ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ। ତାହା ବି ଗ୍ରହଣଯୋଗ୍ୟ ହୋଇପାରେ। ଆମ ସମାଜ, କାହାର ମୃତ୍ୟୁରେ ଝିଅଟିଏ ମୁଖାଗ୍ନି ଦେବାକୁ ସହଜରେ ଗ୍ରହଣ କରିପାରେ ନାହିଁ। ସେହି ତିନି ଝିଅଙ୍କ ମଧ୍ୟରୁ ଜଣେ ବାପାଙ୍କ ସତ୍କାର କରିବାକୁ ଏକ ଅନୁଷ୍ଠାନକୁ ଟଙ୍କା ମଧ୍ୟ ପଠାଇଥିଲେ। ତାହା ମଧ୍ୟ ଗ୍ରହଣଯୋଗ୍ୟ। ସମାଜରେ କଥିତ ଅଛି, ଦୂର ଯିଏ ପର ସିଏ। ଏହା ବି କଥିତ ଅଛି, ଝିଅ ଜନମ ପର ଘରକୁ। ତେଣୁ ଦୂରରେ ଥିବା ମଣିଷ, ଆଉ ଏକ ପରିବାରର ଦାୟିତ୍ୱ ନେଇଥିବା ଝିଅମାନେ ଏ ସମୟରେ ଉପସ୍ଥିତ ରହିବା ସମ୍ଭବ ହୋଇ ନ ପାରେ। ଯାହାର ପୁଅ ନାହିଁ ତାହାର ଝିଅ ମୁଖାଗ୍ନି ଦେବା ଉଚିତ, ଏହା ବ୍ୟକ୍ତିଗତ ମତ ହୋଇପାରେ କିନ୍ତୁ ପ୍ରଗତିଶୀଳ ଚିନ୍ତନ । ସେ ଝିଅମାନଙ୍କର ସବୁ କଥା ଗ୍ରହଣୀୟ କିନ୍ତୁ ବାପାର ଚିତା ଜଳୁଥିବା ସମୟରେ ମୋବାଇଲ ଭିଡିଓ (ହ୍ବାଟ୍ସଆପ୍‌ ଭିଡିଓ କଲିଂ) ମାଧ୍ୟମରେ ଉପସ୍ଥିତ ରହି ଯେଉଁଭଳି ଭାବେ ପଚାରୁଥିଲେ, କେତେବେଳେ ସରିବ, ଆଉ କେତେ ସମୟ ଲାଗିବ, ତାହା ଉପସ୍ଥିତ ମଣିଷମାନଙ୍କ ମଧ୍ୟରେ ଗ୍ରହଣୀୟ ହେଉ ନ ଥିଲା। ସେଥିପାଇଁ ତାହା ସାମାଜିକ ଗଣମାଧ୍ୟମରେ ଦ୍ରୁତ ପ୍ରସାରିତ ହୋଇ ନିନ୍ଦନୀୟ ହେଉଥିଲା। ଯେଉଁ ବାପା ପରିବାରର ସବୁ ଦାୟିତ୍ୱ ନେଇ ପିଲାଙ୍କୁ ମଣିଷ କଲା, ସେ ପିଲାଙ୍କ ପାଖରେ ସମୟ ନାହିଁ, ସେହି ବାପଟି ପାଇଁ।
ସେଦିନ ବିିଦ୍ୟାଳୟରେ ପ୍ରଧାନଶିକ୍ଷକ ପିଲାଙ୍କୁ ଅଗଣା ସଫା କାର୍ଯ୍ୟରେ ଲଗାଇବାରୁ, ଅନେକ ଅଭିଭାବକ ଏହାର ତୀବ୍ର ବିରୋଧ କଲେ। ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ। ବର୍ତ୍ତମାନର ନିୟମକାନୁନ ପାଖରେ ସବୁ ଶିକ୍ଷକ ଅସହାୟ। ପିଲାଟିଏ ବିଦ୍ୟାଳୟକୁ ଖାଲି ପଢ଼ିବାକୁ ଆସେ ନାହିଁ, ସେ ବିଦ୍ୟାଳୟରେ ବଞ୍ଚିବାର ଅନେକ କଳା ମଧ୍ୟ ଶିକ୍ଷା କରେ। ଭଲ ମଣିଷଟିଏ ହୋଇ ସମାଜରେ ବଞ୍ଚିବାକୁ ସଂସ୍କାର ପାଏ। ସେଥିପାଇଁ ବକୁଳବନ ବିଦ୍ୟାଳୟରେ ପାଠପଢ଼ା ସହିତ ଅନେକ ଶାରୀରିକ କାର୍ଯ୍ୟ ଶିକ୍ଷା ମଧ୍ୟ ଦିଆଯାଉଥିଲା। ସେ ଅଭିଭାବକଗଣ ମଧ୍ୟ ତାଙ୍କ ପିଲାଦିନେ ପାଠପଢ଼ା ସହିତ ଏମିତି ଅନେକ କାର୍ଯ୍ୟ କରିଥିବେ। ତାହାଦ୍ୱାରା ସେମାନେ କ’ଣ ଅମଣିଷ ହୋଇଯାଇଛନ୍ତି କି? କଥା ତାହା ନୁହେଁ ବୋଧହୁଏ, କାରଣ ତାଙ୍କ ପିଲାଙ୍କୁ ହାକିମ କରିବାକୁ ବିଦ୍ୟାଳୟକୁ ପଠାଇଛନ୍ତି। ଯଦି ପିଲାଏ ଏପରି ଛୋଟକାମ କରିବେ, ହାକିମ ହେବାରୁ ସେମାନେ କାଳେ ବଞ୍ଚିତ ହୋଇଯିବେ। ଏ ଧାରଣା ହେଲା ବୋଧେ। କିନ୍ତୁ ଏକଥା ଯେତେବେଳେ ସାମାଜିକ ଗଣମାଧ୍ୟମ ଓ ସାଧାରଣ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ଏହା ସେତେଟା ଗ୍ରହଣୀୟ ହେଲାନାହିଁ, ବରଂ ଅଭିଭାବକଙ୍କ ଏପରି କାର୍ଯ୍ୟକୁ ଅନେକ ନିନ୍ଦା କଲେ।
ଆହୁରି ଘଟଣାମାନ ଆମେ ଦେଖୁଛେ କାହାକୁ କିଛି ନ ଜଣାଇ ପିଲାଏ ବିଦ୍ୟାଳୟରୁ କେଉଁଆଡ଼େ ଚାଲିଯାଉଛନ୍ତି ଯେ ସେମାନେ ଅନ୍ୟ ରାଜ୍ୟରୁ ଠାବ ହେଉଛନ୍ତି। କେଉଁଠି ପିଲାଏ ତଳ ଶ୍ରେଣୀ ପିଲାଙ୍କୁ ମରଣାତ୍ମକ ଆକ୍ରମଣ କଲେଣି। କେଉଁଠି ଛାତ୍ରୀଛାତ୍ର ନିଶା ସେବନ କରି ଅନେକ ଅପରାଧ ଘଟାଇଲେଣି। ଆମେ ମଧ୍ୟ ଆମ ପିଲାକୁ ଚାଲାକ କରିବାକୁ ଅନେକ ଚେଷ୍ଟା କରୁଛୁ। ଛୋଟ ଛୋଟ ପିଲାଙ୍କୁ ବାଇକ୍‌ ଦେଇ ବିଦ୍ୟାଳୟ ପଠାଉଛୁ। କଥାର ମାହାତ୍ମ୍ୟ ହେଉଛି ଏ ଯୁଗରେ ପିଲାଏ ଆପଣା ଛାଏଁ ଚାଲାକ ହୋଇଯାଉଛନ୍ତି। ବର୍ତ୍ତମାନ ପିଲାଏ ସବୁକଥା ଜାଣି ଚାଲାକ ହେବାକୁ, ସେମାନଙ୍କ ପାଖେ ଅନେକ ସାଧନ ଅଛି। ତାଙ୍କୁ ଚାଲାକ କରିବାକୁ ମାତାପିତା ଆଉ ଚେଷ୍ଟା କରନ୍ତୁ ନାହିଁ। ପିଲାଏ ଏତେ ଚାଲାକ ହେଉଛନ୍ତିି ଯେ କି ପ୍ରକାର ଅଘଟଣ ସବୁ ସମାଜରେ ଘଟାଉଛନ୍ତି, ତାହା ଖବର ମାଧ୍ୟମରେ ଆମେ ଜାଣୁଛେ। ଏପରି ସ୍ଥଳେ ସେମାନଙ୍କ ପାଇଁ କ’ଣ ଲୋଡ଼ା? ଖାଲି ଲୋଡ଼ା ନୀତି ଆଉ ନୈତିକତାର ଶିକ୍ଷା। ସେହି ଟିକକ ସବୁ ସମୟରେ ମର୍ଯ୍ୟାଦା ରଖେ।
ଜରାଶ୍ରମ ଭାରତୀୟ ସଂସ୍କୃତିର ଆଧାର ନୁହେଁ। ତାହାର ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ସେଠି ଯେଉଁ ବୃଦ୍ଧାବୃଦ୍ଧ ରହୁଛନ୍ତି ଆମେ ପାଇବା, ସେମାନେ ସମସ୍ତେ ଅଶିକ୍ଷିତ ନୁହନ୍ତି ବା ସେମାନଙ୍କୁ ଛାଡ଼ି ଦେଇଥିବା ସେମାନଙ୍କର ପିଲାମାନେ ମଧ୍ୟ ଏତେଟା ଅଶିକ୍ଷିତ ନୁହନ୍ତି। ଆମେ ଯେତେ ଦିନକୁଦିନ ଅଧିକ ଆଧୁନିକତା ଆଡ଼କୁ ଯାଉଛେ, ଶିକ୍ଷିତ ହେଉଛେ ବୋଲି ଦାବି କରୁଛେ, ତାହାର ସମାନ୍ତରାଳରେ ସେତେ ବୃଦ୍ଧାଶ୍ରମ ସଂଖ୍ୟା ବୁଦ୍ଧି ପାଉଛି, ସେତେ ଅପରାଧ ମଧ୍ୟ ସମାଜରେ ବୃଦ୍ଧି ପାଉଛି। ଅପରାଧ ବୋଇଲେ କେଉଁଠି ପୁଅ ବାପକୁ ହତ୍ୟା କଲାଣି ତ କେଉଁଠି ମାତାପିତା ଉଭୟଙ୍କୁ ହତ୍ୟା କଲାଣି। କି କି ଘଟଣାମାନ ଘଟୁଛି ପରିବାରମାନଙ୍କରେ ତାହା ଆଶାତୀତ। ତାହା ବିରଳରୁ ବିରଳତମ ହୋଇଯାଉଛି।
ଆଜକୁ ଦେଢ଼ ଶହ ବର୍ଷ ତଳେ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କର ‘ଡାକମୁନ୍‌ସୀ’ ଗପରେ ସେସମୟର ସାମାଜିକ ସ୍ଥିତିକୁ ଆଣିବା ସହିତ ସମାଜକୁ ସଚେତନ କରିଛନ୍ତିି। ‘ଡାକମୁନ୍‌ସୀ’ ବା ‘ହାକିମ’ ଏକ ମଣିଷକୁ ବୁଝାଉନାହିଁ, ଏକ ପଦକୁ ବୁଝାଉନାହିଁ। କାହାର ମର୍ଯ୍ୟାଦା କ୍ଷୁଣ୍ଣ କରିବାର ବି ନୁହେଁ। ବିଚାରର ଏକ ସାମଗ୍ରିକ ପ୍ରତୀକ ଭାବେ ଏଠାରେ ଉପସ୍ଥାପନ କରାଯାଉଛି। ‘ଡାକମୁନ୍‌ସୀ’ ଗଳ୍ପ ସବୁ ସମୟ ପାଇଁ ପ୍ରାସଙ୍ଗିକ ହୋଇରହୁଛି, ଏହା ହିଁ ଦୁଃଖ। କାରଣ ସେ ସମୟଠାରୁ ବର୍ତ୍ତମାନ ସମୟରେ ମଣିଷ ଅଧିକ ଶିକ୍ଷିତ, ଅଧିକ ଧାର୍ମିକ ମଧ୍ୟ। ଦିନକୁଦିନ ବିଭିନ୍ନ ଭକ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭକ୍ତିଭାବ ବି ବଢ଼ିବାରେ ଲାଗିଛି। ସେହି ‘ଡାକମୁନ୍‌ସୀ’ ଗଳ୍ପ ଆମେ ସମସ୍ତେ ପାଠ୍ୟପୁସ୍ତକରେ ପଢ଼ିଛେ, ଟିକେ ବିଚାରବନ୍ତ ହେବାକୁ। କିନ୍ତୁ ବିଚାରରେ ସବୁବେଳେ କଳଙ୍କି ଲାଗୁଛି ଯେ ତାହା ଛାଡ଼ୁନାହିଁ।
ପିଲାଏ ଡାକମୁନ୍‌ସୀ ଚାକିରି କରନ୍ତୁ, ହାକିମ ହୁଅନ୍ତୁ, ଡାକ୍ତର ହୁଅନ୍ତୁ, ବୈଜ୍ଞାନିକ ହୁଅନ୍ତୁ, ଚାଷୀ ହୁଅନ୍ତୁ, ସବୁ ସମାଜ ପାଇଁ ଦରକାରୀ। ସମାଜର ନୈତିକତାର ଅଧୋଗତି ନ ହେଉ। ସମାଜର ମୂଲ୍ୟବୋଧକୁ ସମସ୍ତେ ତୋଳି ଧରିବାକୁ ଚେଷ୍ଟା କରନ୍ତୁ। ମାଳିଆ ମା’ ତା ଶାଶୁକୁ ହଇରାଣ କରୁଥିଲା, ସେ ବର୍ତ୍ତମାନ ଶାଶୁ ହୋଇଛି, ସେ ବି କହୁଛି ତା ବୋହୂ ତାକୁ ହଇରାଣ କରୁଛି। ଏହା ଯୁଗ ଯୁଗ ପାଇଁ ନ ଚାଲୁ। ଏହାର ପୂର୍ଣ୍ଣଚ୍ଛେଦ ପଡ଼ୁ। ଆମେ ଶିକ୍ଷିତଗଣ ଏହାର ପୂର୍ଣ୍ଣଚ୍ଛେଦ ନ ପକାଇଲେ, ଆମେ ଯେଉଁମାନେ ବଞ୍ଚିଛେ, ସେହି ପ୍ରକ୍ରିୟାରେ ଆମେ ହିଁ ପଡ଼ିବା। ନୀତିନୈତିକତା ତୋଳି ଧରିଲେ ସମାଜ କାହାକୁ ବୋକା କହିଲେ କହୁପଛେ, ସେହି ମର୍ମକୁ ବୁଝିବା ହେଉ ସୁଧୀଜନେ।
ଗୋଗଳ, କାଏମା, ଯାଜପୁର
ମୋ:୯୭୭୭୭୪୯୭୨୭

Dharitri – Odisha’s No.1 Odia Daily