ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ ଦାରିଦ୍ର୍ୟରୁ ସମୃଦ୍ଧି ଆଡ଼କୁ ଅଗ୍ରସର ହେଲା। ଜ୍ଞାନୋଦୟର ଆଶାବାଦ, ହେଗେଲ୍ଙ୍କ ଦର୍ଶନ, ମାର୍କ୍ସଙ୍କ ଐତିହାସିକ ବସ୍ତୁବାଦ କିମ୍ବା ବିଂଶ ଶତାବ୍ଦୀର ଆଧୁନିକୀକରଣର ସିଦ୍ଧାନ୍ତ ମାଧ୍ୟମରେ ଇତିହାସ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତି କରୁଛି ବୋଲି ଧାରଣା ରହିଥିଲା। ଗନ୍ତବ୍ୟ ଭିନ୍ନ ହୋଇପାରେ, କିନ୍ତୁ ମୂଳ ବିଶ୍ୱାସ ଥିଲା ଆସନ୍ତାକାଲି ନିଶ୍ଚିତ ଭାବରେ ଗତକାଲିଠାରୁ ଭଲ ହେବ। କିନ୍ତୁ ସେହି ଆତ୍ମବିଶ୍ୱାସ ଏବେ ଦୁର୍ବଳ ହୋଇଛି। ଆର୍ଥିକ ସଙ୍କଟ, ଅସରନ୍ତି ଯୁଦ୍ଧ, ରାଜନୈତିକ ମତଭେଦ, ଜନସଂଖ୍ୟା ହ୍ରାସ, ଜଳବାୟୁ ସମସ୍ୟା ଏବଂ ନୂତନ ବିଶ୍ୱ ଶକ୍ତିର ଅଭ୍ୟୁଦୟ ଘଟିଛି। ଅନେକେ ଏବେ ଚିନ୍ତା କରୁଛନ୍ତି ଯେ, ସଭ୍ୟତାର ପତନ ମଧ୍ୟ ହୋଇପାରେ। ହଠାତ୍ ଚତୁର୍ଦ୍ଦଶ ଶତାବ୍ଦୀର ଆରବର ବିଦ୍ୱାନ୍ ଇବନ ଖାଲଦୁନଙ୍କ ଲେଖା ପ୍ରତି ଏକ ନୂତନ ଆଗ୍ରହ ସୃଷ୍ଟି ହୋଇଛି। ଏହା ଖାଲଦୁନଙ୍କ ବିଷୟରେ ଯେତିକି କହୁଛି, ଆଧୁନିକ ପାଶ୍ଚାତ୍ୟ ଦୁନିଆ ବିଷୟରେ ମଧ୍ୟ ସେତିକି ଦର୍ଶାଉଛି।
ଉତ୍ତର ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରେ ବାରମ୍ବାର ରାଜବଂଶର ପତନ ଘଟିଥିଲା। ପରେ ଇବନ ଖାଲଦୁନ ଯୁକ୍ତି ବାଢ଼ିଥିଲେ ଯେ, ସାମାଜିକ ଏକତା ବା ସାମୂହିକ ଭାବନା ଯୋଗୁ ସାମ୍ରାଜ୍ୟଗୁଡ଼ିକର ଉତ୍ଥାନ ହୋଇଥିଲା। କଠିନ ସ୍ଥିତିକୁ ସାମ୍ନା କରି ବଞ୍ଚୁଥିବା ସମ୍ପ୍ରଦାୟଗୁଡ଼ିକ ଏକତ୍ରିତ ହୋଇ ସମୃଦ୍ଧ ଓ ଶକ୍ତିଶାଳୀ ସାମ୍ରାଜ୍ୟଗୁଡ଼ିକୁ ଜୟ କରିଥିଲେ। କିନ୍ତୁ ପିଢ଼ି ପରେ ପିଢ଼ି ଏହିଭଳି ସମୟ ଗଡ଼ିଚାଲିଲା ଏବଂ ସମୃଦ୍ଧି ଯୋଗୁ ବିଳାସବ୍ୟସନ ମଧ୍ୟ ବଢ଼ିଲା। ଏହି ବିଳାସବ୍ୟସନ ଶୃଙ୍ଖଳାକୁ ଦୁର୍ବଳ କଲା ଏବଂ ଶାସକ ଗୋଷ୍ଠୀ ସେମାନଙ୍କ ସଫଳତାର ଆଧାର ଥିବା ସେହି କଷ୍ଟକର ଜୀବନରୁ ସମୟକ୍ରମେ ଦୂରେଇଗଲେ। ଶେଷରେ ଏକ ନୂତନ ଏବଂ ଅଧିକ ଏକତାବଦ୍ଧ ଗୋଷ୍ଠୀ ପୁରୁଣା ଶାସକମାନଙ୍କୁ ବଦଳାଇ ଦେଉଥିଲା। ଇତିହାସ ଏକ ସରଳରେଖା ନ ଥିଲା, ବରଂ ଏକ ପୁନରାବୃତ୍ତି ଚକ୍ର ଥିଲା। ଏହା ପ୍ରଗତି ସମ୍ବନ୍ଧୀୟ ଆଧୁନିକ ୟୁରୋପୀୟ ଚିନ୍ତାଧାରାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଇତିହାସ କେଉଁ ଆଡ଼କୁ ଗତି କରୁଛି, ତାହା ପଚାରିବା ବଦଳରେ ଇବନ ଖାଲଦୁନ ପ୍ରଶ୍ନ କରିଥିଲେ ଯେ, ସଭ୍ୟତାଗୁଡ଼ିକ କାହିଁକି ବାରମ୍ବାର ବିଫଳ ହୁଅନ୍ତି। ତଥାପି, ପ୍ରତ୍ୟେକ ସଫଳତା ମଧ୍ୟରେ ହିଁ ତାର ପତନର ମଞ୍ଜି ଲୁଚି ରହିଥାଏ। ଏହି ଚିନ୍ତାଧାରା କେବଳ ଇବନ ଖାଲଦୁନଙ୍କ ପାଇଁ ଅନନ୍ୟ ନ ଥିଲା। ସେ କେବଳ ପ୍ରାଚ୍ୟ ଚିନ୍ତାଧାରାକୁ ପାଶ୍ଚାତ୍ୟ ଜଗତକୁ ପ୍ରସାରିତ କରିଥିଲେ।
ଚାଇନାରେ ‘ୟିନ’ ଏବଂ ‘ୟାଙ୍ଗ’ ଦର୍ଶନ ପରସ୍ପର ପରିପୂରକ ଶକ୍ତି ଭାବେ ଏହିଭଳି ଏକ ସମାନ ଅନ୍ତନିିର୍ହିିତ ଭାବନାକୁ ପ୍ରକାଶ କରିଥିଲେ। ପ୍ରତ୍ୟେକ ଶକ୍ତି ନିଜର ବିପରୀତ ଶକ୍ତି ସୃଷ୍ଟି କରେ। କୌଣସି ରାଜବଂଶ ଚିରକାଳ ଶାସନ କରେ ନାହିଁ। ସମୃଦ୍ଧି ଯୋଗୁ ଆତ୍ମସନ୍ତୋଷ ବା ଅଳସୁଆମି ଆସେ, ବୈଧତାକୁ ଦୁର୍ନୀତି ଦୁର୍ବଳ କରିଦିଏ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିଦ୍ରୋହ ରାଜକୀୟ ଅଧିକାର ହରାଇବାର କାରଣ ସାଜେ ଏବଂ ଶେଷରେ ଏକ ନୂତନ ରାଜବଂଶର ଆବିର୍ଭାବ ହୁଏ। ଏହି ଚକ୍ର ଅନେକ ଶତାବ୍ଦୀ ଧରି ପୁନରାବୃତ୍ତି ହୋଇ ଚାଲେ। ଭାରତୀୟ ସଭ୍ୟତା ବିଭିନ୍ନ ପ୍ରତିମା ବା ପ୍ରତୀକ ମାଧ୍ୟମରେ ଏହି ସମାନ ଅନ୍ତର୍ଦୃଷ୍ଟିକୁ ପ୍ରକାଶ କରିଥିଲା। ବୌଦ୍ଧ ଧର୍ମ ଅନିତ୍ୟତା ଉପରେ ଜୋର ଦିଏ। ଯାହା ସୃଷ୍ଟି ହୋଇଛି, ତାହା ଦିନେ ନା ଦିନେ ବିଲୀନ ହୋଇଯାଏ। ସ୍ଥାୟିତ୍ୱ ପ୍ରତି ଆସକ୍ତି ଦୁଃଖ ସୃଷ୍ଟି କରେ, କାରଣ ସ୍ଥାୟିତ୍ୱ ଏକ ମାୟା।
ହିନ୍ଦୁ ପରମ୍ପରାରେ ବିଷ୍ଣୁଙ୍କର ନିୟମିତ ଶୟନ ଏବଂ ଜାଗ୍ରତ ହେବା ମାଧ୍ୟମରେ ଉତ୍ଥାନ ଓ ପତନ ବିଚାରକୁ ପ୍ରକାଶ କରାଯାଇଛି। ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ ଭଳି ସଭ୍ୟତାଗୁଡ଼ିକର ଉତ୍ଥାନ ଓ ପତନ ହୁଏ। ଏହା ହେଉଛି ପ୍ରାକୃତିକ ବା ସ୍ବାଭାବିକ, ସାଂସ୍କୃତିକ ନୁହେଁ। ଭଗବଦ୍ ଗୀତାର ନୂତନ ବ୍ୟାଖ୍ୟାଗୁଡ଼ିକ ଶ୍ରୀକୃଷ୍ଣଙ୍କୁ ଧର୍ମର ଶକ୍ତିଗୁଡ଼ିକ ପକ୍ଷରେ ଲଢ଼ୁଥିବା ଜଣେ ତ୍ରାଣକର୍ତ୍ତା ଭାବରେ ଚିତ୍ରଣ କରେ। କିନ୍ତୁ ଏହା ସେହି ମୂଳ କଥାକୁ ଭୁଲିଯାଏ ଯେ, ଶ୍ରୀକୃଷ୍ଣ ହେଉଛନ୍ତି ସମୟ (କାଳ)ର ପ୍ରତୀକ ଏବଂ ସମୟ ସବୁକିଛି ଗ୍ରାସ କରିଥାଏ। ଓପନ୍ହାଇମର ଏବଂ ୟୁରୋପୀୟ ବିଦ୍ୱାନ୍ମାନେ ‘କାଳ’ ଏବଂ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଆଣବିକ ମହାବିନାଶକୁ ମହାଭାରତ ଯୁଦ୍ଧ ସହ ସମାନ କରିବାକୁ ଚେଷ୍ଟା କଲେ। ସେମାନେ ପ୍ରକୃତ ଅର୍ଥ ବୁଝିପାରିଲେ ନାହିଁ ଯେ, ବିଷ୍ଣୁଙ୍କ ଚକ୍ର ହେଉଛି ଇତିହାସ ଆଗକୁ ବଢ଼ିବା ପରିବର୍ତ୍ତେ ବୃତ୍ତାକାରରେ ଘୂରେ। ସମୁଦ୍ରରେ ତରଙ୍ଗ କେବଳ ପତନ ପାଇଁ ହିଁ ଉଠେ। ଋତୁଗୁଡ଼ିକ ଚକ୍ରାକାର ଗତିରେ ଯାଆନ୍ତି ଓ ଆସନ୍ତି। ଜନ୍ମ ପରେ ମୃତ୍ୟୁ ଆସେ, ପୁନର୍ବାର ପୁନର୍ଜନ୍ମ ଆଡ଼କୁ ଗତିକରେ। ଇବନ୍ ଖାଲଦୁନ ରାଜନୈତିକ ଉତ୍ଥାନ ଏବଂ ପତନ ପ୍ରକ୍ରିୟାକୁ ଅତ୍ୟନ୍ତ ଅନୁଭୂତିସିଦ୍ଧ ଭାବରେ ବ୍ୟାଖ୍ୟା କରିଛନ୍ତି, ଯାହା ଏବେ ପାଶ୍ଚାତ୍ୟ ଜଗତ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ପ୍ରାଚ୍ୟ ଓ ପ୍ରାଚୀନ ଚିନ୍ତାଧାରା । ୟୁରୋପ ଏବେ ଇବନ ଖାଲଦୁନ୍ଙ୍କୁ ପ୍ରଶଂସା କରି ଭାରତ ଏବଂ ଚାଇନାରେ ଥିବା ସମାନ ଚିନ୍ତାଧାରା ବିଷୟରେ କାହିଁକି ଅଜ୍ଞ ରହୁଛି?
ଭୂଗୋଳ ଏବଂ ବୌଦ୍ଧିକ ଇତିହାସ ମଧ୍ୟରେ ଏହାର କିଛି ଉତ୍ତର ରହିଛି। ଆରବ ଜଗତ ୟୁରୋପର ପଡ଼ୋଶୀ ଥିଲା। ମଧ୍ୟଯୁଗୀୟ ସିସିଲି, କ୍ରୁସେଡ (ଧର୍ମଯୁଦ୍ଧ), ଭୂମଧ୍ୟସାଗରୀୟ ବାଣିଜ୍ୟ ଏବଂ ପରବର୍ତ୍ତୀ ସମୟର ଔପନିବେଶିକ ସଂଘର୍ଷ ନିରନ୍ତର ବୌଦ୍ଧିକ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିଥିଲା। ସଂସ୍କୃତ କିମ୍ବା ଚାଇନା ଶାସ୍ତ୍ରଗୁଡ଼ିକ ବ୍ୟାପକ ଭାବରେ ଉପଲବ୍ଧ ହେବାର ଶତାବ୍ଦୀ ପୂର୍ବରୁ ଆରବୀ ଗ୍ରନ୍ଥଗୁଡ଼ିକ ୟୁରୋପୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରବେଶ କରିସାରିଥିଲା। ତେଣୁ ୟୁରୋପର ବିସ୍ତାରଶୀଳ ବୌଦ୍ଧିକ ପରମ୍ପରାରେ ଇବନ ଖାଲଦୁନ ସହଜରେ ସ୍ଥାନ ପାଇଲେ।
ଇଣ୍ଟରନେଟ ଗ୍ରନ୍ଥଗୁଡ଼ିକୁ ପୂର୍ବାପେକ୍ଷା ଅଧିକ ସହଜଲଭ୍ୟ କରିଦେଇଛି, ତଥାପି ପ୍ରଯୁକ୍ତିବିଦ୍ୟା ତୁଳନାରେ ମାନସିକ ଚିତ୍ରପଟ ଧୀରେ ଧୀରେ ବଦଳିଥାଏ। ଶିକ୍ଷାର ଶୃଙ୍ଖଳା, ପ୍ରକାଶନ ଧାରା, ଭାଷାଗତ ପ୍ରତିବନ୍ଧକ ଏବଂ ପାରମ୍ପରିକ ଅଭ୍ୟାସଗୁଡ଼ିକ ଏବେ ମଧ୍ୟ କେଉଁ ବିଷୟକୁ ସାର୍ବଜନୀନ ଦର୍ଶନ ଭାବରେ ଗଣନା କରାଯିବ, ତାହା ନିର୍ଦ୍ଧାରଣ କରୁଛି। ପାଶ୍ଚାତ୍ୟ ପାଠକମାନେ ପ୍ରାୟତଃ କୌଣସି ଧାରଣାକୁ ସେତେବେଳେ ଆବିଷ୍କାର କରନ୍ତି, ଯେତେବେଳେ ତାହା ପରିଚିତ ବୌଦ୍ଧିକ ଦ୍ୱାର ଦେଇ ତାଙ୍କ ପାଖରେ ପହଞ୍ଚେ।
କୌଣସି କଳା ଐତିହାସିକ ବିଷ୍ଣୁଙ୍କ ନିଦ୍ରାର ଚିତ୍ରକୁ ଦେଖି କାହିଁକି ଏହା କହିବେ ନାହିଁ ଯେ ଏହା ଭାରତୀୟମାନଙ୍କ ଜୀବନର ଚକ୍ରାକାର ସ୍ବଭାବକୁ ବୁଝାଇବାର ଏକ ପଦ୍ଧତି? ଏହା କେବଳ ପ୍ରକୃତିର ଚକ୍ର ନୁହେଁ, ସଂସ୍କୃତିର ମଧ୍ୟ । ଏବେ ସରଳରୈଖିକ ପ୍ରଗତି ପ୍ରତି ଆତ୍ମବିଶ୍ୱାସ ଦୁର୍ବଳ ହେଉଥିବାବେଳେ ପୃଥିବୀ ପୁରୁଣା ଚିନ୍ତାଧାରାଗୁଡ଼ିକୁ ପୁନଃ ଆବିଷ୍କାର କରୁଛି। ଭବିଷ୍ୟତ ବୋଧହୁଏ ଏକ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳ ନୁହେଁ, ବରଂ ଚକ୍ରର ଆଉ ଘୂର୍ଣ୍ଣନ। ଯଦି ଏହି ଅନୁଭବ ଇବନ୍ ଖାଲଦୁନ ଏବଂ ଚାଇନା ଓ ଭାରତୀୟ ପରମ୍ପରାକୁ ବୁଝିବାକୁ ପ୍ରେରଣ କରେ, ତେବେ ବିଶ୍ୱ ଇତିହାସ ବିଷୟରେ ଆମ ଆଲୋଚନା ଅଧିକ ସମୃଦ୍ଧ, ବ୍ୟାପକ ଏବଂ ୟୁରୋପର ବୌଦ୍ଧିକ ସୀମାରେଖାରୁ ଅଧିକ ମୁକ୍ତ ହୋଇପାରିବ।
-devduttofficial@gmail.com