ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ ଚେତନାର ପ୍ରଥମ ପରିଚୟ ହେଉଛି ତା’ର ମାତୃଭାଷା। ଓଡ଼ିଆ ଭାଷା ତା’ର ସମୃଦ୍ଧ ଶବ୍ଦଭଣ୍ଡାର, ବ୍ୟାକରଣ, ଛନ୍ଦ, ଅଳଙ୍କାର ଏବଂ ବିଶେଷକରି ଯୁକ୍ତାକ୍ଷର ପାଇଁ ସ୍ବତନ୍ତ୍ର ପରିଚୟ ବହନ କରିଆସିଛି। ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟକୁ ଯେଉଁ କିଛି ବିଶେଷତ୍ୱ ସ୍ବତନ୍ତ୍ର କରିଛି, ସେଥିରେ ଯୁକ୍ତାକ୍ଷରର ସ୍ଥାନ ଅନନ୍ୟ। ‘କ୍ଷ’, ‘ଜ୍ଞ’, ‘ତ୍ର’, ‘ଦ୍ଧ’, ‘ନ୍ଦ୍ର’, ‘ସ୍ଥ’, ‘ଦ୍ୱ’, ‘ମ୍ପ’, ‘ଶ୍ର’ ପରି ଅସଂଖ୍ୟ ଯୁକ୍ତାକ୍ଷର ଓଡ଼ିଆ ଲିପିକୁ ସମୃଦ୍ଧ କରିଛନ୍ତି। କିନ୍ତୁ ଆଜିର ପିଢ଼ିର ପିଲାମାନଙ୍କ ପାଇଁ ଏହି ଯୁକ୍ତାକ୍ଷର ଧୀରେ ଧୀରେ ଏକ ଅପରିଚିତ ଜଗତରେ ପରିଣତ ହେଉଛି। ଆଜି ଅନେକ ପିଲା ସରଳ ଓଡ଼ିଆ ପଢ଼ିପାରୁଛନ୍ତି, କିନ୍ତୁ ‘ପ୍ରଜ୍ଞା’, ‘ସ୍ବାଧୀନତା’, ‘ସଂସ୍କୃତି’, ‘ବିଦ୍ୟାଳୟ’, ‘ପ୍ରତିଷ୍ଠା’, ‘ଐଶ୍ୱର୍ଯ୍ୟ’, ‘ନିଷ୍ଠା’, ‘ଅନ୍ତର୍ଦୃଷ୍ଟି’ ମୃତ୍ୟୁଞ୍ଜୟ’ , ‘ଉଦ୍ଭାବନ’, ‘ଉଦ୍ଦିଷ୍ଟ’ ପରି ଶବ୍ଦକୁ ଚିହ୍ନିବା, ଉଚ୍ଚାରଣ କରିବା ପାଇଁ ସଂଘର୍ଷ କରୁଛନ୍ତି। ଫଳରେ ଓଡ଼ିଆ ପଢ଼ିବା ପ୍ରତି ଆଗ୍ରହ କମୁଛି ଓ ଭାଷାର ମୌଳିକ ଦକ୍ଷତା ଦୁର୍ବଳ ହେଉଛି। ଏହା କୌଣସି ବ୍ୟକ୍ତିଗତ ଦୁର୍ବଳତା ନୁହେଁ; ବରଂ ଆମର ଶିକ୍ଷା ବ୍ୟବସ୍ଥା, ସାମାଜିକ ପରିବେଶ ଓ ଡିଜିଟାଲ ଜୀବନଶୈଳୀର ଏକ ସାମୂହିକ ପ୍ରଭାବ।
ପ୍ରାଥମିକ ପର୍ଯ୍ୟାୟରେ ଅକ୍ଷର ଶିକ୍ଷା ସମୟରେ ହସ୍ତାକ୍ଷର ଲିଖନ, ତ୍ରୁଟି ସଂଶୋଧନ ଏବଂ ଅଭ୍ୟାସର ଅଭାବ ଯୋଗୁ ଶୁଦ୍ଧ ଲିଖନ ଏବଂ ଉଚ୍ଚାରଣରେ ଅସୁବିଧା ସୃଷ୍ଟି ହେଉଛି l ଡିଜିଟାଲ ବିପ୍ଳବର ପ୍ରଭାବରେ ପିଲାଙ୍କ ହାତରେ ପୁସ୍ତକଠାରୁ ଅଧିକ ମୋବାଇଲ ଫୋନ ଶୋଭାପାଉଛି । ମୋବାଇଲ ଫୋନ, ସୋସିଆଲ ମିଡିଆ ଓ ରୋମାନ ଲିପିରେ ଓଡ଼ିଆ ଲେଖିବା ପ୍ରବୃତ୍ତି ଯୁକ୍ତାକ୍ଷର ବ୍ୟବହାରକୁ କମାଇ ଦେଇଛି। କାରଣ ଅନେକ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଲେଖିବା ପାଇଁ ସହଜ ବ୍ୟବସ୍ଥା ନ ଥିବାରୁ ରୋମାନ ଲିପିର ପ୍ରଚଳନ ବଢ଼ୁଛି। ଏବେ ପ୍ରାୟ ‘ପ୍ରଣାମ’, ‘ଧନ୍ୟବାଦ’, ‘ନମସ୍କାର’ ବଦଳରେ ଇଂଲିଶ ଅକ୍ଷର ବ୍ୟବହାର କରି “pranam”, “dhanyabad” ଓ ” namaskar” ଲେଖିବାରେ ସଭିଏ ଅଭ୍ୟସ୍ତ।
କିଛି ଗଣମାଧ୍ୟମ ଏବଂ ଖବରକାଗଜ ଯୁକ୍ତାକ୍ଷରଯୁକ୍ତ ଶବ୍ଦକୁ ସରଳ କରିବା ପାଇଁ ‘ଅନୁସାର ’ ଲଗେଇ ତା’ର ବିକଳ୍ପ ପ୍ରସ୍ତୁତ କରୁଛନ୍ତି l ଉଦାହରଣ ସ୍ବରୂପ ‘ଦିବଙ୍ଗତ’ ଶବ୍ଦକୁ ‘ଦିବଂଗତ’, ‘ଅନୁକମ୍ପା’କୁ ‘ଅନୁକଂପା ’ ‘କଙ୍କାଳ’ କୁ ‘କଂକାଳ’ ; ଏଭଳି ଲେଖାଯିବା ଦ୍ୱାରା ଭାଷା ପଢ଼ିବା ପାଇଁ ସହଜ ହେଉଛି ସତ; କିନ୍ତୁ ଏହା ଯୁକ୍ତାକ୍ଷର ଶିକ୍ଷାର ଆବଶ୍ୟକତାକୁ କମେଇ ଦେଉଛି। ଯୁକ୍ତାକ୍ଷର ବଦଳରେ ଅନୁସାର ବ୍ୟବହାର କରିବା ପକ୍ଷରେ ଯୁକ୍ତି ରଖି କେତେକ ଖବରକାଗଜ ଏବଂ ପ୍ରକାଶନ ସଂସ୍ଥା ମତ ରଖନ୍ତି ଯେ, ଏହା ଯୋଗୁ ପାଠକଙ୍କ ପାଇଁ ପଢ଼ିବା, ଛାପା ଓ ଡିଜିଟାଲ ଟାଇପିଂ ସରଳ ହୁଏ। ଏହା ସହିତ ନୂଆ ପିଢ଼ିଙ୍କୁ ଓଡ଼ିଆ ପଢ଼ିବା ପାଇଁ ଭୟ କମ ଲାଗେ। ମାତ୍ର ଭାଷାକୁ ସମୟ ସହ ଅଧିକ ବ୍ୟବହାରଯୋଗ୍ୟ କରାଯିବା ହିଁ ବର୍ତ୍ତମାନର ଆବଶ୍ୟକତା l ପୂର୍ବେ ଘରେ ଘରେ ଓଡ଼ିଆ ଖବରକାଗଜ, ପତ୍ରିକା, ଗଳ୍ପବହି ଓ ରାମାୟଣ-ମହାଭାରତ ପଢ଼ାଯାଉଥିଲା। ପିଲାମାନେ ସ୍ବାଭାବିକ ଭାବେ ଯୁକ୍ତାକ୍ଷର ସହ ପରିଚିତ ହେଉଥିଲେ। ବର୍ତ୍ତମାନ ସେହି ସ୍ଥାନ ନେଇଛି ଛୋଟ ଭିଡିଓ, ରିଲ ଓ ଗେମ। ଫଳରେ ଭାଷାର ଗଭୀରତା ସହ ସମ୍ପର୍କ କ୍ରମେ କ୍ଷୀଣ ହେଉଛି। ଏହି ସମସ୍ୟାର ପ୍ରଭାବ କେବଳ ବନାନ ଭୁଲ୍‌ରେ ସୀମିତ ନୁହେଁ। ଯୁକ୍ତାକ୍ଷର ପଢ଼ିପାରୁ ନ ଥିବା ପିଲା ଓଡ଼ିଆ ସାହିତ୍ୟଠାରୁ ଦୂରେଇଯାଉଛନ୍ତି। ଗୋପବନ୍ଧୁ, ଫକୀରମୋହନ, ରାଧାନାଥ, ଗଙ୍ଗାଧର, ସଚ୍ଚିଦାନନ୍ଦ ରାଉତରାୟ, ସୀତାକାନ୍ତ ମହାପାତ୍ରଙ୍କ ରଚନା ପଢ଼ିବା ସେମାନଙ୍କ ପାଇଁ କଷ୍ଟକର ହୋଇଯାଉଛି।
ପୁରୁଣା ସାହିତ୍ୟ, ପାଣ୍ଡୁଲିପି ଓ ଗ୍ରନ୍ଥ ପଢ଼ିବା ପାଇଁ କଷ୍ଟକର ହୋଇପଡୁଛି। ଏହା ଭବିଷ୍ୟତରେ ମାତୃଭାଷାର ମାନ ଓ ମର୍ଯ୍ୟାଦା ପାଇଁ ଚିନ୍ତାର ବିଷୟ।
ଏବେ ପ୍ରଶ୍ନ ହେଉଛି, ସମାଧାନ କ’ଣ? ସମାଧାନ କେବଳ ବିଦ୍ୟାଳୟରେ ସୀମିତ ରହିବା ଉଚିତ ନୁହେଁ; ପ୍ରଥମେ ପରିବାରରୁ ଆରମ୍ଭ କରିବାକୁ ପଡ଼ିବ। ପ୍ରତିଦିନ କିଛି ସମୟ ପିଲାଙ୍କୁ ଓଡ଼ିଆ ବହି ପଢ଼ିବା, ଗଳ୍ପ କହିବା ଓ ଖବରକାଗଜର ଛୋଟ ଛୋଟ ଖବର ପଢ଼ାଇବା ଶିକ୍ଷାଦେବା ଉଚିତ l ପିଲାଙ୍କୁ ଯୁକ୍ତାକ୍ଷର ଥିବା ଶବ୍ଦ ସହ ପରିଚିତ କରାଇବା ଉଚିତ। ଆହୁରି ମଧ୍ୟ ବିଦ୍ୟାଳୟରେ ଯୁକ୍ତାକ୍ଷର ଶିକ୍ଷାକୁ ଭୟମୁକ୍ତ ଓ ଆନନ୍ଦଦାୟକ କରିବାକୁ ହେବ। କାର୍ଡ, ଚିତ୍ର, ଖେଳ, କବିତା, ଶବ୍ଦ ପ୍ରତିଯୋଗିତା ଓ କାହାଣୀ ମାଧ୍ୟମରେ ଏହାକୁ ସହଜ କରାଯାଇପାରିବ। ଡିଜିଟାଲ ଯୁଗରେ ଓଡ଼ିଆ ଯୁକ୍ତାକ୍ଷର ଶିଖାଇବା ପାଇଁ ମୋବାଇଲ ଆପ, ଜୀବନ୍ତ ଚିତ୍ର ସମ୍ମିଳିତ ଚଳଚ୍ଚିତ୍ର (ଆନିମେଶନ) ଓ ସକ୍ରିୟ ଅଂଶଗ୍ରହଣ ମୂଳକ (ଇଣ୍ଟରାକ୍ଟିଭ) ଖେଳ ପ୍ରସ୍ତୁତ କରିବାକୁ ହେବ।
ସରକାରଙ୍କର ମଧ୍ୟ ଏଠାରେ ଗୁରୁଦାୟିତ୍ୱ ରହିଛି। ମାତୃଭାଷାରେ ପ୍ରାଥମିକ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ସହ ଓଡ଼ିଆ ଭାଷା ଶିକ୍ଷା ପାଇଁ ନୂତନ ପଦ୍ଧତି ଆଣିବା ଦରକାର। ଶିକ୍ଷକ ପ୍ରଶିକ୍ଷଣ, ପାଠ୍ୟପୁସ୍ତକର ଗୁଣାତ୍ମକ ପରିବର୍ତ୍ତନ, ଶିଶୁ ଉପଯୋଗୀ ସାହିତ୍ୟ ଓ ଡିଜିଟାଲ ସାମଗ୍ରୀର ବିକାଶ ଆଜି ସମୟର ଦାବି।
ମୋ ମତରେ, ସମସ୍ୟା ଯୁକ୍ତାକ୍ଷରରେ ନୁହେଁ, ସମସ୍ୟା ଏହାର ଶିକ୍ଷାଦାନ ପଦ୍ଧତିରେ ରହିଛି l ପିଲାମାନେ ଯଦି ଯୁକ୍ତାକ୍ଷର ଶିଖିପାରୁ ନାହାନ୍ତି, ତେବେ ଯୁକ୍ତାକ୍ଷରକୁ ବଦଳାଇବା ପରିବର୍ତ୍ତେ ଶିକ୍ଷାଦାନର ପଦ୍ଧତିକୁ ସହଜ, ଆକର୍ଷଣୀୟ ଓ ବୈଜ୍ଞାନିକ କରିବା ଆବଶ୍ୟକ। ଭାଷାର ସୌନ୍ଦର୍ଯ୍ୟକୁ ବାଦ୍‌ ଦେଇ ସରଳୀକରଣ କରିବା ଦୀର୍ଘମିଆଦୀ ସମାଧାନ ନୁହେଁ। ଏକ୍ଷେତ୍ରରେ ସମ୍ବାଦପତ୍ରର ମଧ୍ୟ ଏକ ସାମାଜିକ ଦାୟିତ୍ୱ ରହିଛି। ଶେଷରେ ଏତିକି କୁହାଯାଇପାରେ ଯେ ଯୁକ୍ତାକ୍ଷର କେବଳ ଅକ୍ଷରର ସଂଯୋଗ ନୁହେଁ; ଏହା ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ, ଶୁଦ୍ଧତା ଓ ଐତିହ୍ୟର ପ୍ରତୀକ। ଯଦି ଆଜିର ପିଢ଼ି ଏହାଠାରୁ ବିମୁଖ ହୁଏ, ତେବେ ଆସନ୍ତାକାଲି ଓଡ଼ିଆ ଭାଷା ନିଜର ମୌଳିକ ବୈଶିଷ୍ଟ୍ୟ ହରାଇବ। ତେଣୁ ଯୁକ୍ତାକ୍ଷରକୁ ବଞ୍ଚାଇବା କେବଳ ଭାଷାବିଦ୍‌ଙ୍କ କାମ ନୁହେଁ; ଏହା ପ୍ରତ୍ୟେକ ଅଭିଭାବକ, ଶିକ୍ଷକ, ସାହିତି୍ୟକ, ସାମ୍ବାଦିକ ଏବଂ ସଚେତନ ନାଗରିକଙ୍କର ସାମୂହିକ ଦାୟିତ୍ୱ।
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri