ଦୁଇଟି ପଥ

ପଇଁତିରିଶ ବର୍ଷ ପୂର୍ବେ ଭାରତ ଯେଉଁ ଦୁଇଟି ପଥରେ ଯିବାକୁ ବାଛିଥିଲା, ଏଯାବତ୍‌ ସେହି ଉଭୟ ରାସ୍ତାରେ ରହିଛି। ପ୍ରଥମ ପଥ ଥିଲା ଏକ ନୂତନ ରୂପର ଅର୍ଥନୀତିକୁ ଆପଣେଇବା, ଯାହାର ଔପଚାରିକ ଭାବେ ନାମ ଦିଆଯାଇଥିଲା ଉଦାରୀକରଣ। ଏହାର ଉଦ୍ଦେଶ୍ୟ ଥିଲା ଭାରତକୁ ବିଦେଶୀ ପୁଞ୍ଜି ଆଣିବା, ଲାଇସେନ୍ସରାଜକୁ ଭାଙ୍ଗିବା ସହ ସାର୍ବଜନୀନ କ୍ଷେତ୍ରର ଏକଚାଟିଆ ଅଧିକାରକୁ ସମାପ୍ତ କରିବା। ଏହାର ଲକ୍ଷ୍ୟ (ଅଘୋଷିତ)ଥିଲା ଜାପାନ, ତାଇୱାନ ଏବଂ ଦକ୍ଷିଣ କୋରିଆ ଭଳି ଏସୀୟ ରାଷ୍ଟ୍ରଗୁଡ଼ିକର ପଥ ଅନୁସରଣ କରି ଭାରତକୁ ଶିଳ୍ପାୟନରେ ସମୃଦ୍ଧ କରିବା। ଆମ ଭଳି ସେହି ସମାନ ସମୟରେ ଚାଇନା ଉଦାରୀକରଣ ପାଇଁ ଚେଷ୍ଟା କରୁଥିଲା। ଆମେ ୨୪ ଜୁଲାଇ ୧୯୯୧ (ଯେତେବେଳେ ଅର୍ଥମନ୍ତ୍ରୀ ମନମୋହନ ସିଂହ ତାଙ୍କ ବଜେଟ ଉପସ୍ଥାପନ କରିଥିଲେ)ରେ ଉଦାରୀକରଣରେ ପାଦ ଥାପିଥିବାବେଳେ ଭାରତ ଏବଂ ଚାଇନାର ଅର୍ଥନୈତିକ ବିକାଶ ସମାନ ସ୍ତରରେ ରହିଥିଲା। ବିଶ୍ୱ ବ୍ୟାଙ୍କ ଅନୁଯାୟୀ ୧୯୯୧ରେ ଉଭୟ ଦେଶର ମୁଣ୍ଡପିଛା ଜିଡିପି ୩୩୪ ଆମେରିକୀୟ ଡଲାର ଥିଲା। ଏହା ଦର୍ଶାଇଥିଲା ଯେ ଚାଇନା ଟିକେ ଆଗୁଆ ଥିଲା, କାରଣ ଭାରତଠାରୁ ପ୍ରାୟ ଏକ ଦଶନ୍ଧି କିମ୍ବା ତା’ପୂର୍ବରୁ, ମାଓ ସେ ତୁଙ୍ଗ୍‌ଙ୍କ ମୃତ୍ୟୁ ପରେ, ତାହାର ପ୍ରଗତି ଆରମ୍ଭ ହୋଇଥିଲା। କିନ୍ତୁ ଚାଇନା ଏକ ଅତ୍ୟନ୍ତ ଅବିକଶିତ ସ୍ତରରୁ ଉଠୁଥିଲା, ଯେଉଁଠି କୌଣସି ଘରୋଇ କ୍ଷେତ୍ର ନ ଥିଲା ଏବଂ ସାଂସ୍କୃତିକ ବିପ୍ଳବ ଓ ଏକକ ସନ୍ତାନ ନୀତି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ କୁହାଯାଇପାରେ ଯେ, ୧୯୯୧ରେ ଆମେ ପ୍ରକୃତରେ ତା’ ସହ ସମାନ ଥିଲୁ। ସେହି ସମୟରୁ ଉଦାରୀକରଣ ପଥର ଘଟଣାଗୁଡ଼ିକୁ ଦେଖିଲେ ବୁଝିହେବ। ୧୯୯୦ ଦଶକର ଶେଷ ସୁଦ୍ଧା ଚାଇନାର ମୁଣ୍ଡପିଛା ଜିଡିପି ଭାରତର ଦୁଇଗୁଣ ହୋଇଗଲା। ପରବର୍ତ୍ତୀ ଦଶନ୍ଧିରେ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ଆମକୁ ‘ଉଜ୍ଜ୍ୱଳ ଭାରତ’ର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୨୦୦୦ ଦଶକର ଶେଷ ସୁଦ୍ଧା ଚାଇନାର ମୁଣ୍ଡପିଛା ଜିଡିପି ତିନିଗୁଣ ଆଗରେ ଥିଲା। ପରେ ମନମୋହନ ସିଂହଙ୍କ ଶାସନ କାଳରେ ଚାଇନା ଚାରିଗୁଣ ଆଗରେ ଥିଲା ଏବଂ ମୋଦିଙ୍କ ନୂତନ ଭାରତରେ ପାଞ୍ଚଗୁଣ ଆଗରେ ରହିଛି।
୨୦୦୮ର ବିଶ୍ୱ ଆର୍ଥିକ ସଙ୍କଟ ପର୍ଯ୍ୟନ୍ତ ବୈଶ୍ୱିକ ଅର୍ଥନୀତି ଉପରେ ନଜର ରଖୁଥିବା ଦି ଇକୋନୋମିଷ୍ଟ, ଦି ୱାଲ ଷ୍ଟ୍ରିଟ ଜର୍ନାଲ ଏବଂ ଫାଇନାନ୍ସିଆଲ ଟାଇମ୍ସ ଆକଳନଭିତ୍ତିକ ଖବର ପ୍ରକାଶ କରିଥିଲେ ଯେ ଜାପାନ, ଦକ୍ଷିଣ କୋରିଆ ଏବଂ ଚାଇନାର ଅର୍ଥନୈତିକ ପଥରେ ଭାରତ ସାମିଲ ହେବାକୁ ଯାଉଛି। କିନ୍ତୁ ତାହା କୋଭିଡ୍‌ ମହାମାରୀ ସମୟରେ ଶେଷ ହୋଇଗଲା। କିନ୍ତୁ ଏହା ସ୍ପଷ୍ଟ ଯେ, ଏସିଆର ଶକ୍ତିଶାଳୀ ଦେଶଗୁଡ଼ିକ ଯାହା କରୁଥିଲେ ଭାରତ ତାହା କରୁ ନ ଥିଲା ଏବଂ କରିପାରି ନ ଥିଲା। ଏହାର ଅନେକ କାରଣ ଥାଇପାରେ, କିନ୍ତୁ ମୁଖ୍ୟ କାରଣ ହେଉଛି ପ୍ରଭାବୀ ଢଙ୍ଗରେ ବିକାଶ ଏବଂ ନୀତି କାର୍ଯ୍ୟକାରୀ କରିବାରେ ଅକ୍ଷମତା। ଏବେ ଭାରତର ମୁଣ୍ଡପିଛା ଜିଡିପି ୨୬୯୬ ଆମେରିକୀୟ ଡଲାର ଥିବାବେଳେ ବାଂଲାଦେଶର ୨୫୯୩, ପାକିସ୍ତାନର ୧୪୮୪ ଏବଂ ଚାଇନାର ୧୩,୩୦୩ ଆମେରିକୀୟ ଡଲାର ରହିଛି। ଏହା ସ୍ପଷ୍ଟ ଯେ, ଭାରତ ଲକ୍ଷ୍ୟ ଅନୁଯାୟୀ କାମ କରୁ ନ ଥିବାରୁ ସେହି ସ୍ଥିତିରେ ରହିଛି। ୧୯୯୦ରେ ଭାରତ ଯେଉଁ ଦ୍ୱିତୀୟ ପଥ ବାଛିଥିଲା ତାହା ମଧ୍ୟ ଜାରି ରହିଛି। ଏହା ଥିଲା ବିବିଧତାର ସହାବସ୍ଥାନ ଏବଂ ଧର୍ମନିରପେକ୍ଷତାରୁ ଦୂରେଇ ଯାଇ ଭାଜପା ବିଚାରଧାରା ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ଏକ ଭିନ୍ନ ସ୍ବର୍ଗ ଆଡ଼କୁ ଯିବା, ଯାହାକୁ ୧୯୯୬ର ଇସ୍ତାହାରରେ ହିନ୍ଦୁତ୍ୱ ବୋଲି କୁହାଯାଇଥିଲା। ବାବ୍ରୀ ମସ୍‌ଜିଦ ବିରୋଧରେ ଦଳର ସଫଳ ଅଭିଯାନ ଏବଂ ପରବର୍ତ୍ତୀ ହତ୍ୟାକାଣ୍ଡ ଭାରତକୁ ଏକ ନୂତନ ଦିଗକୁ ନେଇଯାଇଥିଲା। ୧୯୫୧ରେ ଗଠିତ ଦଳର ୧୯୯୦ ପର୍ଯ୍ୟନ୍ତ ନିଜସ୍ବ ମୁଖ୍ୟମନ୍ତ୍ରୀ ନ ଥିଲା ଏବଂ ସମସ୍ତ ଦଶନ୍ଧିରେ ଏହାର ଜାତୀୟ ଭୋଟ ହାର ଏକକ ସଂଖ୍ୟାବିଶିଷ୍ଟ ରହିଥିଲା। ଲାଲକୃଷ୍ଣ ଆଡ୍‌ଭାନୀଙ୍କ ନେତୃତ୍ୱରେ ହୋଇଥିବା ବାବ୍ରୀ ମସ୍‌ଜିଦ ଘଟଣା ପରେ ଏହା ଦୁଇଗୁଣ ବୃଦ୍ଧି ପାଇ ପାଖାପାଖି ୧୮% ପହଞ୍ଚିଥିଲା। ନରେନ୍ଦ୍ର ମୋଦିଙ୍କ ଅଧୀନରେ ପୁନର୍ବାର ଦ୍ୱିଗୁଣିତ ହୋଇ ୩୬% ହୋଇଥିଲା।
ବିକାଶର ପ୍ରଥମ ପଥ ଧିମା ହୋଇଥିବାବେଳେ ଦ୍ୱିତୀୟ ପଥର ଗତି ଅଧିକ ଦ୍ରୁତ ହୋଇଛି। ବାଜପେୟୀଙ୍କ ସମୟରେ ଏବକାର ସଂଖ୍ୟାଲଘୁ ବିରୋଧୀ ରାଜନୀତିର ସ୍ବର ଏତେ ଦୃଢ଼ ନ ଥିଲା। ଏହାର କାରଣ କିଛି ଲୋକ ଅନୁଭବ କରୁଥିଲେ ଯେ, ବାଜପେୟୀ ଉଦାର ଥିଲେ ଏବଂ ଏହା ସତ୍ୟ। ସେ ସରକାରରେ ଥିବା ସହଯୋଗୀଙ୍କ ଉପରେ ନିର୍ଭରଶୀଳ ଥିଲେ, ତେଣୁ ଦ୍ୱନ୍ଦ୍ୱରେ ରହିବାକୁ ବାଧ୍ୟ ହୋଇଥିଲେ। ୨୦୦୨ର ଘଟଣାବଳୀ ଏହାକୁ ପରିବର୍ତ୍ତନ କରିଦେଲା। ଭାଜପା ତାହାର ନୂତନ ନେତା ପାଇଲା। ୧୯୯୧ର ଅର୍ଥନୈତିକ ସଂସ୍କାରରୁ ସର୍ବାଧିକ ଲାଭ ପାଇଥିବା ଏକ ରାଜ୍ୟରୁ ଆସି ସେ ଦାବି କଲେ ଯେ, ଏହାର ତୁଳନାତ୍ମକ ପ୍ରଗତି ତାଙ୍କ ଯୋଗୁ ଘଟିଥିଲା। ଏବଂ ୨୦୦୨ର ନରସଂହାର ପରେ ତାଙ୍କୁ ହଟାଇବାରେ ବାଜପେୟୀଙ୍କ ଅକ୍ଷମତା ତାଙ୍କୁ ଭବିଷ୍ୟତର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ପ୍ରତିଷ୍ଠା କରିଥିଲା, ଯେଉଁଥିପାଇଁ ସେ ତାଙ୍କ ଲକ୍ଷ୍ୟ ପୂରଣ କରିପାରିଥିଲେ। ୧୯୯୦ରେ ଭାରତ ବାଛିଥିବା ଉଭୟ ପଥରେ ସେ ପ୍ରଗତି ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କେବଳ ଗୋଟିଏ ରାସ୍ତାରେ ଆଗେଇ ଗଲେ। ଏବେ ଚାଇନା ସହ ଭାରତ ତୁଳନୀୟ ନୁହେଁ ଏବଂ ସରକାର ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ନିଜକୁ ତୁଳନା କରୁ ନାହାନ୍ତି। ଏହା ବଦଳରେ ଆମେ ଆଭ୍ୟନ୍ତରୀଣ ନିର୍ଯାତନା, ପାକିସ୍ତାନୀ ସେନା ଏବଂ ବାଂଲାଦେଶୀ ଶରଣାର୍ଥୀଙ୍କ ସହିତ ଲଢ଼ି ନିଜକୁ ସାନ୍ତ୍ୱନା ଦେଉଛୁ। ୧୯୯୦ ପରେ ଭାଜପାର ନିର୍ବାଚନୀ ସଫଳତାରୁ ବୁଝାପଡ଼ୁଛି ଯେ, ଏହି ରାସ୍ତା ଛାଡ଼ିବା ତା’ ପାଇଁ କଷ୍ଟକର ହେବ, କାରଣ ଏହି ନୀତିଗୁଡ଼ିକୁ ଗ୍ରହଣ କରିଛି। ଯୁବ ପାଠକଙ୍କ ପାଇଁ ୧୯୯୦ ବହୁତ ପୁରୁଣା ମନେହେବ, କିନ୍ତୁ ଆମ ମଧ୍ୟରୁ ଅନେକଙ୍କ ପାଇଁ ଏହା ଏବକାର ସ୍ମୃତି। ଆମେ ସେହି ଦଶନ୍ଧିଗୁଡ଼ିକୁ ଦେଖିଲେ ଜାଣିପାରିବା ଯେ, ସେତେବେଳେ ଏସବୁ କାହିଁକି ଘଟିଥିଲା ଏବଂ ପରବର୍ତ୍ତୀ ଦଶନ୍ଧିଗୁଡ଼ିକ ସମାନ ଘଟଣା ଘଟିବ। ଏକ ସମୃଦ୍ଧ ଏବଂ ସମାନତାର ସମାଜ ଗଢ଼ିବା ପଥରେ ଦ୍ୱିଧା ଏବଂ ଧିମା ଯାତ୍ରା ଦେଖିବାକୁ ମିଳିବ। ଅନ୍ୟ ପଟେ ଆତ୍ମବିଶ୍ୱାସର ସହିତ ଦ୍ରୁତଗତିରେ ହିନ୍ଦୁତ୍ୱ ବିଚାରଧାରା ପଥରେ ଆଗେଇ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri