କୋଲକାତା, ୧୦।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଜୋର୍ ଧରିଛି। ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି)ର କେତେଜଣ ଅସନ୍ତୁଷ୍ଟ ନେତା ଓ କର୍ମୀ କିଛିଦିନ ମଧ୍ୟରେ ଭାଜପାରେ ସାମିଲ ହୋଇଛନ୍ତି। ୨୦୧୯ରେ ଭାଜପାରେ ଯୋଗଦେଇଥିବା ଟିଏମ୍ସିର ଦୁଇଜଣ ପୂର୍ବତନ ବିଧାୟକ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ସେମାନଙ୍କ ଘରବାହୁଡ଼ା ନେଇ ଚର୍ଚ୍ଚା ଜୋର୍ ଧରିଛି। ବୋଙ୍ଗାଓଁ ଉତ୍ତର ବିଧାୟକ ବିଶ୍ୱଜିତ୍ ଦାସ ଏବଂ ନୋଆପଡ଼ା ବିଧାୟକ ସୁନୀଲ ସିଂ ସୋମବାର ମମତାଙ୍କୁ ତାଙ୍କ ବିଧାନସଭା ଚାମ୍ବରରେ ଭେଟିଥିଲେ। ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିବା କଥା କହୁଥିଲାବେଳେ ଟିଏମ୍ସିକୁ ଫେରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଦୁଇ ବିଧାୟକ ୨୦୧୯ ଜୁନ୍ରେ ଟିଏମ୍ସି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଭାଜପା ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଳାସ ବିଜୟଭର୍ଗୀୟ ଏବଂ ବରିଷ୍ଠ ନେତା ମୁକୁଲ ରାୟଙ୍କ ଉପସ୍ଥିତିରେ ସୁନୀଲ ସେହିବର୍ଷ ଜୁନ୍ ୧୭ରେ ୧୫ ଜଣ ଟିଏମ୍ସି କାଉନସିଲର ଓ ଜଣେ କଂଗ୍ରେସ କାଉନସିଲରଙ୍କ ସହ ଗୈରିକ ଦଳରେ ଯୋଗଦେଇଥିଲେ। ଦିନକ ପରେ ବିଶ୍ୱଜିତ୍ ଭାଜପାରେ ସାମିଲ ହୋଇଥିଲେ।