ଆଦିବାସୀଙ୍କ ସାଥୀ ଅଣଚାଷ ଖାଦ୍ୟ

ବିଚିତ୍ର ବିଶ୍ୱାଳ

 

ଖାଦ୍ୟ କଥା ଉଠିବା ମାତ୍ରେ ଆମେ ସାଧାରଣତଃ ଚାଷ ଦ୍ୱାରା ଉତ୍ପାଦନ ହେଉଥିବା ଖାଦ୍ୟ କଥା ହିଁ ବିଚାର କରିଥାଉ। କିନ୍ତୁ କେବେ ଭାବିଛେ କି ବିନା ଚାଷରେ ପ୍ରକୃତିରୁ ଆମକୁ କେତେ ପ୍ରକାର ଖାଦ୍ୟ ମିଳିଥାଏ! ଜଙ୍ଗଲ, ଜଳାଶୟ, ଜମି ଆଦିରୁ ବହୁତ ପ୍ରକାର ଅଣଚାଷ ଖାଦ୍ୟ ମିଳେ, ଯାହା ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଦିବାସୀମାନଙ୍କ ଖାଦ୍ୟ ଓ ପୁଷ୍ଟି ସୁରକ୍ଷାରେ ଅଣଚାଷ ଖାଦ୍ୟର ଅବଦାନ ସର୍ବାଧିକ। ଏକ ଅଧ୍ୟୟନରୁ ଜଣାଯାଏ, ରାୟଗଡ଼ା ଜିଲାର ବିଷମ କଟକ ଓ ମୁନିଗୁଡ଼ା ଅଞ୍ଚଳର କନ୍ଧ ଆଦିବାସୀମାନେ ଜଙ୍ଗଲ ଓ ଜଳାଶୟରୁ ପ୍ରାୟ ୨୫୦ରୁ ଅଧିକ ପ୍ରକାରର ଅଣଚାଷ ଖାଦ୍ୟ ସଂଗ୍ରହ କରି ଖାଇଥାନ୍ତି। ଏହି ଖାଦ୍ୟଗୁଡ଼ିକ ମଧ୍ୟରେ ରହିଛି କନ୍ଦା, ଶାଗ, ଫଳ, ମଞ୍ଜି , ଛତୁ, ମାଛ ଓ କଙ୍କଡ଼ା ଜାତୀୟ ସମେତ ଅନ୍ୟାନ୍ୟ ପ୍ରାଣୀଜ ଖାଦ୍ୟ। ଏହିସବୁ ଖାଦ୍ୟ ଆଦିବାସୀମାନଙ୍କୁ ପ୍ରକୃତିର କୋଳରୁ ମିଳିଥାଏ।
ଜଙ୍ଗଲ ଆଦିବାସୀଙ୍କ ଜୀବନର ଏକ ଅଭିନ୍ନ ଅଂଶ। ଆଦିବାସୀ ପିଲାଠାରୁ ବୁଢ଼ା ଯାଏ ସମସ୍ତେ ଜଙ୍ଗଲକୁ ଯାଆନ୍ତି ଓ ବିଭିନ୍ନ ପ୍ରକାର ଖାଦ୍ୟ ସଂଗ୍ରହ କରନ୍ତି। ଆଦିବାସୀଙ୍କ ପାଖରେ ଥିବା ଅଣଚାଷ ଖାଦ୍ୟର ଭଣ୍ଡାରକୁ ଦେଖିଲେ ସେମାନଙ୍କ ପାଖରେ କେତେ କମ୍‌ ବିବିଧତାର ଖାଦ୍ୟ ଅଛି ତାହା ଭଲ ଭାବେ ବୁଝିହେବ। ଅଣଆଦିବାସୀମାନେ ମୁଖ୍ୟତଃ ଗୋଟିଏ ପ୍ରକାର ଆଳୁ ଖାଉଥିବା ବେଳେ ଆଦିବାସୀଙ୍କ ପାଖରେ ପ୍ରାୟ ୨୦ରୁ ଅଧିକ ପ୍ରକାର ଆଳୁ ଅଛି। ପିତା କନ୍ଦା, ଡାବି କନ୍ଦା, ଚେରେଙ୍ଗା କନ୍ଦା, ଶୀତଳ କନ୍ଦା, ଲଙ୍ଗଳ କନ୍ଦା ଆଦି ଅନେକ ପ୍ରକାର ଆଳୁ ଆଦିବାସୀ ଖାଦ୍ୟ ବ୍ୟବସ୍ଥାର ଅଂଶ। ସେହିପରି ତଥାକଥିତ ସଭ୍ୟ ଲୋକଙ୍କ ପାଖରେ ଅତି କଷ୍ଟରେ ଗୋଟିଏ କିମ୍ବା ଦୁଇ ପ୍ରକାର ଶାଗ ଥିବା ବେଳେ ଆଦିବାସୀ ଜଙ୍ଗଲରୁ ପ୍ରାୟ ୩୦ରୁ ଅଧିକ ପ୍ରକାର ଶାଗ ସଂଗ୍ରହ କରି ଖାଇଥାନ୍ତି। ବର ଶାଗ, ଗନ୍ଦିରୀ ଶାଗ, ପତିଲି ଶାଗ, ମୂଷାକାନି ଶାଗ, ଜବ ଶାଗ ଆଦି ଜଙ୍ଗଲରୁ ସଂଗ୍ରହ ହୋଇଥାଏ। ଏତଦ୍‌ବ୍ୟତୀତ ସରଗୀ ଛତୁ, ଆମ୍ବ ଛତୁ, ଜାମ୍ବ ଛତୁ, ଶ୍ରାବଣ ଛତୁ, ଉଇ ଛତୁ ଆଦି ବିଭିନ୍ନ ପ୍ରକାର ଛତୁ ଆଦିବାସୀଙ୍କୁ ବର୍ଷାଦିନେ ଜଙ୍ଗଲରୁ ମିଳେ। ଜଙ୍ଗଲ ବ୍ୟତୀତ ଜଳାଶୟରୁ ମାଛ, କଙ୍କଡ଼ା, ଗେଣ୍ଡା ଆଦି ବିଭିନ୍ନ ପ୍ରକାର ମାଛ ଜାତୀୟ ଖାଦ୍ୟ ମିଳିଥାଏ। ଏସବୁ ଖାଦ୍ୟକୁ ବାଦ୍‌ ଦେଲେ ଆଦିବାସୀଙ୍କ ଖାଦ୍ୟ ଓ ପୁଷ୍ଟି ସୁରକ୍ଷା କଥା ଭାବିହେବ ନାହିଁ। ଅନେକ ସମୟରେ ଦେଖାଯାଏ , ସଭ୍ୟ ବୋଲାଉଥିବା ଲୋକମାନେ ଆଦିବାସୀଙ୍କ ଅଣଚାଷ ଖାଦ୍ୟକୁ ଘୃଣା ଦୃଷ୍ଟିରେ ଦେଖିଥାଆନ୍ତି। କିନ୍ତୁ ଏହା ସେମାନଙ୍କ ନିର୍ବୋଧତା। ଅଣଚାଷ ଖାଦ୍ୟଗୁଡ଼ିକରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଅଛି ବୋଲି ପ୍ରମାଣିତ ହେଲାଣି। ଏହି ସବୁ ଖାଦ୍ୟ ଆଦିବାସୀଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରୁଛି। ଗଣମାଧ୍ୟମଗୁଡ଼ିକ ଆଦିବାସୀଙ୍କ ଖାଦ୍ୟକୁ ବିଷାକ୍ତ କହିବାର ଅନେକ ନଜିର ଅଛି। କିନ୍ତୁ ଅସଲରେ ସେ ଖାଦ୍ୟ ବିଷାକ୍ତ ହୋଇ ନ ଥାଏ। କିଛି ଦିନ ତଳେ ଆଦିବାସୀଙ୍କ ଚାକୁଣ୍ଡା ଶାଗ ଖିଆକୁ ନେଇ ଆମ ରାଜ୍ୟରେ ବହୁତ ନକାରାତ୍ମକ ଚର୍ଚ୍ଚା ହୋଇଥିଲା। କିନ୍ତୁ ଅସଲରେ ଚାକୁଣ୍ଡା ଶାଗରେ ପ୍ରଚୁର ପରିମାଣରେ ଲୌହସାର ଅଛି, ଯାହା ଆଦିବାସୀଙ୍କୁ ରକ୍ତହୀନତାରୁ ମୁକ୍ତ ରଖିବାରେ ସାହାଯ୍ୟ କରେ। ସେହିପରି ଗନ୍ଦିରୀ ଶାଗରେ ଲୌହ ଥିବାର ପ୍ରମାଣ ମିଳିଛି। ଅନେକ ସମୟରେ ଖାଦ୍ୟର ରକ୍ଷଣାବେକ୍ଷଣ ହିଁ ବିଷକ୍ରିୟାର କାରଣ ହୋଇଥାଏ, ଯାହାକୁ ଖାଦ୍ୟର ଦୋଷ ଦିଆଯାଏ। ଏତଦ୍‌ବ୍ୟତୀତ ଅଣଚାଶ ଖାଦ୍ୟର ସଂଗ୍ରହ ଓ ପ୍ରକ୍ରିୟାକରଣର ଜ୍ଞାନ ଆଦିବାସୀଙ୍କ ପାଖରେ ଥାଏ। ପିତା କନ୍ଦାକୁ ସେମାନେ ଗୋଟେ କନାରେ ବାନ୍ଧି ଦୁଇଦିନ ଯାଏ ଝରଣାରେ ବୁଡ଼ାଇ ରଖନ୍ତି। ଯେତେବେଳେ ସେହି କନ୍ଦା ପାଖକୁ ଛୋଟ ଛୋଟ ମାଛ ଆସିବାକୁ ଆରମ୍ଭ କରନ୍ତି, ସେମାନେ ବୁଝିଯାଆନ୍ତି ଯେ, ତାହା ଖାଦ୍ୟ ଉପଯୋଗୀ ହୋଇଯାଇଛି। ସେହିପରି ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଥିବା ସିନ୍ଧି କୋଳି ଗଛକୁ ଦେଖି ସେମାନେ ଜାଣିପାରନ୍ତି ତା’ ଭିତରେ ସିନ୍ଧି ପୋକ ଅଛି ଓ ତାକୁ ସଂଗ୍ରହ କରି ଖାଇଥାଆନ୍ତି। କନ୍ଦା ଖୋଳିବା ବେଳେ ଆଦିବାସୀ ମହିଳାମାନେ ସେହି ଗାତରେ ଖଣ୍ଡେ ଛାଡ଼ନ୍ତି, ଯାହା ଫଳରେ ବର୍ଷା ପଡ଼ିଲେ ସେହି କନ୍ଦା ଖଣ୍ଡରୁ ପୁଣି ଗଛ ହୁଏ ଓ ପରବର୍ଷକୁ ସେଥିରୁ କନ୍ଦା ବାହାରେ।
ଜଙ୍ଗଲ ଆଦିବାସୀଙ୍କ ପାଇଁ ଜଙ୍ଗଲ ଖାଦ୍ୟର ଏକ ପ୍ରମୁଖ ଉତ୍ସ। ଜଙ୍ଗଲ ଆଦିବାସୀର ଭାତ ହାଣ୍ଡି। ତେଣୁ ଆଦିବାସୀଙ୍କ ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ଯୋଜନାରେ ଯଦି ଜଙ୍ଗଲକୁ ବାଦ୍‌ ଦିଆଯାଏ, ତେବେ ତାହା କେବେ ପୂର୍ଣ୍ଣାଙ୍ଗ ହେବ ନାହିିଁ। ସେମାନଙ୍କଠାରୁ ଜଙ୍ଗଲ ଛଡ଼ାଇ ନେଇ ତାଙ୍କ ପାଇଁ ଯେତେ ଖାଦ୍ୟ ସୁରକ୍ଷାର ଯୋଜନା କରିଲେ, ତାହା କେବେ ବି ଫଳବତୀ ହେବ ନାହିଁ। ସେହିପରି ଜଙ୍ଗଲକୁ କେବଳ ରାଜସ୍ବ ଆୟର ମାଧ୍ୟମ ଭାବି ଜଙ୍ଗଲ ବିଭାଗ ଦ୍ୱାରା ସେଠାରେ ଶାଗୁଆନ କିମ୍ବା ଅନ୍ୟ କୌଣସି ଏକକ ବୃକ୍ଷରୋପଣ କରିଲେ ତାହାକୁ ସରକାରୀ ଭାଷାରେ ସିନା ଜଙ୍ଗଲ କୁହାଯିବ, କିନ୍ତୁ ତାହା ଆଦିବାସୀଙ୍କ ପ୍ରାକୃତିକ ଜଙ୍ଗଲ ପରି ହେବ ନାହିଁ। ଆଦିବାସୀଙ୍କୁ ସେଠାରୁ କୌଣସି ପ୍ରକାର ଖାଦ୍ୟ ମିଳିବ ନାହିଁ। ତା’ହେଲେ ସେ ଜଙ୍ଗଲ ଆଦିବାସୀର କେଉଁ କାମକୁ? ତେଣୁ ଆଦିବାସୀଙ୍କ ବାସ୍ତବିକ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ହେଲେ ଆଦିବାସୀଙ୍କ ହାତରେ ତାଙ୍କ ଜଙ୍ଗଲର ଅଧିକାର ରଖିବାକୁ ହେବ।
କେବଳ ଆଦିବାସୀ ନୁହନ୍ତି, ଅଣଆଦିବାସୀ ସମାଜରେ ଅଣଚାଷ ଖାଦ୍ୟର ବହୁତ ଭୂମିକା ଅଛି। ଉପକୂଳ ଓ ଧାନ ଅମଳ ପରେ ଚାଷ ଜମିରୁ ମୋଟି ଶାଗ, ମଦରଙ୍ଗା ଶାଗ, ପିତା ଶାଗ ଆଦି ମିଳୁଥିବା ବେଳେ ଆର୍ଦ୍ରଭୂମିରୁ ସୁନୁସୁନିଆ ଶାଗ, କନିସିରି ଶାଗ ଆଦି ମିଳିଥାଏ। ଧାନ ଜମିରେ ପାଣି ଥିବା ବେଳେ ଦୁଇ ମାସ ଯାଏ ଚୂନାମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ମଧ୍ୟ ମିଳୁଥିଲା। ଏସବୁ ଅଣଚାଷ ଖାଦ୍ୟ ଘରେ ଆହାର ଭାବେ ବ୍ୟବହାର ହେଉଥିଲା। କିନ୍ତୁ ବର୍ତ୍ତମାନ ଏସବୁ ପ୍ରାୟ ମିଳିବା କମିଗଲାଣି, କାରଣ ହେଉଛି ଚାଷରେ ଅତ୍ୟଧିକ ରାସାୟନିକର ବ୍ୟବହାର। ଏସବୁ ଖାଦ୍ୟ ଆଉ ମିଳୁ ନ ଥିବାରୁ ଖାଦ୍ୟ କିଣିବା ପାଇଁ ଏବେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାର ପ୍ରଭାବ ପରିବାରର ଆର୍ଥିକ ଅବସ୍ଥା ଉପରେ ପଡ଼ୁଛି। ତେଣୁ ଆମ ଖାଦ୍ୟ ବ୍ୟବସ୍ଥାରେ ଅଣଚାଷ ଖାଦ୍ୟକୁ ପୁନଃ ସଂଶ୍ଲିଷ୍ଟ କରିବାକୁ ପଡ଼ିବ ଓ ସେହି ହିସାବରେ ଆମକୁ ଚାଷବାସ ଓ ଜଙ୍ଗଲ ପରିଚାଳନା କରିବାର ଆବଶ୍ୟକତା ରହିଛି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ:୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri