କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮:  କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ୟାନ୍‌ସର ରୋଗୀ ଚିହ୍ନଟ ହେବା ମାତ୍ରେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। କ୍ୟାନ୍‌ସରକୁ ଅଧିସୂଚିତ ରୋଗ ଭାବେ ଘୋଷଣା କରିବା ପାଇଁ ଏକ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟରେ ସୁପାରିସ କରାଯିବା ପରେ ମୋଟ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୭ଟି ଏହା କାର୍ଯ୍ୟକାରୀ କରିଛନ୍ତି। ଏହା ଜାଣିବା ପରେ ସର୍ବୋଚ୍ଚ ଅଦାଲତ ବାକି ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୂପ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
କ୍ୟାନ୍‌ସରର ସଅଳ ଚିହ୍ନଟ ଏବଂ ରୋଗୀଙ୍କ ଉପଯୁକ୍ତ ଯତ୍ନ ଲାଗି ଅନୁରାଗ ଶ୍ରୀବାସ୍ତବ ନାମକ ଡାକ୍ତର ଏହାକୁ ଅନୁସୂଚିତ ରୋଗ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

Dharitri – Odisha’s No.1 Odia Daily