ନୂଆଦିଲ୍ଲୀ, ୨୫।୧୧: ବିଶ୍ୱର ସବୁଠାରୁ ବଡ଼ ବଜାର ଆମେରିକା ପକ୍ଷରୁ ଯେତେବେଳେ ଟାରିଫ ବୃଦ୍ଧି ନେଇ ଖବର ଆସେ, ସେତେବେଳେ ଏହାର ପ୍ରଭାବ କେବଳ ବଡ଼ ବଡ଼ କମ୍ପାନୀ ଉପରେ ସୀମିତ ରହେ ନାହିଁ। ଆଗାମୀ ଦିନରେ ରପ୍ତାନି, ନିଯୁକ୍ତି ଏବଂ ବ୍ୟବସାୟିକ ପରିବେଶ ଜରିଆରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିପାରେ। ସଦ୍ୟତମ ରିପୋର୍ଟ ଅନୁସାରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପୁଣିଥରେ ୧୬ଟି ଦେଶ ଉପରେ ଟାରିଫ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ସମ୍ଭାବ୍ୟ ତାଲିକାରେ ଭାରତର ନାଁ ମଧ୍ୟ ରହିଥିବା କୁହାଯାଉଛି।
ରିପୋର୍ଟ ଅନୁସାରେ, ଆମେରିକାର ଟ୍ରେଡ ରିପ୍ରେଜେଣ୍ଟେଟିଭ ଜେମିସନ ଗ୍ରିୟର୍ ଚଳିତ ସପ୍ତାହରେ ନିଜ ଯାଞ୍ଚର ରିପୋର୍ଟ ସାର୍ବଜନୀନ କରିପାରନ୍ତି। ତେବେ ଏହାର ତାରିଖରେ ପରିବର୍ତ୍ତନ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ଏବଂ ଭାରତ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ।
ସରଳ ଭାଷାରେ କହିବାକୁ ଗଲେ, ଆମେରିକାର ଅଭିଯୋଗ ହେଉଛି ଯେ, ଅନେକ ଦେଶ ନିଜ ଘରୋଇ କମ୍ପାନୀ ଏବଂ ଉତ୍ପାଦନ କ୍ଷେତ୍ରକୁ ସବସିଡି, ଆର୍ଥିକ ସହାୟତା କିମ୍ବା ଅନ୍ୟାନ୍ୟ ନୀତି ଜରିଆରେ ସହଯୋଗ କରୁଛନ୍ତି। ଏହାଦ୍ୱାରା ସେହି ଦେଶଗୁଡ଼ିକର ଉତ୍ପାଦ ଶସ୍ତା ହେଉଛି ଏବଂ ବିଶ୍ୱ ବଜାରରେ ଆମେରିକୀୟ କମ୍ପାନୀଗୁଡ଼ିକ ତୁଳନାରେ ଅଧିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରୁଛି।
ଏହି ଅଭିଯୋଗକୁ ଆଧାର କରି ଦୀର୍ଘ ମାସ ଧରି ଯାଞ୍ଚ ଚାଲିଥିଲା। ଏବେ ଆମେରିକା ଯେଉଁ ଦେଶଗୁଡ଼ିକୁ ସବସିଡିର ଲାଭ ମିଳୁଥିବା ଭାବୁଛି, ସେମାନଙ୍କ ଉପରେ ପୂର୍ବରୁ ଲାଗୁ ହୋଇଥିବା ଟାରିଫ ବୃଦ୍ଧି କରିବାକୁ ବିଚାର କରୁଛି। ଚାଇନା, ଭାରତ, ଜାପାନ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘ ଭଳି ବଡ଼ ଅର୍ଥନୀତି ଏହି ତାଲିକାରେ ସାମିଲ ହୋଇପାରନ୍ତି।
ରିପୋର୍ଟ ଅନୁସାରେ, ପ୍ରସ୍ତାବିତ ଟାରିଫ ଯୋଗୁ ଏହି ଦେଶଗୁଡ଼ିକରୁ ଆମେରିକାକୁ ରପ୍ତାନି ହେଉଥିବା ଅଧିକାଂଶ ସାମଗ୍ରୀ ପ୍ରଭାବିତ ହୋଇପାରେ। ତେବେ ଇସ୍ପାତ, ଆଲୁମିନିୟମ ଏବଂ ଅଟୋମୋବାଇଲ ଭଳି କିଛି କ୍ଷେତ୍ର ପୂର୍ବରୁ ଅଲଗା ଜାତୀୟ ସୁରକ୍ଷା ଟାରିଫ ଅଧୀନରେ ରହିଛି। ତେଣୁ ଏହି କ୍ଷେତ୍ରଗୁଡ଼ିକୁ ନୂଆ ଟାରିଫ୍କୁ ବାଦ ଦିଆଯାଇପାରେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରତ୍ୟେକ ଦେଶ ଉପରେ ଏହାର ପ୍ରଭାବ ସମାନ ହେବ ନାହିଁ। ଜାପାନ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘ ଭଳି ଦେଶ ଓ ସଂଗଠନ ଉପରେ ୧୫ ପ୍ରତିଶତ କିମ୍ବା ଏହାଠାରୁ କମ ଟାରିଫ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଭାରତ ଏବଂ ଭିଏତନାମ ଉପରେ ଏହି ଦେଶଗୁଡ଼ିକ ତୁଳନାରେ ଅଧିକ ଟାରିଫ ଲାଗିବାର ଆଶଙ୍କା ରହିଛି। ସେହିପରି ଅଧିକ ମାତ୍ରାରେ ସବସିଡି ଦିଆଯାଉଥିବା ଅଭିଯୋଗ ଯୋଗୁଁ ଚୀନ ଉପରେ ସବୁଠାରୁ ଅଧିକ ଚାପ ପଡ଼ିପାରେ।
ଭାରତ ପାଇଁ ଏହି ସମୟ ଅଧିକ ସମ୍ବେଦନଶୀଳ। କାରଣ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି (ଟ୍ରେଡ ଡିଲ)କୁ ନେଇ ଆଲୋଚନା ଜାରି ରହିଛି। ଫେବୃଆରୀ ୨୦୨୬ରେ ଏକ ଅନ୍ତରୀଣ ଢାଞ୍ଚାକୁ ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ। ଏଥିରେ ଭାରତୀୟ ସାମଗ୍ରୀ ଉପରେ ରେସିପ୍ରୋକାଲ ଟାରିଫ ହ୍ରାସ କରିବା ଏବଂ ସେକେଣ୍ଡାରୀ ଟାରିଫ ହଟାଇବା ଭଳି ପ୍ରସ୍ତାବ ସାମିଲ ଥିଲା। କିନ୍ତୁ ଏହାପରେ ଆମେରିକାର ସୁପ୍ରିମକୋର୍ଟଙ୍କ ଏକ ରାୟ ପୁରୁଣା ଟାରିଫ ବ୍ୟବସ୍ଥାକୁ ବଦଳାଇ ଦେଇଥିଲା। ଫଳରେ ୱାଶିଂଟନକୁ ନୂଆ ଟାରିଫ ଢାଞ୍ଚା ପ୍ରସ୍ତୁତ କରିବାକୁ ପଡ଼ିଥିଲା। ଭାରତର ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ମଧ୍ୟ ନିକଟରେ କହିଥିଲେ ଯେ, ଆମେରିକାର ନୂଆ ଟାରିଫ ବ୍ୟବସ୍ଥା ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ଔପଚାରିକ ବାଣିଜ୍ୟ ଚୁକ୍ତିରେ ସ୍ବାକ୍ଷର କରିବା ସହଜ ହେବ ନାହିଁ। ତେଣୁ ଏବେ ସମସ୍ତଙ୍କ ନଜର ଆମେରିକାର ନୂଆ ଟାରିଫ ନୀତି ଉପରେ ରହିଛି।

