ବେକାରି ଓ ଅଗ୍ନିପଥ

କିଶୋର ଜେନା

 

ଭାରତ ସାରା ବ୍ୟାପିଚାଲିଛି ସଶସ୍ତ୍ର ବାହିନୀର ଏହି ନୂତନ କର୍ମସଂସ୍ଥାନ ଯୋଜନା ‘ଅଗ୍ନିପଥ’ ବିରୋଧୀ ଆନ୍ଦୋଳନ। ୨୨୫ ବର୍ଷର ପୁରୁଣା ନିଯୁକ୍ତି ପରମ୍ପରାକୁ ଭାଙ୍ଗି ଏହି ‘ଅଗ୍ନିପଥ’ ଯୋଜନା ଲାଗୁ କରିବା ଠିକ୍‌ ପୂର୍ବର ବିମୁଦ୍ରୀକରଣ, ନାଗରିକତ୍ୱ ସଂଶୋଧନ ଆଇନ, କୃଷି ଆଇନ ଓ ଅପରିକଳ୍ପିତ ଲକ୍‌ଡାଉନ ପରି କେନ୍ଦ୍ରର ମୋଦି ସରକାରଙ୍କ ଆଉ ଏକ କାର୍ଯ୍ୟ, ଯାହା ସାରା ଦେଶରେ ବେକାର ଯୁବତୀଯୁବକଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି। ସେଣ୍ଟର ଫର୍‌ ମନିଟରିଙ୍ଗ ଇଣ୍ଡିଆର ତଥ୍ୟ ଅନୁସାରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ ସଂଖ୍ୟା ୪୦ କୋଟି ପାଖାପାଖି। ସେନାରେ ନିଯୁକ୍ତି ବା ଭର୍ତ୍ତି ନେଇ ଦେଖାଦେଇଥିବା କ୍ରୋଧ ବେକାରି ଭଳି ଏକ ଉତ୍କଟ ସମସ୍ୟାର ପ୍ରତୀକାତ୍ମକ। ସମଗ୍ର ଦେଶରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ ସବୁ ବ୍ୟାପକ ଠିକାକରଣ ମାଧ୍ୟମରେ କରାଯାଉଛି। କେବଳ ବାକି ଥିଲା ପ୍ରତିରକ୍ଷା। ଏଥର ପ୍ରତିରକ୍ଷା କର୍ମ ପାଇଁ ମାନବିକ ଶକ୍ତିକୁ ଏହି ଠିକାକରଣ ମଧ୍ୟକୁ ‘ଅଗ୍ନିପଥ’ ଜରିଆରେ ଠେଲି ଦିଆଯାଇଛି। ୧୭ ବର୍ଷର କୈଶୋର ପାର ହୋଇଥିବା ମାନବିକ ଶକ୍ତିକୁ ଅଗ୍ନି ପରୀକ୍ଷା ଦେବାକୁ ହେବ ଦେଶ ମାତୃକାର ପାଦ ତଳେ। ୨୩ ବର୍ଷ ପହଞ୍ଚିବା ପରେ ସମସ୍ତଙ୍କୁ ସାମାନ୍ୟ ଟଙ୍କା ଦେଇ ବିଦାୟ ଦିଆଯିବ। କୌଣସି ପେନ୍‌ସନ ବା ଅବସରକାଳୀନ ସୁବିଧା ମିଳିବ ନାହିଁ। ଏହାପରେ ପୁଣି ପରୀକ୍ଷା କରି ଅଗ୍ନିବୀରଙ୍କୁ ସମ୍ମାନ ଦିଆଯିବ ମାତ୍ର ୨୫ ପ୍ରତିଶତଙ୍କୁ। ଆଉ ୭୫ ପ୍ରତିଶତ ଅଗ୍ନିବୀର ଯିଏ ଅଗ୍ନି ପରୀକ୍ଷା ଦେଇଥିଲେ ସେମାନଙ୍କୁ ବିଦା କରିଦିଆଯିବ।
ଅର୍ଥାତ୍‌ ୨୩ ବର୍ଷରେ ଯେଉଁ ତରୁଣ ତାରୁଣ୍ୟର ଉତ୍ତେଜନାରେ ପ୍ରସ୍ଫୁଟିତ ହୋଇଥାଆନ୍ତା ଟକମକ କରି, ସେ ହତାଶାର କ୍ଳାନ୍ତିରେ ଅଗ୍ନିବୀର ନ ହେବା ଏବଂ ସେନାରେ ନିୟମିତ ଯୋଦ୍ଧା ରୂପେ ଭର୍ତ୍ତି ନ ହେବାର ନୈରାଶ୍ୟର ଯନ୍ତ୍ରଣା ମଧ୍ୟରେ ଆଗାମୀକୁ ଅନାଇ ବସିବା ଅବଶ୍ୟ ଚାରିବର୍ଷରେ ଏଗାର/ବାର ଲକ୍ଷ ମିଳିବ, ସେଥିରେ ତାହାର ଅଂଶ ପ୍ରାୟ ୫ଲକ୍ଷ ପାଖାପାଖି। ଏଭଳି ପ୍ରକଳ୍ପ ଶୁଣିବା ପରେ ଦେଶର ତରୁଣ ସମାଜ କ୍ରୋଧରେ ଫାଟି ପଡ଼ିଛି। କେବଳ ବିରୋଧୀ ଦଳଗୁଡ଼ିକ ନୁହନ୍ତି ଏନ୍‌ଡିଏ ସରକାରଙ୍କ ଅଂଶୀଦାର ଜନତାଦଳ (ୟୁ) ସହ ବହୁ ନାଗରିକ ପ୍ରଶାସନିକ ଅଧିକାରୀ ନୁହନ୍ତି ଭାରତୀୟ ସେନାବାହିନୀର ଅବସରପ୍ରାପ୍ତ ଅଧିକାରୀମାନେ ଏହି ଅତି ଆପତ୍ତିଜନକ ଏବଂ ଦେଶ ବିରୋଧୀ ପରିକଳ୍ପନାର ବିରୋଧ କରିଛନ୍ତି ଏବଂ ସରକାର ତୁରନ୍ତ ଏହି ଯୋଜନାକୁ ପ୍ରତ୍ୟାହାର କରିବାକୁ ଆବେଦନ କରିଛନ୍ତି। ଏହିଭଳି ନିଯୁକ୍ତି ଫଳରେ ଭାରତର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହେବ। ସେନାର ପରିଚୟ ଓ ଏକତା ପ୍ରଭାବିତ ହେବ। ବିପୁଳ କର୍ମସଂସ୍ଥାନର ସୁଯୋଗ ସୃଷ୍ଟିକାରୀ ସେନାବାହିନୀ ପ୍ରତିବର୍ଷ ୩୫-୪୦ହଜାର ବେରୋଜଗାର ସୃଷ୍ଟି କରିବାର ଏକ ପ୍ରତିଷ୍ଠାନରେ ପରିଣତ ହୋଇଯିବ। ଜୀବନକୁ ବାଜି ରଖି ଅହରହ ଲଢ଼ୁଥିବା ସୈନିକଙ୍କୁ ଛୋଟବଡ଼ କାରଖାନାର ଅସ୍ଥାୟୀ ଏବଂ ଠିକା ଶ୍ରମିକଙ୍କଠାରୁ ଆହୁରି ଖରାପ ଅବସ୍ଥାକୁ ଠେଲି ଦିଆଯିବ। ଏହାଫଳରେ ସେମାନଙ୍କର ଓ ଭାରତୀୟ ସେନାବାହିନୀର ମନୋବଳ ଓ ପେସାଦାରିତ୍ୱ ଉଭୟ ଉପରେ ଭୟଙ୍କର ପ୍ରଭାବ ପକାଇବ। ଏହା ବୁଝିବାକୁ ସାମରିକ ବିଜ୍ଞାନ, ମ୍ୟାନେଜମେଣ୍ଟ ବା ମନୋବିଜ୍ଞାନର ଅଧ୍ୟୟନର ଆବଶ୍ୟକତା ନାହିଁ ଏହା ସ୍ଫଟିକଠାରୁ ସ୍ପଷ୍ଟ।
ଏସବୁ କଥାକୁ ଚର୍ବିତ ଚର୍ବଣ ନ କରି ଏହାଠାରୁ ଅନେକ ବେଶି ଗୁରୁତର ଓ ବିପଜ୍ଜନକ ତିନୋଟି ଦିଗ ପ୍ରତି ଦୃଷ୍ଟି ଦିଆଯିବା ଠିକ୍‌ ହେବ। ପ୍ରଥମତଃ ‘ଅଗ୍ନିପଥ’ ପରେ ସେନାବାହିନୀରେ ନିଯୁକ୍ତି ଯାହା ବର୍ଷକୁ ବର୍ଷ ହେଉଥିଲା ବନ୍ଦ କରିଦିଆଯିବ। ଏଠାରେ ମନେକରାଇ ଦିଆଯାଇପାରେ ବିଗତ ଦୁଇବର୍ଷ ହେବ ସେନାବାହିନୀରେ ନିୟମିତ ନିଯୁକ୍ତି ହୋଇନାହିଁ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ବକ୍ତବ୍ୟ ଅନୁସାରେ ‘ବେତନ ଏବଂ ପେନ୍‌ସନ ବଞ୍ଚାଇବା’ର ଏହି ମିତବ୍ୟୟିତାର ‘ଅର୍ଥନୈତିକ ଚତୁରତା’ ପାଇଁ ପରିସ୍ଥିତି ଏଭଳି ହୋଇଯାଇଛି ଯେ, ବିଶ୍ୱର ଦ୍ୱିତୀୟ ବୃହତ୍ତମ ସେନାବାହିନୀରେ ୨୦୨୧ ପର୍ଯ୍ୟନ୍ତ ୧ଲକ୍ଷ ୪ ହଜାର ୬୫୩ଜଣ କର୍ମୀ କମ୍‌ ହୋଇଯାଇଛନ୍ତି। ଏହି ଶୂନ୍ୟପଦ ଆଉ କେବେହେଲେ ପୂରଣ କରାଯିବ ନାହିଁ। ଆଗାମୀବର୍ଷଗୁଡ଼ିକରେ ଏହି ଶୂନ୍ୟପଦରେ ସ୍ଥାୟୀ ନିଯୁକ୍ତି ପରିବର୍ତ୍ତେ ଅଗ୍ନିବୀରମାନଙ୍କୁ ନିଆଯିବ।
ଗତ ତିନି ଶତକର ଇତିହାସ ଦେଖିଲେ ଦେଖାଯାଏ ଇଚ୍ଛା ଥାଉ ବା ନ ଥାଉ ଭାରତୀୟଙ୍କ ଏକ ବିରାଟ ଅଂଶ ବ୍ୟବସାୟ ବାଣିଜ୍ୟ ପାଇଁ ବା ଶ୍ରମିକ ଭାବେ ଆଫ୍ରିକା ଓ ଏସିଆର ଅନ୍ୟ ଦେଶ ତଥା କାରବିୟାନ ଦେଶଗୁଡ଼ିକୁ ଯାଇଛନ୍ତି। ଗତ ଶତାବ୍ଦୀରେ ବିପୁଳ ସଂଖ୍ୟକ ଡାକ୍ତର ଏବଂ ବିଭିନ୍ନ ବ୍ୟବସାୟିକ ପ୍ରଶିକ୍ଷଣପ୍ରାପ୍ତ ଭାରତୀୟ ଦକ୍ଷ ଶ୍ରମିକ ଇଉରୋପ ଓ ଆମେରିକା ଯାଇଛନ୍ତି। ଅଧିକାଂଶ ମଜୁରି କରିବାକୁ ଏବଂ କିଛି ବ୍ୟବସାୟ କରିବାକୁ ଉପସାଗରୀୟ ଦେଶଗୁଡ଼ିକୁ ଯାଇଛନ୍ତି। ଲକ୍ଷ ଲକ୍ଷ ଭାରତୀୟ ଯୁବକ ସାରା ଦୁନିଆରେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ସାଇବର ସାମ୍ରାଜ୍ୟକୁ ଛିଡ଼ା କରାଇଛନ୍ତି। କିନ୍ତୁ କେହି କେତେବେଳେ ବି ଦ୍ୱିତୀୟ ଦେଶ ବା ଗୋଷ୍ଠୀର ହୋଇ ଲଢ଼େଇ ପାଇଁ ଭଡ଼ାଟିଆ ସୈନିକ ହୋଇ ଯାଇନାହାନ୍ତି। ଦେଶର ଯୁବକମାନଙ୍କର ଚାକିରିର ବଡ଼ ଭରସା ଥିଲା ଭାରତୀୟ ସେନା। ଚାକିରିର ସ୍ଥାୟିତ୍ୱ କାରଣରୁ ଜୀବନକୁ ଉପେକ୍ଷା କରି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାରର ଯୁବକମାନେ ସେନାର ଚାକିରିକୁ ବାଛି ନେଇଥାଆନ୍ତି। କିନ୍ତୁ ଅଗ୍ନିପଥ ପ୍ରକଳ୍ପରେ ନିୟୋଜିତ ଚୁକ୍ତିଭିିତ୍ତିକ ‘ଅଗ୍ନିବୀର’ଙ୍କ ମଧ୍ୟରୁ ୭୫ ପ୍ରତିଶତ ଚାକିରି ପାଇବାର ଚାରିବର୍ଷ ପରେ ଅବସର ନେବାକୁ ହେବ। ଏକକାଳୀନ କିଛି ଟଙ୍କା ମିଳିଲେ ମଧ୍ୟ ପେନ୍‌ସନ ବ୍ୟବସ୍ଥା ରହିବ ନାହିଁ। ସେ କ୍ଷେତ୍ରରେ ଏମାନଙ୍କୁ ପୁଣି ଚାକିରି ଖୋଜିବାକୁ ହେବ। ଅନିଶ୍ଚିତ ହୋଇପଡ଼ିବ ଭବିଷ୍ୟତ। ମିଳିଥିବା ଏଗାର ବାର ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇଯିବ। ଯାହା ସଚରାଚର ଘଟୁଛି।
ଗତ ୧୯ ତାରିଖରେ ସରକାରଙ୍କ ପକ୍ଷରୁ ସେନାର ତିନି ବାହିନୀର ମୁଖପାତ୍ରଙ୍କର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ବହୁ ଭାବି ଚିନ୍ତି ଏହି ପ୍ରକଳ୍ପ ଚାଲୁ କରାଯାଇଛି। ଭାରତୀୟ ସେନାବାହିନୀର ହାରାହାରି ବୟସ ୩୨ରୁ ୨୬କୁ କମାଇବା ଲକ୍ଷ୍ୟରେ ଏହି ତରୁଣମାନଙ୍କୁ ନିଯୁକ୍ତି ଦେବାର ସିଦ୍ଧାନ୍ତ କରାଯାଇଛି। ଯଦି ତାହା, କେବଳ ମାତ୍ର ୪ ବର୍ଷ ପାଇଁ କାହିଁକି? ନିୟମିତ ଓ ପ୍ରଥାଗତ ନିଯୁକ୍ତିରେ ହେଉ ନାହିଁ କାହିଁକି? ଏପରି କି ସେନାବାହିନୀରେ ଲକ୍ଷାଧିକ ପଦ ଖାଲି ପଡ଼ିରହିଛି, ତାହାର କୌଣସି ଉତ୍ତର ନାହିଁ। ସାମ୍ବାଦିକ ସମ୍ମିଳନୀରେ ପୁଣି କୁହାଗଲା ଯେ, ସେନାବାହିନୀକୁ ତରୁଣର ଚେହେରା ଦେବା ଲକ୍ଷ୍ୟରେ କୁହାଯାଇଛି। ୧୯୯୯ର କାର୍ଗିଲ ଯୁଦ୍ଧ ପରଠାରୁ ଏଭଳି ଚିନ୍ତା କରାଯାଇଥିଲା। ମୋଦି ସରକାରଙ୍କ ୮ ବର୍ଷ ପରେ ଅକସ୍ମାତ୍‌ ଏକଥା କିପରି ଚିନ୍ତାକୁ ଆସିଲା ତାହାର ମଧ୍ୟ କୌଣସି ଉତ୍ତର ନାହିଁ। ଏହା ପଛରେ ରହିଛି କେବଳ ଏକ ଠିକା ନିଯୁକ୍ତି ଓ ଖର୍ଚ୍ଚକାଟର ବ୍ୟବସ୍ଥା।
ପେନ୍‌ସନ ବା ଗ୍ରାଚ୍ୟୁଟିର କୌଣସି ସୁବିଧା ମିଳିବ ନାହିଁ। ଅର୍ଥାତ୍‌ ସ୍ଥାୟୀ ଚାକିରି, ନ୍ୟାୟସଙ୍ଗତ ବେତନ ଓ ଅନ୍ୟାନ୍ୟ ସୁବିଧା ଇତ୍ୟାଦି ବଦଳରେ ରକମ ରକମ ଠିକା ଶ୍ରମିକ ନିଯୁକ୍ତି ହେବାର ଆଶଙ୍କା ଓ ଭବିଷ୍ୟତର ଅନିଶ୍ଚିତତା ଦେଶରେ ଯୁବକୁଳକୁ ହତାଶ ଓ ନୈରାଶ୍ୟ ମଧ୍ୟକୁ ଠେଲି ଦେଇଛି। ଏହାର ପ୍ରତିଫଳନ ଘଟୁଛି। ପ୍ରତିକ୍ରିୟା ସୁଦୂରପ୍ରସାରି ହୋଇଛି ବେକାରି ଯୋଗୁ, ବିକ୍ଷୋଭରୁ ଆୱାଜ ଉଠୁଛି ”ଭରତି ଦୋ ଇୟା ଆରତି ଦୋ“ ଅର୍ଥାତ୍‌ ”ଚାକିରି ଦିଅ ନଚେତ୍‌ ମାରଦିଅ“ ବେକାରି ଓ ଅଗ୍ନିପଥ ନେଇ ଅଗ୍ନିଗର୍ଭରେ ଭାରତ।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର,ଚାଉଳିଆଗଞ୍ଜ, କଟକ
ମୋ:୯୩୪୮୧୬୯୯୩୧


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri