ନିଷ୍ପତ୍ତି ନେଲା ଆମେରିକା

ଓ୍ବାଶିଂଟନ/ନ୍ୟୁୟର୍କ,୪ା୧୧: ଆମେରିକାରେ ବହୁ ପ୍ରତୀକ୍ଷିତ ଚତୁଃ ବାର୍ଷିକ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରିପବ୍ଲିକାନ୍‌ ପାର୍ଟିରୁ ପ୍ରେସିଡେନ୍ସିଆଲ ନୋମିନି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଥରେ ଭାଗ୍ୟ ପରୀକ୍ଷା କରୁଥିବାବେଳେ ତାଙ୍କ ବିପକ୍ଷରେ ଚ୍ୟାଲେଞ୍ଜର ରୂପେ ଉଭା ହୋଇଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ୍‌ ଜୋ ବାଇଡେନ। ସେହିପରି ବର୍ତ୍ତମାନର ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ନିଜ ପଦବୀ ବଜାୟ ରଖିବା ପାଇଁ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି ବାଇଡେନଙ୍କ ରନିଂ ମେଟ୍‌ ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌। ଏହି ୪ ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ଯୋଗ୍ୟ ନେତାଙ୍କୁ ବାଛିବା ସକାଶେ ପ୍ରାଇମେରି ଓ କକ୍‌ସେସ୍‌ଗୁଡ଼ିକରେ ଫେବୃୟାରୀରୁ ଅଗଷ୍ଟ ମଧ୍ୟରେ ଭୋଟ ହୋଇଥିଲା। ଏଥର ନିର୍ବାଚନରେ କୋଭିଡ୍‌-୧୯, ଅର୍ଥନୀତି, ଜାତୀୟ ସୁରକ୍ଷା, ସ୍ବାସ୍ଥ୍ୟ ସେବା, ଆପ୍ରବାସନ ଓ ବର୍ଣ୍ଣବୈଷମ୍ୟ ହେଉଛି ମୁଖ୍ୟ ପ୍ରସଙ୍ଗ। କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଦ୍ୟାବଧି ୨ ଲକ୍ଷ ୩୦ ହଜାର ଜଣଙ୍କ ମୃତ୍ୟୁ ଘଟିସାରିଥିବାବେଳେ ମହାମାରୀର ମୁକାବିଲା ପାଇଁ ଟ୍ରମ୍ପ୍‌ ପ୍ରଶାସନର ବିଫଳତାକୁ ଚାରିଆଡ଼େ ସମାଲୋଚନା କରାଯାଉଛି। ସେହିପରି ଜର୍ଜ ଫ୍ଲୟଡ୍‌ ଓ ଅନ୍ୟ ଜଣେ ଆଫ୍ରିକୀୟ ଆମେରିକୀୟଙ୍କ ହତ୍ୟା ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ରୁଥ୍‌ ବଡେର ଗିନ୍ସବର୍ଗଙ୍କ ମୃତ୍ୟୁ ପରେ ଆମି କୋନେୟ ବରେଟ୍ଟଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିବା, ସମସ୍ତଙ୍କୁ ସୁହାଇଲା ଭଳି କେୟାର ଆକ୍ଟ ଆଣିବା ଭଳି ପ୍ରସଙ୍ଗକୁ ନେଇ ମଧ୍ୟ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମୁହଁାମୁହିଁ ହୋଇଛନ୍ତି।
ଏହା ହେଉଛି ପ୍ରଥମ ରାଷ୍ଟ୍ରପତି ନିର୍ବାଚନ, ଯେଉଁଠି ଉଭୟ ପ୍ରମୁଖ ପ୍ରାର୍ଥୀଙ୍କ ବୟସ ୭୦ ବର୍ଷରୁ ଅଧିକ। ୭୭ ବର୍ଷୀୟ ବାଇଡେନ ନିର୍ବାଚିତ ହେଲେ ସେ ହେବେ ବରିଷ୍ଠତମ ରାଷ୍ଟ୍ରପତି ଏବଂ ୨୮ ବର୍ଷ ପରେ ଶାସକ ଦଳର ପ୍ରାର୍ଥୀଙ୍କୁ ହରାଇବାରେ ପ୍ରଥମ ପ୍ରାର୍ଥୀ। ପୂର୍ବରୁ ୧୯୯୨ ନିର୍ବାଚନରେ ଡେମୋକ୍ରାଟ୍‌ ବିଲ୍‌ କ୍ଲିଣ୍ଟନ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ ବୁଶ୍‌ଙ୍କୁ ପରାଜିତ କରିଥିଲେ। ସେହିପରି କମଲା ହାରିସ୍‌ ବିଜୟୀ ହେଲେ ସେ ହେବେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି।
ସେପଟେ ପୂର୍ବରୁ ପ୍ରାୟ ୧୦ କୋଟି ଭୋଟର ମତଦାନ କରିସାରିଥିବାବେଳେ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ମଙ୍ଗଳବାର ସକାଳେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଡେମୋକ୍ରାଟିକ୍‌ ପାର୍ଟିର ଗଡ଼ ଭାବେ ପରିଚିତ ପୂର୍ବାଞ୍ଚଳ ରାଜ୍ୟ ଭର୍ମୋଣ୍ଟରେ ସର୍ବପ୍ରଥମେ ମତଦାନ ଆରମ୍ଭ ହୋଇଥିଲା। ବୈଷମ୍ୟ ବିରୋଧୀ ଆନ୍ଦୋଳନ ଓ ହିଂସାକୁ ଦୃଷ୍ଟିରେ ରଖି ପ୍ରମୁଖ ବ୍ୟବସାୟିକ ଅଞ୍ଚଳରେ କୌଣସି ଅପ୍ରୀତିକର ପରସ୍ଥିତିକୁ ଏଡ଼ାଇବା ଲାଗି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଓ୍ବାଶିଂଟନ ଡିସିସ୍ଥିତ ହ୍ବାଇଟ୍‌ ହାଉସ୍‌ ଓ ସରକାରୀ ସଂସ୍ଥାଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇ ସେନା ଛାଉଣୀରେ ପରିଣତ କରାଯାଇଥିବା ସିକ୍ରେଟ୍‌ ସର୍ଭିସ ସୂଚନା ଦେଇଛି। ମତଦାନ ଦିବସ ପୂର୍ବରୁ ପ୍ରେସିଡେନ୍ସିଆଲ କମ୍ପ୍ଲେକ୍ସକୁ ଘେରି ଏକ ଅସ୍ଥାୟୀ ଅଭେଦ୍ୟ ପ୍ରାଚୀର ନିର୍ମାଣ କରାଯାଇଛି। ସାରା ଦେଶରେ ୬୦୦ ନ୍ୟାଶନାଲ ଗାର୍ଡ ଟୁପ୍‌କୁ ମୁତୟନ କରାଯାଇଛି।
ଶେଷ ଦିନ ପ୍ରଚାର ବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ ଓ ଚ୍ୟାଲେଞ୍ଜର ବାଇଡେନ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନାହାନ୍ତି। ବାଇଡେନ ପେନ୍‌ସିଲଭାନିଆ ଓହିଓରେ ସବୁ ପ୍ରକାର ଉଦ୍ୟମ କରିଥିବାବେଳେ ଟ୍ରମ୍ପ୍‌ ନର୍ଥ କାରୋଲି, ମିଶିଗାନ ଓ ଓ୍ବସ୍କୋନସିନରେ ୫ଟି ରାଲି କରିଥିଲେ। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ବାଇଡେନଙ୍କ ପାଇଁ ଜର୍ଜିଆ ଓ ଫ୍ଲୋରିଡାରେ ପ୍ରଚାର କରି କରୋନା ଭାଇରସ୍‌ ମୁକାବିଲା କ୍ଷେତ୍ରରେ ଟ୍ରମ୍ପ୍‌ଙ୍କ ବିଫଳତା ଓ ବର୍ଣ୍ଣବୈଷମ୍ୟ ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟକୁ ନେଇ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଭୋଟ ଗ୍ରହଣ ପରେ ବାଲଟ ଆସିଲେ ତା’ର ଟାବୁଲେଶନକୁ ବନ୍ଦ କରିବା ପାଇଁ ଆଇନଗତ ପଦକ୍ଷେପ ନେବେ ବୋଲି ଟ୍ରମ୍ପ୍‌ ସଙ୍କେତ ଦେଇଛନ୍ତି।
ଅଧିକାଂଶ ନିର୍ବାଚନୀ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଡେମୋକ୍ରାଟିକ୍‌ ପ୍ରାର୍ଥୀ ବାଇଡେନ ଆଗରେ ରହିଛନ୍ତି। ତେବେ ସ୍ବିଙ୍ଗ୍‌ ଷ୍ଟେଟ୍‌ ବା ଝୁଲା ରାଜ୍ୟଗୁଡ଼ିକରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି। ଏହି ଝୁଲା ରାଜ୍ୟଗୁଡ଼ିକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଫ୍ଲୋରିଡା, ପେନ୍‌ସିଲଭାନିଆ, ଜର୍ଜିଆ, ମିଶିଗାନ ଓ ଓ୍ବିସ୍କୋନ୍‌ସିନ ଭଳି ରାଜ୍ୟ ପରବର୍ତ୍ତୀ ୪ ବର୍ଷ ପାଇଁ ଆମେରିକାର ଭାଗ୍ୟ ନିର୍ଦ୍ଧାରଣ କରିବ। ଆରିଜୋନାରେ ମଧ୍ୟ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଜଣାପଡ଼ିଛି।

 

ଭାରତ ସହ ସମ୍ପର୍କ ଉପରେ ପ୍ରଭାବ
ଓ୍ବାଶିଂଟନ: ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ଭାରତ ସହ ଆମେରିକାର ସମ୍ପର୍କ ସୁଦୃଢ଼ ରହିବ ବୋଲି ଆଶା କରାଯାଉଛି। ଉଭୟ ପ୍ରାର୍ଥୀଙ୍କ ନୀତି ଇସ୍ତାହାର ଓ ପ୍ରଚାର ସମୟର ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି। ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତିତ୍ୱ ସମୟରେ ହ୍ବାଇଟ୍‌ ହାଉସ୍‌ରେ ଭାରତ ଶେଷ୍ଠ ବନ୍ଧୁର ପରିଚୟ ପାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବନ୍ଧୁତା ଓ ସମ୍ପର୍କ ଏକ ନୂତନ ସ୍ତରରେ ପହଞ୍ଚତ୍ଥିଲା। ଉଭୟ ନେତା ଆମେରିକା ଓ ଭାରତରେ ଦୁଇଟି ରାଲିରେ ଏକାଠି ଉଦ୍‌ବୋଧନ ଦେଇ ପରସ୍ପରକୁ ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ମଧ୍ୟ ସିନେଟର ଥିବା ସମୟରୁ ଭାରତ ସହ ଆମେରିକାର ଦୃଢ଼ ସମ୍ପର୍କ ଦାବି କରିଆସିଛନ୍ତି। ଭାରତ-ଆମେରିକା ବେସାମରିକ ଅଣୁ ଚୁକ୍ତିଠାରୁ ଆରମ୍ଭ କରି ୫୦୦ ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ଲକ୍ଷ ଧାର୍ଯ୍ୟ କରିବା ପର୍ଯ୍ୟନ୍ତ ବାଇଡେନଙ୍କର ପ୍ରମୁଖ ଭୂମିକା ଥିଲା। ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟଙ୍କ ସହିତ ତାଙ୍କର ଘନିଷ୍ଠତା ରହିଛି। ଭାରତ ଓ ଆମେରିକା ସ୍ବାଭାବିକ ସହଯୋଗୀ ବୋଲି ଜୁଲାଇରେ ପାଣ୍ଠି ସଂଗ୍ରହ ବେଳେ ବାଇଡେନ୍‌ କହିଥିଲେ।

ହାରିସ୍‌ଙ୍କ ମା’ଙ୍କ ଗ୍ରାମରେ ପୂଜାର୍ଚ୍ଚନା
ନୂଆଦିଲ୍ଲୀ: ଆମେରିକାରେ ନିର୍ବାଚନ ଚାଲିଥିବାବେଳେ ଡେମୋକ୍ରାଟିକ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ଙ୍କ ବିଜୟ ଲାଗି ତାମିଲନାଡୁରେ ଥିବା ତାଙ୍କ ମାଆଙ୍କ ଗ୍ରାମରେ ପୂଜାର୍ଚ୍ଚନା କରାଯାଇଛି। ଡେମୋକ୍ରାଟିକ୍‌ ପାର୍ଟିର ବିଜୟ ଲାଗି କମଲାଙ୍କ ଅଜା ଏହି ପୂଜାପାଠର ଆୟୋଜନ କରିଛନ୍ତି। ଏହି ଅବସରରେ ଭକ୍ତମାନଙ୍କୁ ମାଗଣା ଇଡ୍‌ଲି ଓ ସମ୍ବର ବଣ୍ଟାଯାଇଥିଲା। କମଲାଙ୍କ ବିଜୟ କାମନା କରାଯାଇ ଗ୍ରାମରେ ପୋଷ୍ଟର ମଧ୍ୟ ଲଗାଯାଇଛି।

ମିଛ ଖବର ଉପରେ ଅଙ୍କୁଶ
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଭୋଟଗ୍ରହଣଠାରୁ ଭୋଟଗଣତି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ବିଭିନ୍ନ ମିଛ ଖବର ମଧ୍ୟ ପ୍ରକାଶ ପାଇଥାଏ। ଫଳରେ ନିର୍ବାଚନୀ ବାତାବରଣ ନଷ୍ଟ ହେବା ସହ ହିଂସା ଉପୁଜିବା ଆଶଙ୍କା ରହିଥାଏ। ଏଭଳି ମିଛ ଖବର ଉପରେ ଅଙ୍କୁଶ ଲଗାଇବା ଲାଗି ମେସେଜିଂ ଆପ୍‌ସ, ସର୍ଚ୍ଚ ଇଞ୍ଜିନ୍‌ସ, ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ, ଟୁଇଟର ଆଦି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି। ନିର୍ବାଚନ ସମ୍ପର୍କିତ କିଛି ମିଛ ଖବର ପଠାଗଲେ ଏନେଇ ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ ୟୁଜରଙ୍କୁ ସତର୍କ କରାଇବାର ବ୍ୟବସ୍ଥା କରାଯାଇଛି। ଟୁଇଟର ମଧ୍ୟ ମିଛ ଖବର ସମ୍ପର୍କରେ ଅବଗତ କରାଇବା ସହ ସତର୍କ କରିବ। ଟୁଇଟର ଏବଂ ଟିକ୍‌ଟକ୍‌ ୨୦୧୯ ଅକ୍ଟୋବରରୁ ରାଜନୈତିକ ବିଜ୍ଞାପନକୁ ନିଷିଦ୍ଧ କରିସାରିଛନ୍ତି। ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର ମାଧ୍ୟମରେ ସୀମିତ ମେସେଜ୍‌ ପଠାଇପାରିବେ। କେବଳ ୫ ଜଣଙ୍କୁ ଏହାକୁ ଫର୍‌ଓ୍ବାର୍ଡ କରାଯାଇପାରିବ। ନିର୍ବାଚନ ସମ୍ପର୍କିତ ମିଛ ଖବର ପ୍ରକାଶ ପାଇଲେ, ତାହା ଜଣାପଡ଼ିଯିବ। ସ୍ନାପଚାପ୍‌ ମଧ୍ୟ ମିଛ ଉଡ଼ା ଖବରକୁ ରୋକିବା ଲାଗି କାର୍ଯ୍ୟ ପରିସରକୁ ସଂକୋଚିତ କରିଛି। ୟୁଟ୍ୟୁବ୍‌, ଆଲ୍‌ଫାବେଟ ପ୍ରମୁଖ ନିର୍ବାଚନ ସମ୍ପର୍କିତ ସୂଚନା ଲାଗି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ମିଛ ଖବର ପ୍ରସାରଣ ନ କରିବା ଓ ଏଥିରେ ବ୍ରେକ୍‌ ଦେବା ଲାଗି ଯୋଜନାବଦ୍ଧ ଭାବେ ପଦକ୍ଷେପ ନେଇଛନ୍ତି। ମତଦାନଠାରୁ ଭୋଟଗଣତି ମଧ୍ୟରେ ସୋସିଆଲ ମିଡିଆ ନିଜର ସ୍ବଚ୍ଛତା ବଜାୟ ରଖିବା ଲାଗି ପ୍ରୟାସ କରିଥିବା ଜଣାପଡ଼ିଛି।
ମେମେ ପଛର ମୁହଁ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ରାଜନୈତିକ ମେମେ ଶେୟାର କରି ଅନେକ ବ୍ୟକ୍ତି ଚର୍ଚ୍ଚାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଡାନ୍‌ ବୋଙ୍ଗିନୋ ଅନ୍ୟତମ। ତାଙ୍କ ଦକ୍ଷିଣପନ୍ଥୀ ଚିନ୍ତାଧାରା ଓ ଚିତ୍ରଣ ଫେସ୍‌ବୁକ୍‌ ୟୁଜର୍ସଙ୍କୁ ବେଶ୍‌ ଆକର୍ଷିତ କରିପାରିଛି। ସୋସିଆଲ ମିଡିଆରେ ସେ ଛାଇହୋଇ ରହିଛନ୍ତି। ଡୋନାଲ୍ଟ ଟ୍ରମ୍ପଙ୍କୁ ସେ ସମର୍ଥନ କରି ବିଭିନ୍ନ ମେମେ ଶେୟାର କରିଥାନ୍ତି। ବାମପନ୍ଥୀଙ୍କ ପ୍ରତି ସାଧାରଣତଃ ସେ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିଥାନ୍ତି। ବିଭିନ୍ନ ସୋସିଆଲ ମିଡିଆରେ ଏବେ ତାଙ୍କର କ୍ରେଜ୍‌ ବଢ଼ିବାରେ ଲାଗିଛି।
ଜଣେ ହେଲେ ଫ୍ରାଙ୍କଲିନ୍‌ ଗ୍ରାହାମ୍‌। ସେ ଧର୍ମ ଉପଦେଶ ଦେଉଥିବା ବିଲି ଗ୍ରାହାମ୍‌ଙ୍କ ପୁଅ। ଆମେରିକାରେ ତାଙ୍କ ମେମେ ବେଶ୍‌ ପ୍ରଭାବ ପକାଇଛି। ତାଙ୍କର ଫେସ୍‌ବୁକ୍‌ ପୋଷ୍ଟ କ୍ରମାଗତ ଭାବେ ଶେୟାର କରାଯାଉଛି। ଟ୍ରମ୍ପଙ୍କ ବୈଦେଶିକ ନୀତିକୁ ସେ ପ୍ରଶଂସା କରି ତାଙ୍କ ବିଜୟ ଲାଗି ୟୁଜର୍ସଙ୍କୁ ସେ କହିଥାନ୍ତି।
ଅଭିନେତା ଜେମ୍ସ ଉଡ୍ସ ଟୁଇଟରରେ ବେଶ୍‌ ଆକ୍ଟଭ୍‌। ଏବେ ସେ ସୋସିଆଲ ମିଡିଆକୁ ୧୦ ମାସ ପରେ ପୁଣି ଫେରିଛନ୍ତି। ବିବାଦ ଘେରରେ ରହି ତାଙ୍କ ଆକାଉଣ୍ଟକୁ ବହୁବାର ସସ୍‌ପେଣ୍ଡ କରାଯାଇଛି। ଡେମୋକ୍ରାଟ୍‌ଙ୍କୁ ଆକ୍ରମଣ କରିବା ଓ ଟ୍ରମ୍ପଙ୍କୁ ସମର୍ଥନ କରିବା ତାଙ୍କର ନିତିଦିନିଆ ଅଭ୍ୟାସ।
ଅର୍ଥନୈତିକ ପରାମର୍ଶଦାତା ତଥା ପୂର୍ବତନ ଶ୍ରମ ସଚିବ ରୋବର୍ଟ ରିଚ୍‌ଙ୍କ ଟୁଇଟ୍‌ ଓ ମେମେଗୁଡ଼ିକ ଟ୍ରମ୍ପ ବିରୋଧୀ। ଡେମୋକ୍ରାଟ୍‌ଙ୍କ ସପକ୍ଷରେ ସେ ସର୍ବଦା ରହିଆସିଛନ୍ତି। ଟ୍ରମ୍ପଙ୍କ ଅର୍ଥନୈତିକ ଅସମାନତାକୁ ସେ ସୋସିଆଲ ମିଡିଆରେ ସମାଲୋଚନା କରିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri