
ପଟାଙ୍ଗି,୬ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ତଳ ସାହିରେ ବସବାସ କରୁଥିବା ସ୍ବର୍ଗତଃ କମୁ ଲାଛନାଙ୍କ ପୁଅ କମୁ ଅଜିତ୍ ଗୁରୁତର ହୋଇ ଆନ୍ଧ୍ର ରାଜ୍ୟର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ରହିଥିଲେ। ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁବରଣ କରିବା ପରେ ମୃତ ଯୁବକଙ୍କ ମା’ ଓ ପରିବାରବର୍ଗ ଶୁକ୍ରବାର ସ୍ଥାନୀୟ ପୋଲିସ ନିକଟରେ ପହଞ୍ଚି ମୃତର କାରଣ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ଗତ ମଙ୍ଗଳବାର ତଥା ୩ ତାରିଖ ଦିନ ହୋଇଥିବା ଆଇପିଏଲ ଖେଳ ଉପରୋକ୍ତ ସାହିର ସମସ୍ତ ଯୁବକ ଓ ସାହି ବାସିନ୍ଦା ଦେଖି ମନୋରଞ୍ଜନ କରୁଥିଲେ। ଏହି ସମୟରେ ବିରାଟ କୋହଲି ଆଉଟ ହୋଇଯିବା ଫଳରେ ମୃତ ଯୁବକ ଅଜିତ୍ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ବଡ଼ବାପା କମୁ ଏଙ୍କେଟିଙ୍କ ପୁଅ କମୁ ପାଉଲୁ ପ୍ରତିବାଦ କରି କାହିଁକି ପାଟିତୁଣ୍ଡ କରୁଛୁ କହି ନିଜ ନିଜ ମଧ୍ୟରେ କଥାକଟି ହୋଇ କମୁ ପାଉଲୁ ରାଗି ଯାଇ ଏକ ଠେଙ୍ଗା ସହ ସାନ ଭାଇ ତଥା ଦାଦା ପୁଅ ଅଜିତର ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ। ଫଳରେ ଘଟଣାସ୍ଥଳରେ ମୃତ ଅଜିତ୍ ରକ୍ତାକ୍ତ ହୋଇ ଗୁରୁତର ହୋଇପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଯୁବକମାନେ ଆହତ ଅଜିତଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଚିକିତ୍ସା କରିଥିଲେ। ଆହତ ଅଜିତ ଗୁରୁତର ଥିବାରୁ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଯୁବକ ଜଣକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପରିବାର ବର୍ଗ ଉକ୍ତ ମେଡ଼ିକାଲ ନ ନେଇ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଉ ଥିବାବେଳେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆହତ ଯୁବକ ଅଜିତଙ୍କ ମୃତ୍ୟୁ ଘଟିଛି। ଏନେଇ ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କୁ ପଚାରିବାରୁ ଉପରୋକ୍ତ ଘଟଣାକୁ ନେଇ ଲିଖିତ ଅଭିଯୋଗ ଆସିଛି ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ।