ସିଆରପି ଓ ବ୍ୟାଙ୍କମିତ୍ର ଚୟନ ପ୍ରକ୍ରିୟା କାର୍ଯ୍ୟରେ ହେଉଥିବା ଅନିୟମିତତାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଜିଲା ଅଧିକାରୀ କୈଳାସ ଚନ୍ଦ୍ର ସେନାପତିଙ୍କୁ ପଚାରିବାରେ ବିଭାଗୀୟ ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ପ୍ରାର୍ଥୀ ଚୟନ କମିଟିରେ ସଦସ୍ୟ ରହିପାରିବେ ନାହିଁ। ଡେରାବିଶରେ ଏଭଳି ଅନିୟମିତତା ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ଖବର ନାହିଁ ବୋଲି ସେ କହିଛନ୍ତି। ଏ ନେଇ ବ୍ଲକ ଜୀବିକା ମିଶନର ମ୍ୟାନେଜର ହିମାଂଶୁ ଭଦ୍ରଙ୍କୁ ପଚାରିବାରେ ଏମ୍‌ବିକେ, ସିଆରପି ଓ ବ୍ୟାଙ୍କମିତ୍ର ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀ କେବଳ ନିଜ ପଞ୍ଚାୟତର ପ୍ରାର୍ଥୀ ଚୟନ ସମୟରେ ଯାଞ୍ଚ କମିଟିରେ ରହିପାରିବେ ନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରେ ଏହି ପଦବୀଗୁଡ଼ିକ ପାଇଁ ଚୟନ ସମୟରେ ସବୁ ସ୍ବଚ୍ଛତାକୁ ଅବଲମ୍ବନ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?