ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ କର୍ମଚାରୀ ମହାସଂଘ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ ଅନୁବନ୍ଧିତ ଅନୂ୍ୟନ ୧୨୬ ସଂଘ ଓ ମହାସଂଘ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ, ଅଖିଳ ଭାରତ ଶିକ୍ଷକ ମହାସଂଘ ଏବଂ ଅନ୍ୟାନ୍ୟ ବହୁ ସଂଘ, ମହାସଂଘ ପକ୍ଷରୁ ୨୦୦୪ରୁ ପ୍ରଚଳିତ ନୂତନ ପେନ୍‌ସନ ଯୋଜନା (ଏନ୍‌ପିଏସ୍‌)ର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ପୁରାତନ ପେନ୍‌ସନ ଯୋଜନା (ଓପିଏସ୍‌)ର ପୁନଃ ପ୍ରଚଳନ ପାଇଁ ଦୀର୍ଘ ୨୦ ବର୍ଷ ଧରି ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଚାଲିଥିଲା ତାହା ଯେ ଏକୀକୃତ ପେନ୍‌ସନ ଯୋଜନା (ୟୁନିଫାଏଡ୍‌ ପେନ୍‌ସନ ସ୍କିମ୍‌ ବା ୟୁପିଏସ୍‌) ନାମରେ ହଠାତ୍‌ ପରିବର୍ତ୍ତିତ ହୋଇଯିବ, କେହି କେବେ ଚିନ୍ତାକରି ନ ଥିଲେ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ୨୪ ଅଗଷ୍ଟ ୨୦୨୪ରେ କେନ୍ଦ୍ର କ୍ୟାବିନେଟ୍‌ ଓପିଏସ୍‌ ଓ ଏନ୍‌ପିଏସ୍‌ ବଦଳରେ ୟୁପିଏସ୍‌ ନାମରେ ଏକ ନୂଆ ପେନ୍‌ସନ ଯୋଜନାକୁ ମଞ୍ଜୁର ପ୍ରଦାନକରି ପତ୍ର ସୂଚନା କାର୍ଯ୍ୟାଳୟର ଏକ ପ୍ରେସ୍‌ ଇସ୍ତାହାର ଜରିଆରେ ଘଟଣାକୁ ସାର୍ବଜନୀନ କଲେ। ‘ନାହିଁ ମାମୁଠାରୁ କଣା ମାମୁ ଭଲ’ ନ୍ୟାୟରେ କିଛି ନେତୃମଣ୍ଡଳୀ ଓ ସଙ୍ଗଠନ ଏହାକୁ ସ୍ବାଗତ କରିଥିଲାବେଳେ କିଛି ମିଶ୍ର ପ୍ରତିକ୍ରିୟା ରଖିଲେ ଏବଂ ବହୁ କର୍ମଚାରୀ ଓ ଶ୍ରମିକ ସଙ୍ଗଠନ ଏହାକୁ ନାପସନ୍ଦ କରି ନିଜ ନିଜର ପ୍ରେସ୍‌ ଇସ୍ତାହାର ଜାରି କରିବା ସହ ଓପିଏସ୍‌ ପୁନଃ ପ୍ରଚଳନ ଦାବିକୁ ଦୋହରାଇଲେ ମଧ୍ୟ।
ଏହା ଭିତରେ ପ୍ରେସ୍‌ ଇସ୍ତାହାର ଜାରି ହେବାର ୪ମାସ ସମୟ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ଆମୂଳଚୂଳ ସଞ୍ଚାଳନ ଓ ଲେଖାଙ୍କନ ପ୍ରକ୍ରିୟା ସହ ଆବଶ୍ୟକ ରାଜପତ୍ର ବିଜ୍ଞପ୍ତି ସରକାରଙ୍କ ତରଫରୁ ଏଯାଏଁ ପ୍ରକାଶ ପାଇଲା ନାହିଁ, ଯାହା ୟୁପିଏସ୍‌ର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। କହିବା ବାହୁଲ୍ୟ, ନୀତିନିୟମ ପରିବର୍ତ୍ତନ କ୍ଷେତ୍ରରେ ଭାରତ ସରକାରଙ୍କ ରାଜପତ୍ର ବିଜ୍ଞପ୍ତି ଏକ ଆବଶ୍ୟକୀୟ ତଥା ସାର୍ବଜନୀନ ନ୍ୟାୟିକ ଦସ୍ତାବିଜ। ସାଧାରଣ ବିଜ୍ଞପ୍ତିଗୁଡ଼ିକ ପ୍ରତି ସପ୍ତାହରେ ଏକ ନିର୍ଦ୍ଦିଷ୍ଟ ଦିନରେ ପ୍ରକାଶିତ ହେଉଥିବା ବେଳେ ଅସାଧାରଣ ବିଜ୍ଞପ୍ତିଗୁଡ଼ିକ ଘଟଣାର ପ୍ରାଧାନ୍ୟକୁ ଉପଲବ୍ଧିକରି ପ୍ରତ୍ୟେକ ଦିନ ପ୍ରକାଶିତ ହୁଏ। ତେଣୁ ୟୁପିଏସ୍‌ ସଂକ୍ରାନ୍ତରେ ରାଜପତ୍ର ବିଜ୍ଞପ୍ତି ତତ୍‌କ୍ଷଣାତ୍‌ ପ୍ରକାଶିତ ହେବାର ଥିଲା। ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶନର ଏହି ଅହେତୁକ ବିଳମ୍ବ ଏକ ନକାରାତ୍ମକ ଦିଗକୁ ସ୍ପଷ୍ଟ ଇଙ୍ଗିତ କରୁଛି।
ପେନ୍‌ସନ ସଂକ୍ରାନ୍ତରେ ସର୍ବଭାରତୀୟ ସ୍ତରରେ ନିରବଚ୍ଛିନ୍ନ ସଂଗ୍ରାମ ଗଢ଼ିତୋଳି ଏନ୍‌ଜେସିଏ ତରଫରୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ କ୍ୟାବିନେଟ୍‌ ସଚିବଙ୍କୁ ପର୍ଯ୍ୟାୟକ୍ରମେ ଦାବିପତ୍ର ଦିଆଯାଇଥିଲେ ବି ଏନ୍‌ପିଏସ୍‌ର ଉଚ୍ଛେଦ କଥାକୁ ଏଡ଼ାଇଯାଇ କିଛିଟା ପରିବର୍ତ୍ତନ ଆଣିବା ସକାଶେ କେନ୍ଦ୍ର ସରକାର ଭାରତର ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୨୦୨୩ରେ ଏକ ପେନ୍‌ସନ କମିଟି ଗଠନକଲେ । ପେନ୍‌ସନ କମିଟି ସହ କର୍ମଚାରୀ ପକ୍ଷର ବାରମ୍ବାର ବୈଠକ ବସିଲା ପରେ କୌଣସି ସୁଫଳ ମିଳିଲା ନାହିଁ। ପରେ ଖୁବ୍‌ ଶୀଘ୍ର ସରକାର ଏ ସଂକ୍ରାନ୍ତରେ ବିଧିବଦ୍ଧ ନିଷ୍ପତ୍ତି ନେବେ ବୋଲି ଲିଖିତ ପ୍ରତିଶ୍ରୁତି ମିଳିଲା। ହେଲେ ଓପିଏସ୍‌ର ପୁନଃ ପ୍ରଚଳନ ବଦଳରେ ସରକାରଙ୍କ ୟୁପିଏସ୍‌ ଘୋଷଣାନାମା ବହୁ କୋଟି କର୍ମଚାରୀ ଓ ପେନ୍‌ସନଭୋଗୀଙ୍କ ପିଠିରେ ଛୁରିକା ଘାତ ସଦୃଶ ହୃଦ୍‌ବୋଧ ହେଲା।
ପ୍ରାରମ୍ଭିକ ତଥ୍ୟାନୁଯାୟୀ ୟୁପିଏସ୍‌ରେ ସୁନିଶ୍ଚିତ ପେନ୍‌ସନ, ସୁନିଶ୍ଚିତ ପାରିବାରିକ ପେନ୍‌ସନ, ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ, ମୁଦ୍ରାସ୍ଫୀତି ଅନୁରୂପ ପେନ୍‌ସନ ନିର୍ଦ୍ଧାରଣ ଓ ଅବସର ପରେ ଗ୍ରାଚୁଇଟି ବ୍ୟତୀତ ଏକକାଳୀନ ରାଶି ଇତ୍ୟାଦି ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ରହିଛି। ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମାର ୫୦% ମିଳିବ। ଏହି ବେତନ ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧିଠାରୁ ଆରମ୍ଭକରି ୨୫ ବର୍ଷ ପର୍ଯ୍ୟନ୍ତ ସେବା ଅବଧି କ୍ଷେତ୍ରରେ ଆନୁପାତିକ ଭାବେ ମିଳିବ। ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍‌ସନର ୬୦% ହାରରେ ପାରିବାରିକ ପେନ୍‌ସନ ମିଳିବ। ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ସୁନିଶ୍ଚିତ ପେନ୍‌ସନ, ସୁନିଶ୍ଚିତ ପାରିବାରିକ ପେନ୍‌ସନ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ ଉପରେ ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ଭଳି ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତାର ପ୍ରାବଧାନ ମଧ୍ୟ ୟୁପିଏସ୍‌ରେ ରହିଛି। ଏହାବାଦ, ଅବସର ପରେ ଗ୍ରାଚୁଇଟି ବ୍ୟତୀତ ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକ (ବେତନ+ଡିଏ)ର ଏକ ଦଶାଂଶ ଏକକାଳୀନ ରାଶି ମଧ୍ୟ ଉପଲବ୍ଧ ହେବ ଏବଂ ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନର ପରିମାଣ କମ୍‌ ହେବ ନାହିଁ। ପ୍ରକାଶିତ ତଥ୍ୟାନୁଯାୟୀ ୟୁପିଏସ୍‌ ଓପିଏସ୍‌ର ଠିକ୍‌ ବିକଳ୍ପ ନୁହେଁ। କର୍ମଚାରୀଙ୍କ ପକ୍ଷରୁ ଓପିଏସ୍‌ ଭଳି ଶେଷ ଦରମାର ୫୦% ସୁନିଶ୍ଚିତ ପେନ୍‌ସନ ପାଇଁ ଯେଉଁ ଦାବି ହୋଇଥିଲା ତାହା ଯଦିଓ ସରକାର ଗ୍ରହଣ କରିଛନ୍ତି, ଏନ୍‌ପିଏସ୍‌ ଭଳି ଏହା ଦେୟଯୁକ୍ତ ରହିଛି । ଓପିଏସ୍‌ରେ ଶେଷ ୧୦ମାସର ହାରାହାରି ଦରମା ଅଥବା ଅବସର ମାସର ଦରମାର ୫୦%ରୁ ଯେଉଁଟି କର୍ମଚାରୀ ପାଇଁ ଲାଭଦାୟକ ହେଉଥିଲା, ତାହା ଗ୍ରହଣୀୟ ଥିଲା। କିନ୍ତୁ ୟୁପିଏସ୍‌ରେ କେବଳ ଶେଷ ୧୨ ମାସର ହାରାହାରି ଦରମା କଥା କୁହାଯାଇଛି, ଯାହା ଅଧିକାଂଶଙ୍କ କ୍ଷେତ୍ରରେ ଆତ୍ମଘାତୀ ହୋଇପାରେ। ପୂରା ପେନ୍‌ସନ ପାଇବା ପାଇଁ ସର୍ବନିମ୍ନ ୨୫ବର୍ଷର ଚାକିରି ଅବଧି ପୂର୍ବ ବେତନ ଆୟୋଗଙ୍କ ସୁପାରିସର ବିରୁଦ୍ଧାଚରଣ କରୁଛି। ଅବସରପ୍ରାପ୍ତ କର୍ମଚାରୀଙ୍କର ଯଦି ୬୭ ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଏ, ତେବେ ଓପିଏସ୍‌ରେ ପାରିବାରିକ ପେନ୍‌ସନ ସେହିଭଳି ୫୦% ରହି ୬୭ ବର୍ଷ ପରେ ୩୦% ହେଉଥିଲା। କିନ୍ତୁ ୟୁପିଏସ୍‌ରେ ପ୍ରାରମ୍ଭରୁ ୩୦% (୬୦%ର ୫୦%)। ଏନ୍‌ପିଏସ୍‌ର କର୍ପସ ପାଣ୍ଠିରୁ ଯେଉଁ ଉଠାଣ ବ୍ୟବସ୍ଥା ଥିଲା, ୟୁପିଏସ୍‌ ସେ ବାବଦରେ ନୀରବ। ତଥାପି, ସରକାରଙ୍କ ଦ୍ୱାରା ଯାହାବି ସାର୍ବଜନୀନ ହୋଇଛି କାର୍ଯ୍ୟକାରିତା ପାଇଁ ଏକ ରାଜପତ୍ର ବିଜ୍ଞପ୍ତି ଏକାନ୍ତ ଅପରିହାର୍ଯ୍ୟ।
ଏହି ପରିପ୍ରେକ୍ଷୀରେ କର୍ମଚାରୀଙ୍କ ସ୍ବାର୍ଥକୁ ନେଇ କେନ୍ଦ୍ର ସରକାର ପୂର୍ବରୁ ଭିଆଇଥିବା ଏହିଭଳି ଏକ ନକାରାତ୍ମକ ଘଟଣା ଏଠାରେ ଉଲ୍ଲେଖ କରିବା ଉଚିତ ମନେହୁଏ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଆୟୋଗ ସୁପାରିସ କରିଥିବା ସର୍ବନିମ୍ନ ବେତନକୁ ୧୮,୦୦୦ରୁ ୨୬,୦୦୦କୁ ବୃଦ୍ଧି ଏବଂ ବେତନ ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ପାଇଁ ୧୧ ଜୁଲାଇ ୨୦୧୬ରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ହେବ ବୋଲି କର୍ମଚାରୀମାନେ ଏନ୍‌ଜେସିଏ ତରଫରୁ ଯେତେବେଳେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରିକଲେ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୬ ଜୁଲାଇ ୨୦୧୬ରେ ପ୍ରେସ୍‌ ଇସ୍ତାହାର ଜାରି କରି ଏକ ଉଚ୍ଚସ୍ତରୀୟ କମିଟି ଜରିଆରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ ସହ ୪ମାସ ଭିତରେ ନିଷ୍ପତ୍ତି ନେବା ପାଇଁ ଘୋଷଣାକଲେ। ଲିଖିତ ପ୍ରତିଶ୍ରୁତି ପାଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଯିବା ପରେ ସେସମୟର ଅର୍ଥମନ୍ତ୍ରୀ ୧୯ ଜୁଲାଇ ୨୦୧୬ରେ ରାଜ୍ୟ ସଭାର ପ୍ରଶ୍ନୋତ୍ତର କାଳରେ ଉତ୍ତର ରଖିଲେ ଯେ ସେଭଳି କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ନାହିଁ। ଇତିମଧ୍ୟରେ ୪ ମାସ ଯାଇ ୮ ବର୍ଷ ଅତିବାହିତ ହୋଇଯାଇଛି, ଉଚ୍ଚସ୍ତରୀୟ କମିଟି ଗଠନ ତ ଦୂରର କଥା, ଏଯାଏଁ ସରକାର କର୍ମଚାରୀଙ୍କର କୌଣସି କଥା ଶୁଣିବା ଅବସ୍ଥାରେ ନାହାନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ୱେବ୍‌ସାଇଟ୍‌ରେ ୨୦୧୬ର ଉପରୋକ୍ତ ଇସ୍ତାହାର ଏଯାଏଁ ଉପଲବ୍ଧ ହେଉଥିଲେ ବି କେନ୍ଦ୍ର ସରକାର ତାଙ୍କ ଲିଖିତ ପ୍ରତିଶ୍ରୁତିରୁ ସମ୍ପୂର୍ଣ୍ଣ ଓହରିଯାଇଛନ୍ତି। ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏକ ନିର୍ବାଚିତ ସରକାର ନିଜେ ନିଜର ଲିଖିତ ପ୍ରତିଶ୍ରୁତିକୁ ଅବମାନନା କରିବା ଗଣତନ୍ତ୍ର ପ୍ରତି ଉପହାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସନ୍ଦେହ ଉପୁଜିବା ଅତି ସ୍ବାଭାବିକ ଯେ ୟୁପିଏସ୍‌ ସଂକ୍ରାନ୍ତୀୟ ପତ୍ର ସୂଚନା କାର୍ଯ୍ୟାଳୟର ୨୪ ଅଗଷ୍ଟ ୨୦୨୪ର ପ୍ରେସ୍‌ ଇସ୍ତାହାର ସର୍ବନିମ୍ନ ମଜୁରି ବୃଦ୍ଧି ଭଳି ଘୋଷଣା ସର୍ବସ୍ବ ନୁହେଁ ତ? ରାଜପତ୍ର ବିଜ୍ଞପ୍ତି ପ୍ରକାଶନକୁ ବିଳମ୍ବିତ କରି ସରକାର ୟୁପିଏସ୍‌ କ୍ଷେତ୍ରରେ ସେହିଭଳି ଘଟଣାର ପୁନରାବୃତ୍ତି କରିବେ ନାହଁ ତ?

ବୃହସ୍ପତି ସାମଲ
ମୋ:୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ତାତି: ବରଗଡ଼ ଜିଲାରେ ଏହି ତାରିଖ ପର୍ଯ୍ୟନ୍ତ ବଢ଼ିଲା ସ୍କୁଲ, କଲେଜ ଛୁଟି

ବରଗଡ଼, ୨୨।୪ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ଆଉ ୧୫ ଦିନ ପରେ ବଢ଼ିପାରେ ତେଲ ଦର! ପେଟ୍ରୋଲିୟମ ଡିଲର୍ସ ସଂଘ କହିଲା….

ନୂଆଦିଲ୍ଲୀ,୨୨।୪: ତୈଳ ଦରକୁ ନେଇ ପେଟ୍ରୋଲିୟମ ଡିଲର୍ସ ସଂଘର ଆକଳନ । ଆଉ ୧୫ ଦିନ ଯୁଦ୍ଧ ସ୍ଥିତି ଲାଗିଲ ରହିଲେ, ବଢ଼ିପାରେ ତେଲ ଦର। ଅଶୋଧିତ…

ଭାରତରୁ ପାକିସ୍ତାନ ଯିବାକୁ ଖର୍ଚ୍ଚ ହୁଏ କେତେ ଟଙ୍କା? ଜାଣିଲେ ଉଡିବ ହୋସ୍‌

ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ, ଦୁଇ ଦେଶ ମଧ୍ୟରେ ଯାତ୍ରା କରିବା ଲୋକମାନେ ପ୍ରାୟତଃ ଭାବୁଥିବା ପରି ସରଳ ନୁହେଁ। ଯଦି ଆପଣ…

ଇଣ୍ଡକ୍ସନ କୁକଟପ୍‌କୁ ନେଇ ବଡ଼ ଘୋଷଣା କରିବେ ସରକାର, ସିଲିଣ୍ଡର ବ୍ୟବହାରକାରୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୪: ପଶ୍ଚିମ ଏସିଆର ସଙ୍କଟ ମଧ୍ୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ମୂଲ୍ୟ ବୃଦ୍ଧିର ମୁକାବିଲା କରିବା ପାଇଁ ସରକାର ଇଣ୍ଡକ୍ସନ କୁକଟପ ପାଇଁ ଗୁରୁତ୍ୱପୂର୍ଣ୍ଣ…

୨୫ରୁ ଝଡ଼ବର୍ଷା ଆଲର୍ଟ, IMD କହିଲା ବଢିପାରେ ପବନର ବେଗ!

ନୂଆଦିଲ୍ଲୀ,୨୨।୪: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗରମ ଆରମ୍ଭ ହୋଇଥିବାବେଳେ, ଉତ୍ତର-ପୂର୍ୱ ଭାରତରେ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି। ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ୧୩ଟି ରାଜ୍ୟ ପାଇଁ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri