ବିଶ୍ୱକପ୍ ଫୁଟ୍ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍ବଲ ଦଳର ଷ୍ଟ୍ରାଇକର୍ଙ୍କୁ ରେଫ୍ରି ରେଡ୍ କାର୍ଡ ଦେଖାଇଲା ବେଳକୁ ଖେଳାଳି ଜଣଙ୍କ ତାଙ୍କୁ ଟ୍ରମ୍ପ୍ କାର୍ଡ ଦେଖାଉଛନ୍ତି। ଅର୍ଥାତ୍ ଟ୍ରମ୍ପ୍ଙ୍କ ଚିତ୍ର ଥିବା କାର୍ଡଟିଏ ଦେଖିବାକୁ ମିଳୁଛି। ମିମ୍ ପଛର ଘଟଣାଟି ହେଲା ଏହିପରି। ଜୁଲାଇ ୨ରେ ସାନ୍ଫ୍ରାନ୍ସିସ୍କୋରେ ଆମେରିକା ଏବଂ ବୋସ୍ନିଆ ଆଣ୍ଡ୍ ହର୍ଜଗୋଭିନା ମଧ୍ୟରେ ମ୍ୟାଚ୍ ହୋଇଥିଲା। ସେଥିରେ ଆମେରିକା ଫୁଟ୍ବଲ ଦଳର ଷ୍ଟ୍ରାଇକର ଫୋଲାରିନ୍ ବାଲୋଗନଙ୍କୁ ବ୍ରାଜିଲୀୟ ରେଫ୍ରି ରାଫାଏଲ୍ କ୍ଲସ୍ ରେଡ୍ କାର୍ଡ ଦେଖାଇ ନିଲମ୍ବନ କରିଥିଲେ। ଏହି ମ୍ୟାଚରେ ଆମେରିକା ୨-୦ରେ ଜିତିଥିଲା। ଫ୍ରାନ୍ସର ମୋନାକୋ ଫୁଟ୍ବଲ କ୍ଲବ ପାଇଁ ଖେଳୁଥିବା ବାଲୋଗନ୍ ଏହି ବିଶ୍ୱକପ୍ରେ ଆମେରିକା ତରଫରୁ ୩ଟି ଗୋଲ୍ ଦେଇ ଦଳରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିଲେ। ତେବେ ରେଡ୍ କାର୍ଡ ପାଇଥିବାରୁ ନିୟମ ଅନୁଯାୟୀ ବାଲୋଗନ ଆଗାମୀ ମ୍ୟାଚ୍ ଖେଳିବାକୁ ଯୋଗ୍ୟ ହେବା କଥା ନୁହଁ। ହେଲେ ଜୁଲାଇ ୭ରେ ସିଆଟଲ୍ ଷ୍ଟାଡିୟମ୍ରେ ଆମେରିକା ଓ ବେଲ୍ଜିୟମ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ସେ ଖେଳିଥିଲେ। ଫଳାଫଳରେ ବେଲ୍ଜିୟମ ୪-୧ରେ ଆମେରିକାକୁ ପରାସ୍ତ କରିଥିଲା। ବିବାଦୀୟ ପ୍ରସଙ୍ଗ ହେଲା ବାଲୋଗନ୍ ଦଳରୁ ବାଦ୍ ପଡ଼ିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫିଫା ସଭାପତି ଗିଆନି ଇନ୍ଫାଣ୍ଟିନୋଙ୍କୁ ଫୋନ୍ କରି ବାଲୋଗନ୍ଙ୍କ ଉପରୁ ନିଷେଧାଜ୍ଞା ହଟାଇବାକୁ କହିଥିଲେ। ସେହି ଅନୁଯାୟୀ ଇନ୍ଫାଣ୍ଟିନୋ କାର୍ଯ୍ୟ କରିଥିଲେ। ଅର୍ଥାତ୍ ବେଲଜିୟମ୍ ବିପକ୍ଷ ମ୍ୟାଚ୍ ଖେଳିବା ଲାଗି ବାଲୋଗନ୍ଙ୍କୁ ଫିଫା ପକ୍ଷରୁ ଯୋଗ୍ୟ କରାଯାଇଥିଲା।
ଫିଫାର ଏଭଳି ନିଷ୍ପତ୍ତିକୁ ୟୁରୋପର ଫୁଟବଲ ସଂଘ, ଫିଫାର ତତ୍କାଳୀନ ମୁଖ୍ୟଙ୍କଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିଙ୍କ ସହ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ନିଲମ୍ବନ ନିର୍ଦ୍ଦେଶ ଦେଇଥିବା ରେଫ୍ରିଙ୍କୁ ପ୍ରଶଂସା କରାଯାଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଓ ଫିଫା ସଭାପତି ଇନ୍ଫାଣ୍ଟିନୋଙ୍କୁ ସମାଲୋଚନା କରାଯାଉଛି। କୌତୂହଳର ବିଷୟ ହେଲା ୫ ଡିସେମ୍ବର ୨୦୨୫ରେ ଆମେରିକା ରାଜଧାନୀ ଓ୍ବାଶିଂଟନର ଜନ୍ ଏଫ୍. କେନେଡି ସେଣ୍ଟରରେ ଅନୁଷ୍ଠିତ ୨୦୨୬ ଫିଫା ଓ୍ବାଲର୍ଡ କପ୍ ଡ୍ର ଉତ୍ସବରେ ପ୍ରଥମ ଥର ପାଇଁ ‘ଫିଫା ଶାନ୍ତି ପୁରସ୍କାର’ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଫିଫା ସଭାପତି ଇନ୍ଫାଣ୍ଟିନୋ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ଏହି ଶାନ୍ତି ପୁରସ୍କାର ଦେଇଥିଲେ। ସେତେବେଳେ ଇନ୍ଫାଣ୍ଟିନୋଙ୍କ ଟ୍ରମ୍ପ୍ଙ୍କ ପ୍ରତି ଗୋଡ଼ାଣିଆ ମନୋଭାବ ସ୍ପଷ୍ଟ ବାରି ହୋଇପଡ଼ିଥିଲା।
ଫିଫା ଆୟୋଜନକାରୀ ରାଷ୍ଟ୍ର ମଧ୍ୟରେ ଆମେରିକା ରହିଥିଲେ ମଧ୍ୟ ଖେଳର ନିୟମ ଉପରେ କୌଣସି କର୍ତ୍ତୃତ୍ୱ ରହିବା କଥା ନୁହଁ। ହେଲେ ଟ୍ରମ୍ପ୍ ଏହି ଖେଳରେ ହସ୍ତକ୍ଷେପ କରି ଏକ ଜଘନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଦେଶର ନିର୍ବାଚନଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ବ୍ୟାପାର, ବାଣିଜ୍ୟ ଓ ଯୁଦ୍ଧ ଆରମ୍ଭ କରି ବିଶ୍ୱକୁ ଅସ୍ଥିର କରିଥିବା ଟ୍ରମ୍ପ୍ ବିଶ୍ୱକ୍ରୀଡ଼ାକୁ କଳୁଷିତ କରିଦେବା କାହାରିକୁ ଆଶ୍ଚର୍ଯ୍ୟ କରୁନାହିଁ। ଅବଶ୍ୟ ବାଲୋଗନ୍ଙ୍କ ନିଲମ୍ବନ ଉପରେ ପ୍ରଶଂସକ ଓ ବିଶ୍ଳେଷକଙ୍କ ମଧ୍ୟରେ ମତ ଭିନ୍ନ ଥିଲା। କେତେକେ କହୁଛନ୍ତି, ବାଲୋଗନ୍ ଇଚ୍ଛାକୃତ ଭାବେ ବୋସନିଆ ଖେଳାଳିଙ୍କ ଗୋଡ଼ ଉପରେ ଚଢ଼ି ନ ଥିଲେ, ବରଂ ତାହା ଥିଲା ଶରୀରର ଅସନ୍ତୁଳନତା। ଖେଳ ଭିତରେ ରେଫ୍ରିଙ୍କ ନିଷ୍ପତ୍ତି ଦ୍ୱନ୍ଦ୍ୱାତ୍ମକ ଥିଲେ ଫିଫାକୁ ଜଣାଇବା ଶୃଙ୍ଖଳିତ ଦଳର କର୍ତ୍ତବ୍ୟ। କିନ୍ତୁ ଟ୍ରମ୍ପ୍ ଦେଶର ରାଷ୍ଟ୍ରପତି ଭାବେ ଫିଫା ସଭାପତିଙ୍କୁ ପ୍ରଭାବିତ କରି ନିୟମରେ ପରିବର୍ତ୍ତନ କରାଇବା ଦ୍ୱାରା ତାଙ୍କୁ କ୍ରୀଡ଼ା ଜଗତରେ ସମାଲୋଚନା କରାଯାଉଛି। ଟ୍ରମ୍ପ୍ ମେକ୍ ଆମେରିକା ଗ୍ରେଟ୍ ଏଗେନ୍ (ମାଗା) ସ୍ଲୋଗାନକୁ ବାରମ୍ବାର ଦୋହରାଉଥିବା ବେଳେ ଏବେ ବିଶ୍ୱବ୍ୟାପୀ ଆମେରିକାର ଭାବମୂର୍ତ୍ତି ଗ୍ରେଟ୍ ବା ବୃହତ୍ ହେବା ପରିବର୍ତ୍ତେ କ୍ଷୁଣ୍ଣ ହୋଇଯାଇଛି। ଇରାନ୍ ଭଳି ପୂର୍ବରୁ ସାମାନ୍ୟ ଲାଗୁଥିବା ଦେଶ ଏବେ ଯୁଦ୍ଧରେ ନା ଯେ କେବଳ ଆମେରିକା ଓ ଇସ୍ରାଏଲକୁ ଅଣ୍ଠେଇ ଦେଲାଣି, ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ ଜାହିର କରିପାରିଛି। ଟ୍ରମ୍ପ୍ଙ୍କ ବାଚଳାମି ବିଶ୍ୱସ୍ତରରେ ଅସ୍ଥିରତା ସୃଷ୍ଟି କରିବା ସହ ଏବେ ଫୁଟ୍ବଲ ଭଳି ଲୋକପ୍ରିୟ କ୍ରୀଡ଼ାରେ ମଧ୍ୟ ଆମେରିକାର ମୁଣ୍ଡ ନୁଆଁଇ ଦେଇଛି।