ଲଣ୍ଡନ,୧୮ା୬: ଓ୍ବିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବା ପ୍ରସ୍ତାବକୁ ବ୍ରିଟିଶ ସରକାର ଅନୁମୋଦନ କରିଛନ୍ତି। ସେ ଆମେରିକାରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ବିଚାରର ସମ୍ମୁଖୀନ ହେବେ। ପ୍ରତ୍ୟର୍ପଣ ନିର୍ଦ୍ଦେଶନାମାରେ ବ୍ରିଟିଶ ଗୃହ ସଚିବ ପ୍ରୀତି ପଟେଲ ଶୁକ୍ରବାର ସ୍ବାକ୍ଷର କରିଛନ୍ତି। ପୂର୍ବରୁ ବ୍ରିଟେନର ଏକ ଅଦାଲତ ଆସେଞ୍ଜଙ୍କୁ ଆମେରିକା ପଠାଯାଇପାରିବ ବୋଲି ରାୟ ଦେଇଥିଲେ। ଆସେଞ୍ଜ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ୧୪ ଦିନ ମଧ୍ୟରେ ଅପିଲ କରିପାରିବେ।
ଆଫଗାନିସ୍ତାନ ଓ ଇରାକ ଯୁଦ୍ଧ ସମ୍ପର୍କିତ ଆମେରିକାର କେତେକ ଗୁପ୍ତ ଦସ୍ତାବିଜ୍ ଆସେଞ୍ଜ ୨୦୧୦-୧୧ରେ ପ୍ରଘଟ କରିଥିଲେ। ତେଣୁ ଗୁପ୍ତଚର ବୃତ୍ତିରେ ସାମିଲ ଅଭିଯୋଗରେ ଆମେରିକା ଆସେଞ୍ଜଙ୍କୁ ଓ୍ବେଣ୍ଟେଡ୍ ତାଲିକାରେ ରଖିଥିଲା। ଲଣ୍ଡନର ବେଲମାର୍ଶ ଜେଲରେ ଥିବା ଆସେଞ୍ଜ ପ୍ରତ୍ୟର୍ପଣରୁ ବର୍ତ୍ତିବା ଲାଗି ଦୀର୍ଘଦିନ ହେଲା ଉଦ୍ୟମ ଚଳାଇଥିଲେ। ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ବ୍ରିଟିଶ ଗୃହ ସଚିବଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରାଯିବ ବୋଲି ଓ୍ବିକିଲିକ୍ସ ପକ୍ଷରୁ କୁହାଯାଇଛି।