”ଆବଶ୍ୟକ ଭୂତାଣୁ ବହୁ ପରିମାଣରେ ଉପଲବ୍ଧ ହେଲେ ହିଁ ବୃହତ୍‌ ଜନସଂଖ୍ୟାକୁ ଟିକା ଦିଆଯାଇପାରିବ। ତେଣୁ ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ଏତାଦୃଶ ବହୁସଂଖ୍ୟକ ଭୂତାଣୁ ପରୀକ୍ଷାଗାରରେ ସୃଷ୍ଟି କରିଥାଆନ୍ତି। ଏହି ପ୍ରକ୍ରିୟା ଟିସୁ କଲଚର ଭାବେ ନାମିତ । ଆବଶ୍ୟକ ସଂଖ୍ୟାରେ ଭୂତାଣୁ ସୃଷ୍ଟି ହେବା ପରେ ଏମାନଙ୍କୁ ଅକ୍ଷମ କରାଯାଏ ଅଥବା ମାରିଦିଆଯାଏ। ଉତ୍ତାପ କିମ୍ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଏହା ସମ୍ଭବପର ହୋଇଥାଏ ।“

ଟିକା ବିଷୟରେ ସମସ୍ୟା ଧାରଣା ପାଇଁ ଯେଉଁ ଶବ୍ଦଟି ଆବଶ୍ୟକ ହୋଇଥାଏ ତାହା ହେଉଛି ‘ଟକ୍ସିନ୍‌’ ଭାବେ ନାମିତ। ଏହା ହେଉଛି ଜୈବ ପଦାର୍ଥରୁ, ବିଶେଷତଃ ଜୀବର ଜୀବାଣୁମାନଙ୍କଠାରୁ ନିଃସୃତ ବିଷ, ଅର୍ଥାତ୍‌ ଜୀବବିଷ। ବ୍ୟାକ୍ଟେରିଆଠାରୁ ଆହରଣ କରାଯାଇଥିବା ଏହି ଟକ୍ସିନ ବହୁ ପରିମାଣରେ ବ୍ୟବହାର କଲେ ମଣିଷ ପାଇଁ ବିପଦ ସୃଷ୍ଟି କରେ। କିନ୍ତୁ ଏହାର ସୀମିତ ଓ ଉପଯୁକ୍ତ ବ୍ୟବହାର ଔଷଧ ଭାବେ କାମ କରିବାରୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରୁ ଆମେ ଆରୋଗ୍ୟପ୍ରାପ୍ତ ହେଉ।
ଟକ୍ସିନ ପ୍ରୟୋଗ ଦ୍ୱାରା ଆମେ ଆମ ଅଭିଳଷିତ ଆଣ୍ଟିଜେନ୍‌ ପାଉ। ଆମ ଶରୀରରେ କ୍ଷତିକାରକ (ଯଥା କେତେକ ଭୂତାଣୁ) ବାହ୍ୟ ପଦାର୍ଥ ପ୍ରବେଶ କଲେ ଏହାକୁ ପ୍ରତିହତ କରିବା ସକାଶେ ରକ୍ତରେ ପ୍ରତିପିଣ୍ଡ (ଆଣ୍ଟିବଡି) ସୃଷ୍ଟି କରିବା ଆବଶ୍ୟକ। ଏଥିପାଇଁ ଟକ୍ସିନ ପ୍ରୟୋଜନ। ଏହି ପ୍ରକ୍ରିୟା ଫଳପ୍ରଦ କରିବା ପାଇଁ ଟିକା ଦିଆଯାଏ।
ଏଥିରୁ ସ୍ପଷ୍ଟ ହୁଏ ଯେ, ଆମକୁ ଦିଆଯାଉଥିବା ଟିକା ଜୈବ ପଦାର୍ଥରୁ ପ୍ରସ୍ତୁତ। ଯେତେବେଳେ ଏହି ଜୈବ ପଦାର୍ଥ ଆମ ଶରୀର ଭିତରକୁ ପ୍ରବେଶ କରେ ଏହା ଆଣ୍ଟିଜେନ୍‌ ଭୂମିକା ଗ୍ରହଣ କରେ। ଫଳରେ ଆମ ଶରୀରରେ ଆଣ୍ଟିବଡି ଜାତ ହୁଏ। ଆଣ୍ଟିବଡି ହେଉଛି ସ୍ବତନ୍ତ୍ର ଧରଣର ପ୍ରୋଟିନ୍‌।
ଆମ ଶରୀରରେ ସାଧାରଣତଃ ଊଣା ଅଧିକେ ରୋଗ ପ୍ରତିଷେଧକ ଶକ୍ତି (ଇମ୍ୟୁନିଟି) ଥାଏ। ଏହି କାରଣରୁ ପ୍ରତିପିଣ୍ଡ (ଆଣ୍ଟିବଡି) ଓ ରକ୍ତର ଶ୍ୱେତ କଣିକା ସାହାଯ୍ୟରେ ଆମେ ରୋଗ ସଂକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେଉ। ଫଳରେ ଶରୀର ରୋଗରୁ ପରିମୁକ୍ତ ବା ନିର୍ବେଶ (ଇମ୍ୟୁନ) ଚାହେଁ।
ଶରୀରରେ ବିଦ୍ୟମାନ ଇମ୍ୟୁନିଟି ହାସଲ କରିବା ପାଇଁ ଆମ ଜୀବକୋଷ (ସେଲ୍‌)ର ପ୍ରମୁଖ ଅବଦାନ ରହିଛି। ଏହି ପରିପ୍ରେକ୍ଷୀରେ ଯେଉଁ ଦୁଇଟି ପ୍ରକାର ଜୀବକୋଷ ଉଲ୍ଲେଖନୀୟ, ସେମାନେ ହେଲେ ‘ବି-ଲିମ୍ପୋସାଇଟ୍‌’ ଏବଂ ‘ଟି-ଲିମ୍ପୋସାଇଟ୍‌’। ବି-ଲିମ୍ପୋସାଇଟ୍‌କୁ ପରିବର୍ତ୍ତିତ କରାଯାଇ ପ୍ରସ୍ତୁତ ପ୍ଲାଜ୍‌ମା ଜୀବକୋଷରୁ ଆଣ୍ଟିବଡି ସଂଭୂତ। ଟି-ଲିମ୍ପୋସାଇଟ୍‌ର କାମ ହେଉଛି ମନେ ପକାଇବା। ଅର୍ଥାତ୍‌ ବି-ଲିମ୍ପୋସାଇଟ୍‌କୁ ଆଣ୍ଟିବଡି ପ୍ରସ୍ତୁତ ସକାସେ ଏହା ଯଥା ସମୟରେ ସ୍ମରଣ କରାଏ। ଏତଦ୍‌ବ୍ୟତୀତ ଆଣ୍ଟିବଡି ପାଇଁ ମାକ୍ରୋଫେଜ୍‌ ନାମକ ଅନ୍ୟ ଏକ ଜୀବକୋଷ ମଧ୍ୟ ସହାୟକ ହୋଇଥାଏ। ମାକ୍ରୋଫେଜ୍‌ ହେଉଛି ଏକ ଶ୍ୱେତ ରକ୍ତକଣିକା, ଯାହାକି ରୁଗ୍ଣ ଓ ମୃତ ଅଣୁଜୀବ (ମାଇକ୍ରୋଅର୍ଗାନିଜମ)ମାନଙ୍କୁ ନିଷ୍କାସନ କରିବା ସହ ଇମ୍ୟୁନତନ୍ତ୍ର (ଇମ୍ୟୁନ ସିଷ୍ଟମ)ର ବିଭିନ୍ନ କୋଷକୁ ସକ୍ରିୟ ହେବା ସକାଶେ ଉଦ୍ଦୀପିତ ବା ପ୍ରୋତ୍ସାହିତ (ଷ୍ଟିମ୍ୟୁଲେଟ୍‌) କରେ।
ଟିକା ନେଲେ ଆମେ ସମ୍ଭାବ୍ୟ ରୋଗରୁ ନିଜକୁ ରକ୍ଷାକରିପାରିବା। ବିଶେଷଜ୍ଞମାନେ ଏହା ପ୍ରସ୍ତୁତ କରିବା ପାଇଁ ମୃତ ଭୂତାଣୁ ବା ସେମାନଙ୍କର ଶରୀରର କିଛି ଅଂଶ ଅଥବା ସେମାନଙ୍କର ବିଷ କିମ୍ବା ରସକୁ ଉପଯୋଗ କରିଥାଆନ୍ତି। ଯଥା-କୋଭିଡ୍‌ ଟିକା ପାଇଁ ମୃତ ବା ଅକ୍ଷମ କୋଭିଡ ଭୂତାଣୁ ଉପଯୋଗ କରାଯାଏ।
ପ୍ରଶ୍ନ ଉଠୁଛି ଆବଶ୍ୟକ ଭୂତାଣୁ ବହୁ ପରିମାଣରେ ଉପଲବ୍ଧ ହେଲେ ହିଁ ବୃହତ ଜନସଂଖ୍ୟାକୁ ଟିକା ଦିଆଯାଇପାରିବ। ତେଣୁ ବୈଜ୍ଞାନିକମାନେ କୃତ୍ରିମ ଉପାୟରେ ଏତାଦୃଶ ବହୁସଂଖ୍ୟକ ଭୂତାଣୁ ପରୀକ୍ଷାଗାରରେ ସୃଷ୍ଟି କରିଥାଆନ୍ତି। ଏହି ପ୍ରକ୍ରିୟା ଟିସୁ କଲଚର ଭାବେ ନାମିତ। ଆବଶ୍ୟକ ସଂଖ୍ୟାରେ ଭୂତାଣୁ ସୃଷ୍ଟି ହେବା ପରେ ଏମାନଙ୍କୁ ଅକ୍ଷମ କରାଯାଏ ଅଥବା ମାରିଦିଆଯାଏ। ଉତ୍ତାପ କିମ୍ବା ରାସାୟନିକ ପ୍ରକ୍ରିୟା ଦ୍ୱାରା ଏହା ସମ୍ଭବପର ହୋଇଥାଏ। ଏହି ପ୍ରକାରେ ଉପଲବ୍ଧ ଭୂତାଣୁମାନେ ଆଉ ସୃଷ୍ଟି କରିବାରେ ଅସମର୍ଥ ହେଲେ ସୁଦ୍ଧା ଆଣ୍ଟିବଡି ପ୍ରସ୍ତୁତି ପାଇଁ ସେମାନେ ବେଶ୍‌ ଉପଯୁକ୍ତ। ଏମାନେ ହିଁ ଟିକା ଉତ୍ପାଦନ ପାଇଁ ପ୍ରମୁଖ ଉପାଦାନ ହୋଇଥାଆନ୍ତି।
ପ୍ରକାଶ ଥାଉକି ଏଡଓ୍ବାର୍ଡ ଜେନେର (୧୭୪୯-୧୮୨୩, ଜନ୍ମ : ବର୍କେଲ, ୟୁନାଇଟେଡ କିଙ୍ଗ୍‌ଡମ୍‌) ବିଶ୍ୱର ସର୍ବପ୍ରଥମ ଟିକା ୧୭୯୬ରେ ବ୍ୟବହାର କରିଥିଲେ। ଏହା ବସନ୍ତ ରୋଗର ପ୍ରତିଷେଧକ ଥିଲା। ଏହି ଉଭାବନର କ୍ରମବିକାଶ ଘଟିବା ଦ୍ୱାରା ମାନବ ସମାଜର ଅଶେଷ କଲ୍ୟାଣ ସାଧିତ ହୋଇପାରିଛି। ସରକାରୀ ତଥା ବେସରକାରୀ ପ୍ରୋତ୍ସାହନ ଓ ସହାୟତା ସମେତ ଜନସାଧାରଣଙ୍କ ସଚେତନତା ଦ୍ୱାରା ଏହି ଟିକାର ପ୍ରୟୋଗ ସମ୍ଭବ ହେଲା। ଫଳସ୍ବରୂପ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ୧୯୮୦ ମସିହାରେ ବିଶ୍ୱକୁ ବସନ୍ତ ରୋଗ ମୁକ୍ତ ବୋଲି ଘୋଷଣା କଲେ। ଉକ୍ତ ପ୍ରତିରୋଧକ ତତ୍ତ୍ୱ (ଇମ୍ୟୁନୋଲୋଜି)ର ଭିତ୍ତି ସ୍ଥାପନାର ଶ୍ରେୟ ଅବଶ୍ୟ ନିର୍ଦ୍ୱନ୍ଦ୍ୱରେ ଜେନେରଙ୍କ ପ୍ରାପ୍ୟ। ୨୦୦୨ରେ ୟୁ.କେ.ରେ ବିବିସି ତରଫରୁ ଗ୍ରହଣ କରାଯାଇଥିବା ମତ ଅନୁସାରେ ପ୍ରସ୍ତୁତ ତାଲିକାରେ ହଣ୍ଡ୍ରେଡ ଗ୍ରେଟେଷ୍ଟ ବ୍ରିଟେନସ’ ମଧ୍ୟରେ ଜେନେର ସ୍ଥାନିତ ହୋଇଛନ୍ତି। ଚନ୍ଦ୍ରର ଗୋଟିଏ ଆଗ୍ନେୟଗିରିର ମୁଖ ବା ଗହ୍ବରକୁ ତାଙ୍କ ନାମରେ ନାମିତ କରାଯାଇଛି। ଗୋଟିଏ ଟିଭି ଶୋ’ରେ ତାଙ୍କୁ ‘ଦ ଓ୍ବାକିଙ୍ଗ ଡେଡ୍‌’ ଭାବେ ଉପସ୍ଥାପନା କରାଯାଇଛି। ବସନ୍ତ ପାଇଁ ଟିକା ଟ୍ରେଡ୍‌ ନଁା ହେଉଛି : ଏସିଏଏମ ୨୦୦୦।
ଅଗଷ୍ଟ ୧୯୪୮ରେ ଯକ୍ଷ୍ମା ପାଇଁ ପ୍ରଥମ ବିସିଜି ଟିକା ଦିଆଯାଇଥିଲା। ଅନ୍ୟପକ୍ଷରେ ୧୭ ଜାନୁୟାରୀ ୨୦୨୧ରେ ଭାରତ ପ୍ରଥମ କୋଭିଡ ଟିକା ଆରମ୍ଭ କରିଥିଲା। ଅଗଷ୍ଟ ୨୦୨୨ ସୁଦ୍ଧା ୨.୪ ବିଲିୟନ ଟିକା ପାନ ଦିଆଯାଇଥିଲା। ଏଥିରେ ପ୍ରଥମ, ଦ୍ୱିତୀୟ ଓ ବୁଷ୍ଟର ଡୋଜ୍‌ ସଂଖ୍ୟା ସାମଗ୍ରିକ ଭାବେ ଅନ୍ତର୍ଭୁକ୍ତ। ବାର ବର୍ଷ ତୁଦୂର୍ଦ୍ଧ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡା ୯୪ ଭାଗ ଅନ୍ତତଃ ଗୋଟିଏ ପାନ ଓ ଅବଶିଷ୍ଟ ଯୋଗ୍ୟ ସଂଖ୍ୟାର ଶତକଡା ୮୬ ଭାଗ ସମ୍ପୂର୍ଣ୍ଣ ଟିକା ପାନ ନେଇଛନ୍ତି। (କ୍ରମଶଃ)

ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ବଡ଼ଖେମୁଣ୍ଡି ବଙ୍ଗଳା,
ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ : ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ବରଦାନ ସେଓ: ନିୟମିତ କରନ୍ତୁ ସେବନ, ଏସବୁ ରୋଗରୁ ପାଇବେ ମୁକ୍ତି

ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି। ମାତ୍ର ବର୍ତ୍ତମାନର ଜୀବନଶୈଳୀରେ ସେସବୁ ସମ୍ଭବ ହୋଇପାରୁନାହିଁ। କେଉଁଠି ନା କେଉଁଠି ଅବହେଳା କାରଣରୁ ଅଧିକାଂଶ ଲୋକ ବିଭିନ୍ନ ସ୍ବାସ୍ଥ୍ୟ...

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆପଣାନ୍ତୁ ଏହି ୩ ଉପାୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ୩ ବିଷୟ ଉପରେ ଧ୍ୟାନ...

ନୋବେଲ ପୁରସ୍କାର ପଦାର୍ଥ ବିଜ୍ଞାନ-୨୦୧୯ : ବିଶ୍ୱର ଗଠନ ଓ ଇତିହାସ

”ଏହି ଅଜଣା ବସ୍ତୁର ନାମ ‘କୃଷ୍ଣବସ୍ତୁ’ ଓ ‘କୃଷ୍ଣଶକ୍ତି’ ଦିଆଯାଇଛି । ପରବର୍ତ୍ତୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ୱରେ ୨୬ ପ୍ରତିଶତ ହେଉଛି କୃଷ୍ଣବସ୍ତୁ ଓ...

ସୌନ୍ଦର୍ଯ୍ୟ ବଢ଼ାଇବାକୁ ଚାହୁଁଥିଲେ…

ଅଦା ସ୍ବାସ୍ଥ୍ୟ ଲାଗି ଲାଭ ଦାୟକ ହୋଇଥାଏ। ଏହାର ଅନେକ ପ୍ରକାର ଚମତ୍କାର ଗୁଣ ସମ୍ପର୍କରେ ଆପଣ ଆଗରୁ ଜାଣିଥିବେ ବା ନିଜେ ମଧ୍ୟ ଅନୁଭବ...

ଡେଙ୍ଗୁ: କାରଣ ଓ ପ୍ରତିକାର

ସାରା ବିଶ୍ୱରେ ଦେଖାଯାଉଥିବା ବିଭିନ୍ନ ରୋଗଗୁଡିକ ମଧ୍ୟରୁ ଡେଙ୍ଗୁ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ଏହି ରୋଗ ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଏବଂ ସବୁ ବର୍ଗର...

ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରତିଦିନ ଖାଆନ୍ତୁ …

କମଳା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ୍‌ ‘ସି’ ଠାରୁ ଆରମ୍ଭ...

ରୋଗ ପ୍ରତିରୋଧକ ଶକ୍ତି ଓ ପିଜୁଳି

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ପ୍ରଖର ରହିବା ଦରକାର। କାରଣ ଏହା ଆମକୁ କେତେକ ରୋଗ କବଳରୁ ଅନେକାଂଶରେ ରକ୍ଷା କରିଥାଏ। ତେବେ...

କଦଳୀପତ୍ରରେ ଖାଇଲେ ମିଳିଥାଏ ଏହି ଉପକାର

କଦଳୀପତ୍ରରେ ଖାଇବା ଆମର ଏକ ପରମ୍ପରା ରହିଆସିଛି। ସାଧାରଣତଃ କଦଳୀପତ୍ରକୁ ଶୁଭ ବୋଲି ଧରାଯାଏ। ଏହି ପତ୍ର କେବଳ ଶୁଭ ନୁହେଁ, ଏଥିରେ ଖାଇଲେ ବହୁ...

Advertisement
Archives

Model This Week