ଇସଲାମବାଦ,୧୨ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ ଦାବି କରିଛନ୍ତି ଯେ ଜେଲରେ ଇମ୍ରାନ ଖାନଙ୍କର ମୃତ୍ୟୁ ହୋଇସାରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନେଇ ଗତ କିଛି ମାସ ହେବ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ବର୍ତ୍ତମାନ ବିଷୟକୁ ନେଇ ଚର୍ଚ୍ଚା ବୃଦ୍ଧି ପାଇଛି ।
ପାକିସ୍ତାନୀ ସାମ୍ବାଦିକ ୱାଜାହାତ୍ ସଇଦ୍ ଖାନ (Wajahat S. Khan) ଏପରି ଏକ ଦାବି କରିଛନ୍ତି, ଯାହା ପାକିସ୍ତାନ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ସାମ୍ବାଦିକଙ୍କ କହିବାନୁଯାୟୀ, ତିନିଜଣ ବରିଷ୍ଠ ସାମରିକ ସୂତ୍ରର ମତ ରହିଛି ଯେ ରାୱଲପିଣ୍ଡିର ଆଦିଆଲା ଜେଲରେ ଇମ୍ରାନ ଖାନଙ୍କର ମୃତ୍ୟୁ ହୋଇସାରିଥାଇପାରେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦାବିର କୌଣସି ସ୍ୱାଧୀନ ଭାବରେ ପୁଷ୍ଟି ହୋଇନାହିଁ ଏବଂ ଇମ୍ରାନ ଖାନଙ୍କ ମୃତ୍ୟୁର କୌଣସି ଠୋସ୍ ପ୍ରମାଣ ସାମ୍ନାକୁ ଆସିନାହିଁ । ତେଣୁ ଏହାକୁ ବର୍ତ୍ତମାନ ଯୁକ୍ତିହୀନ ବୋଲି କୁହାଯାଇଛି ।
ଅଗଷ୍ଟ ୧୦ ତାରିଖରେ ୟୁଟ୍ୟୁବ୍ରେ ପ୍ରକାଶିତ ଏକ ଭିଡିଓରେ ସାମ୍ବାଦିକ ୱାଜାହାତ୍ ସଇଦ୍ ଖାନ କହିଛନ୍ତି ଯେ ସେ ପାକିସ୍ତାନର ସାମରିକ ମୁଖ୍ୟାଳୟରେ ଥିବା ସୂତ୍ରଗୁଡ଼ିକ ସହ କଥା ହୋଇଛନ୍ତି। ତାଙ୍କ କହିବାନୁଯାୟୀ, ତିନିଜଣ ବରିଷ୍ଠ ସାମରିକ ଅଧିକାରୀ ପୃଥକ ପୃଥକ ଭାବରେ ଏହି ଆଶଙ୍କା ପ୍ରକଟ କରିଛନ୍ତି ଯେ ଇମ୍ରାନ ଖାନ ଆଉ ଜୀବିତ ନାହାନ୍ତି। ତଥାପି, ସାମ୍ବାଦିକ ଜଣକ ନିଜେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ଅଧିକାରୀମାନେ ନିଜ ଆଖିରେ ଇମ୍ରାନ ଖାନଙ୍କ ମୃତ୍ୟୁକୁ ଦେଖି ନାହାନ୍ତି। ସେମାନେ କେବଳ ଏପରି କଥା ଶୁଣିଛନ୍ତି, ଯାହା ଆଧାରରେ ସେମାନଙ୍କ ମନରେ ଏପରି ଆଶଙ୍କା ସୃଷ୍ଟି ହୋଇଛି।
ଇମ୍ରାନ ଖାନ ୨୦୨୩ ଅଗଷ୍ଟରୁ ଜେଲରେ ବନ୍ଦ ଅଛନ୍ତି। ଦୀର୍ଘ ସମୟ ଧରି ତାଙ୍କ ପରିବାର ଏବଂ ଓକିଲମାନଙ୍କୁ ତାଙ୍କୁ ଭେଟିବାକୁ ଦିଆଯାଉ ନାହିଁ । ଏହି କାରଣରୁ ତାଙ୍କୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି ।