ଅନିଶ୍ଚିତତା, ଅଚଳାବସ୍ଥା

ନୂଆଦିଲ୍ଲୀ/କାବୁଲ/ଓ୍ବାଶିଂଟନ,୫ା୮ : ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନର ଭାଗ୍ୟାକାଶରେ ଘୋଟିଛି ଅନିଶ୍ଚିତତାର ଘନକଳା ବାଦଲ। ରାଜଧାନୀ କାବୁଲର ସ୍ପୋଟର୍‌ସ ଲାଉଞ୍ଜରୁ ଲୋଗାର ପ୍ରଦେଶର ଚାଷ ଜମି, ସବୁଠି ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ।
କ’ଣ ଘଟିବାକୁ ଯାଉଛି? କାହା ପାଖରେ ସନ୍ତୋଷଜନକ ଉତ୍ତର ନ ଥିବାରୁ ଦେଶକୁ ଆଉ ଶାନ୍ତି ଫେରିବନି ବୋଲି ଧରି ନେଇଛନ୍ତି ଅଧିକାଂଶ ଆଫଗାନ୍‌ ନାଗରିକ। ଏକ ଭ୍ରଷ୍ଟାଚାରୀ ସରକାର ଏବଂ କ୍ରମଶଃ ବଳ ଗୋଟାଉଥିବା ହିଂସ୍ର ତାଲିବାନର ରକ୍ତାକ୍ତ ସଂଘର୍ଷ ମଝିରେ ଫସିଯାଇଥିବା ଅବସ୍ଥାରେ ନିଜକୁ ଆବିଷ୍କାର କରିଛନ୍ତି ସେମାନେ। କାରଣ ଆତଙ୍କବାଦୀଙ୍କ ଦମନଲୀଳା ଭିତରେ ସରକାର ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ବିଫଳ। ଏହି ବିଫଳତା ପାଇଁ ରାଷ୍ଟ୍ରପତି ଅଶର୍‌ଫ ଗନି ଆମେରିକୀୟ ସୈନ୍ୟଙ୍କ ଅଚାନକ ପ୍ରତ୍ୟାବର୍ତ୍ତନକୁ ଦାୟୀ କରିଛନ୍ତି। ୬ ମାସ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ପାର୍ଲାମେଣ୍ଟରେ ସୋମବାର ଗନି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଆମେରିକୀୟ ସେନା ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବାକୁ ଯାଉଥିବାବେଳେ ବିସ୍ତାରବାଦୀ ଚାଇନା ସଙ୍କଟ ଭିତରେ ବି ଖୋଜୁଛି ସୁଯୋଗ।

ଆମକୁ ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧର ବହିକୁ ବନ୍ଦ କରିବାକୁ ପଡ଼ିବ। ୨୦୨୧ ଏପ୍ରିଲ ୧୪ରେ ଏମିତି ନ୍ୟୁଜ୍‌ ବ୍ରେକ୍‌ କରିଥିଲେ ବାଇଡେନ୍‌ ପ୍ରଶାସନର ବରିଷ୍ଠ ଜଣେ ଅଧିକାରୀ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଥିଲେ, ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରାଯିବ। ଏହି ପ୍ରକ୍ରିୟା ମେ ପହିଲାରୁ ଆରମ୍ଭ ହୋଇଥିବାବେଳେ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ। ୯/୧୧ ଆତଙ୍କବାଦୀ ଆକ୍ରମଣର ବିଂଶ ବାର୍ଷିକୀ ପାଳନବେଳକୁ ଆଫଗାନିସ୍ତାନରୁ ସବୁ ସୈନ୍ୟ ଫେରିଆସିଥିବେ ବୋଲି ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ ଟ୍ରିଟି ରୁମ୍‌ରୁ ବିଶ୍ୱକୁ ଜଣାଇଥିଲେ। ସେପ୍ଟେମ୍ବର ୧୧। ଏହି ଦିନ ମଧ୍ୟପ୍ରାଚ୍ୟ ଓ କେନ୍ଦ୍ରୀୟ ଏସିଆରେ ଦୀର୍ଘକାଳୀନ ଯୁଦ୍ଧ ଭିତରକୁ ଆମେରିକାକୁ ଟାଣି ନେଇଥିଲା ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ମୁଖ୍ୟାଳୟ ଏବଂ ପେଣ୍ଟାଗନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆମେରିକା ନିଜ ଆଭିମୁଖ୍ୟକୁ କଠୋର କରିଥିଲା। ଆମେରିକା ନେତୃତ୍ୱାଧୀନ ତାଲିବାନ ଘଉଡ଼ାଇବା ଅଭିଯାନ ଆରମ୍ଭ ହେବା ଦିନଠାରୁ ଆଫଗାନିସ୍ତାନର ପୁନଃପ୍ରତିଷ୍ଠା ପାଇଁ ୱାଶିଂଟନ ୧ ଟ୍ରିଲିୟନ୍‌ ଡଲାର ଖର୍ଚ୍ଚ କରିସାରିଛି। ଯୁଦ୍ଧଭୂଇଁରେ ପ୍ରାୟ ୨,୪୦୦ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି। ଆଫଗାନ ସୈନ୍ୟଙ୍କ ସମେତ ନାଗରିକ ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟ ଜୀବନ ଯିବା ପରେ ୨,୫୦୦ ସର୍ଭିସ୍‌ ମ୍ବେମ୍ବରଙ୍କୁ ଫେରାଇ ନେଉଛି ଆମେରିକା। ଏହି ସୁରକ୍ଷା ଉଦ୍ୟମରେ ସାମିଲ ହୋଇଥିବା ନାଟୋର ୭,୦୦୦ରୁ ଊର୍ଦ୍ଧ୍ୱ ସୈନ୍ୟ ମଧ୍ୟ ଆଫଗାନିସ୍ତାନରୁ ଫେରିବାରେ ଲାଗିଛନ୍ତି।
ଏଯାଏ ୧୯୩ରୁ ଅଧିକ ଜିଲା କେନ୍ଦ୍ର ଏବଂ ୧୯ ସୀମାନ୍ତ ଜିଲାକୁ ଦଖଲ କରିଥିବା ଆଫ୍‌ଗାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିସହ ତାଖର୍‌, କୁନ୍ଦୁଜ୍‌, ବଦାଖଶାନ, ହେରତ ଏବଂ ଫରହା ପ୍ରଦେଶରେ ଥିବା ୧୦ ବର୍ଡର ପଏଣ୍ଟକୁ ମଧ୍ୟ ଆତଙ୍କବାଦୀ ଅକ୍ତିଆରକୁ ନେଇସାରିଛନ୍ତି। ସମ୍ପୃକ୍ତ ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ବ୍ୟବସାୟିକ କିମ୍ବା ଅନ୍ୟାନ୍ୟ ଯାତ୍ରା ହୋଇପାରୁନାହିଁ। ଆଫଗାନିସ୍ତାନର ଏକ ପ୍ରମୁଖ ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରିତ ରିପୋର୍ଟ ମୁତାବକ, କେବଳ ଜୁଲାଇରେ ତାଲିବାନ ୭୦ ଜିଲାକୁ ନିଜ କବ୍‌ଜାକୁ ନେଇଥିଲା। ତେବେ ସେଥିରୁ ୧୧ ଜିଲାକୁ ତାଲିବାନଠାରୁ ଛଡ଼ାଇ ଅଣାଯାଇଥିବା ଆଫଗାନ ସରକାର କହିଛନ୍ତି। କିନ୍ତୁ ବଦାଖଶାନ୍‌ର ୟଫ୍‌ତାଲ, ନିମୋର୍ଜର ଚଖାନସୁର, ଗଜନିର ମାଲିସ୍ତାନ, ହେଲମାଣ୍ଡର ଗର୍ମସିର୍‌ ଏବଂ ହେରାତ୍‌ର ଗୁଜାରା ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ତାଲିବାନ ଦଖଲ କରଛି। ୮୫ ପ୍ରତିଶତରୁ ଅଧିକ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଥିବା ଗତ ୯ ତାରିଖରେ ଏହି ସଙ୍ଗଠନ ଘୋଷଣା କରିଥିଲା।

ହିଂସା ପାଇଁ ଆମେରିକା ଦାୟୀ

ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା ହିଂସା ବୃଦ୍ଧି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍‌ ଗନି। ସେ କହିଛନ୍ତି, ତାଲିବାନ କବ୍‌ଜାରୁ ପ୍ରାଦେଶିକ ସହରଗୁଡ଼ିକୁ ମୁକୁଳାଇବା ପାଇଁ ଆଫଗାନିସ୍ତାନ ସେନା ସଂଘର୍ଷ କରୁଥିବାବେଳେ ଆମେରିକା ନେତୃତ୍ୱାଧୀନ ସେନାକୁ ଶୀଘ୍ର ପ୍ରତ୍ୟାହାର କରାଯିବା କାରଣରୁ ଦେଶ ଅଶାନ୍ତ ହୋଇପଡ଼ିଛି। ତାଲିବାନ ଆତଙ୍କବାଦୀ ଲଶ୍କର ଗାହ୍‌, କାନ୍ଦାହାର ଏବଂ ହେରତକୁ ନିଜ କବ୍‌ଜାକୁ ନେଇସାରିଛନ୍ତି। ଫଳରେ ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାୟନ କରିଛନ୍ତି। ସୋମବାର ପାର୍ଲାମେଣ୍ଟରେ ଗନି କହିଛନ୍ତି, ‘ବାହାରୁ ଆମଦାନୀ ହୋଇଥିବା ଶୀଘ୍ର ଶାନ୍ତି ପ୍ରକ୍ରିୟା’ କେବଳ ଦେଶରେ ଶାନ୍ତି ଆଣିବାରେ ବିଫଳ ହୋଇନାହିଁ, ଆଫଗାନିସ୍ତବାସୀଙ୍କ ମଧ୍ୟରେ ଏହା ସନ୍ଦେହ ଓ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। କିନ୍ତୁ ତାଙ୍କ ପ୍ରଶାସନ ଏବେ ତାଲିବାନ କବଳରୁ ପ୍ରାଦେଶିକ ରାଜଧାନୀ ତଥା ପ୍ରମୁଖ ସହରାଞ୍ଚଳର ସୁରକ୍ଷା ଉପରେ ଧ୍ୟାନ ଦେବ। ଲଶ୍କର ଗାହ୍‌ ହେଲମଣ୍ଡରେ ଆଫଗାନିସ୍ତାନ ବିପୁଳ ସୈନ୍ୟ ମୁତୟନ କରିବା ପରେ ସେଠାରେ ତାଲିବାନ ଆକ୍ରମଣ କରିଛି। ପାର୍ଲାମେଣ୍ଟରେ ଗନିଙ୍କ ମନ୍ତବ୍ୟର କିଛି ଘଣ୍ଟା ପରେ ତାଲିବାନ ଆତଙ୍କବାଦୀମାନେ ଉକ୍ତ ପ୍ରଦେଶରେ ଥିବା ସରକାରୀ ରେଡିଓ ଏବଂ ଟେଲିଭିଜନ ବିଲ୍ଡିଂକୁ ଦଖଲ କରିଛନ୍ତି। ହେଲମଣ୍ଡ ରାଜଧାନୀକୁ ତାଲିବାନ କବ୍‌ଜା କରିନେବା ଆଫଗାନିସ୍ତାନ ସରକାରଙ୍କ ପାଇଁ ଏକ ବଡ଼ କ୍ଷତି। ଆତଙ୍କବାଦୀମାନେ କ୍ରମାଗତ ଭାବେ କାନ୍ଦାହାର ଓ କାବୁଲର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରି ରକେଟ ମାଡ଼ କରିବାରେ ଲାଗିଛନ୍ତି।

୭୨ ଘଣ୍ଟାରେ ୩୦୦ ଆତଙ୍କବାଦୀ ନିହତ

ନରସଂହାରରେ ମାତିଥିବା ତାଲିବାନକୁ ଅଟକାଇବା ପାଇଁ ଆଫଗାନ୍‌ ସେନା ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହି କ୍ରମରେ ଏୟାର ଷ୍ଟ୍ରାଇକ୍‌ ଓ ପ୍ରତିଆକ୍ରମଣ ଯୋଗୁ ୭୨ ଘଣ୍ଟାରେ ୩ ଶହରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ନିପାତ ଓ ଶତାଧିକ ଆହତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶେଷକରି ଗଜ୍‌ନି, କାନ୍ଦାହାର, ହେରତ୍‌, ଫର୍‌ହା, ଜାଓଜ୍‌ଜାନ, ବଲ୍‌ଖ, ସମାନ୍‌ଗନ, ହେଲ୍‌ମାଣ୍ଡ୍‌, ତଖର୍‌, କୁନ୍ଦୁଜ୍‌, ବାଗ୍‌ଲାନ, କାବୁଲ, କାସ୍ପିଆ ପ୍ରଦେଶରେ ସାମରିକ ଅପରେଶନ ଚାଲିଛି। ନିହତଙ୍କ ମଧ୍ୟରେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ରହିଛନ୍ତି। ତାଲିବାନ ସହ ସଂଘର୍ଷରେ ଏପ୍ରିଲ ୧୪ରୁ ଏଯାଏ ୪,୦୦୦ରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିବାବେଳେ ୭,୦୦୦ରୁ ଅଧିକ ଆହତ ହୋଇଛନ୍ତି। ୧୬ ଶହରୁ ଅଧିକ ସୁରକ୍ଷାକର୍ମୀଙ୍କୁ ତାଲିବାନ ନିଜ ଅକ୍ତିଆରରେ ରଖିଛି।

ଆମର କ’ଣ ହେବ

୨୦ ବର୍ଷ ପରେ ଆମେରିକାର ସେନା ପ୍ରତ୍ୟାହାର ଯୋଗୁ ଆଫଗାନ୍‌ ମହିଳାଙ୍କ ଶିକ୍ଷା ପୁଣି ଥରେ ବିପଦ ଭିତରକୁ ଠେଲି ହୋଇଯାଇଛି। ତାଲିବାନର ଶକ୍ତି ବୃଦ୍ଧି ସହ କଠୋରପନ୍ଥୀମାନଙ୍କ ଫତ୍‌ଓ୍ବା ଫେରିବ ବୋଲି ଆଫଗାନ ମହିଳାମାନେ ଆତଙ୍କିତ ହୋଇଯାଇଛନ୍ତି। କାରଣ ଆତଙ୍କବାଦୀମାନେ ପୂର୍ବ ଭଳି ବନ୍ଧୁକ ମୁନରେ ସେମାନଙ୍କ ଅଧିକାର ଓ ସ୍ବାଧୀନତା ଛଡ଼ାଇବାରେ ଲାଗିଛନ୍ତି। ସରକାରଙ୍କ କ୍ଷମତାକୁ ତାଲିବାନ ଅପହରଣ କରୁଛି। ଉଭୟ ପକ୍ଷଙ୍କ ଲଢ଼େଇ ଭିତରେ ମୋର ଭବିଷ୍ୟତ କ’ଣ ହେବ ବୋଲି ଆଫଗାନିସ୍ତାନ ପ୍ରଶ୍ନ କରୁଛି। ଆମେରିକା ଆଫଗାନିସ୍ତାନରେ ବିଲିୟନ ବିଲିୟନ ଡଲାର ଖର୍ଚ୍ଚ କରିଥିଲେ ମଧ୍ୟ ସେଠାରେ ଦାରିଦ୍ର୍ୟ ହାର ୫୨% ରହିଥିବା ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେବେ ଆମେରିକା ହଟିବା ପରେ ଦେଶକୁ ଆହୁରି ଦାରିଦ୍ର୍ୟ ଓ ଅରାଜକତା ଫେରିବ ବୋଲି ଅଧିକାଂଶ ଆଫଗାନ୍‌ ଆଶଙ୍କା କରୁଛନ୍ତି।

ବାଇଡେନ୍‌ଙ୍କ ଆଭିମୁଖ୍ୟ

ଏକ ଦଶନ୍ଧି ତଳେ ଅଲ୍‌-କାଏଦା ମୁଖିଆ ଓସାମା ବିନ୍‌ ଲାଡେନ୍‌ଙ୍କୁ ଆମେରିକା ନିପାତ କରିବା ପରେ ଆମ ଉଦ୍ଦେଶ୍ୟ ସାଧିତ ହୋଇଥିଲା। କିନ୍ତୁ ବିଶ୍ୱବ୍ୟାପୀ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ଆଫଗାନିସ୍ତାନରୁ ଆମେରିକା ସେନାକୁ ପ୍ରତ୍ୟାହାର କରାଯାଇ ନ ଥିଲା। ଏବେ ପ୍ରତ୍ୟାହାର ସମ୍ପର୍କିତ ନିଷ୍ପତ୍ତି ଅନ୍ତର୍ଜାତୀୟ ସହଯୋଗୀଙ୍କୁ ଜଣାଇ ଦିଆଯାଇଛି। ଦୀର୍ଘତମ ଯୁଦ୍ଧକୁ ଶେଷ କରିବା ସମୟ ଆସିଛି। ଆମେରିକୀୟ ସୈନ୍ୟଙ୍କ ଘରବାହୁଡ଼ା ସମୟ ଉପନୀତ ବୋଲି ସେନା ପ୍ରତ୍ୟାହାର ଘୋଷଣା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ। ଏହି ପ୍ରକ୍ରିୟା ଅଗଷ୍ଟ ୩୧ରେ ଶେଷ ହେବାକୁ ଯାଉଥିବାବେଳେ ସେଠାରେ ଆମେରିକୀୟ ମଧ୍ୟ ଅସୁରକ୍ଷିତ ବୋଲି ବାଇଡେନ୍‌ ପ୍ରଶାସନ ବୁଝିସାରିଛି। ତେଣୁ ଆଫଗାନିସ୍ତାନରୁ ନିଜ ସାମାଜିକ କାର୍ଯ୍ୟକର୍ତ୍ତା, ଖବରଦାତାମାନଙ୍କୁ ଫେରାଇ ଆଣିବାକୁ ସୋମବାର ଆମେରିକା ନିଷ୍ପତ୍ତି ନେଇଛି। ଏହାବାଦ୍‌ ସେଠାରେ କାର୍ଯ୍ୟରତ ଆମେରିକୀୟ ନ୍ୟୁଜ୍‌ ଏଜେନ୍ସିର କର୍ମଚାରୀ, ସହାୟତା ଓ ବିକାଶ ସଂସ୍ଥା ଏବଂ ଆମେରିକା ତରଫରୁ ପାଣ୍ଠି ପାଉଥିବା ଅନ୍ୟାନ୍ୟ ରିଲିଫ୍‌ ଗୋଷ୍ଠୀକୁ ଶରଣାର୍ଥୀ ମାନ୍ୟତା ଦେବାକୁ ଆମେରିକା ଏହାର ପରିସରକୁ ବ୍ୟାପକ କରୁଛି ବୋଲି ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି। ଆମେରିକା ସରକାରରେ ଥିବା ବର୍ତ୍ତମାନ ଓ ପୂର୍ବତନ କର୍ମଚାରୀ ଏବଂ ନାଟୋ ମିଲିଟାରୀ ଅପରେଶନରେ ସାମିଲ ଥିବା ଲୋକେ ମଧ୍ୟ ଏଥିପାଇଁ ଶରଣାର୍ଥୀ ଯୋଗ୍ୟ ହେବେ ବୋଲି ବାଇଡେନ୍‌ ସରକାର ସ୍ପଷ୍ଟ କରିଛନ୍ତି।

ବଢ଼ିଲା ଭାରତର ଚିନ୍ତା

ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଏବଂ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ପୁନରୁତ୍‌ଥାନ ଭାରତ ପାଇଁ ଚିନ୍ତାର କାରଣ ସାଜିଛି। ୧୯୯୦ ଦଶକର ଶେଷ ଭାଗରେ ତାଲିବାନ ନିୟନ୍ତ୍ରିତ ଆଫଗାନିସ୍ତାନରେ ଏହି ସଙ୍ଗଠନ ଆତଙ୍କବାଦୀମାନଙ୍କୁ ପାଣ୍ଠି ସଂଗ୍ରହ ପାଇଁ ଆଶ୍ରୟ ଦେଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଭାରତରେ ଏକାଧିକ ଆକ୍ରମଣ ପାଇଁ ଦାୟୀ କରାଯାଉଥିବା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଏବଂ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ସଦସ୍ୟ। ୧୯୯୯ ଡିସେମ୍ବରରେ ଏକ ଭାରତୀୟ ବିମାନକୁ ଅପହରଣ କରି କାନ୍ଦାହାର ନେଇଯାଇଥିବା ଆତଙ୍କବାଦୀମାନଙ୍କ ସହ ତାଲିବାନର ସମ୍ପର୍କକୁ ମଧ୍ୟ ଭାରତୀୟ ଅଧିକାରୀମାନେ ମନେରଖିଥିବେ। ଆଫଗାନିସ୍ତାନ ମାଟିକୁ ଭାରତ ବିରୋଧୀ ଆତଙ୍କବାଦ ପାଇଁ ବ୍ୟବହାର ନ କରିବା ଲାଗି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ନୂଆଦିଲ୍ଲୀ ପ୍ରୟାସ ଜାରି ରଖିଛି। ଏହାସତ୍ତ୍ୱେ ତାଲିବାନ କବ୍‌ଜାରେ ଥିବା ଅଞ୍ଚଳ ପୁନର୍ବାର ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଥିବାରୁ ଭାରତର ମୁଣ୍ଡବ୍ୟଥା ବଢ଼ିଯାଇଛି। ତାଲିବାନର ଶକ୍ତି ବୃଦ୍ଧି ଭାରତ ପାଇଁ କେବଳ କୁଟନୈତିକ ସ୍ତରରେ ନୁହେଁ, ବରଂ ୨୦ ବର୍ଷରେ ଡ୍ୟାମ୍‌, ରାସ୍ତା, ବାଣିଜ୍ୟ ଆଦି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପରେ ନିବେଶ ହୋଇଥିବା ୩ ବିଲିୟନ ଡଲାର ପ୍ରତି ମଧ୍ୟ ବିପଦ ହୋଇ ଉଭାହୋଇଛି।

‘ଆତଙ୍କବାଦୀ କ୍ୟାମ୍ପ୍‌ ଫେରିବାକୁ ଦିଆଯିବ ନାହିଁ’

ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ଚିନ୍ତାଜନକ। କିନ୍ତୁ ସେଠାରେ ଆତଙ୍କବାଦୀଙ୍କ କ୍ୟାମ୍ପ୍‌ ଫେରିବାକୁ ଦିଆଯାଇପାରିବ ନାହିଁ। ଏପରି ସ୍ଥିତି ଲାଗିରହିଲେ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ ବୋଲି ଅଗଷ୍ଟ ମାସ ପାଇଁ ୟୁଏନ୍‌ଏସ୍‌ସିର ରାଷ୍ଟ୍ରଦୂତ ଅଧ୍ୟକ୍ଷ ଥିବା ଟି. ଏସ୍‌. ତିରୁମୂର୍ତ୍ତି ସୋମବାର ଜାତିସଂଘ ମୁଖ୍ୟାଳୟରେ କହିଛନ୍ତି। ଆଫଗାନିସ୍ତାନରେ ନିହତଙ୍କ ସଂଖ୍ୟା ଗତ ଜାନୁୟାରୀ-ଏପ୍ରିଲ ତୁଳନାରେ ମେ-ଜୁନ୍‌ରେ ବୃଦ୍ଧି ପାଇଛି। ଖୁବ୍‌ଶୀଘ୍ର ଏ ଦିଗରେ ସୁରକ୍ଷା ପରିଷଦ ପଦକ୍ଷେପ ନେବ। ଆଫଗାନିସ୍ତାନରେ ସ୍ଥିରତା ସହ ଏକ ସ୍ଥାୟୀ ସରକାର ସହ ଶାନ୍ତି ଓ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଉ ବୋଲି ଭାରତ ସବୁବେଳେ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri